ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାର୍ବଣ ପୂର୍ବରୁ ରାଜଧାନୀରେ ଉପରମୁହାଁ ଅପରାଧୀ : ଉତ୍ପାତ କଲେଣି ନିଶା ମାଫିଆ, ଲୋକାଲ୍‍ ଗୁଣ୍ଡା

ଭୁବନେଶ୍ୱର : ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ନଜରରେ ରଖି ଅପରାଧୀ ସହରରେ ଲୁଟ୍‍ପାଟ୍‍, ଛିନ୍‍ତାଇ, ଦାଦାବଟି ମାଗିବା ଆଦି ଘଟାଇବାର ଆଶଙ୍କା ରହିଛି। ତେଣୁ ପୁଲିସ ସହରରୁ ଅପରାଧୀମୁକ୍ତ କରିବା ପାଇଁ ପ୍ରତିବର୍ଷ ଦୁର୍ଗାପୂଜା ପୂର୍ବରୁ ଅପରାଧୀଙ୍କ ତାଲିକା କରାଯାଇ ସେମାନଙ୍କୁ ଗିରଫ କରାଯାଇଥାଏ। ଚଳିତବର୍ଷ ସହରରେ ଥିବା ପେଷାଦାର ଅପରାଧୀଙ୍କୁ ଉଠାଇବାକୁ ଡିସିପି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜଧାନୀର ବିଭିନ୍ନ ଥାନାର ଇନ୍ସପେକ୍ଟର କୌଣସି ଅପରାଧୀଙ୍କୁ ଉଠାଇ ନ ଥିବା ଅଭିଯୋଗ ହେଉଛି। କେବଳ ଥାନାରେ ରୁଜୁ ହୋଇଥିବା ଲୁଟ୍‍ପାଟ, ଚୋରି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରୁଛନ୍ତି। ଯେଉଁଥିପାଇଁ ବିଭିନ୍ନ ଥାନା ଅଞ୍ଚଳରେ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଆତଙ୍କ କରୁଛନ୍ତି।

ଦଲାଲ ପାଇଁ ଅପରାଧୀଙ୍କ ମୁହଁ ବଢ଼ୁଛି

ଯେଉଁ ଅଭିଯୁକ୍ତଙ୍କ ନାମରେ ୧୦ରୁ ଊର୍ଦ୍ଧ୍ବ ମାମଲା ରହିଛି, ସେମାନଙ୍କୁ ପୁଲିସ ପୂଜା ପୂର୍ବରୁ ଉଠାଇବା କଥା; କିନ୍ତୁ ତାହା କରାଯାଉନାହିଁ। ସେମାନେ ପୂଜା ବଜାରକୁ ନଜରରେ ରଖି ଦାଦାବଟି ମାଗୁଛନ୍ତି। ଦାଦାବଟିକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହେଉଥିବା ଅଭିଯୋଗ ହେଉଛି। ଘଟଣା ପୂର୍ବରୁ ମଧ୍ୟ ସହିଦ ନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ଏହି ଅପରାଧୀଙ୍କୁ ଗିରଫ ନ କରିବାରୁ ସେମାନେ ପୁଣି ଦାଦାବଟି ମାଗିବା ଆରମ୍ଭ କରିଦେଲେଣି। ଅପରପକ୍ଷେ ରାଜଧାନୀର ବିଭିନ୍ନ ଥାନା ଆଗରେ ଦଲାଲମାନେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହିତ ଭଲ ସମ୍ପର୍କ ରଖୁଛନ୍ତି। ଦଲାଲ ଏହି ଅପରାଧୀଙ୍କଠାରୁ ଟଙ୍କା ଆଦାୟ କରି ପରୋକ୍ଷରେ ପୁଲିସ ସହ ସମ୍ପର୍କ ରଖି ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।

