ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଳପ ହସରେ ଅନେକ ଇଶାରା

‘ମାଣିକ… ଆଲୋ ଆଲୋ ମାଣିକ, ହସି ଦେ ଅଳପ ଯାଉ ଲୋ ଦୁଃଖ…।’ ‘ଶେଷଶ୍ରାବଣ’ ସିନେମାର ଏଇ ଗୀତଟି ମନେ ଅଛି ନା! ତେବେ ସତରେ କ’ଣ ହସି ଦେଲେ ଦୁଃଖ ଲାଘବ ହୁଏ? ତା’ହେଲେ ଦୁଃଖ ସମୟରେ ମଣିଷ ନ ହସି କାନ୍ଦେ କାହିଁକି ଯେ? ଯେତେ ବେଶି ଦୁଃଖ ସେତେ ଜୋର୍‌‌ରେ ହସି ଦେଲେ ତ ହୁଅନ୍ତା! କିନ୍ତୁ ଏପରି ହୁଏନା। ପୁଣି ନ ହସିଲେ ଲୋକେ କୁହନ୍ତି ଗର୍ବୀଟା। ବେଶି ହସିଲେ କୁହନ୍ତି ଏମିତି ଘୋଡ଼ିଟା ପରି କାଇଁ ସବୁବେଳେ ହିଁ ହିଁ ହଉଛୁ! ତେବେ କେତେ ହସିବା ଦରକାର? ଅଳ୍ପ ନା ବେଶି! ଜୋର୍‌‌ରେ ନା ଧୀରେ! ଉପରେ ନା ଭିତରେ!

