ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତର ଡିଜିଟାଲ୍‌‌ ଅର୍ଥନୀତି ପାଇଁ ପ୍ରଶିକ୍ଷିତ ମାନବ ସମ୍ବଳ: ଶ୍ରମିକ ସୁରକ୍ଷା ଓ ଦକ୍ଷତା ବିକାଶ ପାଇଁ ନୂଆ ନୀତି ଲୋଡ଼ା

ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌‌ଓ)ର ତଥ୍ୟ ଅନୁସାରେ ଭାରତରେ ପ୍ରତିବର୍ଷ ୭୦ ରୁ ୮୦ ଲକ୍ଷ ଯୁବକ ଯୁବତୀ ଶ୍ରମ ବଜାରରେ ପ୍ରବେଶ କରନ୍ତି। ରୋଜଗାର ପାଇଁ ସେମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ହେଉଥିଲେ ମଧ୍ୟ ସେଥିପାଇଁ ସେମାନଙ୍କର ଆବଶ୍ୟକ କର୍ମକୁଶଳତା ବା ଦକ୍ଷତା ନଥାଏ। ଦକ୍ଷ ଲୋକଶକ୍ତି ସୃଷ୍ଟି କରିବାକୁ ୨୦୧୫ ରୁ ୨୦୨୩ ମଧ୍ୟରେ ଭାରତ ସରକାର ଯେଉଁ ଦକ୍ଷତା ବିକାଶ ଯୋଜନା ଓ ଅଭିଯାନ କାର୍ଯ୍ୟକାରୀ କରିଆସୁଥିଲେ, ତାହା ଏ ପର୍ଯ୍ୟନ୍ତ ନୂଆ ଶ୍ରମଶକ୍ତିର ମାତ୍ର ୨୫ ଶତାଂଶ ଦକ୍ଷ ଏବଂ ନିଯୁକ୍ତି ଉପଯୋଗୀ କରିବାକୁ ସମର୍ଥ ହୋଇଛି। ଏହି ତଥ୍ୟର ଅର୍ଥ ହେଲା ପ୍ରତିବର୍ଷ ଭାରତୀୟ ଶ୍ରମ ବଜାରକୁ ଯେତେ ଶ୍ରମିକ ଓ କାର୍ମିକ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ୭୫ ଭାଗ ନୂଆ ଟେକ୍‌‌ନୋଲୋଜି, ନୂତନ ଶ୍ରମ ସଂସ୍କୃତି ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ ନୁହନ୍ତି। ଅତଏବ ଦକ୍ଷତା ବା କୁଶଳତା ଦୃଷ୍ଟିରୁ ସେମାନେ ଅନୁପଯୁକ୍ତ ହୋଇଥିବାରୁ ଯଥାର୍ଥ ନିଯୁକ୍ତି ଓ ଉପାର୍ଜନର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଦକ୍ଷ ଲୋକଶକ୍ତି ଅଭାବର ସିଧାସଳଖ କୁପ୍ରଭାବ ଶ୍ରମବଜାର, ରୋଜଗାର, ନିଯୁକ୍ତି, ଉତ୍ପାଦନ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡୁଛି। ଉଦ୍ୟୋଗ କ୍ଷେତ୍ରର ନୂଆ ଟେକ୍‌‌ନୋଲୋଜି ଦକ୍ଷ ଲୋକଶକ୍ତି ଅଭାବରୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ବେକାରୀ ବଢ଼଼ିବା ସହିତ ଭାରତ ତାହାର ବିପୁଳ ଲୋକଶକ୍ତିର ଜନସାଂଖ୍ୟିକ ଲାଭ ଉଠାଇ ପାରୁନାହିଁ।

