ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଦାଖରେ ଅଦୃଷ୍ଟପୂର୍ବ ମେରୁପ୍ରଭା

ବିଗତ ମଇ ମାସ ୧୦-୧୧ ତାରିଖ ମଧ୍ୟରେ ବିଳମ୍ବିତ ରାତ୍ରିରେ ଲଦାଖରେ ଦେଖାଦେଇଥିଲା ଏକ ବିରଳ ଦୃଶ୍ୟ। ଏହି ଅଞ୍ଚଳର ଆକାଶ ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇ ଉଠିଥିଲା। ସାଧାରଣତଃ ପୂର୍ବରୁ ଏହା ଦୃଶ୍ୟମାନ ହୋଇଥିଲା ଉତ୍ତରମେରୁ ଏବଂ ଦକ୍ଷିଣମେରୁ ଭଳି ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ। କିନ୍ତୁ ଏଥର ଆମ ଦେଶ ସମେତ ପୃଥିବୀର ଅନେକ ସ୍ଥାନରେ ତାହା ଦୃଷ୍ଟିଗୋଚର ହେଲା। ବାଙ୍ଗାଲୋରସ୍ଥିତ ‘ଇଣ୍ଡିଆନ୍‌‌ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଆଷ୍ଟ୍ରୋଫିଜିକ୍ସ’ର ଜ୍ୟୋତିର୍ବିଜ୍ଞାନୀମାନେ ଲଦାଖଠାରେ ସ୍ଥାପିତ ଏବଂ ନିରନ୍ତର ଭାବେ ଆକାଶର ଚିତ୍ର ଉତ୍ତୋଳନ ଲାଗି ଅଭିପ୍ରେତ ‘ଇଣ୍ଡିଆନ୍‌‌ ଆଷ୍ଟ୍ରୋଲୋଜିକାଲ ଅବଜରଭେଟୋରୀ’ର ମହାକାଶ କ୍ୟାମେରାଗୁଡ଼ିକ ସାହାଯ୍ୟରେ ପ୍ରଥମେ ଏହାକୁ ଧରି ପାରିଥିଲେ। ସର୍ବାଧିକ ଆଲୋକ ବିଚ୍ଛୁରିତ ହୋଇଥିଲା ମଇ ୧୦-୧୧ ତାରିଖ ରାତ୍ର ୨ଟା ସମୟରେ।

ସାଧାରଣତଃ ମେରୁ ଅଞ୍ଚଳର ଉଚ୍ଚଅକ୍ଷାଂଶରେ ଦେଖା ଯାଉଥିବାରୁ ଏହାକୁ ମେରୁପ୍ରଭା ବୋଲି ନାମିତ କରାଯାଇଛି। ଉତ୍ତରମେରୁ ବା ସୁମେରୁରେ ଏହାର ନାମ ସୁମେରୁ ପ୍ରଭା (ଆରୋରା ବୋରିଅଲିସ୍‌‌) ହୋଇଥିବା ବେଳେ ଦକ୍ଷିଣମେରୁ ବା କୁମେରୁରେ କୁମେରୁ ପ୍ରଭା (ଆରୋରା ଅଷ୍ଟ୍ରେଲିସ୍‌‌) ବୋଲି ଏହାକୁ କୁହାଯାଏ। ଏହା ମେରୁ ପ୍ରଦେଶ ନିକଟବର୍ତ୍ତୀ ଦେଶମାନଙ୍କରେ ମଧ୍ୟ ଦେଖାଯାଏ। ତେବେ ବର୍ତ୍ତମାନ ଭାରତ ତଥା ବିଶ୍ୱର ଅନେକ ଅପେକ୍ଷାକୃତ ନିମ୍ନ ଅକ୍ଷାଂଶରେ ତାହା ଦେଖାଯାଇଛି। ଏଣୁ ଏହାକୁ ନେଇ ଜନସାଧାରଣଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ

