ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାମିଲନାଡ଼ୁ ରାଜ୍ୟପାଳଙ୍କ ଦ୍ୱାରା ମନ୍ତ୍ରୀ ବରଖାସ୍ତ ପ୍ରସଙ୍ଗ, ରାଜ୍ୟପାଳଙ୍କ ଲକ୍ଷ୍ମଣରେଖା ସ୍ପଷ୍ଟ ହେଉ

ଆମ ଦେଶର ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ଶାସନରେ ରାଜ୍ୟପାଳମାନଙ୍କୁ ସମ୍ବିଧାନ କିଛି ନିର୍ଦ୍ଦିଷ୍ଟ କ୍ଷମତା ଓ ଦାୟିତ୍ୱ ଦେଇଛି। ସେମାନେ କେନ୍ଦ୍ରର ପ୍ରତିନିଧି ଭାବେ ରାଜ୍ୟ ଶାସନର ସାମ୍ବିଧାନିକ ମୁଖ୍ୟ ହେଲେ ମଧ୍ୟ ସମ୍ପୃକ୍ତ ରାଜ୍ୟର ନିର୍ବାଚିତ ସରକାରଙ୍କ ପରାମର୍ଶ ଓ ସହାୟତାରେ ପରୋକ୍ଷଭାବେ ସେମାନଙ୍କ ମାଧ୍ୟମରେ ଶାସନ କାର୍ଯ୍ୟ ନିର୍ବାହ କରିଥା’ନ୍ତି। ଏହାସତ୍ତ୍ବେ ରାଜ୍ୟପାଳ, ଉପରାଜ୍ୟପାଳଙ୍କ ପ୍ରକୃତ କ୍ଷମତା ଘେନି ସମ୍ବିଧାନରେ ଏବେ ମଧ୍ୟ କିଛି ଅସ୍ପଷ୍ଟତା ରହୁଛି। ଫଳରେ ମଝିରେ ମଝିରେ ରାଜ୍ୟପାଳମାନେ ନିର୍ବାଚିତ ସରକାରଙ୍କୁ ଅବଜ୍ଞା କରି ପ୍ରାଦେଶିକ ଶାସନରେ ହସ୍ତକ୍ଷେପ କରୁଛନ୍ତି। ସ୍ୱାଧୀନତାର ୭୭ ବର୍ଷ ମଧ୍ୟରେ ଭାରତ ଅନେକ ରାଜ୍ୟପାଳଙ୍କ ଅତିକ୍ରିୟା ଘଟଣା ଦେଖିଛି। ଅନେକ କେନ୍ଦ୍ରର ଏଜେଣ୍ଟ ସାଜି ରାଜ୍ୟ ସରକାରଙ୍କୁ ଭାଙ୍ଗିବା, ଅସ୍ଥିରତା ସୃଷ୍ଟି କରିବା ଭଳି ଅନେକ କାର୍ଯ୍ୟ କରିଛନ୍ତି। ୧୯୯୪ର ଏସ୍‌‌ଆର୍‌‌ ବୋମାଇ ମାମଲାରୁ ଆରମ୍ଭ କରି ୨୦୨୦ର ଶିବରାଜ୍‌‌ ସିଂହ ଚୌହ୍ୱାନ ମାମଲା ପର୍ଯ୍ୟନ୍ତ ଏକାଧିକ ଘଟଣାରେ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ରାଜ୍ୟପାଳମାନେ ରାଜ୍ୟର ପ୍ରଶାସନିକ ବ୍ୟାପାରରେ ସିଧାସଳଖ ହସ୍ତକ୍ଷେପ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କ୍ଷମତାରେ ଥିବା ରାଜ୍ୟ ସରକାରଙ୍କ ପରାମର୍ଶ ଓ ସହାୟତାରେ ସେମାନେ କାର୍ଯ୍ୟ କରିବେ। ସେହିଭଳି ସମ୍ବିଧାନର ଧାରା ୧୬୪ରେ କୁହାଯାଇଛି ଯେ ରାଜ୍ୟର କୌଣସି ମନ୍ତ୍ରୀଙ୍କୁ କ୍ଷମତାରୁ ହଟାଇବାକୁ ଚାହିଁଲେ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ଓ ପରାମର୍ଶ ଅତ୍ୟନ୍ତ ଓ ନିଶ୍ଚିନ୍ତ ଆବଶ୍ୟକ।

