ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜେଟ୍‌ 2022-23 : ପୂରଣ ହେବ ତ ଓଡ଼ିଶାର ଦାବି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆର୍ଥିକ ବର୍ଷ ୨୦୨୨-୨୩ ବର୍ଷ ପାଇଁ ସାଧାରଣ ବଜେଟ୍‍ ଆଗତ କରିବାକୁ ଯାଉଛନ୍ତି। ନିର୍ଦ୍ଦିଷ୍ଟ ଭାବେ ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୯ଟି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ମଧ୍ୟରେ ରେଳ, ଅର୍ଥନୈତିକ ଅର୍ନ୍ତମୁଖୀତା, ଟେଲି ଭିତ୍ତିଭୂମି, ଜାତୀୟ ରାଜପଥ ସୁରକ୍ଷା, ଶକ୍ତି, ସେସ୍‍ ଓ ସରଚାର୍ଜ, ଜିଏସ୍‍ଟି ବକେୟା ଏବଂ ଚାଉଳ ଉଠାଣ ଓ ସବ୍‍ସିଡି ପ୍ରଦାନ ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ନିର୍ମଳାଙ୍କ ପେଡ଼ିରେ ଓଡ଼ିଶାର ଦାବି ମୁତାବକ କେତେ ପ୍ରତିଫଳିତ ହୋଇଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

ଗୋଟିଏ ଆର୍ଥିକ ବର୍ଷରେ ଓଡ଼ିଶା ରେଳବାଇକୁ ପ୍ରାୟ ୨୦,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ରାଜସ୍ୱ ଯୋଗାଉଛି। ମାତ୍ର ରେଳ ସାନ୍ଦ୍ରତାରେ ଜାତୀୟ ହାର(୨୧କିମି) ଠାରୁ ଓଡ଼ିଶାରେ କମ୍‍(୧୭କିମି)ରେ ରହିଛି। ଏହା ବ୍ୟତୀତ ରାଜ୍ୟରେ ସାମଗ୍ରିକ ଭାବେ ରେଳବାଇ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ରାଜ୍ୟ ପକ୍ଷରୁ ୭୬୦୦ କୋଟି ଟଙ୍କାର ଦାବି ରଖାଯାଇଛି। ସେହିପରି ରେଳବାଇ କ୍ଷେତ୍ରରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ଅନୁଗୋଳ ଜିଲ୍ଲାର କେରଜଙ୍ଗଠାରେ ନୂଆ ରେଳୱେ ର‍୍ୟାକ୍‍ ପଏଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି। ସାଧାରଣ ବଜେଟ୍‍ ସହ ରେଳବାଇ ବ୍ୟୟବରାଦ ଏକ ସଙ୍ଗରେ ଉପସ୍ଥାପିତ ହେଉଛି। ତେଣୁ ରେଳବାଇ କ୍ଷେତ୍ରରେ ନିର୍ମଳାଙ୍କ ବଜେଟ୍‍ ପେଡ଼ିରେ ଓଡ଼ିଶାକୁ ତାହାର ପ୍ରାପ୍ୟ ମିଳୁଛି, ନା ନିରାଶ ହେବାକୁ ପଡୁଛି ତାହା ବଜେଟ୍‍ ଉପସ୍ଥାପନରେ ପରେ ସ୍ପଷ୍ଟ ପ୍ରତିଫଳିତ ହେବ ବୋଲି ଅର୍ଥନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ରାଜ୍ୟର ୭୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ୍‍ ଶାଖାର ଅଭାବ ରହିଛି। ତେଣୁ ଅର୍ଥ ମନ୍ତ୍ରଣାଳୟ ଏହି ସବୁ ଅଞ୍ଚଳରେ ବ୍ୟାଙ୍କ୍‍ ଖୋଲିବାକୁ ନିର୍ଦ୍ଦେଶ ଦେଉ ବୋଲି ଓଡ଼ିଶା ପ୍ରସ୍ତାବ ରଖିଛି।

