ଭାରତୀୟ ବୈଦ୍ୟୁତିକ ଯାନ ବଜାର ଓ ଏଲନ୍ ମସ୍କ
ମୋଟର ଯାନ ନିର୍ମାଣ ଓ ଅକ୍ଷୟ ଶକ୍ତି ଉତ୍ପାଦନ କରୁଥିବା ଆମେରିକୀୟ ବହୁରାଷ୍ଣ୍ରୀୟ କମ୍ପାନୀ ‘ଟେସ୍ଲା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍ ମସ୍କଙ୍କ ଗତ ଏପ୍ରିଲ ୨୧-୨୨ରେ ପ୍ରସ୍ତାବିତ ଭାରତ ପରିଭ୍ରମଣ କାର୍ଯ୍ୟକ୍ରମ ସ୍ଥଗିତ ହେବା ଏବଂ ସେ ସେହିସମୟରେ ଚୀନ୍ ଗସ୍ତ କରିବାକୁ ନେଇ ବିଶ୍ୱସ୍ତରରେ ଅନେକ ଆଲୋଚନା ଓ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଅବଶ୍ୟ ସ୍ପଷ୍ଟକୀରଣରେ ଏଲନ୍ ମସ୍କ କହିଥିଲେ ଯେ ଟେସ୍ଲାରେ ଥିବା ଅତ୍ୟନ୍ତ ଜରୁରୀ କାର୍ଯ୍ୟକ୍ରମ ଯୋଗୁଁ ସେ ତାଙ୍କର ଭାରତ ଯାତ୍ରା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ। ଏହାପରେ ମସ୍କ କ୍ରମଶଃ ଚୀନ୍ ମୁହାଁ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଭାରତ ପାଇଁ ଏଲସ୍ ମସ୍କ ଯେତିକି ଆବଶ୍ୟକ ଟେସ୍ଲା ପାଇଁ ଭାରତୀୟ ବଜାର ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତର ଅତ୍ୟାବଶ୍ୟକ ଅକ୍ଷୟ ଶକ୍ତି ଓ ତତ୍ସମ୍ବନ୍ଧୀୟ ଆନୁଷଙ୍ଗିକ ଉପକରଣ, ବୈଦ୍ୟୁତିକ ଯାନ, ଘରୁ ଆରମ୍ଭ କରି ଗ୍ରୀଡ୍ ପର୍ଯ୍ୟନ୍ତ ସ୍ଥିର ବ୍ୟାଟେରୀ ଶକ୍ତି ଭଣ୍ଡାରଣ ଉପକରଣ ନିର୍ମାଣ, ଉତ୍ପାଦନ ଓ ବିକ୍ରି କ୍ଷେତ୍ରରେ ଟେସ୍ଲା ସମ୍ପ୍ରତି ବିଶ୍ୱ ନେତୃତ୍ୱ ନେଉଥିବା ବେଳେ ଭାରତଠାରୁ ବଡ଼ ବଜାର ତା’ ପାଇଁ ଆଉ ବିଶ୍ୱରେ ମିଳିବ ନାହିଁ। ‘ଟେସ୍ଲା’ ଯେଉଁଠାରେ ବି ନିଜର ଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରିଛି, ସେଠାରେ ସେ ଏକ ସୁଦୃଢ଼ ବୈଦ୍ୟୁତିକ ଯାନ ଇକୋ-ସିଷ୍ଟମ୍ର ସ୍ଥାପନା କରିଛି। ଏ କ୍ଷେତ୍ରରେ ଚୀନ ଉତ୍କୃଷ୍ଟତମ ଉଦାହରଣ। ଭାରତ ଚାହୁଁଛି ଟେସ୍ଲା ଚୀନର ଏଭଳି ଅନନ୍ୟ ଉଦାହରଣକୁ ଭାରତରେ ମଧ୍ୟ ଦୋହରାଉ।
