ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଧିକାର ଓ ଦାୟିତ୍ୱବୋଧ

ମଣିଷ ଜୀବନ ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ସର୍ବଶ୍ରେଷ୍ଠ ଉପହାର। ଉକ୍ତ ଜୀବନକୁ ସଫଳ, ପରିପୂର୍ଣ୍ଣ ତଥା ଯଥାର୍ଥ କରିବାକୁ ହେଲେ; ସଂକଳ୍ପ, ସଂସ୍କାର, ସୁବିଚାର ଏବଂ ସମର୍ପଣ ଭାବ ପୋଷଣ କରି ନିରନ୍ତର ନିଜର କର୍ମ ଏବଂ କର୍ତ୍ତବ୍ୟ କରିବା ଉଚିତ। ପ୍ରତ୍ୟକ ବ୍ୟକ୍ତି ନିଜର ଜୀବନ କାଳ ମଧ୍ୟରେ ଅଲଗା ଅଲଗା ତଥା ଭିନ୍ନ ଭୂମିକା ମାନ ଗ୍ରହଣ କରିଥାଏ। ପ୍ରତ୍ୟକ ଚରିତ୍ର ଏବଂ ଭୂମିକାରେ ତା’ର କିଛି ଅଧିକାର, ଦାୟିତ୍ୱ ଏବଂ କର୍ତ୍ତବ୍ୟ ରହିଥାଏ। ସାଧାରଣତଃ, ଜଣେ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥାଏ। କିନ୍ତୁ, ଯେତେବେଳେ ଦାୟିତ୍ୱ ତଥା କର୍ତ୍ତବ୍ୟ ନିର୍ବାହ କରିବାର ସମୟ ଆସେ, ସର୍ବପ୍ରଥମେ ତା’ର ମନ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରିଥାଏ। ତାହା ହେଉଛି ଉକ୍ତ କାର୍ଯ୍ୟ ଦ୍ୱାରା ମୋତେ କ’ଣ ପ୍ରାପ୍ତି ହେବ ତଥା ସେଥିରେ ମୋ’ର ବ୍ୟକ୍ତିଗତ ଲାଭ କ’ଣ? କିନ୍ତୁ, ପ୍ରତ୍ୟେକ ବ୍ୟକ୍ତି ଏହା ଭୁଲିବା କଥା ନୁହେଁ ଯେ, ଜୀବନରେ ଅଧିକାର ଏବଂ ଦାୟିତ୍ୱ ଏକା ସହ ଚାଲିଥାଏ।

ଆଜିର ସମୟରେ ଅନେକ ବ୍ୟକ୍ତିବିଶେଷଙ୍କ ମତ ତଥା ଚିନ୍ତାଧାରା ଅନୁସାରେ ସମସ୍ତ ପ୍ରକାରର ସାମାଜିକ ଦାୟିତ୍ୱବୋଧ, ଯେପରିକି ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା, ଅସହାୟକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କେବଳ ସରକାରଙ୍କର ଦାୟିତ୍ୱ। ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ। ସାଧାରଣତଃ, ଜଣେ ମଣିଷ ନିଜର ପରିବାର ତଥା ଏହାର ସଦସ୍ୟଙ୍କ ପ୍ରତି ରହିଥିବା କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧ ପ୍ରତି ସର୍ବଦା ସଚେତନ ଏବଂ ସଜାଗ ରହିଥାଏ। ସେଥିଲାଗି ସେ ନିଜର ସର୍ବଶ୍ରେଷ୍ଠ ଅବଦାନ ଦେବା ସହ ସମୟେ ସମୟେ ତା’ର ଅନେକ ବ୍ୟକ୍ତିଗତ ସ୍ୱାର୍ଥ, ଇଚ୍ଛା ଓ ଅଭିଳାଷକୁ ତ୍ୟାଗ ମଧ୍ୟ କରିଥାଏ। ଏପରିକି, ନିଜଠାରୁ ସେ ପରିବାରକୁ ସର୍ବଦା ପ୍ରାଥମିକତା ଦେଇଥାଏ। କିନ୍ତୁ ଅନେକ କ୍ଷେତ୍ରରେ ଏହା ପରିଲକ୍ଷିତ ହୁଏ ଯେ ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସେ ଅଣଦେଖା କରିଦିଏ।

