ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ବାସ୍ଥ୍ଯ କ୍ଷେତ୍ରରେ ଆସୁଛି ବୈପ୍ଲବିକ ପରିବର୍ତ୍ତନ: ଏଣିକି ଆଉ ରୋଗୀଙ୍କ ସମ୍ପର୍କୀୟଙ୍କୁ ଛିଡା ହେବାକୁ ପଡ଼ିବନି ଧାଡ଼ିରେ, ୱାର୍ଡ଼ରେ ସଂଗ୍ରହ କରାଯିବ ରୋଗୀଙ୍କ ରକ୍ତ ନମୁନା

ଜାନୁଆରୀ ପହିଲାରୁ ଏସ୍‍ସିବିରେ ନୂଆ ନିୟମ

କଟକ: ବଦଳିବାକୁ ଯାଉଛି ଏସ୍‍ସିବି ମେଡିକାଲର ବ୍ୟବସ୍ଥା। ଯେଉଁସବୁ ଅବ୍ୟବସ୍ଥା ରହିଛି ସେଥିରେ ସୁଧାର ଆଣିବାକୁ ମେଡିକାଲ କର୍ତ୍ତୃପକ୍ଷ ଚେଷ୍ଟା କରୁଛନ୍ତି। ମେଡିକାଲ ପରିସରର ଚିତ୍ର ବଦଳାଇବାକୁ ଏକ ନୂତନ ନିୟମ ମଧ୍ୟ ଲାଗୁ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ନିଦାନ କେନ୍ଦ୍ର ସମ୍ମୁଖରେ ଯେପରି ହଜାରହଜାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଧାଡ଼ିରେ ଛିଡ଼ା ହେଉଥିଲେ ତାହା ଆଉ ଦେଖିବାକୁ ମିଳିବନାହିଁ। ଜାନୁୟାରୀ ପହିଲାରୁ ରୋଗୀଙ୍କ ରକ୍ତ ନମୁନା ୱାର୍ଡ଼ରେ ସଂଗ୍ରହ କରାଯିବ। ଏଥି ପାଇଁ ଯୋଜନା ଅଗ୍ରଗତି କରିଛି ବୋଲି ଜରୁରୀକାଳୀନ ଅଧିକାରୀ ଡ. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ରକ୍ତ ନମୁନା ଧରି ଘଣ୍ଟାଘଣ୍ଟା ଧାଡ଼ିରେ ଛିଡ଼ା ହୁଅନ୍ତି କିଛି ରୋଗୀ ଓ କିଛି ରୋଗୀଙ୍କ ସମ୍ପର୍କୀୟ। ରାତି ନପାହୁଣୁ ଧାଡ଼ି ଆରମ୍ଭ ହୁଏ। ସନ୍ଧ୍ୟା ପର୍ଯ୍ୟନ୍ତ ଧାଡ଼ି ଲାଗିରହେ। ସେହିପରି ରିପୋର୍ଟ ପାଇବା ପାଇଁ ମଧ୍ୟ ସମାନ ଚିତ୍ର ମେଡ଼ିକାଲରେ ଦେଖାଯାଏ। ନିଦାନ କେନ୍ଦ୍ର ଗୁଡ଼ିକ ସମ୍ମୁଖରେ ହେଉଥିବା ଏଭଳି ଧାଡ଼ିକୁ ହଟାଇବା ପାଇଁ ମେଡ଼ିକାଲ କର୍ତ୍ତୃପକ୍ଷ ପ୍ରଥମଥର ନିମନ୍ତେ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଛନ୍ତି। କିଛି ଦିନ ତଳେ ଏସ୍‍ସିବି ମେଡ଼ିକାଲ ଅଧୀକ୍ଷକ ପ୍ରଫେସର ଡ. ଲୁସି ଦାସଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଡକାଯାଇଥିଲା। ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀକାଳୀନ ଅଧିକାରୀ ଡ. ମହାରଣାଙ୍କ ସମେତ ବରିଷ୍ଠ ନର୍ସମାନେ ଉପସ୍ଥିତ ଥିଲେ। ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ୱାର୍ଡ଼ ଭିତରେ ରୋଗୀଙ୍କ ରକ୍ତ ନମୁନା ସେଠାରେ ନିୟୋଜିତ ନର୍ସମାନେ ସଂଗ୍ରହ କରିବେ। ରୋଗୀଙ୍କ ଆଟେଣ୍ଡାଣ୍ଟ ଆଉ ନମୁନା ଧରି ନିଦାନ କେନ୍ଦ୍ର ସମ୍ମୁଖକୁ ଯିବେନାହିଁ। ମେଡ଼ିକାଲ ଦ୍ୱାରା ନିୟୋଜିତ ଆଟେଣ୍ଡାଣ୍ଟ ନମୁନାକୁ ନେଇ ପାଥୋଲୋଜି, ମାଇକ୍ରୋବାୟୋଲୋଜି କିମ୍ବା ବାୟୋକେମେଷ୍ଟ୍ରି ଲ୍ୟାବକୁ ଯିବେ। ଯେଉଁ ରିପୋର୍ଟ ଯେଉଁଠାରେ ଦେବା କଥା ସେଠାରେ ଏହାକୁ ଦାଖଲ କରିବେ। ପରେ ନିର୍ଦ୍ଧାରିତ ସମୟ ଭିତରେ ରିପୋର୍ଟ ଆଣିବା ଦାୟିତ୍ୱ ମଧ୍ୟ ମେଡ଼ିକାଲ ଆଟେଣ୍ଡାଣ୍ଟଙ୍କର। ସେମାନେ ରିପୋର୍ଟ ସବୁ ଆଣି ୱାର୍ଡ଼ରେ ଦାଖଲ କରିବେ। ଜରୁରିକାଳୀନ ଅଧିକାରୀ ଡ. ମହାରଣା କହିଛନ୍ତି ଯେ, ଜାନୁୟାରୀ ପହିଲାରୁ ଏହି ନିୟମ ଲାଗୁ ହେବ। ମେଡ଼ିକାଲର ନର୍ସମାନଙ୍କ ସହ ଆଲୋଚନା କରାଯାଇଛି। ନୂତନ ନିୟମ ଉଭୟ ରୋଗୀ ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପାଇଁ ଫଳପ୍ରଦ ହେବ ବୋଲି ସେ କହିଥିଲେ।

Leave A Reply

Your email address will not be published.