୨୦୨୩ ମସିହାରେ ଭାରତରେ ବିକ୍ରି ହୋଇଥିବା ବୈଦ୍ୟୁତିକ ମୋଟର ଗାଡ଼ିର ସଂଖ୍ୟା ୯୦ ହଜାର ଥିଲା, ଯାହାକି ମୋଟ ମୋଟର ଗାଡ଼ି ସଂଖ୍ୟାର ୨.୨ ପ୍ରତିଶତ। ବିଶ୍ୱସ୍ତରରେ ବୈଦ୍ୟୁତିକ ଗାଡ଼ି ସଂଖ୍ୟା ମୋଟ ମୋଟର ଗାଡ଼ି ବିକ୍ରି ସଂଖ୍ୟାର ୧୧.୧ ପ୍ରତିଶତ। ଯେଉଁଠାରେ ସୁଯୋଗ ଥାଏ ଏଲନ୍ ମସ୍କ ସେଠାରେ ନିଜ ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ବିପୁଳ ପୁଞ୍ଜି ଲଗାଣ କରିଥା’ନ୍ତି। ଏଲନ୍ ମସ୍କଙ୍କ ତିନୋଟି ମହତ୍ୱପୂର୍ଣ୍ଣ ପରିଯୋଜନା ହେଲା- ଭାରତ ଏବେ ସମଗ୍ର ବିଶ୍ୱର ସର୍ବବୃହତ ଜନବହୁଳ ରାଷ୍ଟ୍ରର ବିରଳ ମର୍ଯ୍ୟାଦା ଲାଭ କରିଥିବାରୁ ଭାରତୀୟମାନେ ନିଶ୍ଚିତ ରୂପେ ଟେସ୍ଲା ବୈଦ୍ୟୁତିକ ଯାନର ଅଧିକାରୀ ହେବା ଏକାନ୍ତ ଆବଶ୍ୟକ। ସୌର ପ୍ୟାନେଲ ବ୍ୟାଟେରୀ ଷ୍ଟୋରେଜ ସହ ଯୁକ୍ତ ହୋଇ ଗ୍ରାମୀଣ ଭାରତବର୍ଷ ଆଲୋକିତ ହେବାର ବିପୁଳ ସମ୍ଭାବନା ଅଛି। ତୃତୀୟତଃ, ସାଟେଲାଇଟ୍ ଇଣ୍ଟରନେଟ୍ ଜ୍ୟୋତିପୁଞ୍ଜ ‘ଷ୍ଟାରଲିଙ୍କ’ ଭାରତବର୍ଷର ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ବ୍ରଡ୍ବ୍ୟାଣ୍ଡ ସେବା ଯୋଗାଇପାରିବ।
ଭାରତୀୟ ଉପଭୋକ୍ତାଙ୍କୁ ସୁହାଇବା ପରି ଟେସ୍ଲା ମଧ୍ୟ ମଡେଲ ୩/ୱାଇ ତୁଳନାରେ ବୈଦ୍ୟୁତିକ ଯାନ ମୂଲ୍ୟରେ ୫୦ ପ୍ରତିଶତ ହ୍ରାସ କରି ନୂଆ ମୋଟର ଗାଡ଼ିର ନିର୍ମାଣ କରୁଥିବାର ଘୋଷଣା କରିଛି। ଏଲନ୍ ମସ୍କ ଭାରତମୁଖୀ ହେଲେ ମେକ୍-ଇନ୍-ଇଣ୍ଡିଆ ଅଭିଯାନ ଅଧିକ ଫଳପ୍ରଦ ହେବ ବୋଲି ଭାରତ ସରକାର ଆଶାବାଦୀ। ତେଣୁ ଗତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହେବା ପୂର୍ବରୁ କେନ୍ଦ୍ର ସରକାର ଶେଷ କାର୍ଯ୍ୟ ଦିବସରେ ଇ-ଭେହିକିଲ୍ ନୀତି ଘୋଷଣା କରିଥିଲେ। କେନ୍ଦ୍ର ସରକାର ମଧ୍ୟ ଦୀର୍ଘଦିନ ଧରି ପଡ଼ିରହିଥିବା ଏଲନ୍ ମସ୍କଙ୍କ ଅନୁରୋଧକୁ ବିଚାରକୁ ନେଇ ବୈଦ୍ୟୁତିକ ମୋଟର ଗାଡ଼ିର ଆମଦାନୀକୁ ଅନୁମତି ଦେଇଥିଲେ।
ସାଧାରଣତଃ ‘ଟେସ୍ଲା’ ପର୍ଯ୍ୟାୟକ୍ରମେ ତା’ର ଉତ୍ପାଦନ କ୍ଷମତାରେ ଅଭିବୃଦ୍ଧି ଆଣିଥାଏ ଏବଂ ଆଞ୍ଚଳିକ ଉତ୍ପାଦନ ମଧ୍ୟ ତାହା ସହ ତାଳ ଦେଇ ଚାଲିଥାଏ। ଏଲନ୍ ମସ୍କ ଠିକ୍ ଏଭଳି ପଦକ୍ଷେପ ଚୀନ ଓ ଜାପାନରେ ଗ୍ରହଣ କରିଛନ୍ତି। ସେହି ରାଷ୍ଟ୍ରମାନଙ୍କରେ ଟେସ୍ଲା ନିଜ ଦେଶରୁ ଆମଦାନୀ କରି ମୋଟରଗାଡ଼ି ବିକ୍ରି ଆରମ୍ଭ କରି ପରବର୍ତ୍ତୀ ସମୟରେ ସେଲ୍ସ, ସର୍ଭିସ୍ ସେଣ୍ଟର ଓ ଚାର୍ଜର୍ସ ସେଣ୍ଟର ମାଧ୍ୟମରେ ପ୍ରମୁଖ ବଜାର ବ୍ୟବସ୍ଥାର ବୀଜ ରୋପଣ କଲେ। ଏଭଳି ବଜାର ରଣନୀତି ତାଙ୍କୁ ଚାହିଦାର ଏକ ଅପୂର୍ବ ଦୃଶ୍ୟପଟ ପ୍ରଦାନ କଲା ଏବଂ ଏଥିରୁ ଉପଲବ୍ଧ ହେଉଥିବା ଲାଭାଂଶ ଆଞ୍ଚଳିକ କାରଖାନାମାନଙ୍କୁ ଆଂଶିକ ଭାବେ ପ୍ରଦାନ କରାଗଲା। ବୈଦ୍ୟୁତିକ ମୋଟରଗାଡ଼ିଗୁଡ଼ିକର ପରିବହନ ଦକ୍ଷତା ବୃଦ୍ଧି ପାଇଁ ମସ୍କ ଆଞ୍ଚଳିକ କାରଖାନାମାନ ନିର୍ମାଣ କଲେ। ଚୀନ ଶତପ୍ରତିଶତ ସିଧାସଳଖ ବିଦେଶୀ ପୁଞ୍ଜିଲଗାଣକୁ ଅନୁମତି ଦେଲା ପରେ ଏଲନ୍ ମସ୍କ ୨ ବିଲିୟନ ଡଲାରର ଏକ କାରଖାନା ପ୍ରତିଷ୍ଠା ପାଇଁ ରାଜି ହେଲେ। ଜର୍ମାନୀରେ ମଧ୍ୟ ୪ ବିଲିୟନ ୟୁରୋ କାରଖାନାର ଘୋଷଣାନାମା ଟେସ୍ଲା ପକ୍ଷରୁ ଜାରି ହେଲା। ସେହିପରି ବ୍ୟାଟେରୀ ସେଲ୍ଫ, ଇଲେକ୍ଟ୍ରୋନିକ୍ସ ଓ ମୁଖ୍ୟ ଯନ୍ତ୍ରାଂଶ, କଞ୍ଚାମାଲ୍ ଆଦି ପାଇଁ ଦୀର୍ଘମିଆଦୀ ଯୋଗାଣ ଲାଗି ଟେସ୍ଲା ଆଞ୍ଚଳିକ କମ୍ପାନୀମାନଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଛି, ଯାହା ଭାରତ କ୍ଷେତ୍ରରେ ମଧ୍ୟ ବହୁଉପଯୋଗୀ ସାବ୍ୟସ୍ତ ହେବ।
