ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି ବ୍ୟବସ୍ଥିତ ହେବ ଶ୍ରୀଜଗନ୍ନାଥ ମନ୍ଦିର ଜମି ସ୍ୱତ୍ୱ ପରିବର୍ତ୍ତନ ବ୍ୟବସ୍ଥା, ଆଗାମୀ ଅଧିବେଶନରେ ଆସିବ ସଂଶୋଧନ ବିଧେୟକ

ଭୁବନେଶ୍ୱର : ରାଜ୍ୟ ସରକାର ପୂର୍ବ ପ୍ରଚଳିତ ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ-୧୯୫୪କୁ ସଂଶୋଧନ କରିବା ନେଇ ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଗତ ୫ ତାରିଖରେ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିସାରିଛି। ଏଥିରେ ସଂଶୋଧନ ଆଣିବା ସହ ଧାରା ୧୬ ଯୋଡିବା ନେଇ ଆଗାମୀ ବିଧାନସଭା ଅଧିବେଶନରେ ବିଧେୟକ ଆସିବ। ଏହା ଆଇନରେ ପରିଣତ ହୋଇପାରିଲେ ପୁରୀ ଶ୍ରୀ ମନ୍ଦିର ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧିନରେ ଥିବା ସ୍ଥାବର, ଜମିବାଡ଼ି ପ୍ରଭୂତିର ବିକ୍ରି/ମାଲିକାନା ସ୍ୱତ ପରିବର୍ତ୍ତନ ପୂର୍ବାପେକ୍ଷା ଅଧିକ ସରଳ ହେବ। ସେହିପରି ଏ ସଂକ୍ରାନ୍ତ ମାମଲା ଫଇସଲା ତଥା କଟକଣାକୁ ଦୂର କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରାଯିବ। ପୂର୍ବରୁ ଏହି କ୍ଷମତା କେବଳ ରାଜ୍ୟ ସରକାରଙ୍କ ନିକଟରେ ରହିଥିଲା।

ଅପରପକ୍ଷରେ ଏହି ସଂଶୋଧନକୁ ବାଦ୍‍ ଦେବା ସହ ଆଉ କେତେକ ଆଇନଗତ ବାଧା ଦୂର କରାଯିବ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଗତ ୧୦ ତାରିଖରେ ଏ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ସପ୍ତାହରେ ମଧ୍ୟ ଆଉ ଏକ ବୈଠକ ବସିବାକୁ ଯାଉଛି। ନୂଆ ବିଧେୟକ ଆସିବା ସହ ଶ୍ରୀ ଜଗନ୍ନାଥ ମନ୍ଦିର ନିୟମ-୧୯୬୦ରେ ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ଏହି ସଂଶୋଧନ ସଂକ୍ରାନ୍ତ ବିଧେୟକ ମଧ୍ୟ ଆଗାମୀ ବିଧାନସଭା ଅଧିବେଶନରେ ଆସିବ। ଏହି ୨ ଆଇନ କାର୍ଯ୍ୟକାରୀ ହୋଇପାରିଲେ ଜମି ସ୍ୱତ୍ୱ ପରିବର୍ତ୍ତନ ଆହୁରି ସରଳ ହୋଇପାରିବ ବୋଲି ଜଣାପଡ଼ିଛି। ଆସନ୍ତା ସପ୍ତାହରେ ବସୁଥିବା ବୈଠକରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ସଚିବ (ଭାରପ୍ରାପ୍ତ), ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ, ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ(ରାଜସ୍ୱ) , ଖୋର୍ଦ୍ଧା ଓ ପୁରୀ ଜିଲ୍ଲାପାଳ, ପୁରୀ ସହର ତହସିଲଦାର ଏବଂ ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲଦାର ଅଂଶଗ୍ରହଣ କରିବେ।

ଗତବର୍ଷ ପ୍ରାରମ୍ଭରୁ ରାଜ୍ୟ ସରକାର ଅର୍କକ୍ଷେତ୍ର କୋଣାର୍କର ଉନ୍ନୟନ ସମ୍ପର୍କିତ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ସୂର୍ଯ୍ୟ ମନ୍ଦିର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉନ୍ନୟନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ। ତନ୍ମଧ୍ୟରୁ ପ୍ରାଥମିକ ଭାବେ କେତେକ କାର୍ଯ୍ୟକାରୀ କରାଯାଇଛି। ଆଗାମୀ ଦିନରେ ମୁଖଶାଳାର ଉନ୍ନତିକରଣ, ଐତିହ୍ୟ ସ୍ଥଳରେ ଲ୍ୟାଣ୍ଡସ୍କେପିଂ, ପଦଚାରୀ ଏବଂ ପାର୍କିଂ ସୁବିଧା ସୁନିଶ୍ଚିତ କରାଯିବା ସହ ମୁକ୍ତାକାଶ ରଙ୍ଗମଞ୍ଚକୁ ଆହୁରି ଆକର୍ଷଣୀୟ କରାଯିବ। ସାମଗ୍ରିକ ଭାବେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) ପକ୍ଷରୁ ଏଥିପାଇଁ ପ୍ରାୟ ୧୪୦ କୋଟି ଟଙ୍କାର ଟେଣ୍ଡର ଜାରି କରିବାକୁ ଯାଉଛି। ଟେଣ୍ଡର ମୂଲ୍ୟ ୧୦୦ କୋଟି ଟପୁଥିବାରୁ ଏଥିପାଇଁ ରାଜ୍ୟ କ୍ୟାବିନେଟ୍‍ର ଅନୁମୋଦନ ଲୋଡା। ତେଣୁ ପରବର୍ତ୍ତୀ କ୍ୟାବିନେଟ୍‍ ବୈଠକରେ ଏହି ଟେଣ୍ଡର ଅନୁମୋଦନ ସମ୍ପର୍କିତ ପ୍ରସ୍ତାବ ଆସିବ ବୋଲି କୁହାଯାଉଛି। କ୍ୟାବିନେଟ୍‍ ଅନୁମୋଦନର ତୁରନ୍ତ ପରେ ଏପ୍ରିଲ ମାସରୁ ପ୍ରକଳ୍ପକୁ ଚୂଡାନ୍ତ ରୂପ ଦେବା ପାଇଁ କାର୍ଯ୍ୟରମ୍ଭ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସରକାର ଐତିହ୍ୟ ସୁରକ୍ଷା ସହ ପର୍ଯ୍ୟଟକଙ୍କ ପାଇଁ ଅର୍କକ୍ଷେତ୍ରକୁ ଅଧିକ ଆକର୍ଷଣୀୟ କରିବାର ଯୋଜନା କରିଛନ୍ତି। ସମାନ୍ତରାଳ ଭାବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅର୍ଥନୈତିକ ଦିଗକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ପର୍ଯ୍ୟଟନ ଶିଳ୍ପରେ ସ୍ଥାନୀୟ ଅଧିବାସୀଙ୍କ ଗୋଷ୍ଠୀ ସହଭାଗିତାକୁ ପ୍ରାଧାନ୍ୟ ଦେବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.