ଏହାସତ୍ତ୍ବେ ରାଜ୍ୟପାଳମାନେ ମଝିରେ ମଝିରେ ରାଜ୍ୟ ସରକାରଙ୍କ ପରାମର୍ଶ ନ ନେଇ ମନକୁ ମନ ବା ନିଜ ଇଚ୍ଛା ଅନୁସାରେ ଏଭଳି କିଛି କାମ କରୁଛନ୍ତି, ଯାହା ବିବାଦ ସୃଷ୍ଟି କରୁଛି। ଏହାଫଳରେ ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଏହାର କୁପ୍ରଭାବ ପଡୁଛି। ଦୁଇଦିନ ତଳେ ତାମିଲନାଡୁର ରାଜ୍ୟପାଳ ଆର୍‌‌ ଏନ୍‌‌ ରବି ସେହି ରାଜ୍ୟର ଜଣେ ମନ୍ତ୍ରୀ ଡିଏମ୍‌‌କେର ଭି ସେନ୍ତିଲ ବାଲାଜୀଙ୍କୁ ତାଙ୍କ ପଦରୁ ବରଖାସ୍ତ କରିବାର କେଇ ଘଣ୍ଟା ପରେ ପ୍ରତିବାଦ ହେବାରୁ ନିଜ ଆଦେଶକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ବାଲାଜୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗମାନ ଅଛି। ଟଙ୍କା ଦେଇ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଅଭିଯୋଗରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜୁନ୍‌‌ ୧୪ରେ ଗିରଫ ହେବା ପରେ ଏବେ ବିଚାରାଧୀନ ବ୍ୟକ୍ତି ଭାବେ ଜେଲ୍‌‌ରେ ଅଛନ୍ତି। ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିବା ପୂର୍ବରୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କିମ୍ବା ପରାମର୍ଶ ନେଇ ନଥିଲେ। ତେଣୁ ଏହା ରାଜ୍ୟ ଶାସନରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ଏକ ଅସାମ୍ବିଧାନିକ ପ୍ରଶ୍ନ ବୋଲି ବିରୋଧୀ ପକ୍ଷ ତଥା ସମ୍ବିଧାନ ବିଶାରଦମାନେ ସମାଲୋଚନା କରୁଛନ୍ତି।

ରାଜ୍ୟପାଳଙ୍କ ସାମ୍ବିଧାନିକ ଦାୟିତ୍ୱ ଓ କ୍ଷମତା ସମ୍ପର୍କରେ ଏବେ ପ୍ରଶ୍ନ ଉଠୁଥିବାବେଳେ ଆଉ କେତେକ କଥା ସାମ୍ନାକୁ ଆସୁଛି, ଯାହା ମଧ୍ୟ ସାମ୍ବିଧାନିକ ସ୍ପଷ୍ଟତା ଲୋଡ଼େ। କୌଣସି ମନ୍ତ୍ରୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହେଲେ କିମ୍ବା ଜେଲ୍‌‌ରେ ରହିଲେ, ବିଧିବ୍ୟବସ୍ଥା ଓ ନୈତିକତା ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ କିମ୍ବା ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିସଭାରୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ କରିଥା’ନ୍ତି। ବାଲାଜୀଙ୍କ ପ୍ରସଙ୍ଗରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ରାଜ୍ୟପାଳ ଶ୍ରୀରବି ମୁଖ୍ୟମନ୍ତ୍ରୀ ଏମ୍‌‌ କେ ଷ୍ଟାଲିନ୍‌‌ଙ୍କୁ ଏକ ଚିଠି ଲେଖିଥିଲେ। ଷ୍ଟାଲିନ୍‌‌ କିନ୍ତୁ ସେ ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୋକ୍‌‌ଠୋକ୍‌‌ ମନା କରିଦେଇ ବାଲାଜୀଙ୍କୁ ବିଭାଗ ବିହୀନ ମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌‌ ସ୍ପଷ୍ଟ ଭାବେ କହିଛନ୍ତି ଯେ ମନ୍ତ୍ରିମଣ୍ଡଳରେ କିଏ ରହିବ କିଏ ରହିବ ନାହିଁ ସେ କ୍ଷମତା କେବଳ ମୁଖ୍ୟମନ୍ତ୍ରୀଙ୍କର। ଏଥିରେ ରାଜ୍ୟପାଳଙ୍କର କୌଣସି ଅଧିକାର ବା କ୍ଷମତା ନାହିଁ।

ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲ୍‌‌ ଯିବା ଓ ମନ୍ତ୍ରୀ ପଦରେ ରହିବା ଘଟଣା ପ୍ରଥମଥର ଭାରତରେ ଘଟିନାହିଁ। ଦିଲ୍ଲୀର ଆପ୍‌‌ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ମାମଲାରେ ଗିରଫ ହେବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପଦରୁ ବହୁଦିନ ପର୍ଯ୍ୟନ୍ତ ହଟାଇ ନଥିଲେ। ଏଭଳି ପ୍ରସଙ୍ଗରେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀମାନଙ୍କର କହିବାର କଥା ହେଲା ଯେ କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ଇଡି, ସିବିଆଇ ଆଦି କେନ୍ଦ୍ରୀୟ ଯାଞ୍ଚ ସଂସ୍ଥାଙ୍କୁ ହାତ ବାରିସି କରି ଅସ୍ଥିରତା ସୃଷ୍ଟି କରିବାକୁ ବିରୋଧୀପକ୍ଷର ମନ୍ତ୍ରୀମାନଙ୍କୁ ମିଛ ଦୁର୍ନୀତି ମାମଲାରେ ଫସାଇ ଜେଲ୍‌‌ ପଠାଉଛନ୍ତି। କିନ୍ତୁ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ କୌଣସି ନେତାଙ୍କୁ ଦୁର୍ନୀତି ପ୍ରସଙ୍ଗରେ ମନ୍ତ୍ରୀ ପଦରୁ ହଟାଯିବା ଠିକ୍‌‌ ନୁହେଁ। ବାଲାଜୀଙ୍କ ମାମଲାରେ ତାମିଲନାଡୁ ରାଜଭବନର ଅଭିଯୋଗ ହେଲା ଯେ ତାଙ୍କ ବିରୋଧରେ ବହୁ ଦୁର୍ନୀତି ଅଭିଯୋଗ ରହିଛି। ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌‌ ଦିଆଯିବା ଆବଶ୍ୟକ।

