ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ୟ ଏକ ଅଯୋଧ୍ୟା !

ନୟାଗଡ଼ (ଅନୀଲ/ଶୁଭେନ୍ଦ୍ର): ରିପୋର୍ଟ ବିଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଦେବାଳୟଗୁଡ଼ିକ ମଧ୍ୟରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଶ୍ରୀରାମ ମନ୍ଦିର ଅନ୍ୟତମ। ମହାନଦୀଠାରୁ ଅନତି ଦୂରରେ ଅବସ୍ଥିତ ଫତେଗଡ଼ ଗ୍ରାମର ଗିରିଗୋବର୍ଦ୍ଧନ ପାହାଡ଼ରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିରର ପରିବେଶ, ଅବସ୍ଥିତି ନିହାତି ଭାବେ ଅଶାନ୍ତ ହୃଦୟକୁ ଶାନ୍ତି କରିବାରେ ସମର୍ଥ ହେବ ବୋଲି କୁହାଯାଉଛି। ସୁନୀଳ ଆକାଶକୁ ଛୁଉଁଥିବା ଏହି ପାହାଡ଼ ଉପରେ ବଉଳମାଳା ପଥରରେ ନିର୍ମାଣ କରାଯାଇଥିବା ଶ୍ରୀରାମ ମନ୍ଦିର ଏବଂ ଏହାର କାରୁକାର୍ଯ୍ୟ ଫତେଗଡ଼ ଗ୍ରାମକୁ ଇତିହାସରେ ଲିପିବଦ୍ଧ କରିବାର ସାମର୍ଥ ବହନ କରୁଛି। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେବାର ବଳିଷ୍ଠ ଦାବି ରଖୁଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ନିକଟରେ ସମାପନ ହୋଇଛି। ତେବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହାକୁ ଅନେକ ଦ୍ବିତୀୟ ଅଯୋଧ୍ୟ ଭାବେ ଅବିହିତ କରୁଛନ୍ତି।

ମନ୍ଦିର ନିର୍ମାଣ ପଛର ଘଟଣା
ଫତେଗଡ଼ ଗ୍ରାମର ପୂର୍ବତନ ସରବରକାର ଦାମୋଦର ପ୍ରଧାନଙ୍କ ଅଣନାତି ଚକ୍ରଧର ପ୍ରଧାନଙ୍କ ମଝିଆ ପୁଅ ହେଲେ ବେଣୁଧର ପ୍ରଧାନ। ରାତିରେ ଶୋଇଥିବା ସମୟରେ ଚକ୍ରଧର ପ୍ରଧାନ ଏକ ରାମ ମନ୍ଦିର ନିର୍ମାଣ କଥା ସ୍ୱପ୍ନ ଦେଖିଥିଲେ। ବାପା ଚକ୍ରଧର ବଡ଼ପୂଅ ମନୋଜ, ମଝିଆ ପୁଅ ବେଣୁଧର ଓ ସାନପୁଅ କାହ୍ନୁଚରଣ ଙ୍କ ସହ ଏନେଇ ଆଲୋଚନା କରିଥିଲେ। ସେମାନେ ଏଥିପାଇଁ ଆଗ୍ରହ ଦେଖାଇଥିଲେ। ଏହାପରେ ଚକ୍ରଧର ଏ କଥା ଗ୍ରାମ୍ୟ କମିଟି ସମ୍ମୁଖରେ ଉପସ୍ଥାପନ କରିବାରୁ ଗ୍ରାମବାସୀମାନେ ମଧ୍ୟ ଖୁସି ହୋଇ ସମ୍ମତି ଦେଇଥିଲେ। ଏହାପରେ ୨୦୧୯ ମସିହା ଜୁନ ମାସରେ ପାହାଡ଼ ଶିଖରରେ ଶୁଭ ଦିଆଯାଇ ମନ୍ଦିର ପାଇଁ ପ୍ରଥମେ ରାସ୍ତା ନିର୍ମାଣ ହୋଇଥିଲା। ଏଥିପାଇଁ ଚକ୍ରଧର ପ୍ରଧାନ ପ୍ରଥମେ ନିଜେ ପ୍ରଥମେ ଏକ ଲକ୍ଷ ଟଙ୍କା ଦେଇଥିଲେ। ଏହି ଟଙ୍କା ସହ ଗ୍ରାମବାସୀମାନଙ୍କ ଆର୍ଥିକ ସହଯୋଗରେ ଏବେ ଏହି ମନ୍ଦିର ନିର୍ମାଣ ହୋଇଛି। ଏକ ଲକ୍ଷ ଟଙ୍କାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଏହି ମନ୍ଦିରରେ ବର୍ତ୍ତମାନ ସୁଦ୍ଧା ୩୦ କୋଟି ଖର୍ଚ୍ଚ ହୋଇଛି ବୋଲି କମିଟି ତରଫରୁ ଜଣାପଡ଼ିଛି।