ଗୀତ ବୋଲା ହୋଇଛି, ‘ଅଳପ ହସରେ ଅନେକ ଆଶାର ଇଶାରା ପାଇଲି ବନ୍ଧୁ…।’ ହଁ ଆଜ୍ଞା, ଅଳପ ହସ ହିଁ ଅଧିକ କଥା କହେ। ଆପଣ ପଚାରିବେ କେମିତି? ଚାଲନ୍ତୁ ଫେରିଯିବା ଆପଣଙ୍କ କିଶୋର ଅବସ୍ଥାକୁ। ଦେହରୁ ଶୈଶବ ବିଦାୟ ନେଇଥିବ, କିନ୍ତୁ ଯୌବନ ସମ୍ପୂର୍ଣ୍ଣ ରୂପେ ଆସି ନଥିବ। ଆପଣ ନୂଆ ନୂଆ ପ୍ରେମରେ ପଡୁଥିବେ। ନିଜ ଈପ୍‌‌ସିତ ବା ଈପ୍‌‌ସିତାକୁ ଦେଖି, କହିବାକୁ ହଜାରେ କଥା ଭାବିଥିବେ, କିନ୍ତୁ ସବୁକଥା ତଣ୍ଟି ପାଖକୁ ଆସି ପୁଣି ଲେଉଟି ଯାଉଥିବ ପେଟକୁ। ସେତେବେଳେ ସହାୟକ ହେବ ଏଇ ଛୋଟ ହସଟି। ସାମାନ୍ୟଟିକେ ମୁରୁକି ହସି ଆପଣ ଲାଜେଇ ଯାଇଥିବେ। ଦୁନିଆକୁ ନ ଜଣାଇ ନିଜ ପ୍ରେମକୁ ବ୍ୟକ୍ତ କରିବା ପାଇଁ ୟା’ଠାରୁ ଭଲ ଉପାୟ ଆଉ ନାହିଁ। ଅପରଜଣକ ଅଳପ ହସି ଦେଲା ଯଦି, ତେବେ ଆପଣଙ୍କ ମନରେ ଫୁଟି ଉଠିବ ଅଗଣିତ ଆଶା। ସେଇଥିପାଇଁ ତ କୁହାଯାଇଛି ‘ହସି ତୋ ଫସି’। କିନ୍ତୁ ସବୁବେଳେ ହସିବା ଅର୍ଥ ଫସିବା ବୋଲି କେବେ ଭାବିବେ ନାହିଁ, ନହେଲେ ଗୋଟିଏ ବି ମାଡ଼ ତଳେ ପଡ଼ିବ ନାହିଁ। ତେବେ ସେଇ ପ୍ରେମର ଅଭିବ୍ୟକ୍ତି କରିବା ସମୟରେ କ’ଣ ଆପଣ ଚାହିଁଲେ ବି ହୋ ହୋ ହୋଇ ଠୋ ଠୋ କରି ହସି ଦେଇ ପାରିବେ! ନା ତା’ ଅସମ୍ଭବ। ତା’ ତ କେବଳ ସମ୍ଭବ ହୁଏ, ସାଙ୍ଗ ସାଥୀଙ୍କ ମେଳରେ। ଯେତେବେଳେ ଛୋଟରୁ ଛୋଟ ନିରର୍ଥକ କଥାରେ ବି ଆମେ ମନ ଖୋଲା ହସ ହସି ତଳେ ଗଡ଼ିଯାଉ। ପୁଣି ଦୋକାନୀଟିଏ ଯେତେବେଳେ ହସି ଦେଇ ଆପଣଟ ସହିତ କଥା ହୁଏ, ଦୁଇଟଙ୍କା ଅଧିକ ହେଲେ ବି ଆପଣ ସେଇ ଦୋକାନରୁ ସଉଦା କରିବା ପାଇଁ ଆଗ୍ରହୀ ହୁଅନ୍ତି। ଠିକ୍‌‌ ସେମିତି ଭାବନ୍ତୁ, କୌଣସି ଅଫିସର୍‌‌ଙ୍କ ପାଖରେ ଆପଣଟଙ୍କ କାମଟିଏ ଅଛି। ଅଫିସର ଯଦି ଆପଣଟୁ ଚିଡ଼ି ଯାଇ କଥା କହନ୍ତି, ତେବେ ଆପଣ ଯେତେ ଶାନ୍ତ ସ୍ୱଭାବର ହୋଇଥିଲେ ବି ଆପଣଙ୍କ ମନରେ କ୍ରୋଧ ଜାତ ହୁଏ। ମାତ୍ର ସେହି ଅଫିସର ଯଦି ହସି ହସି କହନ୍ତି ଯେ ଆର ଥରକୁ ଆସନ୍ତୁ ଦେଖିବା, ତେବେ ଆପଣଙ୍କ ମନରେ କାର୍ଯ୍ୟହାସଲ ହେବାର ଆଶାଟିଏ ଜାଗ୍ରତ ହୁଏ।

