ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘନୀଭୂତ ପ୍ରେମମୂର୍ତ୍ତି: ରାଧାକୃଷ୍ଣ

ଶ୍ରୀଚୈତନ୍ୟ ଏକାସାଙ୍ଗରେ ରାଧା ଓ କୃଷ୍ଣଙ୍କ ଯୁଗଳ ଅବତାର ନେଇ ଆବିର୍ଭୂତ ହୋଇଥିଲେ। ଯେଉଁ ପ୍ରେମ ଦ୍ୱାରା ରାଧା ଶ୍ରୀକୃଷ୍ଣଙ୍କର ମାଧୁରିମା ଆସ୍ୱାଦନ କରନ୍ତି, ସେ ମାଧୁରିମା ଓ ସେ ପ୍ରେମ କିପରି, ଶ୍ରୀକୃଷ୍ଣଙ୍କ ପ୍ରେମ ପ୍ରାପ୍ତି କରି ରାଧା ଯେଉଁ ସୁଖ ପ୍ରାପ୍ତ ହୁଅନ୍ତି ତାହା କିପରି, ଏସବୁର ପରିଚୟ ହିଁ ରାଧାଭାବ। ରାଧାଙ୍କର ଏହି ପ୍ରେମ ହିଁ ପରମ ପୁରୁଷାର୍ଥ, କାନ୍ତା ପ୍ରେମ ଓ ଭଜନ କୀର୍ତ୍ତନ ମାର୍ଗର ସର୍ବୋତ୍ତମ ପଥ। ରାଧାଭାବର ଗଭୀରତା ଓ ଶ୍ରେଷ୍ଠତ୍ୱର ପରିଚୟ ରାମାନନ୍ଦଙ୍କଠାରୁ ପାଇଲେ ଶ୍ରୀଚୈତନ୍ୟ ଓ ସେଥିରେ ସେ ଉଦ୍‌‌ବୁଦ୍ଧ ହେଲେ। ରାୟରାମାନନ୍ଦ ଚୈତନ୍ୟଙ୍କୁ ରାଧା ଅବତାର ବୋଲି ସ୍ୱୀକାର କଲେ। ସୁରେନ୍ଦ୍ର ମହାନ୍ତିଙ୍କ ମତରେ ଶ୍ରୀଚୈତନ୍ୟ କୃଷ୍ଣଙ୍କ ଅବତାର ମୂର୍ତ୍ତି ଥିଲେ ହେଁ ସେ ସ୍ୱରୂପରେ ଥିଲେ ରାଧା।

ପୂର୍ବେ ଭକ୍ତମାନେ ମୁକ୍ତିକୁ ସର୍ବୋତ୍ତମ ପ୍ରାପ୍ତି ବୋଲି ଗ୍ରହଣ କରିଥିଲେ। ଭକ୍ତମାନେ ମୁକ୍ତି ବାଞ୍ଛା କରୁଥିଲେ। ରାୟ ରାମାନନ୍ଦ, ଶ୍ରୀଚୈତନ୍ୟ ଓ ପଞ୍ଚସଖାଙ୍କ ପରେ ମୁକ୍ତି ଅପେକ୍ଷା ଭକ୍ତି ହିଁ ସର୍ବୋତ୍କୃଷ୍ଟ ବୋଲି ଗୃହୀତ ହେଲା। ମୁକ୍ତି ବାଞ୍ଛାକୁ ନର୍କ ତୁଲ୍ୟ ବୋଲି ବୈଷ୍ଣବ ଭକ୍ତମାନେ କହିଲେ। ମୁକ୍ତି ପରମ ସୁଖ ନୁହେଁ। ମୁକ୍ତିର କାମନା ଥିଲା ପରମ କାମ୍ୟ। ଏଥିରେ ଅନ୍ୟ କୌଣସି ବରଭିକ୍ଷା ନାହିଁ। ମୁକ୍ତିର ଅର୍ଥ ଭବସାଗର ବା ସଂସାରରୁ ମୁକ୍ତି। ଭକ୍ତି ହେଲା କୃଷ୍ଣ ଉପଲବ୍ଧିର ଏକମାତ୍ର ପ୍ରଣାଳୀ। ଭକ୍ତି ହିଁ ପରମ ପୁରୁଷାର୍ଥ। ଏହା ଜ୍ଞାନ ଓ ଯୋଗ ଅପେକ୍ଷା ଶ୍ରେଷ୍ଠ। ମୋକ୍ଷ କାମନା ବା ମୁକ୍ତି ବାସନା ହରିଭକ୍ତି ନିକଟରେ ଅତି ନଗଣ୍ୟ।