ଖଞ୍ଜା ହେବ ୨୦ ଏକର ଜମି

ଶ୍ରୀରାମ ମନ୍ଦିର ପରିଚାଳନା ପାଇଁ ଟ୍ରଷ୍ଟ କାର୍ଯ୍ୟ କରିବ ବୋଲି ପରିଚାଳନା ପରିଷଦ ସଭାପତି ବେଣୁଧର ପ୍ରଧାନ କହିଛନ୍ତି। ମନ୍ଦିର ପାଇଁ ୨୦ ଏକର ଜମି ଖଞ୍ଜା ଯିବା ପାଇଁ ଯୋଜନା ସରିଛି। ଏଥିସହିତ ଏକ ଗୋଶାଳା ନିର୍ମାଣ କରାଯିବାକୁ ମଧ୍ୟ ଯୋଜନା ହୋଇଛି। ମନ୍ଦିର ପ୍ରତିଷ୍ଠା କରିଥିବା ପୁରୋହିତଙ୍କ ମତନୁସାରେ, ମନ୍ଦିର ନିକଟରେ ବଟବୃକ୍ଷ ବଗିଚା, ଲିମ୍ବ ବଗିଚା, ତୁଳସୀ ବଣ ନିର୍ମାଣ କରାଯିବ। ମନ୍ଦିର ପାଇଁ ଆୟ ବ୍ୟବସ୍ଥା କରିବାକୁ ନିକଟରେ ଏକ ପାର୍କ ନିର୍ମାଣ କରାଯିବ। ଏହି ପାର୍କକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ଯେଉଁ ଆୟ ହେବ ତାହା ଟ୍ରଷ୍ଟ ମାଧ୍ୟମରେ ମନ୍ଦିର କାର୍ଯ୍ୟରେ ଲାଗିବ। ସେହିଭଳି ଭାବେ ଦର୍ଶକ ପାହାଡ଼ ଉପରକୁ ଯିବା ପାଇଁ ରୋପ-ୱେ ବ୍ୟବସ୍ଥା କରାଯାଇଛି। ଉକ୍ତ ରୋପ-ୱେରୁ ଯେଉଁ ଆୟ ହେବ ତାହା ମଧ୍ୟ ମନ୍ଦିର ପରିଚାଳନା ଓ ଉନ୍ନତିକରଣ କାର୍ଯ୍ୟରେ ଲାଗିବ। ଏବେ ଠାକୁରଙ୍କ ଦୈନନ୍ଦିନ ପୂଜା ପାଇଁ ୩୬୫ ଜଣ ଦାତା ତଥା ସଦସ୍ୟ ଚୟନ ହୋଇଛନ୍ତି। ଉକ୍ତ ସଦସ୍ୟମାନେ ଗୋଟିଏ ଦିନର ଲେଖାଏଁ ଖର୍ଚ୍ଚ ଦାୟିତ୍ୱ ସମ୍ଭାଳିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବର୍ଷା ପାଇଁ ହେଉଥିଲା ଗିରି ଗୋବର୍ଦ୍ଧନ ପୂଜା

