ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୀବନର ଉତ୍ତରାୟଣ

ସର୍ବଦା ହେତୁବାଦ ଉପରେ ଆସ୍ଥା ପ୍ରକଟ କରୁଥିବା ମହର୍ଷି ଚାର୍ବାକଙ୍କର ଭୌତିକବାଦୀ ଦର୍ଶନାନୁଯାୟୀ, ‘ଯାବତ୍‌‌ ଜିବେତ୍‌‌ ସୁଖମ୍‌‌ ଜିବେତ୍‌‌। ଋଣଂ କୃତ୍ୱା ଘୃତଂ ପିବେତ୍‌‌। ଅତ୍ର ଚତ୍ୱାରି ଭୂତାନୀ ଭୂମି ବାୟୋର୍ନଳାଲିନା। ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନମ୍‌‌ କୁତଃ।’ ଅର୍ଥାତ୍‌‌ ଯେପର୍ଯ୍ୟନ୍ତ ତୁମେ (ମଣିଷ) ବଞ୍ଚିବ, ଖୁସିରେ ବଞ୍ଚ। ଋଣ କରି ନିଅ ଏବଂ ଘିଅ ପାନ କର। ଯଦି ଥରେ ଶରୀର ପାଉଁଶ ହୋଇଯାଏ, ଏହା କିପରି ଫେରି ଆସିବ! ଏହିଭଳି ମତକୁ ବିଚାରକୁ ନେଲେ ଜଣାଯାଏ ଯେ ବାସ୍ତବିକ୍‌‌ ମଣିଷ ଜୀବନ ହେଉଛି କ୍ଷଣସ୍ଥାୟୀ। ମୃତ୍ୟୁଠାରୁ ଧାର ମାଗି ଆଣିଥିବା ଦିନ କେଇଟା ମଧ୍ୟରେ ଅନେକ ଆଶା ଅଭିଳାଷ ନେଇ ମନୁଷ୍ୟ ତା’ର ଗନ୍ତବ୍ୟ ପଥରେ ପଥିକ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ମାତୃଗର୍ଭରୁ ଭୂପତିତ ହେବା ଦିନଠାରୁ ଜୀବନର ବାସ୍ତବତା ତଥା ସଂଜ୍ଞାକୁ ସଠିକ୍‌‌ ଭାବେ ନିରୂପଣ ନ କରିପାରି ମାୟା କବଳରେ କବଳିତ ହୋଇ ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନିଜ ଜୀବନକୁ ସରସ, ସୁନ୍ଦର, ସାବଲୀଳ, ସୁଖୀ ଓ ରଙ୍ଗୀନ କରିବା ପାଇଁ ପ୍ରକୃତି ସହ ଅହରହ ସଂଗ୍ରାମ ଚଳାଇଥାଏ। ଏହି ସମୟ ମଧ୍ୟରେ ଅବଶ୍ୟ କେବେକେବେ ମନୁଷ୍ୟ କେତେକାଂଶରେ ହସ ଖୁସିକୁ ସାଉଁଟି ପାରି ନିଜ ଜୀବନକୁ ରଙ୍ଗୀନ କରିଥିଲେ ମଧ୍ୟ ପରିଣତ ଅବସ୍ଥାରେ ବାର୍ଦ୍ଧକ୍ୟର ଯନ୍ତ୍ରଣା ମଧ୍ୟରେ ଜର୍ଜରିତ ହୁଏ।

