ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୀବନର ଦୋଛକି

ଦିନେ ଭକ୍ତ କବି ଲେଖିଥିଲେ, ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ବୈକୁଣ୍ଠ ତ ବେଶ୍‌‌ ଦୂରର କଥା, ମର୍ତ୍ତ୍ୟର ସୁଖ-ଦୁଃଖ ଓ ହସ-କାନ୍ଦର ପରିବେଶ ବି ଦେଖିବାକୁ ମିଳିବା ଦୁଷ୍ପ୍ରାପ୍ୟ ଲାଗୁଛି। ଯାହା ଅଛି ତା’ କେବଳ ଘରର ବାହ୍ୟ ଆବରଣ। ପୁଅଝିଅ ନିଜ ଚାକିରି ଓ ପରିବାରକୁ ନେଇ ବ୍ୟସ୍ତ। ତାଙ୍କ ପାଇଁ ବାପାଙ୍କ ଘରଟି ମାତ୍ର ଗୋଟିଏ ମୂଲ୍ୟବାନ୍‌‌ ସମ୍ପତ୍ତି, ଯାହାକୁ ବାପାଙ୍କ ପରେ ବିକି ଦେଇ ନିଜ ବ୍ୟାଙ୍କ ବାଲାନ୍ସ ବଢ଼େଇ ହେବ କେବଳ। ଘର ସହିତ ବାପାଙ୍କର ଯେଉଁ ଆବେଗ ସଂଶ୍ଲିଷ୍ଟ, ତାହା ପୁଅ ପାଇଁ ମୂଲ୍ୟହୀନ। ନା ବାପା ପୁଅକୁ ଘର ପ୍ରତି ନିଜ ବ୍ୟାକୁଳତାକୁ ଖୋଲି କହି ପାରୁଛନ୍ତି, ନା ପୁଅ ତାହା ବୁଝିବାକୁ ଚେଷ୍ଟା କରୁଛି। ଆଗଭଳି ଆଉ ଘରର ହାଉଜାଉ ନାହିଁ। ପିଲାଙ୍କ କଲରବ ଶୁଣିବାକୁ ମିଳୁନି। ଅତିଥି ଅଭ୍ୟାଗତଙ୍କ ଯିବା ଆସିବା ହୋଇ ଯାଇଚି ଖୁବ୍‌‌ ସୀମିତ। କେଉଁଠି ବୁଢ଼ାଟିଏ ନାହିଁ ତ, ବୁଢ଼ୀଟିଏ ଘର ଜଗି ପଡ଼ି ରହିଛି ଦେଖାରଖା କରିବାକୁ।

ଏବେ ଘରଗୁଡ଼ିକ ଭାଙ୍ଗି ଚାଲିଛନ୍ତି ନିଃଶବ୍ଦରେ। ଆଜି ଖବରକାଗଜ ଓଲଟାଇ ଦେଲେ ଭଙ୍ଗା ଘରର ଚିତ୍ର ସବୁ ଦିଶେ ଜଳ ଜଳ ହୋଇ। କେଉଁଠି ସ୍ୱାମୀ ମାରୁଛି ସ୍ତ୍ରୀକୁ, କେଉଁଠି ସ୍ତ୍ରୀ ମାରୁଛି ସ୍ୱାମୀକୁ। କେଉଁଠି ସ୍ତ୍ରୀ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପରପୁରୁଷ ସହିତ ଚାଲି ଯାଉଛି ଆଉ କେଉଁଠି ସ୍ୱାମୀ ସ୍ତ୍ରୀ ଓ ପିଲାଙ୍କୁ ଦାଣ୍ଡକୁ ଠେଲି ପର ସ୍ତ୍ରୀକୁ ଘର ଭିତରେ ରଖିଲାଣି। କେଉଁଠି ଭାଇ ମାରୁଛି ଭାଇକୁ, କେଉଁଠି ପୁଅ ମାରୁଛି ବାପାକୁ। ଦିନେ ଯେଉଁ ଭାରତର ପାରିବାରିକ ସମ୍ପର୍କ ସମଗ୍ର ବିଶ୍ୱ ପାଇଁ ଥିଲା ଏକ ପବିତ୍ର ଉଦାହରଣ, ସତେଯେମିତି ସେଥିରେ କାହାର ନଜର ଲାଗିଯାଇଛି। ପରିବାର ଭିତରେ ଏତେ କନ୍ଦଳ ଯେ ଦିନକୁ ଦିନ ପରିବାର ଅଦାଲତର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ଆଇନ କ’ଣ ପ୍ରକୃତରେ ପରିବାରକୁ ସୁରକ୍ଷା ଦେଇପାରିବ?