ଦୀର୍ଘବର୍ଷ ତଳୁ ବର୍ଷାର ଅଭାବ ଦେଖାଦେଲେ ଏହି ପାହାଡ଼ ଉପରକୁ ଯାଇ ଫତେଗଡ଼ ଗ୍ରାମବାସୀ ଗିରିଗୋବର୍ଦ୍ଧନ ପୂଜାକରି ଆସୁଥିଲେ। ପୂଜା କରିବା ପରେ ନିଶ୍ଚିତ ବର୍ଷା ମଧ୍ୟ ହେଉଥିଲା। ଯାହାକୁ ନେଇ ଗ୍ରାମବାସୀ ସେଠାରେ ଏକ ମନ୍ଦିର ନିର୍ମାଣ କରିବାର ପରିକଳ୍ପନା ଆରମ୍ଭ କଲେ। ଫତେଗଡ଼ ଗ୍ରାମର ବେଣୁଧର ପ୍ରଧାନଙ୍କୁ ଉକ୍ତ ମନ୍ଦିର ନିର୍ମାଣ ପରିଷଦ ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ନିର୍ମାଣ ପରିଷଦ ଦ୍ୱାରା ଉକ୍ତ ସ୍ଥାନରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ମନ୍ଦିର ନିର୍ମାଣରେ ସାକେରୀ କାରିଗର

ଉତ୍କଳର କଳା ଭାସ୍କର୍ଯ୍ୟ ପୃଥିବୀରେ ଅନନ୍ୟ। ନିହଣ ମୁନରେ ପଥର ଦେହରେ ଖୋଦେଇ ହୋଇଥିବା ଜୀବନ୍ତ କଳାଶୈଳୀ ପ୍ରତୀକ କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱର ରାଜାରାଣୀ ଭଳି ଅନେକ ମନ୍ଦିର ଆଜି ବି ଜାଜ୍ୱଲ୍ୟମାନ। କୋଣାର୍କ ମନ୍ଦିର ମୁଖ୍ୟ ବିନ୍ଧାଣି ବିଶୁ ମହାରଣାର ବଂଶଧରମାନେ ଏବେ ବି ସେପରି କାରୁକାର୍ଯ୍ୟ ସ୍ଥାପତ୍ୟ ନମୁନା ପ୍ରଦର୍ଶନ କରିପାରନ୍ତି ତାହା ଫତେଗଡ଼ ଶ୍ରୀରାମ ପାହାଡ଼ ଉପରେ ନିର୍ମିତ ହୋଇଥିବା ଭବ୍ୟ ଶ୍ରୀରାମ ମନ୍ଦିର ଦେଖିଲେ ଅନୁଭବ କରିହେବ। ଏହି ମନ୍ଦିର କାରୁକାର୍ଯ୍ୟ ରୋମାଞ୍ଚିତ କରିବା ସହ କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରୁଛି। ମନ୍ଦିରଟି ବଉଳମାଳା ପଥରରେ ନିର୍ମାଣ ହୋଇଛି। ଏହି ଦୁଷ୍ପାପ୍ୟ ପଥର ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଅଧୀନରେ ଥିବା ତାପଙ୍ଗ ଭୋଗପୁର ଖଣିରୁ କିଣାଯାଇଛି। ଏହାକୁ ଫତେଗଡ଼ ଅଣାଯାଇ ପଲିସ କରି ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଆକାରରେ କଟାଯାଇ ମନ୍ଦିର ଗଢ଼ାଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସାକେରୀ ପଞ୍ଚାୟତ ବାଲିଆଛତରା ଗ୍ରାମର ପ୍ରତିଭାବାନ ପଥର କାରିଗର ରାମ ସାହୁ(ଟୁକୁ)ଙ୍କ ନେତୃତ୍ୱରେ ୪୦ ଜଣ କାରିଗରଙ୍କ ଦୀର୍ଘବର୍ଷ ଅକ୍ଲାନ୍ତ ପରିଶ୍ରମ ବଳରେ ଏହା ସମ୍ଭବ ହୋଇପାରିଛି। ଅନ୍ୟ ନିପୁଣ କାରିଗରମାନେ ହେଲେ ବସନ୍ତ ପ୍ରଧାନ, ମଙ୍ଗୁଳି ବାରିକ, ଜିତୁ ପ୍ରଧାନ, ମନୋଜ ପ୍ରଧାନ, ମନୋଜ ସ୍ୱାଇଁ ଓ ଗୋପାଳ ସ୍ୱାଇଁ ଓ ଅନ୍ୟମନେ। ପୂର୍ବରୁ କନ୍ୟାକୁମାରୀ, ଓଡ଼ିଶାର ତାରାତାରିଣୀ ଭଳି ଅନେକ ମନ୍ଦିର ଗଢ଼ିଥିବା ଏହି କୁଶଳୀ କାରିଗରମାନେ ଏଠାରେ ତାଙ୍କର କଳାନିପୁଣତାର ନିଦର୍ଶନ କରିଛନ୍ତି ।

