ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ସୌରଶକ୍ତି ପ୍ରକଳ୍ପ

ଗୁଜୁରାଟ ପ୍ରଦେଶ ସୀମାନ୍ତବର୍ତ୍ତୀ କଚ୍ଛ ଜିଲ୍ଳାର ଲବଣାକ୍ତ ଖଭଡ଼ା ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଯାଉଛି ପୃଥିବୀର ସବୁଠାରୁ ବଡ଼ ସୌର ଶକ୍ତି ବା ଅକ୍ଷୟ ଶକ୍ତି ପ୍ରକଳ୍ପ। ଏହାର ପରିସୀମା ପ୍ରାୟ ୭୨୬ ବର୍ଗ କିଲୋମିଟର। ଏହି ପ୍ରକଳ୍ପର ଆକାର ଏତେ ବଡ଼ ହେବ ଯେ ମହକାଶରୁ ମଧ୍ୟ ସ୍ପଷ୍ଟ ଦୃଷ୍ଟିଗୋଚର ହେବ। ଏବେ ବିଶ୍ୱର ସର୍ବବୃହତ୍‌‌ ସୌରଶକ୍ତି ପ୍ରକଳ୍ପ ସିଙ୍ଗାପୁରରେ ଥିବା ବେଳେ ଭାରତ ତାହାର ସମକକ୍ଷ ହେବାକୁ ଯାଉଛି। ଆଦାନୀ ଗ୍ରୁପ୍‌‌, ଗୁଜୁରାଟ ଷ୍ଟେଟ ଇଲେକ୍ଟ୍ରିକାଲ କର୍ପୋରେସନ ଲିମିଟେଡ, ନ୍ୟାଶ୍‌‌ନାଲ ଥର୍ମାଲ ପାୱାର ଲିମିଟେଡର ମିଳିତ ଭାଗିଦାରୀରେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଏହି ପ୍ରକଳ୍ପରୁ ୩୦ ଗିଗାୱାଟ ଶକ୍ତି ଉତ୍ପାଦନ ହେବ, ଯାହା ଗୁଜୁରାଟ ସମେତ ପଡ଼ୋଶୀ ରାଜ୍ୟର ପ୍ରାୟ ୧୮ ନିୟୁତ ଲୋକଙ୍କ ଘରକୁ ବିଦ୍ୟୁତ୍‌‌ ସଂଯୋଗ କରିହେବ। ଆସନ୍ତା ତିନିବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ଏହି ସ୍ଥାନରେ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ହେବାର କାରଣ ଏହି ଯେ ଏଠାରେ ସୂର୍ଯ୍ୟର ତାପ ଅତ୍ୟନ୍ତ ପ୍ରଖର। ଦିନର ତାପମାତ୍ରା ହାରାହାରି ପ୍ରାୟ ୩୫ ଡିଗ୍ରୀ ସେଲସିୟସ ଥାଏ। ଏହାର ପ୍ରାୟ ୩୫ କିଲୋମିଟର ଦୂରରେ ହିଁ ଶେଷ ଜନବସତି ଅଛି। ଏଠାରେ ମଧ୍ୟ ପବନ ସବୁ ସମୟରେ ବୋହୁଥିବାରୁ ଭବିଷ୍ୟତରେ ଏଠାରେ ପବନକଳ ଚାଳିତ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ମଧ୍ୟ ସାକାର ହୋଇପାରିବ।

ଅଧିକ ପଢନ୍ତୁ

୨୦୧୪ ରେ କେନ୍ଦ୍ର ସରକାର ସୌର ଶକ୍ତି ଓ ମେଗା ସୋଲାର ପାୱାର ପ୍ରୋଜେକ୍ଟ ଯୋଜନାରେ ସାରା ଦେଶରେ ୫୦ ଟି ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲେ। ପ୍ରତି ପ୍ରକଳ୍ପରୁ ୫୦୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଲକ୍ଷ୍ୟକୁ ବୃଦ୍ଧି କରାଯାଇଛି। ଭାରତ ୨୦୩୦ରେ ଅଧିକ ସୌର ଶକ୍ତି ଉତ୍ପାଦନ କରିବା ଲକ୍ଷ୍ୟରେ ନୂଆ ଯୋଜନା ହାତକୁ ନେବାକୁ ଯାଉଛି। ରାଜସ୍ଥାନର ଭାଦଲା ଠାରେ ମଧ୍ୟ ୨୦୩୦ ସୁଦ୍ଧା ସୌରଶକ୍ତି ପ୍ରକଳ୍ପ ପ୍ରାୟ ୫୦୦ ମେଗାୱାଟ୍‌‌ କ୍ଷମତା ବିଶିଷ୍ଟ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ନିକଟରେ ବେଙ୍ଗାଲୁୁରୁର ଏମ ଚିନ୍ନାସ୍ୱାମୀ କ୍ରିକେଟ ଷ୍ଟାଡିୟମ୍‌‌କୁ ୪୦୦କିଲୋୱାଟ୍‌‌ ସୌରଶକ୍ତି ଯୋଗାଇ ଦିଆଯାଇଛି, ଯାହା ସାରା ପୃଥିବୀରେ ପ୍ରଥମ।

ଭାରତ ବର୍ତ୍ତମାନ ସୌରଶକ୍ତି ପ୍ରକଳ୍ପ ଉପରେ ଅଧିକ ଗୁରୁତ୍ୱ ଦେଉଛି। ଏହାଫଳରେ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଉଦ୍ୟୋଗୀ ଆଗ୍ରହୀ ହେଉଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେଲେ ଜଳବିଦ୍ୟୁତ୍‌‌ ଉତ୍ପାଦନ ଓ ତାପଜ ବିଦ୍ୟୁତ୍‌‌ ଉତ୍ପାଦନରେ ଯେଉଁ ସମସ୍ୟା ରହୁଛି ତାହା ଦୂର ହୋଇପାରିବ। ଯଦି କେନ୍ଦ୍ର ସମେତ ରାଜ୍ୟସ୍ତରରେ ସୌର ଶକ୍ତି ଉତ୍ପାଦନକୁ ଉତ୍ସାହିତ କରନ୍ତି ତେବେ ଆମେ ଖୁବ୍‌‌ଶୀଘ୍ର ଅକ୍ଷୟ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହିତ ପରିବେଶ ପ୍ରଦୂଷଣ ଅନେକାଂଶରେ ହାସ ପାଇବ। ଭବିଷ୍ୟତରେ ସୌରଶକ୍ତି ସମ୍ପନ୍ନ ଟ୍ରେନ୍‌‌ ଚଳାଚଳ ପାଇଁ ମଧ୍ୟ ଯେଉଁ ଯୋଜନା ରଖାଯାଇଛି ତାହା ମଧ୍ୟ ସାକାର ହୋଇପାରିବ।

ପ୍ରଦୀପ୍ତ କୁମାର କର
ଭୁବନେଶ୍ୱର, ମୋ: ୯୪୩୭୦୮୪୩୧୨

Leave A Reply

Your email address will not be published.