କେନ୍ଦ୍ର ସରକାର ଏ ସମ୍ପର୍କରେ ଭଲ ଭାବେ ଅବଗତ ଏବଂ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ୨୦୧୫ର ଦକ୍ଷତା ବିକାଶ ନୀତିର ପରିବର୍ତ୍ତନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ନୂଆନୀତି ପ୍ରସ୍ତୁତ କରିବାକୁ ବୋଷ୍ଟନ କନ୍‌‌ସଲଟିଂ ଗ୍ରୁପ୍‌‌କୁ ନିୟୋଜିତ କରାଯାଇଥିବା ଖବର ପ୍ରକାଶ ପାଇଛି। ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ନୀତି ଯେତେଶୀଘ୍ର ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେବ, ସେତେ ମଙ୍ଗଳକାରୀ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୫ ଠାରୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୨୦୨୩ ଡିସେମ୍ବର ସୁଦ୍ଧା ଭାରତରେ ମାତ୍ର ୧୪ ନିୟୁତ ନିଯୁକ୍ତି ଆଶାୟୀ (ପ୍ରାର୍ଥୀ)ଙ୍କୁ ତାଲିମ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଭାରତର ଅର୍ଥନୀତି ଯେଉଁ ବେଗରେ ବଢ଼଼ୁଛି ଓ ଟେକ୍‌‌ନୋଲୋଜିର ପରିବର୍ତ୍ତନ ହେଉଛି, ତଦନୁସାରେ ଯୋଗ୍ୟ ଓ ଦକ୍ଷ ଲୋକଶକ୍ତି ଆବଶ୍ୟକ ପରିମାଣରେ ମିଳୁନାହାନ୍ତି। ଆହୁରି ମଧ୍ୟ ଦକ୍ଷ ଶ୍ରମ ଶକ୍ତିର ଅଭାବ ଯୋଗୁଁ ଭାରତୀୟ ଯୁବ ଶ୍ରମିକ / କର୍ମଚାରୀମାନେ ବିଶ୍ୱ ଶ୍ରମ ବଜାରରେ ମଧ୍ୟ ଉପଯୁକ୍ତ ସ୍ଥାନ ପାଉ ନାହାନ୍ତି। ଏହି କାରଣରୁ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପ୍ରଚଳିତ ନୀତି ବଦଳାଇ ଏହାକୁ ଆହୁରି ଅଧୁନାତନ ଏବଂ ବ୍ୟାପକ କରିବାକୁ କ୍ଷେତ୍ର ପ୍ରସ୍ତୁତି କରିଛି। ଏହାଛଡ଼ା ପ୍ରତିମାସରେ କେତେ ଶ୍ରମିକଙ୍କ ଦକ୍ଷତା ବିକାଶ କରାଯାଉଛି, ତାହା ଅନୁଧ୍ୟାନ କରିବାକୁ ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ବୋଷ୍ଟନ କନ୍‌‌ସଲଟାନ୍ସି ଗ୍ରୁପ୍‌‌ (ବିସିଜି) ନୂଆ ନୀତି ଓ ଯୋଜନା ସମ୍ପର୍କରେ ଚଳିତବର୍ଷ ଶେଷ ସୁଦ୍ଧା ରିପୋର୍ଟ ଦେବ ବୋଲି ଆଶା କରାଯାଉଛି।

ଏହି କାମଟି ଟିକିଏ ବିଳମ୍ବ ହୋଇଯାଇଛି କହିଲେ ଭୁଲ୍‌‌ ହେବ ନାହିଁ; ତେବେ ଭାରତ ଭଳି ଏକ ପ୍ରକାଣ୍ଡ ତଥା ଦ୍ରୁତ ବିକାଶଶୀଳ ଦେଶରେ କୌଶଳ ବିକାଶ ଏକ ସହଜସାଧ୍ୟ କାମ ନୁହେଁ। କେନ୍ଦ୍ର ସରକାରଙ୍କ ନୀତିକୁ କାର୍ଯ୍ୟକାରୀ କରିବା ରାଜ୍ୟମାନଙ୍କର ଦାୟିତ୍ୱ। ତେଣୁ ସବୁ ରାଜ୍ୟରେ ଏହା ଆଶାନୁରୂପ ପ୍ରଗତି କରିପାରୁନାହିଁ। ଏହି ବିଳମ୍ବ ଫଳରେ ଏହାର ପ୍ରଭାବ ଶ୍ରମ ବଜାର ଉପରେ ପଡୁଛି ଏବଂ ଇପିଏଫ୍‌‌ର ମୋଟ୍‌‌ ସଭ୍ୟ ସଂଖ୍ୟାରେ ହ୍ରାସ ଲକ୍ଷ୍ୟ କରାଯାଉଛି। ନିଯୁକ୍ତି ଓ ବେକାରୀ ସମସ୍ୟା ସହିତ ରାଜନୀତିର ମଧ୍ୟ ସିଧା ସମ୍ପର୍କ ଥାଏ। ଏଥର ଲୋକସଭା ନିର୍ବାଚନରେ କେତେକ ପ୍ରମୁଖ ରାଜ୍ୟରେ ଏନ୍‌‌ଡିଏର ଖରାପ ପ୍ରଦର୍ଶନ ପଛରେ ଏହି ବେକାରୀ ସମସ୍ୟା ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି।

