ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୋଦୀଙ୍କୁ ବରୁଣଙ୍କ ଚିଠି, ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୦ ଚାଷୀଙ୍କୁ ମିଳୁ କୋଟିଏ ଲେଖାଏଁ କ୍ଷତିପୂରଣ,ଏମଏସପି ହେଉ ଆଇନ ସିଦ୍ଧ

ନୂଆଦିଲ୍ଲୀ : ତିନୋଟି କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବିଜେପି ସାଂସଦ ବରୁଣ ଗାନ୍ଧୀ ସ୍ୱାଗତ କରିଛନ୍ତି। ଶନିବାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠିରେ ସେ କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ଉପରେ ମଧ୍ୟ ତୁରନ୍ତ ନିଷ୍ପତ୍ତି ନିଆଯିବା ଉଚିତ ଯାହା ଦ୍ଵାରା କୃଷକମାନେ ଆଶ୍ବସ୍ତ ହୋଇ ନିଜ ଘରକୁ ଫେରିପାରିବେ। କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ଦାବି କରିଛନ୍ତି କି ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା କୃଷକଙ୍କୁ ସରକାର ସହିଦର ମାନ୍ୟତା ଦେବା ସହ ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରନ୍ତୁ । ଅନ୍ୟପଟେ ଆନ୍ଦୋଳନ ବେଳେ ସରକାରଙ୍କ ତରଫରୁ କୃଷକମାନଙ୍କ ଉପରେ କରିଥିବା ମାମଲାର ତୁରନ୍ତ ଖାରଜ କରିବାକୁ ସେ ଦାବି କରିଛନ୍ତି । ଯାହା ଦ୍ଵାରା ପୀଡିତଙ୍କ ପରିବାର ସହଜରେ ଜୀବନ ଅତିବାହିତ କରିପାରିବେ।

ପ୍ରଧାନମନ୍ତ୍ରୀ ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବାର ଗୋଟିଏ ଦିନ ପରେ ଟ୍ୱିଟ୍ କରି ବରୁଣ ଗାନ୍ଧୀ କହିଛନ୍ତି ଯେ ପ୍ରବଳ ବର୍ଷା, ଝଡ଼ ଏବଂ ପ୍ରତିକୂଳ ପାଗରେ ଦେଶର କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ କୃଷକମାନଙ୍କୁ ଅଭିନନ୍ଦନ ଜଣାଇବା ଉଚିତ୍ । ଯଦି ଉପଯୁକ୍ତ ସମୟରେ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥା’ନ୍ତା, ତେବେ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୦ ଚାଷୀଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା।


ଏହା ବ୍ୟତୀତ ବରୁଣ ଆହୁରି ଲେଖିଛନ୍ତି କି ତୁରନ୍ତ ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କାହିଁକି ନା ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କାର କିଛି ଚାଷୀଙ୍କ ଉପରେ ଚଢ଼ାଇ ଦେଇଥିଲେ । ତେଣୁ ଏହି ମାମଲାରେ ତୁରନ୍ତୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବରୁଣ ଗାନ୍ଧୀ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି କୃଷକ ମାନଙ୍କ ପାଇଁ ଏମଏସପିର ଏକ ସ୍ବତନ୍ତ୍ର ଆଇନି ଆଣନ୍ତୁ । କାହିଁକି ନା ଆମ ଦେଶରେ ପ୍ରାୟ ୮୫ ପ୍ରତିଶତ କ୍ଷୁଦ୍ର ଚାଷୀ । ତେଣୁ ସେମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏମଏସପି ଉପରେ ଏକ ଆଇନି ଆଣିବା ନିହାତି ଦରକାର । ଏହି ଦାବି ସମ୍ପୂର୍ଣ୍ଣ ନ ହେବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଶେଷ ହେବ ନାହିଁ । ଆଉ ଯଦି ଏମଏସପି ଆଇନି ଲାଗୁ କରାଯାଏ ନାହିଁ ତେବେ କୃଷକମାନେ ଅସନ୍ତୁଷ୍ଟ ରହିବେ। ତେଣୁ କୃଷି ମୂଲ୍ୟ ଆୟୋଗର C2=50% ଆଧାରରେ ଏମଏସପି ଆସିବା ଦରକାର ବୋଲି କହିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।

Leave A Reply

Your email address will not be published.