ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସହରାଞ୍ଚଳରେ ପନିପରିବା ସଙ୍କଟ

ଆଜିକାଲି ଭୁବନେଶ୍ୱରରେ ପନିପରିବାର ଦାମ ଏତେ ଉଚ୍ଚା ରହିଛି ଯେ ସବୁବର୍ଗର ଖାଉଟି ଅତିଷ୍ଠ ହୋଇପଡ଼ିଛନ୍ତି। ଏଥିପାଇଁ କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗର ଅବହେଳା ଦାୟୀ ବୋଲି ଅଭିଯୋଗ ହେଉଛି। ଭୁବନେଶ୍ୱର ଆଖ ପାଖ ଅଞ୍ଚଳ ଯଥା, ପିପିଲି, ନିମାପଡ଼ା, ବାଲିପାଟଣା, ବାଲିଅନ୍ତା, ଜଟଣୀ, ଖୋର୍ଦ୍ଧା ଆଦି ଅଞ୍ଚଳରେ ଯଦି ନିଷ୍ଠାର ସହିତ ପନିପରିବା ଚାଷ କରାଯାଏ, ତେବେ ଭୁବନେଶ୍ୱରରେ କେବେ ବି ପନିପରିବାର ଅଭାବ ରହିବ ନାହିଁ କି ଦରଦାମ ମଧ୍ୟ ଏଭଳି ଆକାଶଛୁଅାଁ ହେବ ନାହିଁ। ପ୍ରାୟ ୩୦ ବର୍ଷ ଆଗରୁ ଏହି ସବୁ ଅଞ୍ଚଳରୁ ପ୍ରତିଦିନ ଭୁବନେଶ୍ୱର ବଜାରକୁ ଅନେକ ମାଲ ବୋଝେଇ ଟ୍ରକ ଆସୁଥିଲା। ସେତେବେଳର ବଜାର ଦର ଖାଉଟିମାନଙ୍କୁ ବେଶ ସୁହଉଥିଲା। କାରଣ ଲୋକସଂଖ୍ୟା ବା ଚାହିଦା ତୁଳନାରେ ଉତ୍ପାଦନ ବା ଯୋଗାଣ ପ୍ରଚୁର ଥିଲା। ଏବେ ଭୁବନେଶ୍ୱରରେ ଲୋକସଂଖ୍ୟା ବୃଦ୍ଧି ପାଇଛି ସତ, କିନ୍ତୁ ଯଦି ସେହି ଅନୁଯାୟୀ ପନିପରିବାର ଯଥେଷ୍ଟ ଉତ୍ପାଦନ ନ ହୁଏ ତେବେ ସର୍ବଦା ନିଅଣ୍ଟିଆ ସ୍ଥିତି ଲାଗି ରହିବ। ଯେହେତୁ ବଜାରକୁ କମ୍‌‌ ଯୋଗାଣ ହେବ ନିଶ୍ଚିତ ଭାବରେ ପରିବା ଦର ଆକାଶଛୁଆଁ ହେବ।

ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ସ୍ତରରେ ପ୍ରତି ବ୍ଲକମାନଙ୍କ ପାଇଁ ଓ ଚାଷର ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ ହୋଇଛି, ତାହା ବାସ୍ତବକ୍ଷେତ୍ରରେ ସଫଳ ରୂପାୟନ ହୋଇପାରୁନାହିଁ। କୃଷି ବିଭାଗରେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଭିଜ୍ଞ ଅଧିକାରୀ ଓ କୃଷି ବିଶେଷଜ୍ଞ ଅଛନ୍ତି। କିନ୍ତୁ ଚାଷୀମାନଙ୍କୁ ଉତ୍ସାହିତ କରାଇ ପରିବା ଚାଷ ପ୍ରତି ଆକର୍ଷିତ କରାଇବାରେ କେଉଁଠି ନା କେଉଁଠି ଆନ୍ତରିକତା ଓ ଉଦ୍ୟମର ଅଭାବ ରହୁଥିବା ପରି ଲାଗୁଛି। ଆନ୍ଧ୍ର, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଆଦି ରଜ୍ୟରେ ଯେପରି ଉନ୍ନତ ଧରଣର କୃଷି ପଦ୍ଧତି ଦ୍ୱାରା ପରିବା ଚାଷ ହୋଇ ଆମରାଜ୍ୟକୁ ଆମଦାନୀ ହେଉଛି, ଠିକ୍‌‌ ସେହିପରି ଆମ ରାଜ୍ୟ କୃଷି ବିଭାଗ ମଧ୍ୟ ବ୍ଲକମାନଙ୍କରେ ଉନ୍ନତ ପନିପରିବା ଚାଷ ପାଇଁ ପର୍ଯ୍ୟାପ୍ତ ଜଳସେଚନ, ଉନ୍ନତ ମାନର ବିହନ, ଚାରା, କୀଟନାଶକର ଯୋଗାଣ ଓ ପରିବା ମଣ୍ଡିରେ ଉଚିତ୍‌‌ ମୂଲ୍ୟରେ ବିକ୍ରି ଉପରେ ଅଧିକ ଧ୍ୟାନ ଦିଅନ୍ତା, ତେବେ ଆମରାଜ୍ୟର ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହେବା ସହିତ ଖାଉଟିମାନେ ଉଚିତ ମୂଲ୍ୟରେ ପନିପରିବା କିଣିପାରନ୍ତେ। ଏଥିପାଇଁ କୃଷି ବିଭାଗର ଅଧିକାରୀମାନେ କୃଷି ବିଜ୍ଞାନୀ, ଗବେଷକମାନଙ୍କ ସହିତ ଅଧିକ ପରାମର୍ଶ କରି ଚାଷୀମାନଙ୍କୁ ବିଭିନ୍ନ ଆଲୋଚନା, ପ୍ରଦର୍ଶନୀକୁ ଆମନ୍ତ୍ରଣ କରି ସେମାନଙ୍କୁ ତାଲିମ୍‌‌ ଜରିଆରେ ଉତ୍ସାହିତ କରିବା ଆବଶ୍ୟକ।

ଭୁବନେଶ୍ୱର ତଥା ଆମରାଜ୍ୟର ପ୍ରାୟ ପ୍ରତି ଅଞ୍ଚଳରେ ସଜନା, କଦଳୀ, ଅମୃତଭଣ୍ଡା ଭଳି ପରିବା ବର୍ଷ ସାରା ହୋଇପାରିବ। ଏଥିପାଇଁ ଯଦି ଉନ୍ନତ କିସମର ଚାରା ବା ମଞ୍ଜି ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆ ଯାଇପାରନ୍ତା ତେବେ ଓଡ଼ିଶା ସ୍ୱାବଲମ୍ବୀ ହେବା ସହିତ ଅନ୍ୟରାଜ୍ୟକୁ ମଧ୍ୟ ରପ୍ତାନୀ କରିପାରନ୍ତା। କିନ୍ତୁ ସମୟ ସମୟରେ ଅବସ୍ଥା ଏପରି ହେଉଛି ଯେ ଅମୃତଭଣ୍ଡା କିଲୋ ପ୍ରତି ୫୦ରୁ ୬୦ ଟଙ୍କା, ସଜନା କିଲୋ ୨୦୦ରୁ ୩୦୦ ଟଙ୍କା ଓ କଞ୍ଚା କଦଳୀ ଗୋଟାକୁ ୨୦ରୁ ୨୫ ଟଙ୍କା, ପାଚିଲା କଦଳୀ ପ୍ରାୟ ସବୁ ଆନ୍ଧ୍ର ପ୍ରଦେଶରୁ ଆସି ଆମରାଜ୍ୟରେ ଡଜନ ବା କିଲୋ ପିଛା ୮୦ରୁ ୧୦୦ ଟଙ୍କା ଯାଏଁ ବିକ୍ରି ହେଉଛି।

