ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାରା ରାଜ୍ୟରେ ‘ତାତିର କର୍ଫ୍ୟୁ’ : ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ଛୁଇଁଲା ୪୩.୬ ଡିଗ୍ରୀ

ଭୁବନେଶ୍ବର : ରାଜ୍ୟରେ ଅସମ୍ଭାଳ ତାତି ଜାରି ରହିଛି। ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର କର୍ଫ୍ୟୁ। ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି। ବୁଧବାର ରାଜ୍ୟର ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ପହଞ୍ଚିଥିବା ବେଳେ ଆଜି ତାହା ମଧ୍ୟ ଟପିଯିବ ବୋଲି ଆଶଙ୍କା କରାଯାଉଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨, କେନ୍ଦୁଝର ୪୦.୯ ଓ ରାଉରକେଲାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।


ବଡ଼ କଥା ହେଉଛି ଯେ ଏହି ସ୍ଥିତି ଆଗକୁ ଆହୁରି ସମ୍ବେଦନଶୀଳ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିବା ସହ ୪ ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବ ନାହିଁ ବୋଲି କେନ୍ଦ୍ର କହିଛି। ବିଶେଷ କରି ଗୁରୁବାର ଓ ଶୁକ୍ରବାର ତାତି ସବୁଠୁ ଶୀର୍ଷରେ ରହିବା ସହ ଏହି ସମୟରେ ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍‌ୱେଭ୍‌) ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରି ଦୁଇ ଦିନ ପାଇଁ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।

ପାଣିପାଗ କେନ୍ଦ୍ରର ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧୧ ଟାରୁ ଅପରାହ୍ଣ ୩ ଟା ଯାଏଁ ଖରାର ସର୍ବାଧିକ ପ୍ରକୋପ ରହୁଥିବାରୁ ଏହି ସମୟରେ ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା ପାଇଁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହିତ ସମସ୍ତ ପରିସ୍ଥିତି ଉପରେ ନଜର ରଖିବା ସହ କୌଣସି ଅଘଟଣ ଘଟିଲେ ତୁରନ୍ତ ଏହାର ରିପୋର୍ଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ, ଆଜି ମୟୂରଭଞ୍ଜ, ନୟାଗଡ଼, ଗଜପତି ଓ ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ରହିଛି।

ଅନ୍ୟପଟେ ଆସନ୍ତାକାଲି ମଧ୍ୟ ସମାନ ସ୍ଥିତି ଜାରି ରହିବ। ଶୁକ୍ରବାର ମୟୂରଭଞ୍ଜ, ନୟାଗଡ଼, ଗଜପତି ଓ ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟରେ ଜାରି ରହିଥିବା ସ୍ଥିତି ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହ ସ୍ଥିତି ସପ୍ତାହେ ପୂର୍ବରୁ କମି ନ ପାରେ। ବାୟୁ ପ୍ରବାହ ଅପରିବର୍ତ୍ତିତ ରହିବା ଯୋଗୁଁ ରାଜ୍ୟରୁ ପଶ୍ଚିମା ବାୟୁ ବା ଶୁଷ୍କ ପବନ ପ୍ରବାହ ଜାରି ରହିବ। ତେଣୁ ଗୁରୁବାରଠାରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢ଼ିବ। ଝାରସୁଗୁଡ଼ାଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ଏବଂ ସଂଲଗ୍ନ ଜିଲ୍ଲାରେ ତାପମାତ୍ରା ସବୁଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ଭୁବନେଶ୍ୱର ସମେତ ଉପକୂଳରେ ମଝିରେ ମଝିରେ ବିଶେଷ କରି ୧୯ ତାରିଖ ଉପରବେଳା ପରିଚଳନଜନିତ ମେଘ ହେତୁ ତାପମାତ୍ରା ଉପରକୁ ଉଠି କମିଯିବାର ସମ୍ଭାବନା ରହିଛି। ମୋଟାମୋଟି ଭାବେ ରାଜ୍ୟର ଅନେକ ସ୍ଥାନରେ ତାମପାତ୍ରା ସପ୍ତାହେ ପର୍ଯ୍ୟନ୍ତ ୪୧.୫ ଡିଗ୍ରୀରୁ ୪୪ ଡିଗ୍ରୀ ମଧ୍ୟରେ ରହିବ। ଅନ୍ୟପଟେ ରାଜ୍ୟରେ ଏହି ସମୟ ମଧ୍ୟରେ କାଲବୈଶାଖୀ ସମ୍ଭାବନା ନ ଥିବା ବେଳେ ସ୍ଥାନେ ସ୍ଥାନେ ପରିଚଳନଜନିତ ବର୍ଷା ହୋଇପାରେ; ତେବେ ଏହା ତାପମାତ୍ରା ବୃଦ୍ଧିକୁ ପ୍ରଶମିତ କରିପାରିବ ନାହିଁ। ତେଣୁ କେବେଠୁ ତାପମାତ୍ରା କମିବ, ତାହାର କୌଣସି ଇଙ୍ଗିତ ମିଳୁନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Leave A Reply

Your email address will not be published.