ଏକ ସାମାଜିକ ପ୍ରାଣୀ ଭାବରେ ସମାଜ ବିନା ମଣିଷର ସମ୍ପୂର୍ଣ୍ଣ ବିକାଶ ଅସମ୍ଭବ। ଆମେ କହି ପାରିବା ନାହିଁ ଯେ ଜଣେ ବ୍ୟକ୍ତିର ଜୀବନ ନିର୍ବାହରେ ତା’ର ପରିବାରର ସମ୍ପୂର୍ଣ୍ଣ ତଥା ଶତକଡ଼ା ଶହେ ଭାଗ ଅବଦାନ ରହିଛି। କାରଣ ଗୋଟିଏ ଶିଶୁ ଜନ୍ମ ହୋଇ ବଡ଼ ହେବା ଏବଂ ବଡ଼ ହୋଇ ସମାଜରେ ପ୍ରତିଷ୍ଠା ଲାଭ କରିବାରେ ତା’ର ପରିବାରର ଭୂମିକା ଯେତିକି ରହିଥାଏ, ତା’ସହ ସମାଜର ଭୂମିକା ମଧ୍ୟ ସେତିକି ଥାଏ। ବିଭିନ୍ନ କ୍ଷେତ୍ରରେ ନିଜ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଗ୍ରାମବାସୀ ତଥା ସମଗ୍ର ରାଜ୍ୟ ଏବଂ ଦେଶର ତା’ ପ୍ରତି ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ଅନେକ ଭୂମିକା ଏବଂ ଅବଦାନ ରହିଥାଏ। ଏ ସମ୍ପର୍କିତ ଅନେକ ଘଟଣା ଏବଂ ବିଷୟବସ୍ତୁକୁ ଆମେ କେବଳ ଅନୁଭବ ହିଁ କରିଥାଉ, କିନ୍ତୁ ସେସବୁକୁ ସ୍ପର୍ଶ କରିବା ନିମନ୍ତେ ସକ୍ଷମ ହୋଇ ପାରୁନାହିଁ।

ଏଣୁ ଯେତେବେଳେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ବିକଶିତ ହୋଇଥାଏ ତଥା ସମାଜରେ ପ୍ରତିଷ୍ଠା ଲାଭ କରିଥାଏ, ସେତେବେଳ ନିଜର ପରିବାର ସହ ସମାଜ ପ୍ରତି ମଧ୍ୟ ତା’ର ଅନେକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରହିଥାଏ। ପ୍ରତ୍ୟେକ ବ୍ୟକ୍ତି ଉକ୍ତ ଦାୟିତ୍ୱକୁ ନିର୍ବାହ କରିବା ଲାଗି ହୁଏତ ଆର୍ଥିକ ସ୍ତରରେ ସର୍ବଦା ସକ୍ଷମ ନ’ହୋଇ ପାରନ୍ତି। କିନ୍ତୁ ନିଜର ସଦିଚ୍ଛା ଓ ଆନ୍ତରିକତା ଦ୍ୱାରା ଶାରୀରିକ ଏବଂ ମାନସିକ ସ୍ତରରେ ଜଣେ ବ୍ୟକ୍ତି ନିଜର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ସବୁକୁ ନିର୍ବାହ କରିପାରିବେ। ଅନ୍ୟ ଜଣେ ବ୍ୟକ୍ତିର ଅସୁବିଧା ସମୟରେ ସେ ତା’ର ନିକଟରେ ଉପସ୍ଥିତ ରହି ସମସ୍ତ ପ୍ରକାରର ଶାରୀରିକ ସହଯୋଗ ପ୍ରଦାନ କରିପାରିବେ ଏବଂ ବର୍ତ୍ତମାନ ତଥା ଆଶଙ୍କିତ ବିପଦକୁ ସାମନା କରିବାକୁ ତଥା ସେଥିରୁ ମୁକୁଳିବାକୁ ମାନସିକ ସ୍ତରରେ ତାଙ୍କର ମନୋବଳ ବଢ଼଼ାଇପାରିବେ। ଯେପରି ଜଣେ ଲେଖକ ନିଜର ଲେଖନୀ ମୁନ ତଥା ଶବ୍ଦର ସମାହାର ସାହାଯ୍ୟରେ ବିଭିନ୍ନ ଲୋକଙ୍କ ମନ, ଚେତନାରେ ପରିବର୍ତ୍ତନ ଆଣି ପାରିବେ। ପରବର୍ତ୍ତୀ ମୁହୂର୍ତ୍ତରେ ଅନେକ ଲୋକଙ୍କ କାର୍ଯ୍ୟକଳାପରେ ତାହା ପ୍ରତିଫଳିତ ହେବ। ଏହାଦ୍ୱାରା ସମାଜରେ ବିଭିନ୍ନ କ୍ଷେତ୍ରରେ ଅନେକ ସୁଧାର ଆସିପାରିବ ତଥା ଏକ ସୁସ୍ଥ ସମାଜ ଗଠନ ଦିଗରେ ତାହା ବଡ଼ କାରକ ସାଜିବ। ଜଣେ ବ୍ୟକ୍ତି ନିଜର ଅବସର ସମୟରେ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରିପାରିବେ, ଯାହାଦ୍ୱାରା ଲୋକମାନେ ବିଭିନ୍ନ କ୍ଷେତ୍ରରେ ସଚେତନ ହୋଇପାରିବେ ଏବଂ ସେମାନଙ୍କର ଦୈନନ୍ଦିନ ଜୀବନଶୈଳୀକୁ ତାହା ମାର୍ଜିତ କରିବାରେ ସହାୟକ ହେବ। ଖାଲି ସମୟଗୁଡ଼ିକୁ ଅଯଥା ଥଟ୍ଟା, ତାମସା, ଗୁଲି-ଖଟିରେ ନଷ୍ଟ ନ’କରି ତଥା ଏହାର ସଦୁପଯୋଗ ପୂର୍ବକ, ଜଣେ ବ୍ୟକ୍ତି ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରି ନିଜର ଗ୍ରାମ ତଥା ଅଞ୍ଚଳରେ ସ୍ୱଚ୍ଛତା ତଥା ପରିମଳ, ବୃକ୍ଷରୋପଣ ଆଦି କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିବା ସହ ବିଶେଷକରି ଆଜିର ଯୁବକ ଯୁବତୀମାନଙ୍କୁ ଏଥିଲାଗି ପ୍ରେରିତ କରିପାରିବେ ଏବଂ ତାହା ଅନ୍ୟ ସମସ୍ତଙ୍କ ପାଇଁ ମଧ୍ୟ ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିବ।

