ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁନ୍ଦରଗଡ଼ରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ : ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ରାଉରକେଲା : ସୁନ୍ଦରଗଡ଼ରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ। ସ୍ବାସ୍ଥ୍ୟ, ଶିକ୍ଷା,କ୍ରୀଡା ଓ ଗମନାଗମନ କ୍ଷେତ୍ରରେ କରାଯିବ ଆହୁରି ଉନ୍ନତି। ଏଥି ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍‌। ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବା ସହ ସମସ୍ୟାର ଅନୁଧ୍ୟାନ କରିବା ସହ ଅନ୍‌ ସ୍ପଟ୍‌ ସମାଧାନ ମଧ୍ୟ କରୁଛନ୍ତି। ଆଉ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କିପରି କାମ ଶିଘ୍ର ସରିବ ତାହାର ଅନୁଧ୍ୟାନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ଏବଂ ଜନମଙ୍ଗଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗତକାଲି ପ୍ରଥମ ଦିନରେ ସୁନ୍ଦରଗଡ଼ ଜିଲ୍ଲାର ୪ ବ୍ଳକ ବୁଲି ଥିବା ୫ଟି ସଚିବ ଆଜି ଆଉ ୪ ବ୍ଳକ ବୁଲିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ୍‌‌ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ମିଶନ୍‌‌ ଶକ୍ତି ସଦସ୍ୟାମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଲୋକଙ୍କ ମତାମତ ଆଧାରରେ ପଦକ୍ଷେପ ନେବାକୁ ଏହି ଅବସରରେ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ରବିବାର ସୁନ୍ଦରଗଡ଼ ଗସ୍ତରେ ଆସି ରାଜଗାଙ୍ଗପୁର, ଟାଙ୍ଗରପାଲି, ହେମଗିର, ବାଲିଶଙ୍କରା ଓ ସୁନ୍ଦରଗଡ଼ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପାଣ୍ଡିଆନ ସକାଳେ ରାଉରକେଲା ହକି ଭିଲେଜରୁ ସଡ଼କପଥରେ ଆସି ପ୍ରଥମେ ରାଜଗାଙ୍ଗପୁର ଘୋଘର ଶିବମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ରେଲଓ୍ବେ ଓଭରବ୍ରିଜ ପରିଦର୍ଶନ କରି ଟାଙ୍ଗରପାଲି ବ୍ଲକକୁ ଆସି ବେଲସରା ଶିବମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ସେ ହେମଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ ପରିଚାଳିତ ମିଶନଶକ୍ତି କାଫେ ବୁଲି ଦେଖିବା ସହ ସେଠାରେ ଜଳଖିଆ ଖାଇ ମିଶନଶକ୍ତି ମହିଳାମାନଙ୍କୁ ପ୍ରଶଂସା କରିଥିଲେ।

ଏହାପରେ ହେମଗିରି ପଞ୍ଚାୟତ ସମିତି କଲେଜ ପରିଦର୍ଶନ କରିଥିଲେ। ଏହି ଅବସରରେ ଏଠାରେ ଆଉ ୮ମାସ ପରେ ସ୍ମାର୍ଟ କ୍ଲାସରୁମ୍‌ ଓ ଯୁକ୍ତ ତିନି ଶ୍ରେଣୀ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ପରେ ଶିବସାଗର ପୋଖରୀ ଓ ହେମଗିରି କଟା ଉନ୍ନତିକରଣ ବୁଲି ଦେଖିଥିଲେ। ସେଠାରୁ ଏକ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ବାଲିଶଙ୍କରା ବ୍ଲକ ଦେଓଭୁବନପୁର ହେଲିପ୍ୟାଡ୍‌ରେ ଓହ୍ଲାଇ କୁକୁଡାନାଳା ଜଳ ଅମଳ ପ୍ରକଳ୍ପ ଉନ୍ନତିକରଣ ବୁଲି ଦେଖିବା ସହ ତିଲେଇକାନିରେ ସ୍ଥାନୀୟ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ।

ସେଠାରୁ ପୁଣି ହେଲିକାପ୍ଟର ଯୋଗେ ସୁନ୍ଦରଗଡ଼ ସରକାରୀ କଲେଜ ପଡିଆରେ ଓହ୍ଲାଇଥିଲେ। ଏଠାରୁ ସେ ସିଧା ସମଲେଇ ମନ୍ଦିର ଦର୍ଶନରେ ଯାଇଥିଲେ। ଏହାପରେ ସଦର ବ୍ଲକ ଗୁରଲିଯୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାରିଜାତ ପାର୍କ ଜିଲା କ୍ରୀଡ଼ା ଛାତ୍ରାବାସ ଆଦି ପରିଦର୍ଶନ କରିଥିଲେ। କ୍ରୀଡା ଛାତ୍ରାବାସରେ ଖେଳାଳିମାନଙ୍କ ସହ ମଧ୍ୟାହ୍ନ ଭୋଜନ କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଏହା ପରେ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ।

ଅପରାହ୍ନରେ ସ୍ଥାନୀୟ ପ୍ରଗତି ମଣ୍ଡପରେ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ନାଗରିକ କମିଟି, ଓକିଲ ସଂଘ, ଭୂୟାଁ ମହାସଂଘ, ଜୟଜଗନ୍ନାଥ ଟ୍ରକର୍ସ ଆସୋସିଏସନ ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ପୃଥକ ପୃଥକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସଚିବଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ଆର୍‌ ଭିନିଲ କ୍ରିଷ୍ଣା, ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଏସ୍‌ପି ପ୍ରତ୍ୟୁଷ ଦିବାକର, ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ଅତିରିକ୍ତ ଜିଲାପାଳ(ରାଜସ୍ବ) ଅଭିମନ୍ୟୁ ବେହେରା,ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ ମିଶ୍ର, ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲାପରିଷଦ ସଭାପତି କୁନ୍ତି ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଅପରାହ୍ନ ସାଢ଼େ ୪ଟାରେ ସଚିବ ହେଲିକାପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।

ତେବେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲାର ସବୁ ସମସ୍ୟା ଛ ମାସ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରୁଥିବାରୁ ଫାଇଭ-ଟି ସଚିବଙ୍କୁ ପ୍ରଶଂସା କରିଛନ୍ତି ସୁନ୍ଦରଗଡ଼ବାସୀ । ଗ୍ରାଉଣ୍ଡରେ ଏଭଳି ଅନୁଧ୍ୟାନ ଦ୍ବାରା ଜିଲ୍ଲାର ବିକାଶ ଶିଖରରେ ପହଞ୍ଚିବ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.