ଡିସିପିଙ୍କ ତାଲିକାକୁ ଥାନାବାବୁଙ୍କ ଅପେକ୍ଷା

ସବୁ ଥାନା ଅଞ୍ଚଳରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଉଠାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି, ହେଲେ କେଉଁ କାରଣ ପାଇଁ ସେମାନଙ୍କୁ ଉଠାଯାଉନାହିଁ ବୋଲି ରାଜଧାନୀରେ ଥିବା ଏକାଧିକ ଥାନା ଅଧିକାରୀଙ୍କୁ ପଚରା ଯାଇଥିଲା। ମାତ୍ର ଥାନା ଅଧିକାରୀମାନେ କହିଥିଲେ, ଆମକୁ ଡିସିପି ଅପରାଧୀଙ୍କ ତାଲିକା ଦେଲେ ସେହି ତାଲିକା ଅନୁଯାୟୀ ଆମେ ଉଠାଇବୁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଥାନା ଅଧିକାରୀଙ୍କ ପାଖରେ ଅପରାଧୀଙ୍କ ତାଲିକା ନାହିଁ।

କେଉଁ ଥାନା ଅଞ୍ଚଳରେ କେତେ ପେଶାଦାର ଅପରାଧୀ

ମିଳିଥିବା ତଥ୍ୟ ଅନୁସାରେ, ରାଜଧାନୀରେ ୧୫୩ରୁ ଊର୍ଦ୍ଧ୍ବ ପେଶାଦାର ଅପରାଧୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ ଜେଲ୍‍ ଭିତରେ ଥିବାବେଳେ ୯୫ ଜଣ ବାହାରେ ଥିବା ଜଣାପଡ଼ିଛି। ଖଣ୍ଡଗିରି ସର୍ବାଧିକ ୧୮ ଜଣ ଥିବାବେଳେ ନୂଆପଲ୍ଲୀ ୧୫ ଜଣ। ପାହାଳରେ ୨, ବାଲିପାଟଣାରେ ୫, ବାଲିଅନ୍ତାରେ ୬, ଇନ୍‍ଫୋସିସି ୩, ତମାଣ୍ଡୋ ୩, ସହିଦ ନଗରରେ ୧୦ ଜଣ ଅଛନ୍ତି। ସେହିପରି ମଞ୍ଚେଶ୍ୱର ୧୩, ଲକ୍ଷ୍ମୀସାଗର ଥାନା ୧୪, ବଡ଼ଗଡ଼ ୭, କ୍ୟାପିଟାଲ ଥାନା ଅଞ୍ଚଳରେ ୧୨ ଜଣ ଅଛନ୍ତି। ଏୟାରପୋର୍ଟ ଥାନା ୩, ଏୟାରଫିଲ୍ଡ ୧୧, ଧଉଳି ୫, ଚନ୍ଦ୍ରଶେଖରପୁର ୯, ଇନ୍‍ଫୋସିଟି ୪, ନନ୍ଦନକାନନ ୩ ଏବଂ ଭରତପୁର ଥାନା ଅଞ୍ଚଳରେ ୬ ଜଣ ହାର୍ଡକୋର ଅପରାଧୀ ଅଛନ୍ତି।

ବସ୍ତିରେ ଭାଇଗିରି

ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଗିରଫ କରାଯାଉ ନ ଥିବାରୁ ସେମାନଙ୍କର ପୁଲିସକୁ ଭୟ ରହୁ ନାହିଁ। ବସ୍ତିରେ ସେମାନେ ଭାଇଗିରି ଦେଖାଇବା ପାଇଁ ଆତଙ୍କ କରୁଛନ୍ତି। ଜାଣିଶୁଣି ଅନ୍ୟ ଏକ ଗୋଷ୍ଠୀଙ୍କୁ ଆକ୍ରମଣ କରୁଛନ୍ତି। ଯାହାଫଳରେ ବସ୍ତିରେ ମୁଣ୍ଡ ଗଡୁଛି। ଏଭଳି ଘଟଣା ଦୁଇ ଦିନ ତଳେ ନାରାୟଣୀ ବସ୍ତିରେ ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ନିଶା ମାଫିଆ, ଲୋକାଲ୍‍ ଗୁଣ୍ଡାଙ୍କୁ ଗିରଫ ନ କଲେ ରାଜଧାନୀରେ ଆଗକୁ ଆଇନ୍‍ ଶୃଙ୍ଖଳା ବିଗିଡ଼ିଯିବ ବୋଲି ସହରବାସୀ ଆଶଙ୍କା କରିଛନ୍ତି।

Leave A Reply

Your email address will not be published.