ଅଧିକ ପଢନ୍ତୁ

ମୁକ୍ତି, ବୈକୁଣ୍ଠ ପ୍ରାପ୍ତି, ସ୍ୱର୍ଗପ୍ରାପ୍ତି, ସ୍ୱର୍ଗ ଭୋଗ ଓ ତା’ର କାମନା ଆଦିର ସ୍ଥାନ ଭକ୍ତି ତୁଳନାରେ ନିମ୍ନ ଓ ତୁଚ୍ଛ, ଏପରିକି ତା’ର ବାଞ୍ଛା ନର୍କତୁଲ୍ୟ। ପ୍ରେମ ବିନା ଜ୍ଞାନ ଶୋଭା ହୀନ। ଜଣେ ଯେତେବଡ଼ ଜ୍ଞାନୀ ହେଲେ ମଧ୍ୟ ଜୀବ ଯେତେବେଳ ପର୍ଯ୍ୟନ୍ତ ପରମାତ୍ମାଙ୍କ ସହିତ ପ୍ରେମ କରେ ନାହିଁ ସେ ପରାମାତ୍ମାଙ୍କୁ ଅନୁଭବ କରିପାରିବ ନାହିଁ। ଅହେତୁକ ଭକ୍ତି ହିଁ ଭକ୍ତକୁ ଭଗବାନଙ୍କ ନିକଟକୁ ନେଇଯାଏ। ଭଗବାନଙ୍କର ନାମ ଓ ସେ ଅଭେଦ। ତାଙ୍କ ନାମ ଅହରହ କହିଲେ ଓ ଚିନ୍ତା କଲେ ତାଙ୍କ ସହିତ ଜୀବର ନିତ୍ୟ ଯୁକ୍ତ ସମ୍ବନ୍ଧ ସ୍ଥାପିତ ହୁଏ।

ବଙ୍ଗଳାର ନବଦ୍ୱୀପ ଓ ଉତ୍ତରପ୍ରଦେଶର ବୃନ୍ଦାବନରେ ଚୈତନ୍ୟଙ୍କର ପୂର୍ବରୁ ହରିନାମ ସଂକୀର୍ତ୍ତନ ଓ ସେଥିସହିତ ମୃଦଙ୍ଗ ଝାଞ୍ଜ ଓ ଗିନିର ପ୍ରଚଳନ ଥିବାର କୌଣସି ପ୍ରମାଣ ନାହିଁ। ମାତ୍ର ଓଡ଼ିଶାରେ ଚୈତନ୍ୟଙ୍କର ବହୁପୂର୍ବରୁ ନାମ ସଂକୀର୍ତ୍ତନର ପରମ୍ପରା ପ୍ରଚଳିତ ଥିଲା ବୋଲି ‘ମାଧବ ପଟ୍ଟନାୟକ’ଙ୍କ ରଚିତ ‘ବୈଷ୍ଣବ ଲୀଳାମୃତ’ କାବ୍ୟରୁ ପ୍ରତିପନ୍ନ ହୁଏ। ‘ରାସ’ ଅର୍ଥାତ୍‌‌ ‘ରାହାସ’ର ନାମ ନୃତ୍ୟ ଓ ସଂକୀର୍ତ୍ତନ। ଶ୍ରୀମନ୍ଦିରରେ ପ୍ରଚଳିତ ନାମ ସଂକୀର୍ତ୍ତନର ପରମ୍ପରା, ଅର୍ଥାତ୍‌‌ ନାଚୁଣି ମାହାରୀମାନଙ୍କର ନୃତ୍ୟ ସହିତ ଗୀତଗୋବିନ୍ଦ ଗାନ ଓ ନୃତ୍ୟ ନିବିଡ଼ ଭାବେ ସଂଶ୍ଳିଷ୍ଟ ଥିଲା। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବଦାସୀ ନୃତ୍ୟ ଓ ସଙ୍ଗୀତ ଗଙ୍ଗବଂଶ ସମ୍ରାଟମାନଙ୍କ କାଳରୁ ଅନୁଷ୍ଠିତ ହୋଇଆସୁଥିଲା। ସେମାନେ ଅନ୍ୟ ନୃତ୍ୟ କରୁଥିଲେ ଓ ଅନ୍ୟ ସଙ୍ଗୀତ ଗାନ କରୁଥିଲେ। ସେଥିପାଇଁ ନାଚୁଣୀମାନଙ୍କୁ ଗୀତଗୋବିନ୍ଦର ଗାନ ଓ ନୃତ୍ୟ ଶିକ୍ଷା ଦେବା ପାଇଁ ଚାରିଜଣ ବୈଷ୍ଣବଙ୍କୁ ମନ୍ଦିର ତରଫରୁ ନିଯୁକ୍ତ କରାଯାଉଥିଲା। ରାୟ ରାମାନନ୍ଦଙ୍କ ପ୍ରେରଣା ଓ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଏହି ନୃତ୍ୟ ଜଗନ୍ନାଥ ମନ୍ଦିରରେ ପ୍ରବର୍ତ୍ତିତ ହୋଇଥିଲା ବୋଲି ଶ୍ରୀମନ୍ଦିରରେ ଥିବା ଗଜପତି ପ୍ରତାପରୁଦ୍ର ଦେବଙ୍କ ଶିଳାଲେଖରୁ ସ୍ପଷ୍ଟ। ଏହା ମାଧବ ପଟ୍ଟନାୟକଙ୍କ ରଚିତ ‘ବୈଷ୍ଣବ ଲୀଳାମୃତ’ରେ ମଧ୍ୟ ଦେଖିବାକୁ ମିଳେ।

