ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରାକୃତିକ ଚାଷ ଅନୁକୂଳକୁ ଅପେକ୍ଷା

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟ ଦିନଟି ଅକ୍ଷୟ ତୃତୀୟା। ଆମ ଓଡ଼ିଶାରେ ଏହି ଦିନ ଅକ୍ଷି ମୁଠି ଅନୁକୂଳ। ବିହନ ଅନୁକୂଳ ପର୍ବ। ମାଘ ଶେଷ ଫଗୁଣ ଆରମ୍ଭ। ବର୍ଷା ଅସରାଏ ଦିଅସରା ହେଲା ତ ବିଲ ଚାଷ ହବ। କଥା ଅଛି –
‘ଯଦି ବରଷଇ ମାଘର ଶେଷ, ଧନ୍ୟ ସେ ରଜା ଧନ୍ୟ ସେ ଦେଶ।’

ଚାଷୀ ସକାଳୁ ସକାଳୁ ହଳ ଯୋଚି ବିଲକୁ ନେଲା। ଷାଠିଏ ଓଡ଼ ମୂଳା, ତହିଁର ଅଧା ଗୁଳା। ତହିଁର ଅଧା ଧାନ, ତେବେ ଖାଏ ଚାଷୀ ମହତା ପାନ। ଗୋଡ଼ିଙ୍ଘା ଲଙ୍ଗଳରେ ପଡ଼ିଆ ଭାଙ୍ଗିଲା। ଅଧା ଫାଳିରେ ୩/୪ ଓଡ଼ ଧରି ମାଟି ଗୁଣ୍ଡ କଲା। ପଟା ଲଙ୍ଗଳରେ ଓଡ଼େ ଦିଓଡ଼ ପକାଇ ମାଟି କାଣ୍ଡି ଦେଲା। ଖରାଟିଆ ଚାଷରେ ମାଟି ଭିତରକୁ ପବନ, ସୂର୍ଯ୍ୟ ତାପ ପସିଗଲା। ପୋକ ଜୋକ ମରିଯିବେ। ମାଟି ଜୀବନ ପାଇଯିବ। ଶଗଡ଼ ଓଦରରେ ଖତ ବୁହାହେଲା। ଖତ ଖେଳେଇ ପୁଣି ଓଡ଼େ ଚଷି ମାଟିରେ ମିଶାଇ ଦେଲେ। ମାଟି ଟିକେ ନିଃଶ୍ୱାସ ମାରୁ!

ଅଧିକ ପଢନ୍ତୁ

ବିହନ ରଖିବା ଟିକେ ମୁଣ୍ଡ ଖର୍ଚ୍ଚ କାମ। ବିଲ ମଝିରୁ ୧୦/୧୫ ହଳା ବନ୍ଧା ହବ। ବିହନ ହଳା ଖଳାକୁ ଗଲା। ହଳାଗୁଡ଼ିକୁ ଫିଟାଇ ମିଶା ଧାନ କେଣ୍ଡା କାଢ଼ି ଦେଲେ। ଗୋଡ଼ରେ ମକଚି ଧାନ ଅମଳ କଲେ। କୁଲାରେ ପାଛୁଡ଼ି ଅଗାଡ଼ି କାଢ଼ି ଦେଲେ। କୁଲାର ଅଗ କଣ୍ଠାକୁ ଛେଦି ଦେଲେ। ମୂଳ ଧାନ ବିହନ ହବ। ଗୋଟେ ଦି ଟା ଖରା ଖାଇବ। ଶୁଖିଲା ନ ଶୁଖିଲା ଦାନ୍ତରେ ପରୀକ୍ଷା କଲେ। ଏ ସବୁ କାମ ସ୍ତ୍ରୀ ଲୋକମାନଙ୍କର। ଚାଷୀ ଭାଇ ବିହନକୁ ଓଳିଆ ବାନ୍ଧି ଭାଡ଼ିରେ ଥୋଇବ।