ଅଧିକ ପଢନ୍ତୁ

ପରିବାର ହେଉଛି ଗୋଟିଏ ସ୍ଥାନ, ଯେଉଁଠି ନିଃସ୍ୱାର୍ଥପର ଭାବେ ସମସ୍ତେ ମଧୁର ଭାବ ବନ୍ଧନରେ ନିବିଡ଼ ରୂପେ ହୋଇଥା’ନ୍ତି ଛନ୍ଦା। ଏହି ବନ୍ଧନରେ ନ ଥାଏ ବାଧ୍ୟବାଧକତା, ବରଂ ଥାଏ ଆନ୍ତରିକତା। ଆକଟରେ ଅଦୃଶ୍ୟ ଭାବେ ଗୋଳା ହୋଇ ଥାଏ ଆଦର। ପରସ୍ପର ପ୍ରତି ଥାଏ ବ୍ୟାକୁଳତା। ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଡୋରିରେ ଭିନ୍ନ ଭିନ୍ନ ଭାବଧାରାଗୁଡ଼ିକରେ ଥିବା ଅପୂର୍ବ ସମନ୍ୱୟ ଘରକୁ ସ୍ୱର୍ଗରେ କରେ ପରିଣତ। ବିଶ୍ୱାସ ଓ ଭରସାର ହାତ ଧରି ସଭିଏଁ ହେଉଥା’ନ୍ତି ଚଳପ୍ରଚଳ। ସମ୍ପର୍କ ପାଇଁ ନିଜ ସ୍ୱାର୍ଥକୁ ବଳି ଦେବାରେ ଥାଏ ସ୍ୱର୍ଗୀୟ ଆନନ୍ଦ।

ହେଲେ ଆଜି ବିଶ୍ୱାସକୁ ଅବିଶ୍ୱାସ କରି, ଭରସାକୁ ଭ୍ରମ ମଣି, ସମ୍ପର୍କକୁ ସ୍ୱାର୍ଥର ତରାଜୁରେ ତଉଲି ମଣିଷ ହେଉଛି ଆତଯାତ। ପୁଅ ପଚାରୁଚି, ବାପା ମୋ ପାଇଁ କ’ଣ ରଖିଛନ୍ତି? ଝିଅ ଦେଖୁଚି, ଭାଉଜକୁ ବୋଉ ଯାହା ଦେଲା, ମତେ ତା’ଠାରୁ ଅଧିକ ଦେଇଚି ତ? ଭାଇ ଦେଖୁଚି, ଭଉଣୀ ଆସିଲା ବେଳେ ମୋ ପିଲାଙ୍କ ପାଇଁ କ’ଣ ଆଣିଛି? ଭଉଣୀ ଦେଖୁଚି, କୋଉ ଭାଇର ଭଲ ଚଳଣି? ପଡ଼ୋଶୀ ଦେଖୁଚି, ପାଖ ଘରେ କିଏ ଅଛି, ତା’ ସହିତ ସମ୍ପର୍କ ରଖିଲେ ଲାଭ ହେବ କି ନାହିଁ! ଏପରିକି ସ୍ୱାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କର ସ୍ଥାନରେ ସନ୍ଦେହର ମାୟା ଜାଲ ନିଜର ଆସ୍ଥାନ ଜମାଇ ବସିଛି। କେବଳ ମାତ୍ର ଗୋଟିଏ ସମ୍ପର୍କ ଅଛି ସ୍ୱାର୍ଥରୁ ଊର୍ଦ୍ଧ୍ବରେ। ତାହା ହେଉଛି ପିତାମାତାଙ୍କ ସମ୍ପର୍କ। ପିଲାଏ ଦିଅନ୍ତୁୁ ବା ନଦିଅନ୍ତୁ, ପଚାରନ୍ତୁ ବା ନ ପଚାରନ୍ତୁ, ପିତା ମାତା କିନ୍ତୁ ତାଙ୍କ ଦରଜା ସବୁବେଳେ ଖୋଲା ରଖିଥା’ନ୍ତି ପିଲାଙ୍କ ପାଇଁ। ସଦାସର୍ବଦା କରୁଥା’ନ୍ତି ସନ୍ତାନର ମଙ୍ଗଳ କାମନା।