କୁହାଯାଏ, ହସ ହେଉଛି ମହୌଷଧୀ। ମାନସିକ ହେଉ ଅବା ଶାରୀରିକ, ସକଳ ପ୍ରକାର ରୋଗର ଗୋଟିଏ ପ୍ରଧାନ ଔଷଧ ହେଉଛି ହସ। କାରଣ ହସି ଦେଲେ ଶରୀରରୁ ଯେଉଁ ହରମୋନ ବା ରସଗୁଡ଼ିକର କ୍ଷରଣ ହୁଏ, ତାହା ଜୀବନରକ୍ଷାକାରୀ ଅଟନ୍ତି। ସେଥିପାଇଁ କୁହାଯାଇଛି ଯେ, ଜୀବନ ଯଦି ଆପଣଙ୍କୁ ଶହେଟି କାରଣ କାନ୍ଦିବା ପାଇଁ ଦିଏ, ତେବେ ଆପଣ ତାକୁ ଶହେଏକଟି କାରଣ ହସିବା ପାଇଁ ଦିଅନ୍ତୁ। ତେଣୁ ଯୋଗ କରି ରୋଗ ଦୂର କରିବାକୁ ଆହ୍ୱାନ ଦେଉଥିବା ଯୋଗଗୁରୁ ମାନେ ‘ହସ ଯୋଗ’କୁ ନିଜ ତାଲିକା ମଧ୍ୟରେ ଦେଇଛନ୍ତି ପ୍ରାଥମିକତା। କୁହାଯାଏ ଯେ, ଆପଣ ହସିଲେ ଆପଣଙ୍କ ସହିତ ସମଗ୍ର ଦୁନିଆ ହସେ, ମାତ୍ର କାନ୍ଦିଲେ ଆପଣ ଏକୁଟିଆ ହିଁ କାନ୍ଦନ୍ତି। କିଏ କାଇଁ ଏକୁଟିଆ କାନ୍ଦିବାକୁ ଭଲ ପାଇବ ଯେ। ହସିବା ପାଇଁ ସମସ୍ତଙ୍କର ଇଚ୍ଛା। ତେଣୁ ଏବେ ହସାଉଥିବା ଲୋକଙ୍କର ଭାଉ କାହିଁରେ କେତେ! ଆହୁରି ହସ ପରି ସଂକ୍ରାମକ ରୋଗ ଆଉ କିଛି ଅଛିକି! ଆପଣ ଅନ୍ୟ ଜଣକୁ ନ ଚିହ୍ନି, ସଂସ୍ପର୍ଶରେ ନ ଆସି ମଧ୍ୟ ନିଜ ହସଟିକୁ ଅନ୍ୟ ମୁହଁକୁ ବଢ଼େଇ ଦେଇ ପାରିବେ।

ଅତଏବ ଆମେ ଜାଣିଲେ ଯେ ହସିବା ଜରୁରୀ, ମାତ୍ର ତାହା ଯେତିକି ନିର୍ମଳ ହେବ ଯେତିକି ଆବିଳତା ହୀନ ହେବ ତାହା ଆମ ପାଇଁ ତଥା ସମାଜ ପାଇଁ ସେତିକି ମଙ୍ଗଳକାରୀ ହେବ। ଆପଣଟ ମନରେ ସ୍ୱତଃ ପ୍ରଶ୍ନ ଆସିବ, ଆଜି ଯେତେବେଳେ ମୁହଁମାନଙ୍କ ଉପରେ କୁଟିଳ ହସମାନଙ୍କ ରାଜୁତି ଚାଲିଛି, ସେଠି ନିର୍ମଳ ହସ ଟିକିଏ ଆମେ ପାଇବା କାହୁଁ? ଆଜି ଯେତେବେଳେ ସମଗ୍ର ବିଶ୍ୱ ବିଷ ବଳୟରେ, ସେତେବେଳେ ଅମୃତ ପରି ନିର୍ଭେଜାଲ ହସ ଗୋଟେ ଅସମ୍ଭବ ବ୍ୟାପାର, କିନ୍ତୁ ନିର୍ମଳ ହସ ଅଛି ବନ୍ଧୁ ଅଛି। ନଥିଲେ ଏ ପୃଥିବୀ ଏତେ ସୁନ୍ଦର ହୋଇଥା’ନ୍ତା କିପରି ଯେ! ସେଇ ନିର୍ମଳତା ଟିକକ ନଥିଲେ ଈଶ୍ୱର ତାଙ୍କ କରୁଣାମୟ, ଅଭୟ ପ୍ରଦାନକାରୀ ହାତଟିକୁ ପୃଥିବୀ ଉପରୁ ଉଠାଇ ନେଇ ନଥା’ନ୍ତେ କି!