୧୯୬୭ ଆଗ କଥା। ସେତେବେଳେ ଓଡ଼ିଶାରେ ପ୍ରାୟ ୩୦ ହଜାର କିସମର ଧାନ ଚାଷ ହେଉଥିବା ଧାନ ବିଜ୍ଞାନୀ ଆର.ଏଚ.ରିଚାରିୟା ଆକଳନ କରିଥିଲେ। ଡେର ଜମି ପାଇଁ ସହଳ କିସମ ବିଆଳି, ଶାଠିକା, ଭୋଜନି, ଗୋଲାହୁଣ୍ଡି ଇତ୍ୟାଦି। ମଝିଆଣି ଜମିରେ ୧୨୦/୧୩୦ ଦିନିଆ କିସମ ସରୁଚିନାମାଳି, ସୋଲରି, ଅତୌରି, ନଡ଼ିଆଫୁଲ, କଳାଜିରି, ପିମ୍ପୁଡ଼ିବାସ ଭଳି ବାସନା ଧାନ, ଖାଲ ବିଲ କିସମ ପଦ୍ମକେଶୋରୀ, ବାଲାମ, ଚମ୍ପା, ରତ୍ନଚୁଡ଼ି, ଭୋତିଆ, ରାଜବଲ୍ଲଭ ଇତ୍ୟାଦି। ପ୍ରତି ଚାଷୀ ୮/୧୦ କିସମ ବିହନ ରଖିଥିବ। ତାଳପତ୍ର ଆଣି ଲେଖନୀରେ ଧାନ ନାଁ ଲେଖି ଓଳିଆରେ ଖୋସିଦବ।

ଏଥିସହିତ ପଢ଼ନ୍ତୁ

ବିହନ ଭାଡ଼ିରୁ ଚାଷୀର ଜମି ଅନୁମାନ କରାଯାଇପାରେ। ଝିଅ ବାହାଦେବେ। ଝିଅର ବାପା ଜ୍ୱାଇଁ ଖୋଜି ଆସିଛନ୍ତି। ସମୁଧି ଘରେ ବିହନ ଭାଡ଼ି ଉପରେ ଆଖି ପକାଇବେ। ସମୁଧି ତହୁଁ ତରକା। ଜମି କମ। ପଡ଼ିଶା ଘରୁ ୮/୧୦ଟା ବିହନ ଓଳିଆ ଆଣି ତାଙ୍କ ଭାଡ଼ିରେ ରଖି ଦେଇଛନ୍ତି। ଝିଅର ବାପା ଦେଖି ଖୁସ। ବୁଝି ଗଲେ ଝିଅର ବର୍ଷକ ଭାତ ଥୁଆ। ସମୁଧି ଘରେ ହାତ ଧୋଇଲେ। କହିଲେ, ‘ସମୁଧି ତୁମେ ବୋହୂ ଦେଖି ଆସିଲେ ବାହାଘର ଦିନ ବାର ଧରିବା।’ ଚାଷୀ ଭାଇ ପାଇଁ ବିହନ ଠାକୁର। ଲକ୍ଷ୍ମୀସାଆନ୍ତାଣୀ। ବିହନ ଅମଳ ଦିନ ପିଠା ପଣା ହବ। ଭାଡ଼ି ପାଖେ ଲାଗି ଦେଇ ସମସ୍ତେ ଖାଇବେ।

