ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିଛି ସ୍ୱାଭିମାନ ଅଞ୍ଚଳର ସ୍ଥିତି; ନୀଳଜହର ଚାଷ ଛାଡି ପନିପରିବା, ହଳଦୀ ଭଳି ଅନେକ ଅର୍ଥକରୀ ଚାଷକୁ ଗୁରୁତ୍ୱ ଦେଉଛନ୍ତି ଲୋକେ

ମାଲକାନଗିରି(ଅଶୋକ ମିଶ୍ର): ପୂର୍ବରୁ ମୁଖ୍ୟତଃ ଲାଲ ଇଲାକାରେ ନୀଳ ଜହର (ଗଞ୍ଜେଇ) ଚାଷକୁ ଗୁରୁତ୍ୱ ଦେଇ ଚାଷ କରାଯାଉଥିଲା, ଏହି ଅଞ୍ଚଳରେ ପ୍ରାୟ ସମସ୍ତେ ଗଞ୍ଜେଇ ଚାଷ କରନ୍ତି ଓ ଏହା ମାଧ୍ୟମରେ ନିଜର ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ସ୍ଥିତି ବଦଳିବା ସହ ସମୟ ସୁଅରେ ସ୍ୱାଭିମାନ ଅଞ୍ଚଳରେ ନୀଳ ଜହର ଚାଷ ବଦଳରେ ପନିପରିବା ଠାରୁ ଆରମ୍ଭ କରି ଅର୍ଥକରୀ କଦଳୀ, ହଳଦୀ ଭଳି ଅନେକ ଚାଷକୁ ଗୁରୁତ୍ୱ ଦେଇଛନ୍ତି ଲୋକେ।

ଏକଦା ମାଓ ଗଡ଼ ଓ ଜଳ ବନ୍ଦୀ ମଧ୍ୟରେ ଗଞ୍ଜେଇ ଚାଷର ଭଣ୍ଡାର ଏବଂ ଅପହଞ୍ଚ ଇଲାକାର ପରିଚୟ ପାଇ ରହି ଆସୁଥିବା ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳରେ ରାଜ୍ୟ ସରକାର ନିଜର ଡ୍ରିମ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁକୁ ସଫଳତାର ସହ ଶେଷ କରିବା ପରେ ସେହି ଅଞ୍ଚଳକୁ ସ୍ୱାଭିମାନ ଅଞ୍ଚଳରେ ନାମକରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ସହ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବିକାଶ ଧାରାରେ ଯୋଡି ହେଉଥିବା ସ୍ୱାଭିମାନ ଅଞ୍ଚଳରେ ସମୟ କ୍ରମେ ଲୋକେ ଗଞ୍ଜେଇ ଚାଷ ଅପେକ୍ଷା ହଳଦୀ ଚାଷ ମୁହାଁ ହୋଇଥିଲେ। ଯାହା ଫଳରେ ଅଞ୍ଚଳର ଲୋକେ ସ୍ୱାଭିମାନର ସହ ବଞ୍ଚିବା ଶିଖିଥିଲେ।

ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ସଦା ସର୍ବଦା ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବିକାଶ ଧାରାରେ ଯୋଡି ହେଉଥିବା ସ୍ୱାଭିମାନ ଅଞ୍ଚଳରେ ବାର୍ଷିକ ୫୦ ଟନରୁ ଊର୍ଦ୍ଧ୍ବ ହଳଦୀ ଅମଳ ହେଉଥିବା ସୂଚନା ମିଳିଛି। ଏହି ହଳଦୀକୁ ବିଶ୍ୱସ୍ତରରେ ପହଁଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେବେ ହଳଦୀ ଚାଷ ପରେ ଅଞ୍ଚଳରେ ମହିଳା ଓ ପୁରୁଷମାନେ ବେସ ସ୍ୱାବଲମ୍ୱୀ ହୋଇ ପଡୁଥିବା ବେଳେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ଛୋଟ ଛୋଟ ମିଲ ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ପ୍ରାୟ ୫ଟି ବଡ ୟୁନିଟ୍‌‌ କରାଯାଇ କିଭଳି ଭାବେ ଚିତ୍ରକୋଣ୍ଡାର ହଳଦୀକୁ ବିଶ୍ୱ ବଜାରରେ ବିକ୍ରି କରାଯିବ ସେ ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ପ୍ରାୟ ୫ କୋଟି ଟଙ୍କାର ହଳଦୀ ପ୍ରକଳ୍ପ ହେବାକୁ ଥିବା ବେଳେ ୧୦ କୋଟି ଟଙ୍କା ବ୍ୟୟରେ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ କରାଯିବା ପଇଁ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ହଳଦୀ ଚାଷ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଆଗାମୀ ଦିନରେ ସ୍ୱତନ୍ତ୍ର ହାଇବ୍ରିଡ୍‌‌ ହଳଦୀ ମଞ୍ଜି ଦେବା ସହ ସମସ୍ତଙ୍କୁ ଚାଷୀଙ୍କୁ ସେତୁ ଯୋଜନାରେ ତାଲିମ ଦିଆଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କନ୍ଧମାଳ ଅପେକ୍ଷା ମାଲକାନଗିରି ଜିଲ୍ଲାର ଏହି ହଳଦୀ ଆହୁରି ଉନ୍ନତମାନର ହୋଇଥିବାରୁ ସ୍ୱତନ୍ତ୍ର ପ୍ୟାକିଙ୍ଗ ୟୁନିଟ୍‌‌ ସହ ଜଳସେଚନ ଓ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ଦିଗରେ ସରକାର ପଦକ୍ଷେପ ନେଉଥିବା ବେଳେ ଆଗାମୀ ଦିନରେ ଏହି ହଳଦୀ ବିଶ୍ୱ ଦରବାରରେ ସ୍ଥାନ ପାଇବା ବୋଲି ଆଶା ବାନ୍ଧିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ବର୍ତ୍ତମାନ ଅନେକ ମହିଳା ଏହି ହଳଦୀ ଚାଷ କରୁଥିବା ବେଳେ କିଛି ମହିଳା ଏହାକୁ ବିଭିନ୍ନ ବଜାରରେ ବିକ୍ରୟ କରି ବେଶ ଦୁଇପଇସା ରୋଜଗାର କରୁଛନ୍ତି। ଏହି କ୍ରମରେ ଚିତ୍ରୋକୋଣ୍ଡା ବ୍ଲକର ମା ତାରିଣୀ ଏସଏଚଜି ଗୋଷ୍ଟିର ସଦସ୍ୟା ମାନେ ଜୈବିକ ହଳଦୀକୁ ପ୍ରକ୍ରିୟାକରଣ କରି ହଳଦୀ ପାଉଡରକୁ ସୁନ୍ଦର ରୂପେ ପ୍ୟାକେଜିଂ କରିବା ସହ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ୱାଭିମାନ ଅଞ୍ଚଳରେ ଥିବା ବିଭିନ୍ନ ବିଏସଏଫ କ୍ୟାମ୍ପକୁ ବିକ୍ରୟ କରି ମହିଳାମାନେ ଆର୍ଥିକ ଲାଭ ପାଇବା ସହ ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ବିଭିନ୍ନ ବଜାରରେ ବିକ୍ରି ନିମନ୍ତେ ପ୍ରେରଣା ପାଇଛନ୍ତି। ଅଞ୍ଚଳରେ ହଳଦୀ ଚାଷ ମଧ୍ୟ ଲୋକଙ୍କ ପାଇଁ ବେଶ ଲାଭଦାୟକ ହୋଇଥିବାରୁ ବଡପଡ଼ା, ଯାନବାଇ, ରାଲେଗଡ଼ା, ସାରକୁବନ୍ଦ ଭଳି ଅନେକ ଗ୍ରାମରେ ଲୋକେ ବର୍ତ୍ତମାନ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ନେଇଥିବା ବେଳେ ହଳଦୀ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ମଧ୍ୟ ଚାଷ କରୁଛନ୍ତି।

Leave A Reply

Your email address will not be published.