ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉପାନ୍ତବାସୀଙ୍କ ସେବାରେ ସବିତା ଦିଦି

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା

ବୌଦ୍ଧ: ଯେଉଁଠି ଉପାନ୍ତ ଅଞ୍ଚଳ କହି ସରକାରୀ ଯୋଜନା ଅପହଞ୍ଚ ହୁଏ, ସେଠାରେ ଗାଁ ଲୋକଙ୍କ ପାଖେ ପାଖେ ରହି ସେମାନଙ୍କ ଭଲମନ୍ଦ ବୁଝନ୍ତି ସବିତା ଦିଦି | କେତେବେଳେ ଗାଡ଼ିରେ ତ ଆଉ କେତେବେଳେ ଚାଲି ଚାଲି ଯାଆନ୍ତି ବଣ ପାହାଡ଼ ଘେରା ରାସ୍ତାରେ ଯୋଜନ ଯୋଜନ ବାଟ | ଉଦ୍ଦେଶ୍ୟ ଗୋଟିଏ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚୁ । ଗାଁ ଲୋକଙ୍କ ପାଖେ ପାଖେ ରହିବାର ଏହି ଅଭ୍ୟାସ ଆଜିର ନୁହେଁ; ଯେବେଠାରୁ ଅଙ୍ଗନବାଡ଼ି କର୍ମୀ ଭାବେ ସବିତା ଦାୟିତ୍ବ ନେଇଛନ୍ତି ସେବେଠୁ। ଏବେ ଚାରିଆଡ଼େ କରୋନା ଆତଙ୍କ ସୃଷ୍ଟି ହୋଇଥିବା ବେଳେ ନିରୀହ ଗାଁ ଲୋକ କିପରି ଏଥୁରୁ ବଞ୍ଚିଯିବେ ସେଥପାଇଁ ସେ ଦିନରାତି ଏକ କରି ଦେଇଛନ୍ତି। ଏ ଖବର ବଣ-ପାହାଡ଼ ଘେରା ବୌଦ୍ଧ ଜିଲ୍ଲାର |

ସଦର ବ୍ଲକ୍ ଗୁନ୍ଦୁଳି ପଞ୍ଚାୟତର ଡିମିରିଖୋଲ ଅଙ୍ଗନବାଡ଼ି କେନ୍ଦ୍ରରେ କାମ କରନ୍ତି ସବିତା ଦିଦି। ପୂରା ନାମ ସବିତା ଦାସ | ଜଙ୍ଗଲ ଭିତର ଦେଇ ନିଜ ଦାୟିତ୍ଵରେ ଥିବା ଗାଁରେ ପହଞ୍ଚିବାକୁ ପାଦେ ପାଦେ ବିପଦ ରହିଥିଲେ ବି ସବିତା ଏହାକୁ ଭୃକ୍ଷେପ କରନ୍ତିନି | ପୂର୍ବ ଅପେକ୍ଷା ଅଧିକ ଦୃଢ଼ ଓ ସଙ୍କଳ୍ପବଦ୍ଧ ହୋଇ ସବିତା ଏବେ ୮ଟି ଦୁର୍ଗମ ଗାଁର ୪୯୧ ଲୋକଙ୍କ ଭାର ନିଜ କାନ୍ଧରେ ନେଇଛନ୍ତି | ଗାଁ ଗାଁରୁ କରୋନା ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା ବେଳେ ଏହାର ଭାର ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦିଙ୍କ ଉପରେ ନ୍ୟସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ପାଥେୟ କରି ସବିତା ଓ ତାଙ୍କ ସହଯୋଗୀ ଦିନ ତମାମ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକୁ ଯାଇ ଘରେ ଘରେ କରୋନା ପାଠ ପଢ଼ାଉଛନ୍ତି।