ଅକ୍ଷୟ ତୃତୀୟା ଆଗ ଦିନ ଶଗଡ଼ ଲଙ୍ଗଳ ଧୂଆ ହବ। ମାଇପିମାନେ ଅରୁଆ ଚାଉଳ ପିଠଉ କରି ଶଗଡ଼, ଲଙ୍ଗଳରେ ଝୋଟି ଦେବେ। ବିହନ ବେତ ଟୋକେଇ, ଗଉଣୀ ଧୂଆ ହୋଇ ଚିତା ପଡ଼ିବ। ଚାଷୀ ପାଇଁ ନୂଆ ଲୁଗା, ନୂଆ ଗାମୁଛା, ଘରଣୀ ପାଇଁ ନୂଆ ଶାଢ଼ି ଆସିବ। ତୃତୀୟା ଦିନ ସକାଳୁ ସକାଳୁ ସ୍ୱାମୀସ୍ତ୍ରୀ ଗାଧୋଇ ପଡ଼ନ୍ତି। ବଳଦ ଆଗ ଦିନରୁ ଗାଧୋଇ ଥିବେ। କୋଳଥ ଶିଝା, କୁଳୁଚି, ଗୁଣ୍ଡା, ପାଣି ତୋରାଣି କୁଣ୍ଡରେ ଯୋଗାଡ଼ି ବଳଦଙ୍କୁ ଖୋଇବେ। ବଳଦଙ୍କ ବେକରେ ଫୁଲମାଳ ପଡ଼ିବ। ଦାଣ୍ଡଦୁଆର ମୁହଁରେ କଳସ ଥୁଆ ହବ। ଓଳିଆରୁ ବିହନ ଗାଳି ଟୋକେଇରେ ରଖିବେ। ଗୌଣି ଟି ଧାନ ଉପରେ ବସେଇବେ। ଶଙ୍ଖ ବାଜୁଥିବ। ହୁଳହୁଳି ପଡୁଥିବ। ଗାଁ ଦାଣ୍ଡରେ ୩୦/୪୦ ହଳ। ବଡ଼ ମକଦ୍ଦମଙ୍କ ବଳଦ ବେକରେ ଘଣ୍ଟି ଘାଗୁଡ଼ି ଟଣ୍‌‌ ଟଣ୍‌‌ ବାଜୁଥିବ। ଚାଷୀ ଭାଇ ବଳଦ ଯୋଚି ବାହାରିଲା ତ ଘରଣୀ ବିହନ ଟୋକେଇ ମୁଣ୍ଡାଇ ପଛେ ପଛେ ଚାଲିଲେ। ନିଜ ନିଜ ବିଲରେ ପହଞ୍ଚିଲେ। ଅବଧାନ ଶୁଭମୁହୂର୍ତ୍ତ କହିଥିବ। ଓଡ଼ିଶାର ଗାଁ ଗାଁ ରେ କଥା ଅଛି –
‘ଝିଂ ଝିଂ ଡାକିଲା ଝିଙ୍କାରି ଉଠ ଚଷା ପୁଅ ଧାନ ବୁଣ, ଅକ୍ଷିତୁର୍ତୀୟା ମୁଠି ଅନୁକୂଳ ବୈଶାଖ ଖରା ହେଲାଣି ଟାଣ।’
‘ଜେଷ୍ଠେ ରଜ ଯାତ ହୋଇଯିବ ଗଜା ଅଦିନ ବରଷା ପାଣି ପାଇ, ଆଷାଢ଼େ ଗୁଣ୍ଡିଚା କରିବୁ ବେଉଡ଼ା ମଇ ଦଉଥିବ ଗୀତ ଗାଇ।’

ହଳ ଠିଆ କରି ଜମିର ପୂର୍ବ କଣରେ ମାଟି ଆଡ଼େଇ ବିହନ ଦିଟା ପକାନ୍ତି। ମାଟି ଘୋଡ଼ାଇ ପୂଜା ପୂଜି କଲେ। ମାଟିମା’ ଙ୍କୁ ଦିହେଁ ମୁଣ୍ଡିଆ ମାଇଲେ। ଚାଷୀ ଭାଇ ହଳ କଲେ ତ ଘରଣୀ ହଳ ପଛେ ପଛେ ବିହନ ବୁଣିଲେ। ହଳ ଲେଉଟାଇ କଅଁଳ ଗାଧୁଆ ବେଳକୁ ଘରକୁ ଫେରନ୍ତି। ଖେଚେଡ଼ି, ଡାଲମା, ଖିରୀ, ଆମ୍ବ ଖଟା କରି ଲକ୍ଷ୍ମୀ ପୂଜା କରିବେ। ସମସ୍ତେ ଏକାଠି ବସି ଖାପିଆ କଲେ। ସେ ଦିନ ଗୋଟେ ପବିତ୍ର ଦିନ। ବିହନ ଅନୁକୂଳ ଦିନ। ଚାଷୀ ଘରେ ବଡ଼ ପର୍ବ।

