ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିବ ମିଲର୍‌‌ ଆବଣ୍ଟନ ଓ ସିକ୍ୟୁରିଟି ଅର୍ଥ ଦାଖଲ ନିୟମ, ଆହୁରି ସରଳ ହେବ ଧାନ ସଂଗ୍ରହ ପ୍ରକ୍ରିୟା

ଭୁବନେଶ୍ୱର : ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଟୋକନ୍‌‌ ଆଧାରରେ ହେଉଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସମ୍ପ୍ରତି ରାଜ୍ୟରେ ଧାନ ସଂଗ୍ରହକୁ ସରକାର ଟୋକନ୍‌‌ ବ୍ୟବସ୍ଥାରେ ସରଳୀକରଣ କରିଥିଲେ ମଧ୍ୟ କିଛି ସ୍ଥାନରେ ମିଲରମାନେ ସଠିକ୍‌‌ ସମୟରେ ସିକ୍ୟୁରିଟି ଅର୍ଥ ଦାଖଲ କରୁ ନ ଥିବା ହେତୁ ଧାନ ସଂଗ୍ରହ ପାଇଁ ଅଯୋଗ୍ୟ ବିବେଚିତ ହେଉଛନ୍ତି। ଫଳରେ ଧାନ ମଣ୍ଡିରେ ପଡ଼ି ରହୁଛି। ତେବେ ଆସନ୍ତା ରବି ଧାନ ସଂଗ୍ରହରେ ମିଲରଙ୍କ ଦ୍ୱାରା ଦାଖଲ ହେଉଥିବା ସିକ୍ୟୁରିଟି ଅର୍ଥ ସମ୍ପର୍କିତ ସମସ୍ୟାର ସମାଧାନ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି। ତେଣୁ ମିଲର୍‌‌ ଆବଣ୍ଟନ ଓ ସିକ୍ୟୁରିଟି ଅର୍ଥ ଦାଖଲ ବ୍ୟବସ୍ଥାର ସୁଧାର ଦିଗରେ ନୀତିଗତ ନିଷ୍ପତ୍ତି ନେବାକୁ ରାଜ୍ୟ ଯୋଗାଣ ଓ ସମବାୟ ବିଭାଗ ଯୋଜନା ପ୍ରସ୍ତୁତ କରିଛନ୍ତି।

ସାମ୍ପ୍ରତିକ ବ୍ୟବସ୍ଥାରେ ଧାନ ସଂଗ୍ରହ ପାଇଁ ଜିଲାୱାରୀ ମିଲର୍‌‌ ଟ୍ୟାଗିଂ ବେଳେ ମିଲର୍‌‌ମାନେ ସିକ୍ୟୁରିଟି ବାବଦ ଅର୍ଥ ଦାଖଲ କରନ୍ତି। ଯୋଗାଣ ବିଭାଗର ନିୟମ ଅନୁଯାୟୀ, ମିଲର୍‌‌ମାନେ ଧାନ ସଂଗ୍ରହ ପୂର୍ବରୁ ଯେଉଁ ପରିମାଣର ଅର୍ଥ ଦାଖଲ କରିବେ, ତାହାର ସର୍ବାଧିକ ୧୦ଗୁଣା ମୂଲ୍ୟର ଧାନ ସଂଗ୍ରହ କରିପାରିବେ। ୧୦ଗୁଣାରୁ ଅଧିକ ଧାନ ସଂଗ୍ରହ କରିବାକୁ ହେଲେ ସାନି ସିକ୍ୟୁରିଟି ଅର୍ଥ ଦାଖଲ କରିବାକୁ ପଡ଼ିବ। ନୂଆ ବ୍ୟବସ୍ଥାରେ ଚାଷୀଙ୍କୁ ବଣ୍ଟା ଯାଉଥିବା ଟୋକନ୍‌‌ ପରିମାଣକୁ ଦୃଷ୍ଟିରେ ରଖି ସିକ୍ୟୁରିଟି ଅର୍ଥ ଏକକାଳୀନ ଅଥବା ଟୋକନ୍‌‌ ପରିମାଣର ୭୫ ପ୍ରତିଶତ ଅର୍ଥ ଆଦାୟ କରିବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଅର୍ଥାତ୍‌‌, ଗୋଟିଏ ସମବାୟ ଅଧୀନରେ ଚାଷୀଙ୍କଠାରୁ ୫୦ଟନ୍‌‌ ଧାନ ସଂଗ୍ରହ ପାଇଁ ଟୋକନ୍‌‌ ପ୍ରଦାନ ହୋଇଥିଲେ, ମିଲର୍‌‌ମାନଙ୍କଠାରୁ ଏହାର ୧୦ ପ୍ରତିଶତ ମୂଲ୍ୟ ଏକକାଳୀନ ନିଆଯିବ।

କିଛି କ୍ଷେତ୍ରରେ ଉକ୍ତ ୧୦ ପ୍ରତିଶତର ୭୫ ପ୍ରତିଶତ ମୂଲ୍ୟକୁ ମଧ୍ୟ ସିକ୍ୟୁରିଟି ଅର୍ଥ ଭାବେ ଗ୍ରହଣ କରାଯାଇପାରିବ। ମାତ୍ର ତାହାଠାରୁ କମ୍‌‌ ମୂଲ୍ୟରେ ମିଲର ଟ୍ୟାଗିଂ ହୋଇପାରିବ ନାହିଁ। ଏଭଳି ହେବା ଦ୍ୱାରା ସମସ୍ତ ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଯୋଗାଣ ବିଭାଗର ଜନୈକ ଅଧିକାରୀ କହିଛନ୍ତି। ଧାନ ସଂଗ୍ରହ ସ୍ୱୟଞ୍ଚାଳିତ ବ୍ୟବସ୍ଥା(ପିପିଏଏସ)ରେ ମଧ୍ୟ ତଦନୁଯାୟୀ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜ୍ୟରେ ଧାନ ସଂଗ୍ରହ ଅନୁପାତରେ ମିଲର୍‌‌ଙ୍କ ସଂଖ୍ୟା ସନ୍ତୋଷଜନକ ରହିଥିଲେ ହେଁ ଜିଲ୍ଲାୱାରୀ ମିଲର୍‌‌ ଆବଣ୍ଟନରେ ସମସ୍ୟା ରହିଛି। ଯୋଗାଣ ବିଭାଗ ଏହାକୁ ବ୍ୟବସ୍ଥିତ କରିବା ଦିଗରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ଜିଲ୍ଲାରେ ଚାଷୀଙ୍କ ପରିମାଣକୁ ଦେଖି ମିଲର୍‌‌ଙ୍କ ପରିମାଣ ନିର୍ଦ୍ଧାରିତ ହେବ।

ଅନେକ ଜିଲ୍ଲାରେ ଆବଶ୍ୟକତାଠାରୁ ଅଧିକ ମିଲର୍‌‌ ରହିଥିବା ବେଳେ କିଛି ଜିଲ୍ଲାରେ ଆବଶ୍ୟକତାଠାରୁ କମ୍‌‌ ସଂଖ୍ୟକ ରହିଛନ୍ତି। ଯଦିଓ ଜିଲ୍ଲା ଜିଲ୍ଲା ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଗାଣ ବିଭାଗ ମିଲର୍‌‌ଙ୍କୁ ଅନ୍ୟ ଜିଲ୍ଲାକୁ ପଠାଇ ଧାନ ସଂଗ୍ରହ କରି ନେଉଛି; ତଥାପି କିଛି କିଛି ମଣ୍ଡିରେ ମିଲର୍‌‌ ଅଭାବରୁ ଧାନ ପଡ଼ିରହୁଛି। ଯେପରିକି ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତାଠାରୁ ଅଧିକ ମିଲର୍‌‌ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୫ରୁ କମ୍‌‌ ମିଲର ରହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବିଭାଗ ମିଲର ଆବଣ୍ଟନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ନେଉଛି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଯୋଗାଣ ବିଭାଗ ୧୭ ଜିଲ୍ଲାରୁ ୧୪ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ରବି ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଖରିଫ୍‌‌ ଧାନ ତୁଳନାରେ ରବି ଧାନର ପରିମାଣ ଯଥେଷ୍ଟ କମ୍‌‌ ହୋଇଥିବା ହେତୁ ନୂଆ ନୀତି ଆଧାରରେ ଧାନ ସଂଗ୍ରହ ବ୍ୟବସ୍ଥା ଲାଗୁ କରିବା ସହଜ ହେବ। ଏନେଇ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଥିବା ବେଳେ ସମ୍ପ୍ରତି ଏହାର କାର୍ଯ୍ୟାନ୍ୱୟନ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି।

Leave A Reply

Your email address will not be published.