ଜଣେ ଶିକ୍ଷିତ ପ୍ରାପ୍ତବୟସ୍କ ବ୍ୟକ୍ତି ଯିଏ କି ଶାରୀରିକ ସ୍ତରରେ ଏହିସବୁ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଲାଗି ନିଜକୁ ଅକ୍ଷମ ଅନୁଭବ କରିବେ ସେମାନେ ନିଜର ଅବସର ସମୟରେ ଗରିବ ଅସହାୟ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ କରିପାରିବେ। ଯୁବକଯୁବତୀମାନଙ୍କୁ ଆଗକୁ ବଢ଼଼ିବାରେ ଉପଦେଶ ଦେବା ସହ ସେମାନଙ୍କର ପଥ ପ୍ରଦର୍ଶକ ସାଜି ପାରିବେ। ଏତଦବ୍ୟତୀତ, ଯିଏ ଯେଉଁ ବୃତ୍ତିରେ ନିୟୋଜିତ ଅଛନ୍ତି, ସେଥିରେ ଥିବା ଦାୟିତ୍ୱ ଓ କର୍ତ୍ତବ୍ୟକୁ ସତ୍ୟ ଓ ନିଷ୍ଠାର ସହ ନିର୍ବାହ କରିବା ଦ୍ୱାରା ବିଭିନ୍ନ କାର୍ଯ୍ୟ ତଥା ବିଭାଗକୁ ଦୁର୍ନୀତିମୁକ୍ତ ମଧ୍ୟ କରାଯାଇପାରିବ, ସେଥିରେ ସ୍ୱଚ୍ଛତା ଅଣାଯାଇପାରିବ। ଏହାଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରାଜ୍ୟ ତଥା ଦେଶ ଉପକୃତ ହେବ ଏବଂ ସାରା ସମାଜ ପାଇଁ ଏହା ଜଣେ ବ୍ୟକ୍ତିର ସବୁଠାରୁ ବଡ଼ ସାମାଜିକ ଦାୟିତ୍ୱବୋଧ ରୂପେ ଉଭା ହେବ।

ରାକେଶ ପଣ୍ଡା
ଟାଙ୍ଗୀ(କଟକ), ମୋ: ୯୩୩୭୮୯୭୬୫୦

Leave A Reply

Your email address will not be published.