ସେ ଦିନର ବିହନ ଅନୁକୂଳର ଆମେ ବୁଝୁଛୁ ଚାଷୀର ହଳ ଲଙ୍ଗଳ ଥିଲା। ବାଡ଼ିରେ ଖତ ଥିଲା। ଓଳିଆରେ ବିହନ ଥିଲା। ସେ ସ୍ୱୟଂସମ୍ପୂର୍ଣ୍ଣ ଥିଲା। ଚାଷୀ କାହାର ମହାଜନ ନ ହେଲେ ବି ଖାତକ ନଥିଲା। ଉଣେଇଶ ଷାଠିଏ ଦଶକ ଯାଏଁ ଏ ସ୍ଥିତି ବଳବତ୍ତର ଥିଲା। ବହୁ ଦିନରୁ ସାମ୍ରାଜ୍ୟବାଦୀ ଆମେରିକା ଆମ ଚାଷ ଉପରେ ଆଖି ପକାଇଲାଣି। ଆମ ଚାଷ ଓ ଚାଷୀଙ୍କୁ କବ୍‌‌ଜା କରିବ। ୧୯୫୦ ଠାରୁ ଆମକୁ ଜର୍ସି ଗାଈ ଧରାଇ ଦେଲା। ଅଧିକ କ୍ଷୀର ଦେବେ। ଦେଶୀ ଗାଈ ଅଲୋଡ଼ା ହୋଇଗଲେ। ଜର୍ସି ଅଣ୍ଡିରା ବଳଦକୁ ନୁହନ୍ତି। ଜମି ଚାଷ ହେବ କିମିତି? ଚାଷୀର ମୁଣ୍ଡ ଧରିଲାଣି। ୧୯୬୭। ସବୁଜ ବିପ୍ଲବ ଜନ୍ତୁଟି ଆମ ଚାଷୀ ଭାଇ ପାଖେ ଠିଆ। କମ୍ପାନୀ ଚାଷ ଚାଷୀକୁ ଟ୍ରାକ୍ଟର ଧରାଇଲା। ଅଧିକ ଅମଳକ୍ଷମ ବିହନ ପହଞ୍ଚାଇଲା। ରାସାୟନିକ ସାର, କୀଟନାଶକ ତା’ ଘରେ ପହଞ୍ଚିଲା। ଚାଷ ପାଇଁ ବ୍ୟାଙ୍କ କରଜ ଦେଲା। ସରକାର କହୁଛନ୍ତି। ବେଦର ଗାର। ଚାଷୀ ଭଳି ଗଲେ। ଅଧିକ ଫଳିବ। ଚାଷୀ ବିଷ ଚାଷ ଯନ୍ତାରେ ପଡ଼ିଗଲେ। ୫/୧୦ ବର୍ଷ ଅଧିକ ଫଳିଲା। ଚାଷରୁ ଆଇନ୍ଦା ସାଲକୁ ବିହନ ରଖିଲେ ଫଳ ନାହିଁ। ବାଞ୍ଝ ବିହନ। ଚାଷୀକୁ ପ୍ରତିବର୍ଷ କମ୍ପାନୀ ବିହନ କିଣିବାକୁ ପଡ଼ିଲା। ଆମ ଦେଶୀ ବିହନ ତ ଅଲୋଡ଼ା ହେଲା। ବୁଡ଼ିଗଲା। ଚାଷୀର ଚାରା କ’ଣ? କମ୍ପାନୀ ଚାଷୀର ନାକ ଘଷେଇଲାଣି। ଚାଷୀ ଋଣୀ ହୋଇଗଲା। ଫସଲରେ ରୋଗ ପୋକ ବଢ଼଼ି ଚାଲିଲା। ଅଭାବୀ ବିକ୍ରି। ଚାଷୀ ଆତ୍ମହତ୍ୟା କରୁଛି। ମାଟି ରୋଗିଣା ହୋଇଯାଉଛି। ଆଗ ଭଳି ଆଉ ଅମଳ ଆସୁନି। ଘରେ ଘରେ କ୍ୟାନ୍ସର। ଚାଷୀ ବଜାର ଅର୍ଥନୀତିରେ ବଳି ପଡ଼ିଗଲା।