ଆକାଶରେ ମୁଖ୍ୟତଃ ପ୍ରୋଟୋନ୍‌‌ ଓ ଇଲେକ୍‌‌ଟ୍ରନ୍‌‌ କଣିକା ଯୁକ୍ତ ସୌରବାୟୁ ଏବଂ ପୃଥିବୀର ଚୁମ୍ବକୀୟକ୍ଷେତ୍ର ମଧ୍ୟରେ ଆନ୍ତଃପ୍ରତିକ୍ରିୟା ଯୋଗୁଁ ମେରୁପ୍ରଭା ସୃଷ୍ଟି ହୋଇଥାଏ। ଏହି କ୍ଷେତ୍ରଟି ସାଧାରଣତଃ ଉକ୍ତ ଚାର୍ଜିତ କଣିକାଗୁଡ଼ିକୁ ବିକର୍ଷିତ କରି ତାହାକୁ ପୃଥିବୀରେ ପହଞ୍ଚିବାକୁ ଦିଏ ନାହିଁ। କିନ୍ତୁ ଯେତେବେଳେ ସୌରଝଡ଼ ଅଧିକ ଶକ୍ତିଶାଳୀ ହୁଏ ସୌରବାୟୁରେ ଥିବା କଣିକାଗୁଡ଼ିକ ଏହାକୁ ଅତିକ୍ରମ କରିପାରନ୍ତି ଏବଂ ବାୟୁମଣ୍ଡଳର ଉପରି ଭାଗରେ ଥିବା ଅଣୁ ପରମାଣୁ ସହିତ ସଂଘର୍ଷ ଘଟାନ୍ତି। ଫଳରେ ଏ ଆଲୋକ (ମେରୁ ପ୍ରଭା) ସୃଷ୍ଟି ହୁଏ। ମେରୁପ୍ରଦେଶ ଭଳି ଉଚ୍ଚ ଅକ୍ଷାଂଶରେ ଏ ପ୍ରକ୍ରିୟା ଅଧିକ ଶକ୍ତିଶାଳୀ ହୋଇଥାଏ। ତେବେ ଏଥର ଏହା ଆମ ଦେଶର ଲଦାଖ ସମେତ କେତେକ ଅପେକ୍ଷାକୃତ ନିମ୍ନ ଅକ୍ଷାଂଶରେ ଦେଖାଯିବାର କାରଣ ହେଲା ସୌରଝଡ଼ ଅସାଧାରଣରୂପେ ତୀବ୍ର ହେବା। କଲିକତାସ୍ଥିତ ‘ଇଣ୍ଡିଆନ୍‌‌ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ’ର ବୈଜ୍ଞାନିକମାନଙ୍କ ମତରେ ବିଗତ ମଇ ମାସ ୧୦ ଏବଂ ୧୧ ତାରିଖ ମଧ୍ୟରେ ଏହା ଅତିକମ୍‌‌ରେ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ଚାରିଥର ସଂଘଟିତ ହୋଇଥିଲା। ଫଳରେ ଘଟିଥିଲା ‘କରୋକ୍ଷୟ ବସ୍ତୁ ନିକ୍ଷେପଣ’।

ଏ ପ୍ରକ୍ରିୟାରେ ସୂର୍ଯ୍ୟର ବାୟୁମଣ୍ଡଳର ବାହ୍ୟାଂଶ ବା କରୋନାରୁ ପ୍ରଚୁର ଚାର୍ଜିତ କଣିକା ଏବଂ ପ୍ଲାଜ୍‌‌ମାର ନିର୍ଗମନ ଘଟେ। ତାହା ସେକେଣ୍ଡ ପ୍ରତି ପ୍ରାୟ ୭୦୦ କିଲୋମିଟର ବେଗରେ ଗତିକରି ମଇ ମାସ ୧୦ /୧୧ ତାରିଖରେ ପୃଥିବୀର ବାୟୁ ମଣ୍ଡଳର ନିକଟବର୍ତ୍ତୀ ହୋଇଥିଲା। ପୃଥିବୀକୁ ସ୍ପର୍ଶ କଲାବେଳକୁ ସେଗୁଡ଼ିକର ବେଗ ଥିଲା ସେକେଣ୍ଡ ପ୍ରତି ୮୧୫ କିଲୋମିଟର। ଭାରତୀୟ ସୌର ପଦାର୍ଥ ବିଜ୍ଞାନୀମାନଙ୍କ ମତରେ ଏହି ସୌରଝଡ଼ର ତୀବ୍ରତା ଥଲା ଅସାଧାରଣ ରୂପେ ଅଧିକ। ତେଣୁ ଏହି କଣିକା ଓ ପ୍ଲାଜମାର ପରିମାଣ ଅଧିକ ହେବା ସଂଗେ ସଂଗେ ବେଗ ମଧ୍ୟ କ୍ଷିପ୍ର ଥିଲା। ସେଥିପାଇଁ ପୃଥିବୀର ବାୟୁମଣ୍ଡଳ ଉପରେ ତା’ର ପ୍ରଭାବ ଅଧିକ ପଡ଼ିଥିଲା ଏବଂ ତାହା ପ୍ରକଟିତ ହୋଇଥିଲା ମେରୁ ପ୍ରଭା ରୂପେ ଏପରିକି ଲଦାଖ ଭଳି ଅପେକ୍ଷାକୃତ ନିମ୍ନ ଅକ୍ଷାଂଶରେ ମଧ୍ୟ।