ଅପହଞ୍ଚ ଇଲାକାରେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବ୍ୟାଙ୍କ୍‍ଗୁଡ଼ିକ ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତୁ। ସେ ସବୁ ଅଞ୍ଚଳରେ ବାଣିଜ୍ୟିକ ବ୍ୟାଙ୍କ୍‍ଗୁଡ଼ିକ ମଧ୍ୟ ସାଧାରଣ ଲୋକଙ୍କୁ ସହାୟତା ନେଇ ଯେପରି ଆଗେଇ ଆସିବେ, ସେ ଦିଗରେ କେନ୍ଦ୍ର ପଦକ୍ଷେପ ନେଉ ବୋଲି ରାଜ୍ୟ ପକ୍ଷରୁ କୁହାଯାଇଛି। ନିକଟରେ ୟୁନିର୍ଭରସିଆଲ୍‍ ସୋସିଆଲ ଓବ୍ଲିଗେସନ୍‍ ଫଣ୍ଡ(ୟୁଏସ୍‍ଏଫଓ) ଦ୍ୱାରା ୪୮୩ଟି ମୋବାଇଲ ଟାୱାର ମଞ୍ଜୁର କରାଯାଇଛି। ସେହିପରି କେନ୍ଦ୍ର କ୍ୟାବିନେଟ୍‍ ୩୯୩୩ ମୋବାଇଲ ଟାୱାର ମଞ୍ଜୁର କରିଛି। ତେଣୁ ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ୧୦୦୦ଟି ମୋବାଇଲ ଟାୱାର ବସାଇବା ପାଇଁ ୯୦୦ କୋଟି ଟଙ୍କା ପ୍ରଦାନ କରିବା ନେଇ ରାଜ୍ୟ ପକ୍ଷରୁ ଦାବି ହୋଇସାରିଛି। ରାଜ୍ୟର ୨୫୬ ମାଓବାଦୀ ପ୍ରବଣ ଅଞ୍ଚଳ ଫେଜ୍‍-୧ ଗୁଡ଼ିକରେ ଟାୱାରଗୁଡିକୁ ଫୋର-ଜିସ୍ତରକୁ ଉନ୍ନୀତ କରିବା ପାଇଁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯାଇଛି। ରାଜ୍ୟରେ ଜାତୀୟ ରାଜପଥଗୁଡ଼ିକରେ କାର୍ଯ୍ୟ ଯେପରି ତ୍ୱରାନ୍ୱିତ ହେବ, ସେ ନେଇ କେନ୍ଦ୍ରକୁ ଅନୁରୋଧ କରାଯାଇଛି।

ନିୟମିତ ବ୍ୟବଧାନରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଭୀଷଣରୁ ଅତି ଭୀଷଣ ବାତ୍ୟା ବିଗତ ଦଶନ୍ଧିରେ ରାଜ୍ୟରେ ବହୁ ପରିମାଣରେ ଦେଖାଦେଇଛି। ଏହି ବିପର୍ଯ୍ୟୟ ଦ୍ୱାରା ରାଜ୍ୟର ବିଦ୍ୟୁତ ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହୋଇ ଆସୁଛି। ତେଣୁ ସାରା ରାଜ୍ୟରେ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି ପ୍ରତିଷ୍ଠା ନେଇ ୨୫,୦୦୦ କୋଟି ଟଙ୍କା ଦାବି କରାଯାଇଛି। ସେହିପରି ରାଜ୍ୟର ୩୦ କି.