ଭାରତର ବିହନ ବିବିଧତା ପୃଥିବୀରେ ଅଦ୍ୱିତୀୟ ଥିଲା। ଆଜି ଭାରତରେ ୮୦ ପ୍ରତିଶତ ବିହନ ବଜାର କମ୍ପାନୀ କବଜାରେ। ଚାଷୀର ବଡ଼ ସମ୍ପତ୍ତି ବିହନ ତା’ ହାତରୁ କମ୍ପାନୀ ହାତକୁ ଚାଲିଗଲା। ସେ ତ ହାତ ମାଛ ଚିଲକୁ ଦେଇଛି। କମ୍ପାନୀ ଏବେ ୫ କିଲିଆ ହାଇବ୍ରିଡ ଧାନ ବିହନ ମଣେଇଲାଣି। ଗୁଣ୍ଠକୁ ୧୫/୨୦ କିଲୋ ସାର ଖାଉଛି। ରୋଗ ପୋକ ମାଡ଼ିଯାଉଛି। ବିଷ ଯେତେ ଛିଞ୍ଚିଲେ ବି ରୋଗ ପୋକ ଅଣଆୟତ୍ତ। ଚାଷୀ ଲୁହ ନ କାନ୍ଦି ରକ୍ତ କାନ୍ଦୁଛି। ବର୍ଷକୁ ବର୍ଷ ବିହନ କିଣିବାକୁ ପଡ଼ୁଛି। ତା’ ହାତରୁ ଲଙ୍ଗଳ ଚାଲିଗଲା। ବିହନ ଚାଲିଗଲା। ସେ ଅକ୍ଷି ମୁଠି ଅନୁକୂଳ କାହାକୁ ନେଇ କରିବ?

ଆଜି ଆଉ ଅକ୍ଷି ମୁଠି ଅନୁକୂଳ ନାହିଁ। ଓଡ଼ିଶାର ସ୍ତ୍ରୀ ଲୋକ ମାନେ ତ ସଂସ୍କୃତି, ପରମ୍ପରା ସୁରକ୍ଷା ପାଇଁ ଠିକା ନେଇଛନ୍ତି। ଅକ୍ଷିତୃତୀୟା ଦିନ ଚାଷୀ ଘର ସ୍ତ୍ରୀ ଲୋକମାନେ ଚଉରା ମୂଳେ ଦିଟା ଧାନ ମାଟିରେ ପୋତି ଦେଇ ପୂଜା କଲେ। ହୋଇ ଗଲା ଅକ୍ଷି ମୁଠି ଅନୁକୂଳ!

ଆଜି କାଲି ନକଲି ଅକ୍ଷି ମୁଠି ଅନୁକୂଳ କରାଯାଉଛି। କମ୍ପାନୀମାନେ ଟ୍ରାକ୍ଟର, କୃଷି ଯନ୍ତ୍ରପାତି ଜମା କରିବେ। ମନ୍ତ୍ରୀ, ବିଧାୟକ, ସାଂସଦ ବା କେହି ଜଣେ କ୍ଷମତାସୀନ ଦଳର ନେତା ଆସିବେ। ଟ୍ରାକ୍ଟରରେ ହାତ ଲଗାଇଲେ। କମ୍ପାନୀର ସଙ୍କର ବିହନ ଦିଟା କିଏ ଧରାଇ ଦେଲା। ନେତା ବିଲରେ ଛାଟି ଦେଲେ ତ ଅକ୍ଷି ମୁଠି ଅନୁକୂଳ ହୋଇଗଲା। ମନ କଲେ ସେ କାଳ ଚାଷ ଫେରି ପାରିବ। ଏବେ ବି କିଛି ଲୋକ, କିଛି ଅନୁଷ୍ଠାନ ଦେଶୀ ଧାନ ବିହନକୁ ବଞ୍ଚାଇ ରଖିଛନ୍ତି। ଚାଷୀ ହାତକୁ ବିହନ ଫେରି ପାରିବ। ଦେଶୀ ଗାଈ ପାଳିଲେ ହଳ ଲଙ୍ଗଳ ଫେରି ପାରିବ।

(ନଟବର ଷଡ଼ଙ୍ଗୀ , ନିଆଳି, ମୋ: ୯୯୩୭୬୨୦୮୮୩)

Leave A Reply

Your email address will not be published.