ହଁ ଏହିପରି ଏକ ନିର୍ମଳ, ସ୍ୱର୍ଗୀୟ ହସ ଧାରେ ଦେଖିବାର ସୁଯୋଗ ପ୍ରାପ୍ତ ହୋଇଥିଲା, ସୋସିଆଲ ମିଡିଆର ସୌଜନ୍ୟରୁ। ମହିଳାଟିଏ ରେଳରେ ଯାତ୍ରା କରୁଥିଲେ ନିଜ ପୋଷା ଛେଳି ଓ ସାଥୀଙ୍କ ସହିତ। ଟିକେଟ ଯାଞ୍ଚ କରିବାକୁ ଆସି ରେଳ ଅଧିକାରୀ ଜଣକ ଯେତେବେଳେ ତାଙ୍କ ଟିକେଟ ଦେଖିଲେ ସେ ଆଶ୍ଚର୍ଯ୍ୟ ହେବା ସହିତ ମହିଳାଙ୍କ ପ୍ରତି ସମ୍ମାନବୋଧରେ ମୁଣ୍ଡ ତାଙ୍କର ନଇଁ ଗଲା। ଆଜି ଯେତେବେଳେ ରେଲବାଇ ବିନା ଟିକେଟ୍‌‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଯୋଗୁଁ କ୍ଷତିରେ ପଡୁଚି, ସେଇଠି ମହିଳାଜଣକ ନିଜ ପାଇଁ ତଥା ନିଜ ପୋଷା ଛେଳିଟି ପାଇଁ ମଧ୍ୟ ଟିକେଟ କାଟିଛନ୍ତି। ଅଧିକାରୀଜଣକ ଆମୋଦିତ ହୋଇ ଯେତେବେଳେ ‘ଛେଳିଟି ପାଇଁ ବି ଟିକେଟ କାଟିଛ?’ ବୋଲି ପଚାରିଛନ୍ତି, ସେତେବେଳେ ମହିଳାଙ୍କ ମୁହଁରେ ଯେଉଁ ମଲ୍ଲିଫୁଲିଆ ହସଟିକକ ଫୁଟି ଉଠିଲା, ତାହା ଯେ ଲକ୍ଷେଟଙ୍କିଆ, ଏହାକୁ ଦେଖିଥିବା ଲୋକେ ଏଥିରେ ନିଶ୍ଚୟ ସହମତ ହେବେ।

ହଁ, ଏପରି ନିର୍ମଳ ହସ ଧାରେ, କେବଳ ନିର୍ମଳ ମନଟିଏ ରଖିଥିବା ମଣିଷଟିଏ ଓଠରେ ହିଁ ଫୁଟିପାରେ। ଯାହାର ନିଜ ହାତଗୋଡ଼ ଉପରେ ଭରସା, ଯାହାର ଭାବ ସେହି ଭାବ ବିନୋଦିଆଠାରେ, ଯାହାର ଦୃଢ଼ ବିଶ୍ୱାସ ଯେ, ଈଶ୍ୱର ପେଟଟିଏ ଦେଇଚି ଯଦି ତା’ ପାଇଁ ଖାଦ୍ୟର ଯୋଗାଡ଼ ବି ସେହିଁ ରଖିଛି। ତା’ର ଆଉ ଚିନ୍ତା ଦକ କେଉଁ କଥାକୁ?

ତେବେ ସବୁବେଳେ ହସୁଥିବା ଲୋକଟିଏକୁ କ’ଣ ଆମେ ସୁଖୀ ମଣିଷଟିଏର ଆଖ୍ୟା ଦେଇ ପାରିବା? ନା ଆଜ୍ଞା ନା! ଅନେକ୍‌‌ ସମୟରେ ଦେଖାଯାଇଛି ଯେ ଜୀବନଠାରୁ ନିର୍ଯାତନା ପାଇ ପାଇ, ଜୀବନ ଏତେ ବୀତସ୍ପୃହ ହୋଇ ଯାଏ ଯେ ସେ ନିର୍ଯାତନାକୁ ନିର୍ଯାତନା କହି ଖାତିର୍‌‌ କରିବାକୁ ବି ଇଚ୍ଛା କରେନା। ବରଂ ସେହି ନିର୍ଯାତନାକୁ ହିଁ ଜୀବନ କହି ଗ୍ରହଣ କରିନିଏ। ସେତେବେଳେ ସେ ନିର୍ଯାତନାକୁ ବେଖାତିର କରି ଖୁବ୍‌‌ ଜୋର୍‌‌ରେ ହସେ। ଆଉ କ୍ୱଚିତ ଲୋକ ସେ ହସ ତଳେ ଥିବା ଯନ୍ତ୍ରଣାକୁ ପଢ଼଼ି ପାରନ୍ତି। ହଁ, ଯନ୍ତ୍ରଣା ସବୁବେଳେ ଲୁହରେ ନଥାଏ। ବେଳେବେଳେ ହସରେ ବି ଖୁବ୍‌‌ ଯନ୍ତ୍ରଣା ଥାଏ। ସେଇଥିପାଇଁ ତ କୁହାଯାଇଛି, ‘ତୁମେ କାହିଁକି ଏତେ ହସୁଛ? ଏମିତି କେଉଁ ଦୁଃଖ ଅଛି ଯାହାକୁ ଲୁଚେଇବାକୁ ଚାହୁଁଛ?’