ଭକ୍ତଙ୍କ ପାଇଁ ବାଇଶି ପାହାଚ

ଏହି ଭବ୍ୟ ଶ୍ରୀରାମ ମନ୍ଦିର ତିନୋଟି ମନ୍ଦିର ବିଶିଷ୍ଟ। ମୁଖ୍ୟ ମନ୍ଦିର ୬୫ ଫୁଟ ଉଚ୍ଚ, ମୁଖଶାଳା ୪୫ ଫୁଟ୍‌ ଓ ନାଟ ମଣ୍ତପ ୩୫ ଫୁଟ ଉଚ୍ଚ ହୋଇଛି। ଏହା ସହ ମନ୍ଦିର ବେଢ଼ା ଭିତରେ ଚାରୋଟି ପାର୍ଶ୍ବ ମନ୍ଦିର ସୂର୍ଯ୍ୟ ମନ୍ଦିର, ଗଣେଶ ମନ୍ଦିର, ରାମେଶ୍ୱର ମନ୍ଦିର ଓ ହନୁମାନ ମନ୍ଦିର ମଧ୍ୟ ନିର୍ମାଣ ହୋଇଛି। ଏହି ସମସ୍ତ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ମେଘନାଦ ସଦୃଶ ପ୍ରାଚେରି ନିର୍ମାଣ ହୋଇଛି। ମନ୍ଦିର ଭିତରକୁ ଯିବା ପାଇଁ ଚାରି କଡ଼ରେ ସିଂହଦ୍ୱାର, ଅଶ୍ୱଦ୍ୱାର, ହସ୍ତିଦ୍ୱାର ଓ ବ୍ୟାଘ୍ରଦ୍ୱାର ନିର୍ମାଣ କରାଯାଇଛି। ମନ୍ଦିର ପୂର୍ବ ପଟେ ସିଂହଦ୍ୱାର ସମ୍ମୁଖରେ ବାଇଶି ପାହାଚ ଦେଇ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିବେ। ମନ୍ଦିର ପ୍ରାଙ୍ଗଣ ବଉଳମାଳା ପଥରରେ ନିର୍ମାଣ କରାଯାଇଛି।