କମନୀୟ ଶୈଶବର ମୁକ୍ତ ଚେତନା, ବାଲ୍ୟାବସ୍ଥାର ଚପଳାମୀ, କୈଶୋରାବସ୍ଥାର ରଙ୍ଗୀନ ସ୍ୱପ୍ନ, ଯୌବନାବସ୍ଥାର ଉଦ୍ଦାମତା, ପ୍ରୌଢ଼ାବସ୍ଥାର ଦାୟିତ୍ୱବୋଧତା ଓ ପରିପକ୍ୱତାକୁ ଅତିକ୍ରମ କରି ପରିଶେଷରେ ବାର୍ଦ୍ଧକ୍ୟ ଅବସ୍ଥା ରୋଗ ଓ ଦୁଃଖ ନେଇ ମଣିଷ ପାଇଁ ଆସିଥାଏ। ଶୈଶବ ଅବସ୍ଥାରେ ମୁକ୍ତଚେତନା ମଧ୍ୟରେ ନିମଗ୍ନ ରହି, ମା’ କୋଳରେ ଶୋଇ, ମା’ ହାତ ରନ୍ଧା ଖାଇ ଜୀବନର ଆଦ୍ୟ ଦୁଇ ବର୍ଷ ଅତିକ୍ରାନ୍ତ କରି ମଣିଷ ତା’ର ବାଲ୍ୟାବସ୍ଥାରେ ପ୍ରବେଶ କରିଥାଏ। କୁନିକୁନି ଓଠରେ ଦରବୁଝା ଭାଷା, ଟିକିଟିକି ପାଦରେ ଟୁକୁଟୁକୁ ଚାଲି, ଦୁଷ୍ଟାମୀ, ଚଗଲାମୀ, ସାଙ୍ଗସାଥୀ ମେଳରେ ଖେଳାଖେଳି ଓ ବିଦ୍ୟା ଅଧ୍ୟୟନ କରି ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରେ ମଧ୍ୟରେ ବାଲ୍ୟାବସ୍ଥା ସମୟ ବିତିଯାଇଥାଏ। ଅସମାହିତ ଉତ୍ତର ବିହୀନ ସ୍ୱପ୍ନ ଓ ଆକାଂକ୍ଷାର ମିଳନ ମଧ୍ୟରେ ଲକ୍ଷ୍ୟ ହାସଲ କରିବାର ଅଭିନବ ପ୍ରୟାସ ତଥା ଜୀବିକାର୍ଜନ କରିବା ନିମନ୍ତେ ଅହରହ ପ୍ରୟାସ କରି ହସ ଖୁସିର ଉତ୍କଣ୍ଠା ମଧ୍ୟରେ କୈଶୋର ଓ ଯୌବନାବସ୍ଥାର ଅଢ଼େଇ ଦିନ ପ୍ରଳାପର ପରିସମାପ୍ତି ଘଟିଥାଏ। ପ୍ରୌଢ଼ାବସ୍ଥାରେ ସମ୍ପୂର୍ଣ୍ଣ ପରିପକ୍ୱତାର ସହ କର୍ତ୍ତବ୍ୟର ଭାର ମୁଣ୍ଡାଇ, ସଂସାର ଜାଲରେ ଛନ୍ଦି ହୋଇ, ପାରିବାରିକ ମୋହ ମାୟାରେ ପଡ଼ି ସର୍ବଦା ଯୌବନ, ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ ଏବଂ ଦୀର୍ଘାୟୁ କାମନା କରୁଥିବା ମଣିଷ ପାଇଁ କେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ଆସି ଉପନୀତ ହେବ ତାହା ଜଣାପଡ଼ିବ ନାହିଁ। ଏହା ହିଁ ତ ପ୍ରକୃତିର ନିୟମ।

