ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଣି ପଞ୍ଚାୟତ ସଂସ୍କାର

ଆମ ରାଜ୍ୟର ପ୍ରାୟ ସତୁରି ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। ରାଜ୍ୟରେ ଅଣଜଳସେଚିତ ଜମି ଅଧିକ ଥିବାରୁ ବନ୍ୟା, ମରୁଡ଼ିର ଶିକାର ହୋଇ ଚାଷୀ ଋଣ ଶୁଝି ନ ପାରି ସନ୍ତୁଳିତ ହୁଅନ୍ତି। ଏହି ପରିପ୍ରେକ୍ଷୀରେ ଜଳସେଚନର ସୁବ୍ୟବସ୍ଥା ଲାଗି ପାଣି ପଞ୍ଚାୟତର ସୃଷ୍ଟି। ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ନେଇ ଏହି ଯୋଜନା ରାଜ୍ୟ ସରକାରଙ୍କର ଏକ ନୂତନ ପଦକ୍ଷେପ। ସାରା ପୃଥିବୀର ଜଳନୀତି ଓ ଆମ ଦେଶର ଜଳନୀତିକୁ ନେଇ ଓଡ଼ିଶା ସରକାର, ଓଡ଼ିଶା ପାଣିପଞ୍ଚାୟତ ଅଧିନିୟମ ୨୦୦୨, ଓଡ଼ିଶା ପାଣି ପଞ୍ଚାୟତ ନିୟମାବଳୀ-୨୦୦୩ ଏବଂ ଓଡ଼ିଶା ପାଣି ପଞ୍ଚାୟତ (ସଂଶୋଧନ) ଅଧିନିୟମ ୨୦୦୮କୁ ପର୍ଯ୍ୟାୟକ୍ରମେ ଆଇନରେ ପରିଣତ କରିଛନ୍ତି। ତେବେ ଏହି ଯୋଜନାର ସଫଳ ରୂପାୟନ ଲାଗି ଆହୁରି କେତେକ ପଦକ୍ଷେପର ଆବଶ୍ୟକତା ରହିଛି। ଓଡ଼ିଶା ଉଠାଜଳସେଚନ ସମସ୍ୟାରହିତ ହେଲେ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ନିମ୍ନରେ କେତୋଟି ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ତା’ହେଲେ ଓଡ଼ିଶାର ଚାଷୀମାନେ ଆହୁରି ଅଧିକ ଉପକୃତ ହୋଇପାରିବେ ଏବଂ ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ଜଳସେଚନ କରି କୃଷି ଉତ୍ପାଦନରେ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇପାରିବ।

କୃଷି କାର୍ଯ୍ୟରେ ବ୍ୟବହୃତ ଉଠାଜଳସେଚନ ପ୍ରକଳ୍ପ ପାଇଁ ବିଦ୍ୟୁତ ଶୁଳ୍କ ଛାଡ଼ ହେବା ଦରକାର। ଏହି ବ୍ୟବସ୍ଥା ଆନ୍ଧ୍ରପ୍ରଦେଶ, ପଞ୍ଜାବ, ହରିୟାଣା ଓ ମହାରାଷ୍ଟ୍ର ଆଦିକୃଷି ବିକଶିତ ରାଜ୍ୟଗୁଡ଼ିକରେ ଲାଗୁ ହୋଇଛି। ମୋଟର, ଷ୍ଟାର୍ଟର ଆଦି ସମସ୍ତ ଯନ୍ତ୍ରାଂଶ ବିଭାଗୀୟ ଯନ୍ତ୍ରୀମାନଙ୍କ ପାଖରେ ମହଜୁଦ ରଖାଗଲେ ବୈଷୟିକ ତ୍ରୁଟି ଓ ସମସ୍ୟାର ଆଶୁ ସମାଧାନ ହୋଇପାରିବ। ଲୋ-ଭୋଲଟେଜର ପ୍ରତିକାର ପୂର୍ବକ ଚାଷୀମାନଙ୍କୁ ସେଚ ପ୍ରକ୍ରିୟା ପାଇଁ ଉପଯୁକ୍ତ ବିଦ୍ୟୁତ୍‌‌ ଯୋଗାଇ ଦିଆଯାଉ। ପ୍ରକଳ୍ପଟିର ଟ୍ରାନ୍ସଫର୍ମର ପୋଡ଼ିଗଲେ ଅତିଶୀଘ୍ର ନୂତନ ଟ୍ରାନ୍ସଫର୍ମର ବସାଇବା ବ୍ୟବସ୍ଥା ହେଉ। ଏହି ନୂତନ ଟ୍ରାନ୍ସଫର୍ମର ଉଠାଜଳସେଚନ ନିର୍ବାହୀଯନ୍ତ୍ରୀଙ୍କ ନିକଟରେ ମହଜୁଦ ରଖାଯାଉ। ଉଠାଜଳସେଚନ ପ୍ରକଳ୍ପଗୁଡ଼ିକରେ ମାଟି ନାଳରେ ଅନେକ ଜଳ ନଷ୍ଟ ହେଉଥିବାରୁ ସିମେଣ୍ଟ ନାଳ କିମ୍ବା ପିଭିସି ପାଇପ ଦ୍ୱାରା ପାଣି ନାଳ ତିଆରି କରିବା ଲାଗି ସରକାର ଅର୍ଥର ବ୍ୟବସ୍ଥା କରିବା ଆବଶ୍ୟକ। ଯେଉଁ ପାଣି ପଞ୍ଚାୟତର ପ୍ରକଳ୍ପ ଗୃହ ନାହିଁ ସେଠାରେ ରହୁଥିବା ଷ୍ଟାର୍ଟର, ମୋଟର, ବିଭିନ୍ନ ଯନ୍ତ୍ରାଂଶ ନଷ୍ଟହୁଏ ଓ ଚୋରି ଭୟ ଥାଏ।

ତେଣୁ ସେଚ୍‌‌ ପ୍ରକଳ୍ପ ଗୃହ ନିର୍ମାଣ କରିବା ଲାଗି ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଉ। ଉଠାଜଳସେଚନ ପ୍ରକଳ୍ପ ଲାଗି ବଜେଟରେ ବାର୍ଷିକ ବ୍ୟୟର ଅର୍ଥ ବରାଦ କରାଯାଉ। ଫଳରେ କୃଷି, କୃଷକର ଉନ୍ନତି ହେବ ଓ ପାଣି ପଞ୍ଚାୟତର ସ୍ୱପ୍ନ ସାକାର ହେବା ସଙ୍ଗେ ସଙ୍ଗେ ରାଜ୍ୟର ପ୍ରଗତି ହେବ। ଗ୍ରାମାଞ୍ଚଳରେ ସେବା ସମବାୟ ସମିତିମାନଙ୍କୁ ସରକାର କ୍ଷମତା ପ୍ରଦାନ କରିଥିବା ଭଳି ପାଣି ପଞ୍ଚାୟତଗୁଡ଼ିକୁ ଧାନ ବିକ୍ରୟ କରିବା ପାଇଁ ସ୍ୱାଧୀନତା ଦେବା ଆବଶ୍ୟକ। ତା’ସହିତ ବ୍ୟାଙ୍କରୁ କମ୍‌‌ ସୁଧରେ ଋଣ ମିଳିବା ଏବଂ ପଣ୍ୟାଗାର ଆଦି ତିଆରି କରାଗଲେ ପାଣି ପଞ୍ଚାୟତଗୁଡ଼ିକ ସମୃଦ୍ଧ ହୋଇପାରିବ। କୃଷି କାର୍ଯ୍ୟର ଖର୍ଚ୍ଚ ହ୍ରାସ କରିବା ପାଇଁ ଚାଷୀଙ୍କୁ ଶସ୍ତାରେ ଉତ୍କୃଷ୍ଟ ଧରଣର ବିହନ, ସାର, କୀଟନାଶକ, ଆଧୁନିକ କୃଷି ଯନ୍ତ୍ରପାତି ଯୋଗାଇଦେବା ଆବଶ୍ୟକ। କୃଷକମାନେ ଦରଦାମର ଅସ୍ଥିରତାର ସୁରକ୍ଷା ପାଇଁ ମୂଲ୍ୟ ସ୍ଥିରତା ପାଣ୍ଠି ଗଠନ କରିବା, ଖାଦ୍ୟଶସ୍ୟ ସଂରକ୍ଷଣ ସୁବିଧା, ଶସ୍ୟବୀମା ଯୋଜନା ସୁବିଧା ସରକାର ଯୋଗାଇଦେବା ଆବଶ୍ୟକ। ପାଣି ପଞ୍ଚାୟତଗୁଡ଼ିକୁ ସାମୂହିକ ଭାବରେ ଲାଭଦାୟକ ସଂସ୍ଥାରେ ପରିଣତ କରିବା ପାଇଁ ହେଲେ ସହଭାଗୀ ଜଳସେଚନ ପ୍ରକ୍ରିୟାର ଯଥେଷ୍ଟ ଆବଶ୍ୟକତା ରହିଛି। ଏହାଦ୍ୱାରା ଧାନଚାଷ ସହିତ ଅର୍ଥକରୀ ଫସଲ ମଧ୍ୟ ଉତ୍ପାଦନ ହୋଇପାରିବ।