୧୯୧୨ ମସିହାରେ ମିଳିଥିଲା ସୁଦର୍ଶନଙ୍କ ଦାରୁ

ଫତେଗଡ଼, ଗଡ଼ଜିତ ଓ କୃଷ୍ଣଚନ୍ଦ୍ରପୁର ତିନୋଟି ଗ୍ରାମକୁ ନେଇ ବୃହତ୍ ଫତେଗଡ଼ ଗ୍ରାମ ଗଠିତ। ଏହା ବର୍ତ୍ତମାନ କୁହାଯାଉଥିବା ଶ୍ରୀରାମ ପାହାଡ଼ ଯାହାକୁ ଗ୍ରାମବାସୀମାନେ ବଡ଼ ମୁଣ୍ତିଆ ବୋଲି କୁହନ୍ତି ତାହାର ପାଦ ଦେଶରେ ଅବସ୍ଥିତ। ଗ୍ରାମଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଗ୍ରାମର ଦକ୍ଷିଣ ପାର୍ଶ୍ଵରେ ଥିବା ଡୁମାଳୁଣୀ ମନ୍ଦିର, ବଧି ପୋଖରୀ ନିକଟରେ ଥିବା ଶ୍ମଶାନ ନିକଟରୁ ୧୯୧୨ ମସିହାରେ ପ୍ରଭୁ ସୁଦର୍ଶନଙ୍କ ଦାରୁ ମିଳିଥିଲା। ସେତେବେଳେ ପରାଧୀନ ଭାରତରେ ଖଣ୍ତପଡ଼ା ରାଜା ନଟବର ସିଂହ ସାମନ୍ତ ରାମଚନ୍ଦ୍ର ସିଂହ ମର୍ଦ୍ଦରାଜଙ୍କ ଶାସନ ଚାଲିଥାଏ। ଖଣ୍ତପଡ଼ା ରାଜ୍ୟର ଏହା ପୂରପଟ ସୀମାନ୍ତ ଗଡ଼ ଥିବାରୁ ଏହା ବହୁ ଗୁରୁତ୍ୱ ବହନ କରୁଥିଲା। ସେଥିପାଇଁ ଫତଗଡ଼ ଗ୍ରାମରେ ରହିଥିଲେ ଅନେକ ସରବରକାର। ସରବରକାର ଦାମୋଦର ପ୍ରଧାନ, ନନ୍ଦ ସାମନ୍ତରାୟ, ଧରମ ସୁବୁଦ୍ଧି, ଦାମ ସାମନ୍ତରାୟ, କୁଞ୍ଜ ସୁମନ୍ତ, କାଶିନାଥ ଜଗତ ସିଂହ ଦଳବେହେରା, ରାମହରି ସପ୍ସଗ୍ରାମ ସିଂହ ଭଳି ବ୍ୟକ୍ତିମାନେ ସରବରକାର ଭାବେ ଅଞ୍ଚଳ ଦାୟିତ୍ୱରେ ରହିଥିଲେ। ସେହି ସମୟରେ ସୁଦର୍ଶନଙ୍କ ଦାରୁ ଏହି ସୁନାମଧନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗ୍ରାମବାସୀମାନେ ଶଗଡ଼ ଯୋଗେ ପୁରୀ ନେଇଥିଲେ।

ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦାବି

ଶ୍ରୀରାମ ମନ୍ଦିର ନୟାଗଡ଼ ଜିଲ୍ଲାର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ପାଲଟି ସାରିଥିବା ବେଳେ ଏହାକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପ୍ରଦାନ କରାଯିବା ପାଇଁ ଫତେଗଡ଼ ଗ୍ରାମବାସୀଙ୍କ ସମେତ ଭାପୁର ବାସୀ ଦାବି କରିଛନ୍ତି। ଏହା ସହିତ ରାଜ୍ୟ ସରକାର ଏହାର ଆନୁସଙ୍ଗିକ ବିକାଶ ପାଇଁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ମନ୍ଦିରକୁ ମୁଖ୍ୟ ରାସ୍ତାଠାରୁ ନୂତନ ରାସ୍ତା ନିର୍ମାଣ କରାଯିବା ସହ ଉକ୍ତ ପାହାଡ଼କୁ ସୌନ୍ଦର୍ଯ୍ୟମୟ କରିବା ପାଇଁ ସ୍ୱତନ୍ତ୍ର ଭାବେ ସହାୟତା ଯୋଗାଇ ଦେବାକୁ ଫତେଗଡ଼ବାସୀ ଅନୁରୋଧ କରିଛନ୍ତି ।