ଏଠି ମଣିଷ ଯାହା ଚାହେଁ ତାହା ଘଟେ ନାହିଁ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ମାତ୍ରାଧିକ ବ୍ୟବହାର କରି ଆଧୁନିକ ଯୁଗର ମଣିଷ ଅନେକ ରୋଗକୁ ପ୍ରତିହତ କରିଛି, ନୂତନତ୍ୱର ସନ୍ଧାନରେ ମତୁଆଲା ହୋଇ ବିଶ୍ୱର ଅନେକ ଗୂଢ଼ ରହସ୍ୟ ଉନ୍ମୋଚନ କରିଛି, ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଅପୂର୍ବ ସଫଳତା ହାସଲ କରିଛି ଏବଂ ମହାକାଶର କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ଓ ପରମାଣୁ ଉପରେ ଗବେଷଣା କରିଥିଲେ ମଧ୍ୟ ଏ ସବୁ ମରୀଚିକା ପଛେ ଦୌଡ଼ିବା ସମ। ଜୀବଜଗତର ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମଣିଷର ଜ୍ଞାନକୁ ଜାଳି ପୋଡ଼ି, ତା’ର ସ୍ୱପ୍ନକୁ ଧୂଳିସାତ୍‌‌ କରି ବିଷାଦ ଓ ବିଦ୍ରୋହର ଜ୍ୱାଳା ନେଇ ଜୀବନର ଶେଷଭାଗକୁ ବୃଦ୍ଧାବସ୍ଥା ଉପନୀତ ହୋଇଥାଏ। ସେ ସମୟରେ ମଣିଷ ଜରାଗ୍ରସ୍ତ ହୁଏ। ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି, କାର୍ଯ୍ୟକ୍ଷମତା, ସ୍ମୃତିଶକ୍ତି, ପାଚନ ଶକ୍ତି ହ୍ରାସ ପାଇଯାଏ। ଉଠିବାକୁ ବଳ ପାଏନି। ଚାଲିବାର ଶକ୍ତି କ୍ଷୀଣ ହୁଏ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବାରୁ ନାନାଦି ରୋଗ ଶରୀରକୁ ଗ୍ରାସ କରେ। ନିତ୍ୟ ଦୌଡ଼ୁଥିବା ବ୍ୟକ୍ତି ପାଇଁ ସାହାରା ଲୋଡ଼ାପଡ଼େ। ନା ପାଦରେ ଥାଏ ବଳ ନା ଦେହରେ ଥାଏ ଶକ୍ତି। ଚର୍ମ ଧୁଡ୍‌‌ ଧୁଡ୍‌‌ ହୋଇଯାଏ। ଆଖିରୁ ଲୁହ ଲେଞ୍ଜେରା ବାହାରେ। ଦାନ୍ତ ଝଡ଼ିଯାଏ। କଥା କହିବାର ଶକ୍ତି ମଧ୍ୟ ଲୋପପାଏ। ସୁନ୍ଦର ଚେହେରା ମଉଳିଯାଏ। ବାର୍ଦ୍ଧକ୍ୟ ଉପନୀତ ହୁଅନ୍ତେ ବଳଶାଳୀ ପୁରୁଷ ନିଃସହାୟ ହୋଇପଡ଼େ। କେବଳ ସେତିକି ନୁହେଁ ମାନସିକ ସ୍ତରରେ ମଧ୍ୟ ଦୁର୍ବଳ ହୋଇପଡ଼େ ମଣିଷ। ଯୌବନର ଉଦ୍ଦାମତାକୁ ନେଇ ଅନେକ ଚିନ୍ତା କରେ। ସବୁ ଅସମ୍ଭବ କାର୍ଯ୍ୟ ଦିନେ ସମ୍ଭବ ଥିଲା, କିନ୍ତୁ ସମ୍ଭବପର କାର୍ଯ୍ୟ ଆଜି ଅସମ୍ଭବ ପାଲଟିଯାଇଛି। କୌଣସି କାର୍ଯ୍ୟ କରିବା ପାଇଁ ସାହସ ପାଏନି। ସମୟଥାଏ ଶୋଇବାକୁ, କିନ୍ତୁ ନିଦ ନଥାଏ ଆଖିରେ। ଶଯ୍ୟାରେ ପଡ଼ିପଡ଼ି ଅତୀତର ସ୍ମୃତି ସାଉଁଟୁ ଥାଏ। ପରିବାରର ମୁରବି ସାଜି ଜୀବନକାଳ ମଧ୍ୟରେ ସାଉଁଟିଥିବା ଲମ୍ୱା ଅନୁଭୂତି ଓ ଅନୁଭବ ପରିବାର ପାଇଁ ଅଲୋଡ଼ା ହୋଇପଡ଼େ। ନିଜର ଅନିଚ୍ଛା ସତ୍ତ୍ବେ କେତେକ କଥାରେ ସହମତି ହେବାକୁ ପଡ଼େ। ବାର୍ଦ୍ଧକ୍ୟ ସମୟରେ କୌଣସି ବିଜ୍ଞାନ କାମ କରେ ନାହିଁ। ନା ପାଖରେ ଥାଆନ୍ତି ସମ୍ପର୍କୀୟ ନା ଥାଆନ୍ତି ଚପରାସୀ ମେହେନ୍ତର। ନିଃସଙ୍ଗ ଜୀବନ ବିତାଇବାକୁ ପଡ଼ିଥାଏ। ଅନ୍ୟର ହାତ ଟେକାକୁ ଚାହିଁ ରହିବାକୁ ପଡ଼ିଥାଏ। ସ୍ୱାଧୀନତା ହରେଇବାକୁ ପଡ଼ିଥାଏ। ଏହିଭଳି ଶାରିରୀକ, ମାନସିକ ଓ ସାମାଜିକ ସମସ୍ୟା ଯୋଗୁଁ ଜୀବନ ରଙ୍ଗହୀନ ଓ ରସହୀନ ହୋଇପଡ଼େ। ଫଳରେ ମଣିଷର ବଞ୍ଚିବାର ଆଶା ଧୂଳିସାତ ହୋଇଯାଏ।