ଏଥିସହିତ ପଢ଼ନ୍ତୁ

କେନ୍ଦ୍ର ସରକାର ଓ ରାଜ୍ୟପାଳମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ କ୍ଷମତାର ଦୁରୁପଯୋଗ କରୁଛନ୍ତି ବୋଲି ବିରୋଧୀଙ୍କ ଅଭିଯୋଗ କେତେକ ମାତ୍ରାରେ ଠିକ୍‌‌ ହୋଇପାରେ। କିନ୍ତୁ କିଛି ମନ୍ତ୍ରୀ ଯେ ଦୁର୍ନୀତି ଓ ବେଆଇନ କାମ କରୁନାହାନ୍ତି, ଏହାକୁ ଆମେ ସମ୍ପୂର୍ଣ୍ଣ ସ୍ୱୀକାର କରିପାରିବା ନାହିଁ। ଅନେକ ସ୍ଥଳେ ମୁଖ୍ୟମନ୍ତ୍ରୀମାନଙ୍କ ନିର୍ଦ୍ଦେଶରେ ମନ୍ତ୍ରୀମାନେ କିଛି ଆପତ୍ତିଜନକ କାର୍ଯ୍ୟ ଦଳୀୟ ସ୍ୱାର୍ଥ ପାଇଁ କରିଥା’ନ୍ତି। ଏଭଳି ପ୍ରସଙ୍ଗରେ ରାଜ୍ୟପାଳ ବିଚରା କାହାର ହେବେ? ସେ କେନ୍ଦ୍ରର ବୋଲ କରିବେ, ସମ୍ବିଧାନ ଜଗିବେ ନା ନିରପେକ୍ଷ ନିର୍ବିକାର ହୋଇ ବସି ରହିବେ?
ଏନ୍‌‌ଡିଏ ସରକାର ଅନେକ ସାମ୍ବିଧାନିକ ଓ ପ୍ରଶାସନିକ ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି। ସରକାରିଆ କମିଶନଠାରୁ ଆରମ୍ଭ କରି ବିଭିନ୍ନ କମିଟି ଓ କମିଶନ କେନ୍ଦ୍ର-ରାଜ୍ୟ ସମ୍ପର୍କର ପୁନଃ ବ୍ୟାଖ୍ୟା ଏବଂ ସଂସ୍କାର ପାଇଁ ସୁପାରିସ କରିଛନ୍ତି। ଅଦାଲତଙ୍କ ନିରପେକ୍ଷତା ଓ ସତର୍କତା ସତ୍ତ୍ବେ ଏଭଳି ସଂଘୀୟ ସ୍ପର୍ଶକାତର ପ୍ରସଙ୍ଗରେ ରାଜ୍ୟପାଳ / ଉପରାଜ୍ୟପାଳଙ୍କ କ୍ଷମତା କ’ଣ ହେବା କଥା ତାହା ଆହୁରି ସ୍ପଷ୍ଟ କରିବାକୁ ସରକାର ସଂସ୍କାର ଆଣିବା ଜରୁରୀ। କେନ୍ଦ୍ର ଦ୍ୱାରା ରାଜ୍ୟମାନଙ୍କରେ ନିଯୁକ୍ତ ଥିବା ରାଜ୍ୟପାଳମାନେ ରାଜ୍ୟ ଶାସନର ପ୍ରତୀକାତ୍ମକ ମୁଖ୍ୟ ହୋଇ ସାମ୍ବିଧାନିକ ମର୍ଯ୍ୟାଦାର ସୀମା ଭିତରେ ଗଣତାନ୍ତ୍ରିକ ପ୍ରଶାସନକୁ ସଂରକ୍ଷଣ ଦେବା ଉଚିତ। ସେମାନେ ଜନପ୍ରତିନିଧିମୂଳକ ସରକାରଙ୍କୁ ବିରୋଧ କରିବାର ଅଧିକାର ପାଇ ନାହାନ୍ତି। କେବଳ ମାତ୍ର ବିଧାନସଭାରେ ବହୁମତ ଅସ୍ପଷ୍ଟ ଥିବା ବେଳେ ରାଜ୍ୟପାଳମାନେ ବିଧାନସଭା କକ୍ଷରେ ଆସ୍ଥା ପ୍ରସ୍ତାବ ଆଣିବା ପାଇଁ ତତ୍କାଳୀନ ସରକାର ତଥା ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇପାରିବେ। ଏହାଛଡ଼ା ରାଜ୍ୟରେ ଆଇନ ଶୃଙ୍ଖଳାର ଶାସନ ତଥା ସାମ୍ବିଧାନିକ ପରିଚାଳନା ଅସମ୍ଭବ ହୋଇପଡ଼ିଲେ ରାଜ୍ୟରେ ଜରୁରିକାଳୀନ ବ୍ୟବସ୍ଥା ଓ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିପାରିବେ। କିନ୍ତୁ ସେମାନଙ୍କୁ ମନେ ରଖିବା ଉଚିତ ଯେ ସେମାନେ ବ୍ରିଟିଶ୍‌‌ ରାଜତ୍ୱ କାଳର ‘ଲାଟ୍‌‌ସାହେବ’ ହୋଇ ମନମୁଖି ଶାସନ କରିପାରିବେ ନାହିଁ। ତାମିଲନାଡ଼ୁ ଘଟଣାରେ ରାଜ୍ୟପାଳ ଲକ୍ଷଣରେଖା ଡେଇଁଛନ୍ତି ବୋଲି ମନେ ହୁଏ।

Leave A Reply

Your email address will not be published.