ତେବେ ଆସନ୍ତୁ, ପୁଣି ଫେରେଇ ନେବି ଆଲେଖ୍ୟ ଆରମ୍ଭରେ ପଚାରିଥିବା ପ୍ରଶ୍ନ ନିକଟକୁ। ଆମେ କେତେ ହସିବା? କମ୍‌‌ ନା ବେଶି, ଧୀରେ ନା ଜୋର୍‌‌ରେ? ଶ୍ରୀରାମଙ୍କ ପରି ମୃଦୁ ମୃଦୁ ମଧୁର ହସ ନା ରାବଣଙ୍କ ପରି କରିବା ଜୋର୍‌‌ରେ ଅଟ୍ଟହାସ୍ୟ? ସଦ୍ୟ ଗୋଟିଏ ଘଟଣା ପ୍ରମାଣିତ କରିଛି ଯେ ମାତ୍ରାଧିକ ହସର ପରିଣାମ ହୋଇପାରେ ଭୟଙ୍କର। ହାଇଦ୍ରାବାଦର ୫୩ ବର୍ଷ ବୟସ୍କ ବ୍ୟକ୍ତି ଜଣେ ଗୋଟିଏ ଲୋକପ୍ରିୟ କମେଡି ସିରିଏଲ ଦେଖୁଥିଲେ। ତାଙ୍କୁ ଏତେ ମଜା ଲାଗିଲା ଯେ ସେ ଆଉ ନିଜ ହସକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଲଗାତାର କିଛିମିନିଟ ଧରି ସେ ହସି ଚାଲିଲେ। ସବୁକିଛି ଠିକଠାକ ଚାଲିଥିଲା। କିନ୍ତୁ ଏତିକିବେଳେ ଘଟିଲା ଅଘଟଣଟି। ବ୍ୟକ୍ତି ଧରିଥିବା ଚା’ କପ୍‌‌ଟି ଉପରୁ ନିୟନ୍ତ୍ରଣ ହରାଇ ଦେଲେ। କପ୍‌‌ଟି ତାଙ୍କ ହାତରୁ ଖସି ପଡ଼ିଥିଲା। ଏହାର ଠିକ୍‌‌ ପରେ ପରେ ତାଙ୍କ ଶରୀର ଗୋଟିଏ ପାର୍ଶ୍ବକୁ ଢଳି ପଡ଼ିଲା। ତାଙ୍କର ଏପରି ଅବସ୍ଥା ଦେଖି ପରିବାର ଲୋକେ ଭୟଭୀତ ହୋଇ ତୁରନ୍ତ ତାଙ୍କୁ ନେଇଗଲେ ହାସପାତାଳକୁ। କିଛିସମୟ ପରେ ତାଙ୍କର ଚେତା ଫେରିଲା। ସେ ହାତ ଗୋଡ଼ ହଲାଇଲେ, କଥା ବାର୍ତ୍ତା କଲେ, ସମସ୍ତଟୁ ଚିହ୍ନି ପାରିଲେ, କିନ୍ତୁ କିଛିସମୟ ପୂର୍ବରୁ ତାଙ୍କ ସହିତ ଯାହା ସବୁ ଘଟି ଗଲା, ସେସବୁ କିଛି ଆଉ ତାଙ୍କର ମନେ ନଥିଲା। ତାଙ୍କୁ ପରୀକ୍ଷା କରୁଥିବା ସ୍ନାୟୁ ବିଶେଷଜ୍ଞ ଡାକ୍ତର ସୁଧୀର କୁମାର କହିଲେ ଯେ, ବ୍ୟକ୍ତିଟି ଲାଫ୍ଟର ଇନଡ୍ୟୁସଡ ସିନକୋପରେ ପୀଡ଼ିତ। ଏଥିପାଇଁ ତାଙ୍କୁ ଅତ୍ୟଧିକ ହସିବା, ଅଧିକ ସମୟ ଠିଆ ହୋଇରହିବା, ଅତ୍ୟଧିକ ଶାରୀରିକ ପରିଶ୍ରମ କରିବାଠାରୁ ଦୂରରେ ରହିବା ପାଇଁ ଦେଇଛନ୍ତି ପରାମର୍ଶ। ପ୍ରଚୁର ପାଣି ପିଇବା ସହିତ ତାଙ୍କୁ ଅଧିକ ସମୟ ଶୋଇ ରହିବାକୁ ଡାକ୍ତର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ରୋଗ ବିଷୟରେ ସୁଧୀର କୁମାର କହନ୍ତି ଯେ, ଏହା ଏକ ବିରଳ ରୋଗ। ଯେତେବେଳେ ମାତ୍ରାଧିକ ହସ ଛାତିରେ ଚାପ ବଢ଼଼ାଏ, ହୃତପିଣ୍ଡରୁ ରକ୍ତ ପ୍ରବାହ ନିରନ୍ତର ପ୍ରଭାବିତ ହୋଇ ଏପରି ସ୍ଥିତି ଉପୁଜେ। ଫଳରେ ହୃତ୍‌‌ସ୍ପନ୍ଦନ ହାର କମିଯିବା ସହିତ ରକ୍ତବାହିକା ଫୁଲିବାକୁ ଲାଗେ, ରକ୍ତଚାପ ହ୍ରାସ ପାଏ ଓ ମସ୍ତିସ୍କକୁ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ। ଫଳରେ ବ୍ୟକ୍ତି ଚେତାଶୂନ୍ୟ ହୋଇପଡ଼େ।

ଏହି ଅଘଟଣଟି ବିଷୟରେ ଜାଣିଲା ପରେ, ମନେ ପଡ଼ିଥିଲା ହିନ୍ଦୀ ଚଳଚ୍ଚିତ୍ରର ଗୀତଟିଏ – ‘ହସ୍‌‌ତେ ହସ୍‌‌ତେ କଟଯାଏ ରାସ୍‌‌ତେ…।’ ହସି ହସି ରାସ୍ତା କାଟିଦେବା ଭଲ – ଏକଥା ଆମେ ବି ଜାଣିଛୁ, କିନ୍ତୁ ହସ ଯୋଗୁଁ ରାସ୍ତା କଟିଯିବା ଯେ ଆଦୌ ଭଲ ନୁହେଁ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆସନ୍ତୁ ସେତିକି ଓ ସେତେବେଳେ ହସିବା ଯେତିକି ଓ ଯେତେବେଳେ ଆବଶ୍ୟକ। ହସର ମିଛ ମୁଖା ମଡ଼େଇ ଅଭିନୟ କରି, ହସିବାର ଆବଶ୍ୟକତା କାହିଁ ଯେ, ସେଥିପାଇଁ ଯାତ୍ରା ପାର୍ଟିରେ କଳାକାର ପରା ଯାହାକୁ ଯେତେ!

ଛନ୍ଦା ମିଶ୍ର
ଭୁବନେଶ୍ୱର, ମୋ: ୯୪୩୭୪ ୫୩୬୧୦

Leave A Reply

Your email address will not be published.