ଦର୍ଶନ କରି ସାରିଲେଣି ୧୦ ଲକ୍ଷରୁ ଅଧିକ ଭକ୍ତ
ମନ୍ଦିର ପ୍ରତିଷ୍ଠା ପାଇଁ ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ପୂର୍ଣ୍ଣାହୁତି ଶେଷ ହୋଇଛି। ୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଅବସରରେ ୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏବେ ସୁଦ୍ଧା ୧୦ ଲକ୍ଷ ଲୋକ ଶ୍ରୀରାମଙ୍କ ଦର୍ଶନ କରି ସାରିଲେଣି। ଫତେଗଡ଼ ଶ୍ରୀରାମ ମନ୍ଦିର ଏବେ ଦର୍ଶନାର୍ଥୀଙ୍କ ପାଇଁ ଆକର୍ଷଣୀୟ ପାଲଟିଛି। ପାହାଡ଼ ଉପରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ମିନି ଅଯୋଧ୍ୟା ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ମନ୍ଦିରଟି ନୟାଗଡ଼ ଜିଲ୍ଲାର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀରେ ପାଲଟି ସାରିଥିବା ବେଳେ ଆଧ୍ୟାତ୍ମିକ ଭାବାବେଗ ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜାନା ରହିଛି ।

ସେମାନେ କୁହନ୍ତି …

ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ମର୍ଯ୍ୟଦା ପୁରୁଷ କୁହାଯାଏ। ଫତେଗଡ଼ ଗିରିଗୋବର୍ଦ୍ଧନ ପାହାଡ଼ ଉପରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ଏକ ଅନନ୍ୟ କୀର୍ତ୍ତିରାଜି ଓ ଏହା ଭଗବାନଙ୍କ ପୂର୍ବ ନିର୍ଦ୍ଧାରିତ ବୋଲି କୁହାଯାଇପାରେ। ପ୍ରଭୁ ଜଙ୍ଗଲ ପାହାଡ଼କୁ ଭଲ ପାଆନ୍ତି, ଯେହେତୁ ଏହି ପାହାଡ଼ରେ ପୂର୍ବରୁ ଗିରିଗୋବର୍ଦ୍ଧନଙ୍କୁ ପୂଜା କରାଯାଉଥିଲା ତେଣୁ ଏଠାରେ ଏପରି ଏକ ମନ୍ଦିର କଥା ଗ୍ରାମବାସୀ ପରିକଳ୍ପନା କରୁଥିଲେ। ଯାହାକୁ ବାସ୍ତବ ରୂପ ନେଇଛି। ଫତେଗଡ଼ ଶ୍ରୀରାମ ମନ୍ଦିରକୁ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ପାରିପାର୍ଶ୍ବିକ ଅବସ୍ଥା, ଚାରିପଟେ ନୀଳ ସବୁଜ ବନାନୀ ଏହାକୁ ଆକର୍ଷଣୀୟ କରିଛି। ପ୍ରଭୁଙ୍କ ଆଗମନ ଅଞ୍ଚଳରେ ଧର୍ମ ଭାବନା, ଭାଇଚାର ବୃଦ୍ଧି କରିବ। ରାମ ରାଜ୍ୟ କଥା ସବୁବେଳେ ହିନ୍ଦୁମାନେ ସ୍ୱପ୍ନ ଦେଖିଥାନ୍ତି। ବର୍ତ୍ତମାନ ଅଯୋଧ୍ୟା ସହ ଫତେଗଡ଼ରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଏକ ନୂଆ ଯୁଗ ଆରମ୍ଭର ସଙ୍କେତ ଦେଉଛି। ହିନ୍ଦୁମାନେ ବିଶେଷ କରି ଓଡ଼ିଆମାନେ ଅଧିକ ଦେବ ବିଶ୍ୱାସୀ। ଏବେ ଏହିପରି ରାମ ମନ୍ଦିର ଲୋକଙ୍କ ମଧ୍ୟରେ ଅଧିକ ରାମଭକ୍ତି ଜାଗରଣ କରିବ ବୋଲି ଆଶା କରାଯାଇପାରେ ।
ଲୋକନାଥ ଆଚାର୍ଯ୍ୟ
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଫତେଗଡ଼