ଏବେ ଭାରତୀୟ ଶ୍ରମ ନିଯୁକ୍ତି କ୍ଷେତ୍ରରେ ଏକ ନୂତନ ପରିସ୍ଥିତି ସୃଷ୍ଟି ହୋଇଛି। ନୂତନ ଡିଜିଟାଲ୍‌‌ ଅନ୍‌‌ଲାଇନ୍‌‌ ବ୍ୟବସାୟରେ ଯେଉଁମାନେ ଅସ୍ଥାୟୀ ବା ସାମୟିକ କର୍ମଚାରୀ ଭାବେ କାମ କରୁଛନ୍ତି, ସେମାନଙ୍କ ପାଇଁ କୌଣସି ସାମାଜିକ ଓ ଆର୍ଥିକ ସୁରକ୍ଷା ନିୟମ ପ୍ରଣୟନର ଆବଶ୍ୟକତା ଦେଖାଦେଲାଣି। ସମ୍ପ୍ରତି ବିସ୍ତାର ଲାଭ କରୁଥିବା ଡିଜିଟାଲ୍‌‌ ଅର୍ଥନୀତି(ଗିଗ୍‌‌ ଇକନୋମି)ରେ ଯେଉଁ ନୂତନ ଅଣକୁଶଳୀ ବା ଅର୍ଦ୍ଧକୁଶଳୀ କର୍ମଚାରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ଦେଖାଯାଉଛି, ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ନିମନ୍ତେ ନୂତନ ଆଇନର ଆବଶ୍ୟକତା ରହିଛି। ଡିଜିଟାଲ୍‌‌ ଅର୍ଥନୀତିରେ କାମ କରୁଥିବା କର୍ମଚାରୀମାନେ ‘ଗିଗ୍‌‌ ୱାର୍କର୍ସ’ ଭାବରେ ପରିଚିତ। ବର୍ଷକ ତଳେ ରାଜସ୍ଥାନ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଗିଗ୍‌‌ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ ବିଲ୍‌‌ ଆଣିଥିଲେ। ଏବେ କର୍ଣ୍ଣାଟକ ସରକାର ସେହି ବିଲ୍‌‌ ଢାଞ୍ଚାରେ ଏକ ଉନ୍ନତ ଚିଠାବିଲ୍‌‌ ପ୍ରସ୍ତୁତ କରିଛନ୍ତି। କାଳକ୍ରମେ ସବୁ ରାଜ୍ୟରେ ଏଭଳି ବିଲ୍‌‌ର ଆବଶ୍ୟକତା ପଡ଼ିବ; କାରଣ ଏବେ ଗିଗ୍‌‌ ଶ୍ରମ ସଂସ୍କୃତି ବଢ଼଼ୁଛି ଏବଂ ସ୍ଥାୟୀ ନିଯୁକ୍ତି ହ୍ରାସ ପାଉଛି। ବିଭିନ୍ନ ବଡ଼ ବଡ଼ କମ୍ପାନୀ, ବାଣିଜ୍ୟିକ ସଂସ୍ଥା ଓ ସଂଗଠନରେ ଏହିଭଳି ଅଣଆନୁଷ୍ଠାନିକ ଶ୍ରମିକଙ୍କ ଚାହିଦା ବଢ଼଼ୁଛି। ଡୁନ୍‌‌ଜୋ, ଜମାଟୋ, ସୁଇଗୀ, ବ୍ଲିକିଂଟ୍‌‌, ଫ୍ଲିପକାର୍ଟ ଭଳି ବିଭିନ୍ନ ଡେଲିଭରୀ ସଂସ୍ଥାରେ ଏଭଳି କର୍ମଚାରୀ ବହୁସଂଖ୍ୟାରେ କାମ କରୁଛନ୍ତି। ସେମାନଙ୍କର ବେତନ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବା ଆବଶ୍ୟକ।

ଏଥିସହିତ ପଢ଼ନ୍ତୁ

ଶ୍ରମ ନିୟମରେ ଶ୍ରମିକର ଅଧିକାର ଓ ସ୍ୱାର୍ଥ ସୁରକ୍ଷିତ ହେବା ପ୍ରଥମ ଆବଶ୍ୟକତା। ଶ୍ରମ ଆଇନର ପରିବର୍ତ୍ତନ ଓ ଚାରି ପ୍ରକାର ଶ୍ରମ ନୀତି (ଲେବର କୋଡ୍‌‌) ପ୍ରବର୍ତ୍ତନ ଫଳରେ ଯେଉଁ ନୂଆ ସମସ୍ୟା ଉପୁଜିଛି, ତାହାର ସମାଧାନ ହେବା ଆବଶ୍ୟକ। କୌଣସି ଦାୟିତ୍ୱବାନ ଓ ସଂବେଦନଶୀଳ ସରକାର ପ୍ରଚଳିତ ସମୟର ବାସ୍ତବତାକୁ ଉପେକ୍ଷା କରିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଉପରେ ଏ କ୍ଷେତ୍ରରେ ସବୁ କଥା ଛାଡ଼ି ଦେଲେ ଚଳିବ ନାହିଁ। ଓଡ଼ିଶା ଭଳି ଯେଉଁ ସବୁ ରାଜ୍ୟରେ ଅଭିବୃଦ୍ଧି ହାର ଭଲ, ସେଠାରେ ଦକ୍ଷତା ବିକାଶ ଭଳି ଶ୍ରମ ସମସ୍ୟାର ସମାଧାନ ପ୍ରକ୍ରିୟା ଅଭିନବ ଢଙ୍ଗରେ ତ୍ୱରାନ୍ୱିତ ହେବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.