ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ୪ ଦିନ ତଳେ କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ବର : ବିଜେଡିରେ ଯୋଗଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା।  ସେ ଗତ ଏପ୍ରିଲ ଦୁଇ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।  ଆଜି ନିଜ ହଜାର ହଜାର ସମର୍ଥକଙ୍କ ସହ ବିରାଟ ପଟୁଆରରେ ଶଙ୍ଖ ଭବନକୁ ଆସି ବିଜେଡିରେ ଯୋଗ ଦେଇଛନ୍ତି ଗଣେଶ୍ୱର ବେହେରା। ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା, ଶଶିଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଗଣେଶ୍ୱର ବେହେରା ବିଜେଡିରେ ସାମିଲ ହୋଇଛନ୍ତି।

ଗଣେଶ୍ୱର ବେହେରାଙ୍କୁ ଦଳରେ ସ୍ବାଗତ କରିବା ସହ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଗଣେଶ୍ୱର ଭାଇଙ୍କ ପାଇଁ ଯେଉଁ ଭଲ ପାଇବା ଅଛି, ତାହା ରହୁ, ଗଣେଶ୍ୱର ଭାଇ ଓଡ଼ିଶାର ଜଣେ ବିଶିଷ୍ଟ ନେତା। ତାଙ୍କ ଯୋଗଦାନ ବିଜେଡିକୁ ଆହୁରି ସଙ୍ଗଠିତ କରିବ। ଗଣେଶ୍ବର ବେହେରାଙ୍କ ସହ ୪୯ ଜଣ ପଞ୍ଚାୟତର କଂଗ୍ରେସ ସଭାପତି ମଧ୍ୟ ଆଜି ବିଜେଡିରେ ଯୋଗଦେଇଛନ୍ତି।

ଏଥି ସହିତ ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ମଧ୍ୟ କହିଛନ୍ତି ଗଣେଶ୍ୱେର ଜଣେ କ୍ରାନ୍ତିକାରୀ, ଲଢୁଆ ଓ ପୁରୁଖା ନେତା। ଆଜି ବିଜେଡି ତାଙ୍କୁ ପାଇ ବହୁତ ଖୁସି। ବିଶ୍ୱାସ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ସମସ୍ତେ ମିଳିମିଶି ଏହାକୁ ଆହୁରି ତ୍ୱରାନ୍ୱିତ କରିବା।  କେନ୍ଦ୍ରାପଡ଼ା ଓ ଓଡ଼ିଶାର ବିକାଶ କରିବା। କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଗଣେଶ୍ବର ବେହେରା ଓ ତାଙ୍କ ସହ ବିଜେଡିରେ ସାମିଲ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା। ମୁଖ୍ୟମନ୍ତ୍ରୀଙ୍କ ବିକାଶରେ ଆକର୍ଷିତ ହୋଇ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି।  ନିଷ୍ଠା ସହ କାମ କରିବା, ତୃଣମୂଳ ସ୍ତରର ସଂଗଠନ ଆହୁରି ସଂଗଠିତ ହେବ।

ଅନ୍ୟପଟେ ଗଣେଶ୍ୱର ବେହେରା କହିଛନ୍ତି  ଆଜିର ମିଶ୍ରଣ ପର୍ବରେ ବିଜେଡିର ଯୋଗ ଦେଲି। ବିଜେଡି ସଭାପତି ନବୀନ ପଟ୍ଟନାୟକ ବିକାଶ ପୁରୁଷ, ତାଙ୍କୁ ନମସ୍କାର। ଆକାଶରୁ ବୋହୁ ଥିବା ଜଳ ଯେପରି ସମୁଦ୍ରରେ ମିଶେ, ଆଜିର ଏହି ସମ୍ବର୍ଦ୍ଧନା ମୋ ପାଇଁ ନୁହେଁ। ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ। ସେ ବିଶ୍ୱାସ କରନ୍ତି ଓଡ଼ିଶାର ବିକାଶ, ସମବିକାଶ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ବିକାଶରେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡ଼ା ଓ ଓଡ଼ିଶା ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡିରେ ମିଶିଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଓ ସଂଗଠନ ସମ୍ପାଦକ ପ୍ରବଣ ପ୍ରକାଶ ଦାଶଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକଙ୍କ ସେବା ଓ ଦଳ ପାଇଁ କାମ କରିବି ବୋଲି ଗଣେଶ୍ୱର ବେହେରା କହିଛନ୍ତି।

Leave A Reply

Your email address will not be published.