ଗତ ୫ ବର୍ଷ ମଧ୍ୟରେ ଟେସ୍ଲା ସମଗ୍ର ବିଶ୍ୱରେ ପ୍ରାୟ ୬୦୦୦ ଚାର୍ଜିଂ ଷ୍ଟେସନ୍ରେ ୫୫ ହଜାର ସୁପରଚାର୍ଜର ସ୍ଥାପନା କରିଛି, ଯାହାର ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (ସି.ଏ.ଜି.ଆର) ୩୬ ପ୍ରତିଶତ। ଚାର୍ଜିଂ ଷ୍ଟେସନ୍ଗୁଡ଼ିକର ହାରାହାରି ଅପ୍ଟାଇମ୍ ବା ବ୍ୟବହାର ସମୟ ୯୯.୯ ପ୍ରତିଶତରୁ ଅଧିକ। ଟେସ୍ଲା ତା’ର ସୁପର ଚାର୍ଜର୍ସଗୁଡ଼ିକୁ ସୋଲାର ପ୍ୟାନେଲ୍ ଓ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ସ ସହ ପାଖକୁ ପାଖ ସଂସ୍ଥାପନ କରି ରଖିବାକୁ ଚେଷ୍ଟା କରୁଛି, ଯଦ୍ୱାରା ପୁଞ୍ଜି ବ୍ୟୟ ହ୍ରାସ ପାଇବା ସହ ଅଣପାରମ୍ପରିକ ଶକ୍ତି ଉତ୍ସର ମଧ୍ୟ ବିନିଯୋଗ ହୋଇପାରିବ। ସୁପରଚାର୍ଜର୍ସ ଷ୍ଟେସନ୍ଗୁଡ଼ିକ ପ୍ରାୟତଃ ସୁଗମନାଗମନ ହେଉଥିବା ରାସ୍ତା କଡ଼ରେ, ଜନଗହଳିପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ଏବଂ ଏହାର ଚତୁର୍ଦ୍ଦିଗରେ ସ୍ଥାପିତ ହୋଇଥାଏ। ଟେସ୍ଲାର ବୈଦ୍ୟୁତିକ ଯାନଗୁଡ଼ିକ ଥରେ ଚାର୍ଜ କଲେ ଏହାର ବ୍ୟାଟେରି ୫୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରେ। ତେଣୁ ଭାରତୀୟ ରାଜପଥମାନଙ୍କରେ ମାତ୍ର ଅଳ୍ପ କେତେକ ସୁପର ଚାର୍ଜର୍ସ ସ୍ଥାପନା କରାଗଲେ ଭାରତୀୟମାନଙ୍କ ମନ ମଧ୍ୟରେ ଚାର୍ଜିଂକୁ ନେଇ ବସାବାନ୍ଧି ରହିଥିବା ଉଦ୍ବେଗ ଦୂରୀଭୂତ ହୋଇଯିବ। ଟେସ୍ଲାର ‘ବ୍ରାଣ୍ଡ’ ଇମେଜ୍କୁ ଆଖି ଆଗରେ ରଖିଲେ ମଡେଲ-ୱାଇ ସ୍ପୋର୍ଟ୍ସ ୟୁଟିଲିଟି ଭେହିକିଲ ୫୫ ଲକ୍ଷ ଟଙ୍କାର ହୋଇଥିଲେ ମଧ୍ୟ ଭାରତୀୟଙ୍କ ମଧ୍ୟରେ ବିଶେଷ ଆଦୃତ ହୋଇପାରିବ। କାରଣ ବିଦେଶରୁ ଆମଦାନୀ ହୋଇଥିବା ମୋଟରଗାଡ଼ି ମଡେଲ ପାଇଁ ଭାରତୀୟମାନେ ମାତ୍ରାଧିକ ଆଗ୍ରହୀ ହେଉଥିବା ପରିଲକ୍ଷିତ ହୁଏ।
ବୈଦ୍ୟୁତିକ ଯାନ ନିର୍ମାଣ ଓ ବିକ୍ରି୍ କ୍ଷେତ୍ରରେ ଟେସ୍ଲାର ଉପସ୍ଥିତି ଉଭୟ ଚୀନ ଓ ଜର୍ମାନୀ ଅଟୋନିର୍ମାତାମାନଙ୍କୁ ଅଣୁଘଟକ ସଦୃଶ ଉଦ୍ବୁଦ୍ଧ କରିଛି ବୋଲି କୁହାଯାଉଛି। ଯଦିଓ ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ସଂଗ୍ରାମ ଓ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ। ଏପରିକି ବୈଦ୍ୟୁତିକ ଯାନ ଶିଳ୍ପରେ ପ୍ରବେଶ କରିବା ପାଇଁ ସେମାନେ ମଧ୍ୟ ଅତ୍ୟନ୍ତ ଦ୍ୱନ୍ଦ୍ୱରେ ଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଏହି ଦ୍ୱନ୍ଦ୍ୱ ଓ ସଂଶୟରୁ ମୁକୁଳି ଏହି ଶିଳ୍ପରେ ଅଗ୍ରଗତି କରିଥିଲେ, ଯେତେବେଳେ ସେମାନଙ୍କ ସହିତ ଟେସ୍ଲା ସହଯୋଗୀ ଅଂଶୀଦାର ହେଲା।
ଟେସ୍ଲା ପାଇଁ ଭାରତ ହେଉଛି ଏକ ମଲ୍ଟିବିଲିୟନ ଡଲାରର ବଜାର। ଏଲନ୍ ମସ୍କଙ୍କର ମଧ୍ୟ ଭାରତକୁ ନେଇ ଏକ ଅତ୍ୟନ୍ତ ଅନୁକୂଳ ଦୃଷ୍ଟିଭଙ୍ଗୀ ରହିଛି। ତାହାର କାରଣ ହେଉଛି ଆମେରିକାରେ ଥିବା ଟେସ୍ଲା କମ୍ପାନୀର ପରିଚାଳକସ୍ତରୀୟ କର୍ମକର୍ତ୍ତାଙ୍କ ମଧ୍ୟରୁ ଅଧିକାଂଶ ଭାରତରେ ଜନ୍ମିତ। ଏଲନ୍ ମସ୍କ ଚାହାନ୍ତି ଯେ ଭାରତ ଇଲେକ୍ଟ୍ରିକ୍ ମୋଟରଗାଡ଼ି ଏବଂ ଏହାର ବିଭିନ୍ନ ଯନ୍ତ୍ରପାତିର ପ୍ରମୁଖ ଉତ୍ପାଦନକାରୀ ରାଷ୍ଟ୍ର ହୋଇ ବିଶ୍ୱ ବୁକୁରେ ସଗର୍ବେ ଦଣ୍ଡାୟମାନ ହେଉ। ଏହାର ପ୍ରଧାନ ଉଦାହରଣ ହେଲା ଟାଟା ଇଲେକ୍ଟ୍ରୋନିକ୍ସଠାରୁ ସେମିକଣ୍ଡକ୍ଟର ଚିପ୍ସ ଉପଲବ୍ଧ କରିବା ପାଇଁ ଟେସ୍ଲା ଦ୍ୱାରା ହୋଇଥିବା ନିକଟ ଅତୀତର ବ୍ୟାବସାୟିକ ରଣନୈତିକ ବୁଝାମଣା। ଏହି ଚିପ୍ସକୁ ଟେସ୍ଲା ତା’ର ଗ୍ଲୋବାଲ ଅପରେସନ୍ ପାଇଁ ବ୍ୟବହାର କରିବ। ଭାରତ ସମ୍ପ୍ରତି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ରାଷ୍ଟ୍ର ଭାବେ ଇଲେକ୍ଟ୍ରିିକ୍ ମୋଟରଗାଡ଼ିର ସର୍ବୋତ୍ତମ ବଜାର ବୋଲି ପରିଗଣିତ ହେଉଥିବାରୁ ଟେସ୍ଲା ଭାରତବର୍ଷରେ ଇଲେକ୍ଟ୍ରିକ୍ ମୋଟରଗାଡ଼ି ଉତ୍ପାଦନ କରିବା ପାଇଁ ପ୍ରାୟ ୨-୩ ବିଲିୟନ ଡଲାରର ଅର୍ଥରାଶି ବିନିଯୋଗ କରିବ ବୋଲି ଯୋଜନା କରିଛି। ଭାରତ ହୁଏତ ସେହି ରାଷ୍ଟ୍ର ହୋଇପାରେ ଯେଉଁ ରାଷ୍ଟ୍ରରେ ଏଲନ୍ ମସ୍କ ସାମର୍ଥ୍ୟ ବା ବହନଯୋଗ୍ୟ ମୋଟରଗାଡ଼ିକୁ ପରୀକ୍ଷା ନିରୀକ୍ଷା ଓ ନିର୍ମାଣ ମଧ୍ୟ କରିପାରିବେ। ଏହା ସମ୍ଭବ ହେଲେ ଭାରତ ନୂଆକରି ଆବିର୍ଭାବ ହେଉଥିବା ବଜାର ବ୍ୟବସ୍ଥାର ଚାହିଦାକୁ ମେଣ୍ଟାଇ ପାରିବ ଏବଂ ତା’ସହ ଟେସ୍ଲାର କିଛି ସଫ୍ଟୱେୟାର ମଧ୍ୟ ଭାରତରେ ପ୍ରସ୍ତୁତ କରାଯାଇପାରିବ।
ଅତଏବ ଏଲନ୍ ମସ୍କ ତାଙ୍କର ଭାରତ ଭ୍ରମଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ଦୁଇଟି ମୌଳିକ ଲକ୍ଷ୍ୟକୁ ଆଦୌ ପରିବର୍ତ୍ତନ କରିବାର ଆଶଙ୍କା ନାହିଁ। ଗୋଟିଏ ହେଲା ଭାରତୀୟମାନେ ବୈଦ୍ୟୁତିକ ଯାନକୁ ସାଦରେ ଗ୍ରହଣ କରିନେବାରେ ଟେସ୍ଲାର ସହାୟତା ଅନନ୍ୟ ସାଧାରଣ ଭାବେ ସାବ୍ୟସ୍ତ ହେବ। ଦ୍ୱିତୀୟତଃ ଟେସ୍ଲାର ସାମର୍ଥ୍ୟ ବା ବହନଯୋଗ୍ୟ ମୋଟର ଗାଡି଼କୁ ପରୀକ୍ଷା ନିରୀକ୍ଷା ଓ ନିର୍ମାଣ କରିବାରେ ଭାରତୀୟ ବଜାର ସର୍ବୋତ୍କୃଷ୍ଟ ସାବ୍ୟସ୍ତ ହେବ।
ଡକ୍ଟର ଚିତ୍ତରଞ୍ଜନ ମିଶ୍ର
ଭୁବନେଶ୍ୱର, ମୋ: ୯୩୩୮୨୦୪୯୯୩