ମି ଉପକୂଳ ଅଞ୍ଚଳରେ ଭୂତଳ କେବଲିଂ ପ୍ରସ୍ତାବ ରଖାଯାଇଛି। ରାଜ୍ୟର ୬୦୦ ମେଗାୱାଟ୍‍ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ, ୫୧୦ ମେଗାୱାଟ୍‍ କ୍ଷମତା ବିଶିଷ୍ଟ ବାଲିମେଳା ଏବଂ ୩୨୦ ମେଗାୱାଟ୍‍ କ୍ଷମତା ବିଶିଷ୍ଟ ଅପର କୋଲାବକୁ ବିକଶିତ କରିବା ପାଇଁ ଦାବି କରାଯାଇଛି। ଏଥିପାଇଁ ଆବଶ୍ୟକ ଅର୍ଥ ଚଳିତ ଆର୍ଥିକ ବର୍ଷରେ ମଞ୍ଜୁର କରିବା ନେଇ ଦାବି ହୋଇଛି। ପ୍ରଧାନମନ୍ତ୍ରୀ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସର ବିକାଶ କଥା ଅନ୍ତର୍ଜାତିକ ମଞ୍ଚରେ ଉଠାଇ ଆସିଛନ୍ତି। ତେଣୁ ଭିତ୍ତିଭୂମି ଥିବା ଓଡ଼ିଶାରେ ଏହାକୁ ଆଗେଇ ନେବା ପାଇଁ କେନ୍ଦ୍ର ନିଜର ଆର୍ଥିକ ଦାୟିତ୍ୱ କିପରି ନିର୍ବାହ କରୁଛନ୍ତି, ତାହା ମଙ୍ଗଳବାର ସ୍ପଷ୍ଟ ହେବାକୁ ଯାଉଛି।

ଅପରପକ୍ଷରେ ସେସ୍‍ ବାବଦରେ କେନ୍ଦ୍ର ସରକାର ରାଜ୍ୟରୁ ବିପୁଳ ଅର୍ଥ ସଂଗ୍ରହ କରୁଛନ୍ତି। ଏଥିରୁ ଅଂଶ ପ୍ରଦାନ ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି ଦୋହରାଇଛନ୍ତି। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଏହାକୁ ବ୍ୟବହାର ପାଇଁ ରାଜ୍ୟ ପ୍ରସ୍ତାବ ଦେଇଛି। ଅନୁରୂପ ଭାବରେ ଆଗାମୀ ଜୁଲାଇରେ ଦ୍ରବ୍ୟ ଓ ସେବା କର(ଜିଏସ୍‍ଟି) ବାବଦ କ୍ଷତିପୂରଣ ଶେଷ ସମୟ ରଖାଯାଇଛି। ହେଲେ ରାଜ୍ୟର ଆଗାମୀ ୫ ବର୍ଷରେ ପ୍ରାୟ ୬୫୦୦୦ କୋଟି ଟଙ୍କା ରାଜସ୍ୱ ହରାଇବାର ଆଶଙ୍କା ରହିଛି। ତେଣୁ ଚଳିତ ବର୍ଷ ଜୁଲାଇ ପରେ କେନ୍ଦ୍ର ଏହି ବାବଦ ଅର୍ଥ ପ୍ରଦାନ ଜାରି ରଖିବା ଲାଗି ରାଜ୍ୟ ସରକାର ପ୍ରସ୍ତାବ ଦେଇ ସାରିଛନ୍ତି। ୧୦ଟି ଆକାଂକ୍ଷୀ ଜିଲ୍ଲାରେ ଭିତ୍ତିଭୂମି ଉନ୍ନୟନ ପାଇଁ ନାବାର୍ଡ ଦ୍ୱାରା ଆରଆଇଡିଏଫ୍‍ ବାବଦରେ ଚଳିତ ଆର୍ଥିକ ବର୍ଷରେ ୫୦୦୦ କୋଟି ଟଙ୍କା ମଞ୍ଜୁର କରିବା ନେଇ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ନିକଟରେ ଦାବି ରଖିଥିଲେ। ତେଣୁ ବଜେଟ୍‍ରେ ଏହି ବାବଦରେ କେତେ ଅର୍ଥ ମିଳୁଛି, ତାହା ଦେଖିବାକୁ ରହିଛି। ଅପରପକ୍ଷରେ ରାଜ୍ୟର ଉଷୁନା ଚାଉଳକୁ ଏଫସିଆଇ ଉଠାଇବା ସହ ଧାନକ୍ରୟ ବାବଦ ସବ୍‍ସିଡିକୁ ନିୟମିତ ସମୟରେ ପ୍ରଦାନ ନେଇ ରାଜ୍ୟ ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.