ଏବେ ସାରା ଦେଶ ଓ ବିଦେଶରେ ସଜନା ଗଛର ପତ୍ରରେ ଥିବା ଔଷଧୀୟ ଗୁଣକୁ ଜାଣିବା ପରେ ଏହାର ଚାହିଦା ଅନେକ ବୃଦ୍ଧି ପାଇଛି। ବାହାର ରାଜ୍ୟରେ ଚାଷୀମାନେ ଏହାକୁ ମୁଖ୍ୟ ଚାଷ ଭାବରେ ଧରି ନେଇ ଏହାର ପତ୍ର ମଧ୍ୟ ବିଦେଶକୁ ରପ୍ତାନି କରୁଛନ୍ତି। ସେହିପରି କଦଳୀ କଞ୍ଚା ଓ ପାଚିଲା ଖାଇବା ପରେ ତା’ର ଚୋପା ଏବଂ କଦଳୀ ଗଛରୁ ଖାଇବା ଥାଳି, ବ୍ୟାଗ୍‌‌ ଆଦି ଅନେକ ଜିନିଷ ତିଆରି ହେବାର କୌଶଳ ଉଦ୍‌‌ଭାବନ ହୋଇସାରିଲାଣି। କଦଳୀଗଛର ବିଭିନ୍ନ ଉପାଦାନରୁ ଜୈବିକ ଖତ ପ୍ରସ୍ତୁତି ମଧ୍ୟ ହୋଇପାରୁଛି। ସେହିପରି ଅମୃତଭଣ୍ଡାର ମଧ୍ୟ ଅନେକ ଔଷଧୀୟ ଗୁଣ ଅଛି। ଏହାଛଡ଼ା ଆମରାଜ୍ୟରେ ଋତୁ ଅନୁସାରେ ଅନେକ ପନିପରିବା ପ୍ରଚୁର ପରିମାଣରେ ଚାଷ କରାଯାଏ। କିନ୍ତୁ ଶୀତଳଭଣ୍ଡାରର ଅଭାବ ହେତୁ ଚାଷୀମାନେ ନିଜ ଉତ୍ପାଦଗୁଡ଼ିକୁ ଯଦି ବାଧ୍ୟ ହୋଇ ଅତିଶସ୍ତାରେ ବିକି ଦେଇ ଅନେକ କ୍ଷତିସହୁଛନ୍ତି। ଏହାର ଫାଇଦା ଦଲାଲ୍‌‌ମାନେ ନେଉଛନ୍ତି। ତେଣୁ ରାଜ୍ୟର ସବୁ ବ୍ଲକରେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ସହିତ ଜଳସେଚନ ପାଇଁ ଛୋଟ ଛୋଟ ଚେକ୍‌‌ଡ୍ୟାମ କରିବା ନିହାତି ଆବଶ୍ୟକ। ପରିବା ବିକ୍ରୟ ପାଇଁ ପ୍ରତି ଗାଁରେ ମଣ୍ଡି ବ୍ୟବସ୍ଥା କରାଯାଏ ତେବେ ଉଭୟ ଚାଷୀ ଓ ଖାଉଟି ଉପକୃତ ହେବେ। ସରକାରୀ ସ୍ତରରେ କୃଷି ମନ୍ତ୍ରୀ, କୃଷି ସଚିବ, ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଚାଷୀମାନଙ୍କ ପାଖକୁ ଯାଇ ସେମାନଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା କରି ସେମାନଙ୍କୁ ପରିବା ଚାଷ ପାଇଁ ଉତ୍ସାହିତ କରିବା ଏବଂ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ବିହିତ ପ୍ରତିକାର ପାଇଁ ଆଶୁ ପଦକ୍ଷେପ ନେବା ଜରୁରୀ। ଏଥିସହିତ ପ୍ରଚଳିତ ଯୋଜନାଗୁଡ଼ିକର ସଠିକ୍‌‌ ରୂପାୟନ ହେଉଛି କି ନାହିଁ ତାହାର ତଦାରଖ ମଧ୍ୟ ନିୟମିତ କରାଯିବା ଆବଶ୍ୟକ। ଏହାର ଖିଲାପକାରୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଦିଆଗଲେ ଭବିଷ୍ୟତରେ କୃଷି ଓ କୃଷକର ଉନ୍ନତି ଦିଗରେ ଅନ୍ତରାୟ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷ ଦୁର୍ନୀତି କରିବାକୁ ସାହସ କରିବେ ନାହିଁ। ଏ ସବୁ ପଦକ୍ଷେପ ଆମ ରାଜ୍ୟର ଚାଷ ଓ ଚାଷୀର ଉନ୍ନତି ସହିତ ଆମରାଜ୍ୟ ପାଇଁ ଗୌରବ ଆଣି ଦେବ।

ଲକ୍ଷ୍ମୀ ନାରାୟଣ କର
ମୋ: ୯୪୩୭୧୮୫୬୦୭
ପୂର୍ବତନ ନିର୍ଦ୍ଦେଶକ,
ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର

Leave A Reply

Your email address will not be published.