କରୋନାର ଦ୍ଵିତୀୟ ଲହରର ଭୟାବହତାକୁ ହୃଦୟଙ୍ଗମ କରି ସେ ନିଜ ଦାୟିତ୍ବରେ ଥିବା ଗାଁଗୁଡିକୁ କରୋନାମୁକ୍ତ କରିବାକୁ ସଙ୍କଳ୍ପ ନେଇଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ସଂକ୍ରମଣ ରୋକିବା, ଏହାକୁ ଚିହ୍ନଟ କରିବା, ସଙ୍ଗରୋଧରେ ରହୁଥିବା ରୋଗୀଙ୍କୁ ଉପଯୁକ୍ତ ପରାମର୍ଶ ଦେବା, ଆବଶ୍ୟକ ସ୍ଥଳେ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସେ ନିଜର ଉଦ୍ୟମ ଜାରି ରଖୁଛନ୍ତି। କେବଳ ସେତିକି ନୁହେଁ; ଜଙ୍ଗଲଘେରା ରାସ୍ତାରେ ଗାଁକୁ ଡାକ୍ତରୀ ଦଳକୁ ଯିବାକୁ ବି ସେ ବାଟ କଢ଼ାଉଛନ୍ତି। ଏସବୁ ଗାଁକୁ ସବୁଦିନିଆ ରାସ୍ତା ନ ଥିବାରୁ ଅଧା ରାସ୍ତା ପାଦରେ ଚାଲି ଯିବାକୁ ପଡ଼ିଥାଏ। ଡିମିରିଖୋଲରୁ ତିଲପଙ୍ଗା ଯାଏଁ ପକ୍କା ରାସ୍ତା ଥିବା ବେଳେ ଆଗକୁ କଢା, ବନ୍ଧୁର, ପଥୁରିଆ ରାସ୍ତା ଦେଇ ପ୍ରତିଦିନ ସବିତା ଦିଦି ଗାଁ ଲୋକଙ୍କ ପାଖେ ପହଞ୍ଚନ୍ତି ଗାଁଗୁଡ଼ିକରେ ଠାଏ ଠାଏ ଜନବସତି ରହିଥିବାରୁ ଏକା ଥରକେ ସବୁ ଲୋକଙ୍କ ପାଖରେ କୌଣସି ବିଷୟ ଉପସ୍ଥାପନ କରିବା କଷ୍ଟକର। ଏସବୁ ପ୍ରତିବନ୍ଧକ ସତ୍ତ୍ଵେ କରୋନା ସତର୍କ ବାର୍ତ୍ତା କିପରି ଘରେ ଘରେ ପହଞ୍ଚିବ ସେଥ୍‌ପାଇଁ ସେ ଜିଲ୍ଲା ପ୍ରଶାସନକୁ ବି ସହଯୋଗର ହାତ ବଢ଼ାଇଛନ୍ତି।