ଏଥିସହିତ ପଢ଼ନ୍ତୁ

ଏ ପ୍ରକାର ଶକ୍ତିଶାଳୀ ସୌରଝଡ଼ର ପୃଥିବୀ ଉପରେ ବିବିଧ କୁପ୍ରଭାବ ରହିଛି। ଉଦାହରଣ ସ୍ୱରୂପ, ଏହାର ନିମ୍ନକକ୍ଷରେ (୨୦୦ ରୁ ୧୬୦୦ କିଲୋମିଟର ମଧ୍ୟରେ) ଯୋଗାଯୋଗ, ପ୍ରତିରକ୍ଷା, ଗୁପ୍ତଚର ଆଦି କ୍ଷେତ୍ରରେ କାର୍ଯ୍ୟକରୁଥିବା କୃତ୍ରିମ ଉପଗ୍ରହଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୁଅନ୍ତି। ଏଥିରୁ ଉତ୍ପନ୍ନ ଉଚ୍ଚଶକ୍ତି ସମ୍ପନ୍ନ ଚାର୍ଜିତ କଣିକା ପୃଥିବୀର ଉଚ୍ଚତର ବାୟୁମଣ୍ଡଳକୁ ଉତ୍ତପ୍ତ କରିଦିଏ। ଅତଏବ ବିକିରଣ ଜନିତ ବିପତ୍ତି ବୃଦ୍ଧି ପାଏ। ଯାହାକି ଏଗୁଡ଼ିକୁ ଜଳି ଯିବାର ସମ୍ଭାବନା ସୃଷ୍ଟି କରେ। ଏତଦ୍‌‌ବ୍ୟତୀତ ଏହା ଚୁମ୍ବକୀୟ କ୍ଷେତ୍ରର ମଧ୍ୟ ହ୍ରାସ ବୃଦ୍ଧି ଘଟାଇପାରେ। ତଦ୍ୱାରା ବିଦ୍ୟୁତ୍‌‌ ସରବରାହ, ବିବିଧ ବୈଦ୍ୟୁତିକ ଯନ୍ତ୍ରପାତି, ବିଦ୍ୟୁତ ଗ୍ରୀଡ଼, ରେଡିଓ ଯୋଗାଯୋଗ ମଧ୍ୟ ଗଭୀର ରୂପେ ପ୍ରଭାବିତ ହୁଏ।

ଏ ପ୍ରକାର ଶକ୍ତିଶାଳୀ ସୌରଝଡ଼ ୨୦୦୩ ମସିହାରେ ଥରେ ଘଟିଥିଲା। ମେରୁ ପ୍ରଦେଶ ନିକଟବର୍ତ୍ତୀ କିଛି ଦେଶରେ ଏହା ବିଦ୍ୟୁତ୍‌‌ ସରବରାହରେ ବ୍ୟାଘାତ ସୃଷ୍ଟି କରିଥିଲା। ଟ୍ରାନ୍‌‌ସଫରମରଗୁଡ଼ିକୁ କ୍ଷତି ପହଞ୍ଚାଇଥିଲା ଏବଂ ବୈଦ୍ୟୁତିକ ଯନ୍ତ୍ରପାତିର କାର୍ଯ୍ୟକଳାପକୁ ବିପର୍ଯ୍ୟସ୍ତ କରିଦେଇଥିଲା। ବର୍ତ୍ତମାନର ସୌରଝଡ଼ ସୃଷ୍ଟି ହୋଇଛି ସୂର୍ଯ୍ୟରେ ସୌରକଳଙ୍କର ହଠାତ୍‌‌ ବୃଦ୍ଧି ଯୋଗୁଁ। ଏଥିଯୋଗୁଁ ତହିଁରୁ ପ୍ରତି ୩ ରୁ ୧୨ ଘଣ୍ଟା ବ୍ୟବଧାନରେ ବାରମ୍ବାର ଘଟି ପ୍ରଚୁର ସୌରକଣିକା ନିର୍ଗତ କରୁଥିଲା। ସେହି ସମୟରେ ଉଜ୍ଜ୍ୱଳ ମେରୁପ୍ରଭା ଦୃଶ୍ୟମାନ ହେଉଥିଲା।

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ମୋ: ୯୯୩୭୩୦୧୪୬୦

Leave A Reply

Your email address will not be published.