ଫତେଗଡ଼ ଶ୍ରୀରାମ ପାହାଡ଼ ଉପରେ ନିର୍ମିତ ଶ୍ରୀରାମ ମନ୍ଦିର ଏକ ଅନନ୍ୟ କୀର୍ତ୍ତିରାଜି ଓ ପଥର ଦେହରେ ନିଖୁଣ କାରିଗରୀର ଉଦାହରଣ। ସମୁଦ୍ର ପତ୍ତନଠାରୁ ୧୬ ଶହ ଫୁଟ ଉଚ୍ଚରେ ନିର୍ମିତ ୬୫ ଫୁଟର ସୁଉଚ୍ଚ ମନ୍ଦିର ହୋଇଛି ଆକର୍ଷଣୀୟ। ବଉଳମାଳା ପଥରରେ ନିର୍ମିତ ଏହି ରାମ ମନ୍ଦିର ଓଡ଼ିଶାରେ ଅନନ୍ୟ। ଏହା ଅଞ୍ଚଳର ଜନସାଧାରଣଙ୍କ ଧର୍ମ ଭାବନା ଓ ଭାଇଚାରକୁ ବୃଦ୍ଧି କରିବା ସହ ଅଞ୍ଚଳର ଆର୍ଥିକ ପ୍ରଗତିର ମାଧ୍ୟମ ପାଲଟିବ। ସରକାର ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ଆର୍ଥିକ ଅନୁଦାନ ପ୍ରଦାନ କଲେ ଅନେକ ବ୍ୟକ୍ତି ବିଶେଷଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବ।
ରବୀନ୍ଦ୍ର କୁମାର ପଟ୍ଟନାୟକ
ବରିଷ୍ଠ ସାମ୍ବାଦିକ

ଫତେଗଡ଼ ଶ୍ରୀରାମ ପାହାଡ଼ ଉପରେ ନିର୍ମିତ ଶ୍ରୀରାମ ମନ୍ଦିର ଏକ ଅଲୌକିକ କୀର୍ତ୍ତି। ଏହା ସାଧାରଣତଃ କଳ୍ପନା କରାଯାଇପାରେ ମାତ୍ର ବାସ୍ତବରେ ପରିଣତ ହେବା ଏକ ଦୈବୀ ଆଶୀର୍ବାଦ। ଏଠାରେ ପୂର୍ବରୁ ଗିରିଗୋବର୍ଦ୍ଧନ ଠାକୁରଙ୍କୁ ପୂଜା କରାଯାଉଥିବାରୁ ଏହା ଅଞ୍ଚଳବାସୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଯୋଡ଼ି ହୋଇ ରହିଥିଲା। ଯାହା ବେଣୁଧର ପ୍ରଧାନଙ୍କ ଯୋଗୁଁ ବାସ୍ତବରେ ପରିଣତ ହୋଇଛି। ସୂର୍ଯ୍ୟ ବପ୍ସଶୀ , କୌଶଲ୍ୟା ନନ୍ଦନ ପ୍ରଭୁ ଶ୍ରୀରାମଙ୍କ ଗୁଣ ଗାଥା ବିଶ୍ୱ ବିଦିତ। ତାଙ୍କ ସୌମ୍ୟ ମନ୍ଦିର ନିର୍ମାଣ ହେବା ଫତେଗଡ଼ କାହିଁକି ସାରା ଜିଲ୍ଲାକୁ ଚର୍ଚ୍ଚିତ କରିଛି। ଧର୍ମ ବିନା ସଂସାର ଓ ମାନବ ସୃଷ୍ଟି ପରିକଳ୍ପନା ଅସମ୍ଭବ। ଏପରି ଏକ ଅନନ୍ୟ ମନ୍ଦିର ମାନବଜାତି ପାଇଁ ଅନେକ ମହତ୍ତ୍ଵ ରଖେ। ଏହି ମନ୍ଦିର ଅଞ୍ଚଳର ଆର୍ଥିକ ପ୍ରଗତିର ରଥ ପାଲଟିବ ବୋଲି ଆଶା କରାଯାଉଛି।
ରଘୁନାଥ ନନ୍ଦ
ବରିଷ୍ଠ ବୈଦିକ ବ୍ରାହ୍ମଣ

Leave A Reply

Your email address will not be published.