ପାରମ୍ପରିକ ଚାଷରୁ ଅଲଗା: କ୍ୟାପସିକମକୁ ନେଇ ନୂତନ ପ୍ରୟୋଗ ଆରମ୍ଭ କରିଛନ୍ତି କନ୍ଧମାଳର ଚାଷୀ
କନ୍ଧମାଳ(ସଞ୍ଜୟ ପାତ୍ର): ସାଧାରଣତଃ ଅଦା, ହଳଦୀ ଓ ପରିବା ଚାଷ ପାଇଁ କନ୍ଧମାଳ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଜିଲ୍ଲାରେ କୃଷିକୁ ନେଇ ଏବେ ଚାଲିଛି ନୂଆ ନୂଆ ପ୍ରୟୋଗ। ପୂର୍ବରୁ ଡ୍ରାଗନ ଫ୍ରୁଟ ଓ ଷ୍ଟ୍ର-ବେରୀ ଚାଷ ସଫଳତାର ସହିତ ଚାଲିଥିବା ବେଳେ ଏବେ ଖଜୁରିପଡା ବ୍ଲକର ଦଲାପଙ୍କା ଗାଁର ସୁଶାନ୍ତ କହଁର କ୍ୟାପସିକମକୁ ନେଇ ନୂତନ ପ୍ରୟୋଗ ଆରମ୍ଭ କରିଛନ୍ତି।
କନ୍ଧମାଳ ଅଞ୍ଚଳର ଚାଷୀଙ୍କ ପାଇଁ ଅପରିଚିତ କ୍ୟାପସିକମ୍ ଆଦିବାସୀ କୃଷକମାନେ ପ୍ରଥମ ଥର ପାଇଁ ଚାଷ କରୁଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକର ଦଲାପଙ୍କା ଗାଁର ସୁଶାନ୍ତ କହଁର ତାଙ୍କ ଉତ୍ପାଦିତ କ୍ୟାପସିକମ୍ ନିକଟରେ ଫୁଲବାଣୀ ବଜାରରେ ବିକ୍ରି କରିଛନ୍ତି। ସୁଶାନ୍ତଙ୍କ ପରି ଫୁଲବାଣୀ, ଫିରିଙ୍ଗିଆ ଏବଂ ଖଜୁରିପଡାର ୨୧ ଟି ପଞ୍ଚାୟତରୁ ପ୍ରାୟ ୮୦ ଜଣ କୃଷକ ପ୍ରାୟ ୧୦ ଏକର ଜମିରେ କ୍ୟାପସିକମ୍ ଚାଷ ଆରମ୍ଭ କରିଛନ୍ତି। ଏଥିପାଇଁ ତାଙ୍କୁ ଫୁଲବାଣୀ ଆଇଟିଡିଏ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ସୁଶାନ୍ତ ତାଙ୍କ ଜମିର ଏକ ଛୋଟ ପ୍ୟାଚରେ ସବୁଜ କ୍ୟାପସିକମ୍ ଚାଷ କରିଥିଲେ। ଆଇଟିଡିଏର ପରାମର୍ଶ କ୍ରମେ ମୁଁ ପରୀକ୍ଷାମୂଳକ ଭିତ୍ତିରେ କ୍ୟାପ୍ସିକମ୍ ଚାଷ ଆରମ୍ଭ କରିଛି ବୋଲି କହିଛନ୍ତି ସୁଶାନ୍ତ । ମୁଁ ଏପର୍ଯ୍ୟନ୍ତ ୧୦ କିଲୋଗ୍ରାମରୁ ଅଧିକ କ୍ୟାପସିକମ୍ ଉତ୍ପାଦନ କରିଥିବାରୁ ଖୁସି ଅଛି ବୋଲି ସେ ପ୍ରକାଶ କରିଛନ୍ତି। ଫୁଲକୋବି କିମ୍ୱା କୋବି ଅପେକ୍ଷା କ୍ୟାପସିକମ୍ରୁ ଆମେ ଅଧିକ ଲାଭ ପାଇବୁ ବୋଲି ତାଙ୍କ ଭଳି ଅନେକ କୃଷକ କହିଛନ୍ତି।
ପରିବା ଚାଷ ଅପେକ୍ଷା ଏଭଳି ବିକଳ୍ପ କୃଷିରେ ଅଧିକ ଲାଭ ଏବଂ ଚାହିଦା ମଧ୍ୟ ଥିବା ଉପଲବ୍ଧି କରି କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ ଅଧିକାରୀମାନଙ୍କୁ କ୍ୟାପସିକମ୍ ଚାଷ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପ୍ରକଳ୍ପ ମ୍ୟାନେଜର ପି ମୂରଲୀ ମୋହନ। ଏଥିପାଇଁ ମନୋନୀତ ୮୦ ଜଣ କୃଷକ ପ୍ରଥମେ ଅନିଚ୍ଛା ପ୍ରକାଶ କରିଥିଲେ ବି ପରବର୍ତ୍ତୀ ସମୟରେ ସେମାନେ ରାଜି ହୋଇଥିଲେ ବୋଲି କହିଛନ୍ତି ଶ୍ରୀ ମୂରଲୀ ମୋହନ। ଆଇଟିଡିଏ ପକ୍ଷରୁ କୃଷକମାନଙ୍କୁ ମଞ୍ଜି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି। ଯଦି ଅନ୍ୟ କୃଷକମାନେ କ୍ୟାପସିକମ୍ ଚାଷ କରିବାକୁ ଆଗ୍ରହ ଦେଖାନ୍ତି, ତେବେ ଆଇଟିଡିଏ ପରବର୍ତ୍ତୀ ସମୟରେ ଏହାର ପରିସର ବୃଦ୍ଧି କରାଯିବ ବୋଲି କୁହାଯାଇଛି।