ଏଥିସହିତ ପଢ଼ନ୍ତୁ

ଷୋଡ଼ଶ ଶତାବ୍ଦୀ ପୂର୍ବରୁ କେବଳ ବ୍ରାହ୍ମଣମାନଙ୍କୁ ଗୁରୁ କରି ଶାସ୍ତ୍ର ଶିକ୍ଷା କରିବା ଥିଲା ଏକ ଧାରାବାହିକ ପରମ୍ପରା। କିନ୍ତୁ ପଞ୍ଚସଖା, ଶ୍ରୀଚୈତନ୍ୟ, ରାୟ ରାମାନନ୍ଦ ପ୍ରମୁଖ ବୈଷ୍ଣବମାନେ ଶୁଦ୍ରମାନଙ୍କଠାରୁ ଦୀକ୍ଷା ନେଇ ଜାତିପ୍ରଥା ବିରୋଧରେ ବିପ୍ଳବ ଘୋଷଣା କରିଥିଲେ। ପଞ୍ଚସଖାଙ୍କର ଦ୍ୱାରା ପ୍ରଚାରିତ ଜ୍ଞାନମିଶ୍ରା ଭକ୍ତି ଧର୍ମକୁ ସାର୍ବଜନୀନ କରିବା ପାଇଁ ସମାଜର ପ୍ରଚଳିତ ଭାଷାରେ ଧର୍ମ ପୁସ୍ତକ ରଚନା କରିବା, ମନ୍ଦିରରେ ପ୍ରବେଶ କରିବା, କୀର୍ତ୍ତନ ଯଜ୍ଞ ପ୍ରବଚନରେ ଯୋଗଦେବା – ଏସବୁ ଏମାନେ ପ୍ରଚଳନ କରାଇଥିଲେ। କୁବୁଦ୍ଧି ଛାଡ଼ି ଜାତିଭେଦ ନରଖି ଶ୍ରବଣ କୀର୍ତ୍ତନ କଲେ କୃଷ୍ଣ ପ୍ରେମଧନ ସମସ୍ତେ ପ୍ରାପ୍ତ ହୋଇପାରିବେ। କୃଷ୍ଣ ଭଜନରେ ଜାତି କୁଳାଦି ବିଚାର ଏମାନେ ରଖିନଥିଲେ। ସେମାନେ ଘୋଷଣା କରିଥିଲେ ଯେ ନୀଚ ଜାତି ପ୍ରଭୁ ଭଜନର ଅଯୋଗ୍ୟ ନୁହନ୍ତି। କୁଳୀନ ପଣ୍ଡିତ ଓ ଧନୀମାନଙ୍କର ବଡ଼ ଅଭିମାନକୁ ଭଗବାନ ଭଲ ପାଆନ୍ତି ନାହିଁ, ବରଂ ଦୀନମାନଙ୍କ ଉପରେ ଅଧିକ ଦୟା କରନ୍ତି।

ଡ. ଅଜିତ କୁମାର ତ୍ରିପାଠୀ
ଭୁବନେଶ୍ୱର, ମୋ: ୯୯୩୭୮୪୪୩୪୭

Leave A Reply

Your email address will not be published.