ନିଜ ଅଙ୍ଗନବାଡ଼ି କେନ୍ଦ୍ର ଅଧୀନରେ ଥିବା ଦୁର୍ଗମ ଡିମିରିଖୋଲ, ବିସିରୁଡ଼ା, ଉଡ଼ାମୁଣ୍ଡା, ଖଜୁରୀଚୁଆଁ, ତେଣ୍ଡାପଦର, କାମପଦର, ମାରଦିସୁକା ଓ ବୁରବୁଡ଼ା ଆଦି ଗାଁକୁ ସେ ନିୟମିତ ଭ୍ରମଣ କରି ଘରକୁ ଘର ଯାଇ ଲୋକଙ୍କୁ ଭେଟୁଛନ୍ତି। ବର୍ତ୍ତମାନ ଗାଁରେ ୫୭ ଜଣ ଶିଶୁଙ୍କ ସହ ମୋଟ ୪୯୧ ଜଣ ପୁରୁଷ ଓ ମହିଳା ରୁହୁଥିବା ବେଳେ ଏମାନଙ୍କୁ ଯେପରି କରୋନା ନ ଛୁଏଁ, ସେଥିପାଇଁ ସେ ସମସ୍ତ ପ୍ରକାର ସଚେତନତାଧର୍ମୀ କାର୍ଯ୍ୟକ୍ରମ କରୁଛନ୍ତି। ସରକାରଙ୍କ କଥା କିପରି ସରଳ ଭାଷାରେ ଗାଁ ଲୋକ ବୁଝିବେ, ସେଥ୍ପାଇଁ ସେ ବିଭିନ୍ନ ପ୍ରକାର ଅଭିନବ ଉପାୟ ଅବଲମ୍ବନ କରି ଏହାକୁ ବୁଝାଇଥା’ନ୍ତି। କେବଳ ସେତିକି ନୁହଁ; ଆମ୍ବୁଲାନ୍ସ ସହାୟତା, ଡାକ୍ତରୀ ପରାମର୍ଶ, କରୋନା ପରୀକ୍ଷଣ ଭଳି ଆବଶ୍ୟକ କ୍ଷେତ୍ରରେ ଲୋକେ ଫୋନ କରି ସବିତା ଦିଦିଙ୍କ ସହଯୋଗ ଲୋଡ଼ିଥା’ନ୍ତି | କରୋନା ସଂକ୍ରମଣ ଭଳି କଠୋର ପରିସ୍ଥିତିରେ ଯେଉଁଡି ଅନ୍ୟମାନଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼େ, ସେଠାରେ ବିନା ଦ୍ବିଧାରେ ସବିତା ଦିଦିଙ୍କ ସହ ଆଶାକର୍ମୀ ପହଞ୍ଚି ଯାଆନ୍ତି।

ଭୋର୍‌ରୁ ଉଠି ନିଜ ପରିବାର କଥା ବୁଝିବା ପରେ ଆରମ୍ଭ ହୁଏ ସବିତା ଦିଦିଙ୍କ ପ୍ରକୃତ କାମ। ସକାଳ ୭ଟାରୁ ଅପରାହ୍ନ ଯାଏଁ ଚାଲେ କରୋନା ସଚେତନତାର ଯାତ୍ରା | ଆଶା ଦିଦିଙ୍କ ସହ ସବିତା ଦୁର୍ଗମ ଗାଁଗୁଡ଼ିକରେ ପହଞ୍ଚିବା ପରେ ସାହି ମୁରବିଙ୍କୁ ଏକାଠି କରନ୍ତି। ସରକାର ଦେଇଥିବା ମହାମାରୀର ସଞ୍ଜୀବନୀ ବାର୍ତ୍ତାକୁ ଗୋଟି ଗୋଟି କରି ବୁଝାଇଦିଅନ୍ତି। ପରେ ଗାଁ ଲୋକଙ୍କ ସହଯୋଗରେ ଅମ୍ଳଜାନ ମାପିବା ସହ ଥର୍ମାଲ ସ୍କ୍ରିନିଂ କରନ୍ତି। ଲୋକଙ୍କୁ ସାନିଟାଇଜର ଉପଯୋଗ, ମାସ୍କ ଲଗାଇବା, କର, ଥଣ୍ଡା, କାଶ ହେଲେ କିପରି ଡାକ୍ତରୀ ପରାମର୍ଶ ନେବା, କରୋନାର ଲକ୍ଷଣ ଦେଖାଦେଲେ କ’ଣ କରିବେ ଆଦିର ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତି। ଦରକାର ହେଲେ ଫୋନ୍‌ରେ ବି ଲୋକଙ୍କୁ ପରାମର୍ଶ ଦେଇଥା’ନ୍ତି। ରାଜ୍ୟ ସରକାର ମଇ୨୪ରୁ ଜୁନ୍ ୨୩ ଯାଏଁ ଘର ଘର ବୁଲି ସର୍ଭେ କରିବାକୁ କହିଥିବା ବେଳେ ଏବେସୁଦ୍ଧା ସବିତା ଦିଦି ୫ ଗାଁରେ ସର୍ଭେ କରିସାରିଲେଣି |

Leave A Reply

Your email address will not be published.