ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷାକୁ ନେଇ ପ୍ରଶ୍ନବାଚୀ, ଦ୍ୱନ୍ଦ୍ୱରେ ଶିକ୍ଷକ ଓ ଅଭିଭାବକ

ପ୍ରସ୍ତୁତ ହୋଇପାରୁନି ମାର୍ଗଦର୍ଶିକା

ଭୁବନେଶ୍ୱର: କରୋନା ସ୍ଥିତିରେ ସୁଧାର ଆସିବା ପରେ ଫେବୃଆରୀ ୨୮ରୁ ପ୍ରାଥମିକ ପିଲାଙ୍କ ସ୍କୁଲ ଖୋଲିଛି। ମାତ୍ର ପାଠପଢ଼଼ା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସମୟରେ କିପରି ବାର୍ଷିକ ପରୀକ୍ଷା ପରିଚାଳନା ହେବ ତାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସରକାରୀ ଏବଂ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍କୁଲଗୁଡିକରେ ପାଠପଢ଼଼ା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ପରୀକ୍ଷା ଲାଗି କ’ଣ ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ କୌଣସି କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇପାରି ନାହିଁ। ପୂର୍ବ ବର୍ଷ ପରି ପରୀକ୍ଷା ହେବ କି ନାହିଁ ସେ ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ନୂଆ ଶିକ୍ଷା ବର୍ଷରେ ଲାଗି ପିଲାଙ୍କ ନାମଲେଖା କେବେ ହେବ ଏହାର ମଧ୍ୟ କୌଣସି ସୂଚନା ନାହିଁ। ଶିକ୍ଷକଙ୍କ ମହଲରେ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ପାଇଁ ଅଭିଭାବକ ଓ ଶିକ୍ଷକ ସଂଘ ପକ୍ଷରୁ ଦାବି ହେଉଛି।

ମାର୍ଚ୍ଚରେ ପୁରୁଣା ଶିକ୍ଷା ବର୍ଷ ଶେଷ ହୋଇଥିବାବେଳେ ସାଧାରଣତଃ ନୂଆ ଶିକ୍ଷା ବର୍ଷ ଏପ୍ରିଲରୁ ଆରମ୍ଭ ହୁଏ। ନୂଆ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ହେଲେ ରାଜ୍ୟରେ ନୂଆ ଶିକ୍ଷା ବର୍ଷ କେବେ ଆରମ୍ଭ ହେବ? କେବେ ଠାରୁ ପିଲାଙ୍କ ନାମ ଲେଖା ହେବ? ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ କି ନା? ନୂଆ ଶିକ୍ଷା ନୀତି ଅନୁଯାୟୀ ଛାତ୍ରଛାତ୍ରୀ କେତେ ବର୍ହରୁ ନାମ ଲେଖାଇବେ। ଏଭଳି ଅନେକ ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଖାଲି ଛାତ୍ରଛାତ୍ରୀ କି ଅଭିଭାବକ ନୁହଁନ୍ତି, ଶିକ୍ଷକ ମାନେ ମଧ୍ୟ ଏ ବାବଦରେ ଅବଗତ ନହାନ୍ତି। ଯଦିଓ କରୋନା ପାଇଁ ବିଗତ ଦୁଇ ବର୍ଷ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପରବର୍ତ୍ତୀ ଶ୍ରେଣୀରେ ପଢ଼଼ୁଛନ୍ତି, ହେଲେ ଚଳିତ ବର୍ଷରେ ଶ୍ରେଣୀ ଉନ୍ନୀତ ପ୍ରସଙ୍ଗରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ। ପୁଣି ସାଧାରଣ ଭାବେ ଏପ୍ରିଲ୍‍ ମାସରୁ ପିଲାଙ୍କ ନାମଲେଖା ଆରମ୍ଭ ହେଉ ଥିବାବେଳେ ଏବର୍ଷ ଛାତ୍ରଛାତ୍ରୀ କେବେ ନାମ ଲେଖାଇବେ ଓ କେବେଠାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷରୁ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ ହେବ। ନୂତନ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀ ୬ରୁ ୮ ବର୍ଷ ମଧ୍ୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। ଏହା କିପରି କାର୍ଯ୍ୟକାରୀ ହେବ ତାହା ଅସ୍ପଷ୍ଟ ରହିଛି।