ଏ ବାର୍ଦ୍ଧକ୍ୟ କ’ଣ ସତରେ ଏତେ ଯନ୍ତ୍ରଣାଦାୟକ! ହଁ ଆଜ୍ଞା ବାସ୍ତବିକ୍‌‌ ଏହା ଯନ୍ତ୍ରଣାଦାୟକ। ଆମେ ଯେତେ ଚେଷ୍ଟା କଲେ ମଧ୍ୟ ନିୟତିର ନିର୍ଦ୍ଦେଶକୁ ଅବମାନନା କରି ପାରିବା ନାହିଁ। ମୃତ୍ୟୁକୁ ଘୃଣା କରୁଥିବା ମଣିଷ ଦିନେ ବାର୍ଦ୍ଧକ୍ୟର ଯନ୍ତ୍ରଣାକୁ ସହ୍ୟ ନ କରିପାରି ମୃତ୍ୟୁ ଦ୍ୱାରା ମୁକ୍ତି ପ୍ରାପ୍ତି ହୋଇପାରିବ ବୋଲି ଅନୁଭବ କରି ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ହେବା ପାଇଁ ଇଚ୍ଛା ପ୍ରକଟ କରିଥାଏ। ଅନୁତାପର ବହ୍ନିରେ ଜଳେ। ପ୍ରତି ମୁହୂର୍ତ୍ତରେ କଲା କର୍ମର ପ୍ରାୟଶ୍ଚିତ କରେ। ବିକଳ ହୋଇ ଆତ୍ମଚିତ୍କାର କରି କୁହେ – ‘ପ୍ରଭୁ ଉଦ୍ଧାର କର ଏ ବସୁଧାରୁ।’ ଏକଦା ଧନ, ସମ୍ପତ୍ତି, ପଦପଦବୀ ମୋହରେ ପଡ଼ି ଅହଙ୍କାରର ବଶବର୍ତ୍ତୀ ହୋଇ ଈଶ୍ୱରଙ୍କ ସତ୍ତାକୁ ଅବିଶ୍ୱାସ କରୁଥିବା ମଣିଷ ବାଧ୍ୟହୋଇ ଶେଷ ଅବସ୍ଥାରେ ଈଶ୍ୱର ବିଶ୍ୱାସୀ ହୁଏ ଏବଂ ଈଶ୍ୱରଙ୍କର ଉପସ୍ଥିତିକୁ ଅନୁଭବ କରେ। ସେ ଯେତେ ବଡ଼ ବ୍ୟକ୍ତି ହୋଇ ଥାଆନ୍ତୁ ନା କାହିଁକି ବାର୍ଦ୍ଧକ୍ୟ ଆଗରେ ଦିନେ ନା ଦିନେ ହାର ମାନିବେ। ତେଣୁ ଗର୍ବ ଅହଙ୍କାରକୁ ପରିତ୍ୟାଗ କରି ସତ୍ୟାନୁସନ୍ଧାନ ମାଧ୍ୟମରେ ଜୀବନ ଦର୍ଶନର ବାସ୍ତବତାକୁ ଉପଲବ୍ଧି କରିବା ସହ ଈଶ୍ୱର ବିଶ୍ୱାସୀ ହେଲେ ଏଥିରୁ କେତେକ ମାତ୍ରାରେ ମୁକ୍ତି ଆଶା କରାଯାଇପାରେ।

ଶ୍ରୀବତ୍ସ ନାୟକ
କଟକ, ମୋ:୯୪୩୮୦୭୦୮୪୯

Leave A Reply

Your email address will not be published.