ତେବେ ଆଜି ସମ୍ପର୍କର ମୂଳମନ୍ତ୍ର ହେଉଛି ‘ମତେ କ’ଣ ମିଳିବ?’ ସମ୍ପର୍କକୁ ସମୟ ଦେବା ବଦଳରେ ସମୟ ଦିଆ ଯାଉଛି ସ୍ୱାର୍ଥକୁ। ତାହା ମଣିଷକୁ ଏପରି ଅନ୍ଧ କରେ ଯେ ସେ ଅଳିକ ସୁଖ ପାଇବାକୁ ଯାଇ ହରାଇ ବସେ ସମ୍ପର୍କ ପରି ଅମୂଲ୍ୟ ରତ୍ନକୁ। ଯେଉଁଠି ଯେତେ ଧନ, ସେଠି ସେତେ ବିକଳ ମନ। ଆହୁରି ଧନ, ଆହୁରି ପ୍ରତିପତ୍ତି, ଆହୁରି ପ୍ରତିଷ୍ଠା ପାଇଁ ସେ ରକ୍ତର ସମ୍ପର୍କକୁ ତୁଚ୍ଛ କରେ। ହୃଦୟର ଡାକକୁ କରେ ଅଣଶୁଣା। କିନ୍ତୁ ସ୍ୱାର୍ଥନ୍ୱେଷୀ ମନୁଷ୍ୟର ଯେବେ ଆଖି ଖୋଲେ, ସେ ବୁଝେ ସମ୍ପର୍କର ମୂଲ୍ୟ। ସେ ହୃଦବୋଧ କରେ ଯେ ଜୀବନର ମହାର୍ଘ ସାମଗ୍ରୀ ‘ସନ୍ତୋଷ’ଟିକକ ମିଳେ ଦେବାରେ, ନେବାରେ ନୁହେଁ। ଯିଏ ଯେତେ ଦିଏ, ସେ ସେତେ ପାଏ। ପୁଣି ଦେବା ପାଇଁ ଧନ ଲୋଡ଼ା ହୋଇ ନ ଥାଏ, ଲୋଡ଼ା ହୁଏ ବିଶାଳ ମନଟିଏର। ତେଣୁ ସେ ହସ ଦେଇ ଖୁସି ପାଏ। ସ୍ନେହ ଦେଇ ପାଏ ଶ୍ରଦ୍ଧା। ଆଦର ଦେଇ ଆପଣାର ପଣିଆ ଲଭେ। ସମ୍ମାନ ଦେଇ ହୃଦୟ ଜିତେ। ପରିବାର ପାଇଁ ଧନ ସଞ୍ଚିବା ଯେତିକି ଜରୁରୀ ପରିବାରକୁ ସମୟ ଦେବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ସମୟ ଥାଉ ଥାଉ ସୌଭାଗ୍ୟବନ୍ତଟିଏ ଏହି କଥାକୁ ହେଜି ପାରେ। ଅନ୍ୟଥା ବିଶ୍ୱାସ ଓ ଅବିଶ୍ୱାସର ଦୋଛକିରେ ପଡ଼ି ହୁଏ ହନ୍ତସନ୍ତ। ତେଣୁ ବେଳ ଥାଉ ଥାଉ ସାଧୁ ସାବଧାନ୍‌‌।

(ଛନ୍ଦା ମିଶ୍ର, ଭୁବନେଶ୍ୱର)

Leave A Reply

Your email address will not be published.