ସେହିପରି ପିଲାଙ୍କ ପାଠପଢ଼଼ା ମଧ୍ୟ ଶେଷ ହୋଇନି। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଫେବୃଆରୀ ୨୮ରୁ ପ୍ରାଥମିକ ପିଲାଙ୍କ ଶ୍ରେଣୀ ପାଠପଢ଼଼ା ଆରମ୍ଭ ହୋଇଛି। ଚଳିତ ବର୍ଷରେ ପିଲାଙ୍କ ପଢ଼଼ା ଶେଷ ହୋଇ ନଥିବା ବେଳେ ବିଗତ ଦୁଇ ବର୍ଷର ପଢ଼଼ା କ୍ଷତି ବ୍ରିଜ୍‍ କୋର୍ସ ଦ୍ୱାରା ଭରଣା ପାଇଁ ମଧ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ହେଲେ ଏସମସ୍ତ ପ୍ରକ୍ରିୟା କିପରି ପରିଚାଳିତ ହେବ ସେନେଇ ଶିକ୍ଷକଙ୍କ ସହିତ ମଧ୍ୟ କୌଣସି ଆଲୋଚନା ହୋଇନି। ଏ ସମ୍ପର୍କରେ ରାଜ୍ୟ ବିଇଡି ସଂଘର ସଭାପତି ସରୋଜ କୁମାର ପଣ୍ଡା କହନ୍ତି ଗଣଶିକ୍ଷା ବିଭାଗ ଏଦିଗରେ ସ୍ପଷ୍ଟତା ରଖିବା ନିତ୍ୟାନ୍ତ ଜରୁରୀ। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହିତ ଆମମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ହେବକି ନାହିଁ, ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ କି ନା, ନୂତନ ଶିକ୍ଷା ବର୍ଷ କେବେ ଠାରୁ ଆରମ୍ଭ ହେବ, ନୂତନ ନାମଲେଖା କେବେ ଠାରୁ ଆରମ୍ଭ ହେବ, ସରକାର ନୂଆ ଶିକ୍ଷାନୀତି ଲାଗୁ କଲେ ରାଜ୍ୟର ଅଙ୍ଗନବାଡି ଗୁଡିକ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ମିଶିବ, ଚଳିତ ବର୍ଷ ତାହା ଲାଗୁ ହେବକି ନାହିଁ, ଏ ସବୁରେ ସ୍ପଷ୍ଟତା ଜରୁରୀ। ଯଦିଓ ଶିକ୍ଷାଧିକାରୀ ଅଧିନିୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଫେଲ୍‍ କରାଯାଇ ପାରିବ ନାହିଁ। ହେଲେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି ହେବା ସହ ଏବର୍ଷ ପ୍ରଥମ ଶ୍ରେଣୀରେ କେତେ ବର୍ଷର ପିଲାଙ୍କୁ ନାମ ଲେଖାଯିବ ତାହାରମାର୍ଗଦର୍ଶିକା ଜାରି କରିବା ଦରକାର ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ପିଲାଙ୍କ କ୍ଷତିଗ୍ରସ୍ତ ପାଠପଢ଼଼ାକୁ ମୁଖ୍ୟ ଟ୍ରାକ୍‍କୁ ଫେରାଇ ଆଣିବା ପାଇଁ ବିଭାଗ ଗୁରୁତ୍ୱ ଦେଉଛି। ବିଗତ ଏକ ମାସ ହେଲା ମାତ୍ର ପିଲାଙ୍କ ପଢ଼଼ା ଆରମ୍ଭ ହୋଇଛି। ଠିକ୍‍ ସମୟରେ ବିଭାଗ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.