ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଏଲଏସ କାର୍ଯ୍ୟାଳୟରେ ଚାଲିଛି ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ଶେଷ ଦର୍ଶନ, ସହକର୍ମୀ ଓ ପରିବାରବର୍ଗ ଜଣାଉଛନ୍ତି ଅନ୍ତିମ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ମର ଶରୀର ଗୌହାଟୀରୁ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଡ. ପରିଡ଼ାଙ୍କ ମୃତଦେହ ପହଞ୍ଚିବା ପରେ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେଠାରେ ତାଙ୍କ ପରିବାରବର୍ଗଙ୍କ ସହ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍ ସାଇନ୍ସର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିମାନ ବନ୍ଦରରୁ ତାଙ୍କ ମର ଶରୀରକୁ ଆଇଏଲଏସ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ଅଫିସ କର୍ମଚାରୀ, ବନ୍ଧୁମାନେ ଶେଷ ଦର୍ଶନ କରୁଛନ୍ତି। ଏଠାରୁ ପରିଡ଼ାଙ୍କ ମର ଶରୀରକୁ ମାତୃଭୂମି ଯାଜପୁରର ଭଗବାନପୁର ଅଭିମୁଖେ ନିଆଯିଵ। ସେଠାରେ ରାଷ୍ଟୀୟମଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ଗତକାଲି ଏକ ସମ୍ମିଳନୀରେ ଯୋଗ ଦେବାପାଇଁ ଗୌହାଟୀ ଯାଇଥିବାବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ହୃଦ୍‌ଘାତ ପରେ ହୋଟେଲ ରୁମ୍‌ରୁ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୫୮ବର୍ଷ ହୋଇଥିଲା। ମୃତ୍ୟୁ ଖବର ପାଇବା ପରେ ତାଙ୍କ ପୁଅ ତୁରନ୍ତ ଗୌହାଟୀ ଗସ୍ତ କରିଥିଲେ ଓ ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ତାଙ୍କ ବିୟୋଗ ଖବର ପ୍ରଚାର ହେବାପରେ ଜନ୍ମମାଟି ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପରିଡ଼ା ଗତକାଲି ସକାଳେ ସମ୍ମିଳନୀକୁ ଯିବାପାଇଁ ହୋଟେଲ୍‌ ରୁମ୍‌ରେ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପିନ୍ଧିବା ପାଇଁ ହାତରେ ପ୍ୟାଣ୍ଟ୍‌ ଧରିଥିବା ବେଳେ ତଳେ ପଡ଼ିଯାଇଥିଲେ। ସମ୍ମିଳନୀକୁ ଯିବା ସମୟ ଉପନୀତ ହୋଇଥିବାରୁ ସହକର୍ମୀମାନେ ତାଙ୍କୁ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ତାଙ୍କ ଏକମାତ୍ର ପୁଅ ଆଶିଷ କୁମାର ପରିଡ଼ା ତୁରନ୍ତ ଗୌହାଟୀରେ ପହଞ୍ଚିଥିଲେ। ପରେ ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ଏବଂ ଆଜି ଭୋର ସମୟରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଥିଲା।

୧୯୬୩ ମସିହାରେ ଯାଜପୁରର ଭଗବାନପୁରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଅଜୟ ପରିଡ଼ା । ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତନ ଓ କୃଷି ଉତ୍ପାଦନ ସମ୍ପର୍କରେ ସେ ବହୁ ଅଧ୍ୟୟନ କରିଥିଲେ । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅତୁଳନୀୟ ଅବଦାନ ନିମନ୍ତେ ଡକ୍ଟର ଅଜୟଙ୍କୁ ୨୦୧୪ରେ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭୁବନେଶ୍ୱରରେ ଆଇଏଲଏସ ପ୍ରତିଷ୍ଠା ହେବା ଦିନଠୁ ସେ ଏହାର ନିର୍ଦ୍ଦେଶକ ଥିଲେ । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅନୁଳନୀୟ ଅବଦାନ ନିମନ୍ତେ ସେ ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ ତରଫରୁ ଉମାକାନ୍ତ ମେମୋରିଆଲ ପୁରସ୍କାର, ବିଏମ ବିର୍ଲା ବିଜ୍ଞାନ ପୁରସ୍କାର, ଟାଟା ଇନୋଭେସନ ଫେଲୋସିପ ଡିପାର୍ଟମେଣ୍ଟ ଅଫ ବାୟୋଟେକନୋଲୋଜିକାଲ୍ ଆଦି ଏକାଧିକ ସମ୍ମାନରେ ସମ୍ମାନିତ ହୋଇଥିଲେ ।

କରୋନା ଭୟାବହତା ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପନ୍ନ କରିଥିଲେ ଅଜୟ ପରିଡ଼ା । କୋଭିଡକୁ ନେଇ ତାଙ୍କ ସୂଚନା ଓ ପରାମର୍ଶକୁ ଲୋକ ଅପେକ୍ଷା କରି ରହୁଥିଲେ । କରୋନା ବାବଦରେ ବିସ୍ତୃତ ତଥ୍ୟ ଦେଉଥିଲେ ଅଜୟ । ଅଜୟଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଅମର ଆତ୍ମାର ସଦଗତି ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।

Leave A Reply

Your email address will not be published.