ଉଠାଜଳସେଚନ ପ୍ରକଳ୍ପର ଜଳ ପାଇବା ପାଇଁ ପାଣି ପଞ୍ଚାୟତଗୁଡ଼ିକୁ ଅପେକ୍ଷାକୃତ ଅଧିକ ବ୍ୟୟ କରିବାକୁ ପଡ଼ିଥାଏ। ତେଣୁ ସରକାରୀ ସ୍ତରରେ ଏହି ସମସ୍ୟାକୁ ନଜର ଦିଆଯାଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବା ଆବଶ୍ୟକ। ପ୍ରତି ବ୍ଲକରେ ଜଳସେଚିତ ଚାଷଜମିର ମୃତ୍ତିକା ପରୀକ୍ଷା କରି ତିନିବର୍ଷରେ ଥରେ ପ୍ରତି ଚାଷୀଙ୍କୁ ବିଶେଷ ବ୍ୟବସ୍ଥାର ସୁଫଳ ଦିଆଯାଉ। ପାଣି ପଞ୍ଚାୟତ ଦ୍ୱାରା ଓଡ଼ିଶା ପରି ଏକ କୃଷିପ୍ରଧାନ ରାଜ୍ୟର ଚାଷୀ ଓ ଚାଷ ଉପରେ ନିର୍ଭରଶୀଳ ବ୍ୟକ୍ତିମାନେ ବ୍ୟାପକ ସୁଫଳ ପାଇପାରିବେ। ପାଣିପଞ୍ଚାୟତ ସହିତ ଜଳ ସଂରକ୍ଷଣ ଜନିତ ସଚେତନତା ମଧ୍ୟ ବୃଦ୍ଧି ପାଇବା ଜରୁରୀ। ଏଥିପାଇଁ କେନ୍ଦ୍ରର ଅନୁଦାନ ମଧ୍ୟ ଦ୍ୱିଗୁଣିତ ହେବା ପ୍ରାସଙ୍ଗିକ ମନେହୁଏ। ପାଣି ପଞ୍ଚାୟତ ଏକ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀମାନଙ୍କୁ ବହୁଳ ଉପକାର ଦେଇପାରୁଥିବା ଚାଷ ବ୍ୟବସ୍ଥାର ମୂଳ କ୍ଷେତ୍ର। ତେବେ ଏ କ୍ଷେତ୍ରରେ ସଚେତନତା ସହିତ ଚାଷୀମାନଙ୍କର ସହଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଓ ଅପରିହାର୍ଯ୍ୟ।

ଏଥିସହିତ ପଢ଼ନ୍ତୁ

(ଗଙ୍ଗାଧର ସାମଲ, ଆଳି, ମୋ : ୯୪୩୭୨୨୬୬୪୭)

Leave A Reply

Your email address will not be published.