ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ପ୍ରକାର ଲୁକ୍‌ରେ ପୁରୁଣା ଗାଡ଼ି, ଏଭଳି ଏକ ନିଆରା ଋଚି ପ୍ରତି ଆଜି ଯୁବପିଢ଼ି ଆକର୍ଷିତ

ସକାଳ ବ୍ୟୁରୋ: ନୂଆ ପ୍ରକାର ଲୁକ୍‌ରେ ପୁରୁଣା ଗାଡ଼ି। ଏଭଳି ଏକ ନିଆରା ଋଚି ପ୍ରତି ଆଜି ଯୁବପିଢ଼ି ଆକର୍ଷିତ। ଏଥିପାଇଁ ଯେତିକି ଆଗ୍ରହ ବଢ଼ୁଛି ସେହି ଅନୁଯାୟୀ ଅଧିକ ଖର୍ଚ୍ଚ କରିବା ପାଇଁ ମଧ୍ୟ ଆଜିର ଯୁବଗୋଷ୍ଠୀ ପସନ୍ଦ କରୁଛନ୍ତି। କେବଳ ସହରାଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ନୁହେଁ; ଗ୍ରାମାଞ୍ଚଳ ଯୁବକମାନେ ମଧ୍ୟ ଏଭଳି ଧାରାକୁ ଆପଣେଇ ନେଉଛନ୍ତି। ନିଜ ପୁରୁଣା କାର୍ ଓ ବାଇକ୍କୁ ନୂଆ ରୂପ ଦେଇ ବଜାରକୁ ଆସୁଛନ୍ତି ଆଉ ନେଉଛନ୍ତି ନିଆରା ପ୍ରଶଂସା। ବିଶେଷକରି ସୁପର୍ କାର୍ ଓ ସ୍ପୋର୍ଟସ୍ ବାଇକ୍ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଛି। ତେବେ ଫେଶନେବୁଲ କାର୍ ଓ ବାଇକ୍ରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏବେ ବିକଳ୍ପ ସାଜିଛି କାର୍ ଓ ବାଇକ୍ ଷ୍ଟୁଡିଓ। ଏହାଦ୍ବାରା ଲୋକଙ୍କୁ ଦାମୀ ଗାଡ଼ି କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁନାହିଁ। ବରଂ କମ୍ ଟଙ୍କାରେ ପୁରୁଣା ଗାଡ଼ିକୁ ଗ୍ରାହକଙ୍କ ମନ ମୁତାବକ ଡିଜାଇନ୍, ଥିମ୍, ଆଖିଦୃଶିଆ କଲର୍ ଓ ବଡିପାର୍ଟସ୍‌ ଦିଆଯାଇ ଏହାକୁ ବେଶ୍ ଦାମୀ ଡିଜାଇନର୍ ଗାଡ଼ି କରି ଦିଆଯାଉଛି। ଏମିତି କି ଶିଳ୍ପୀ ହାତର ପରଶ ପାଇ ପୁରୁଣା ଭିନ୍ଟେଜ୍ କାର୍ ପାଲଟୁଛି ଏବେ ଟ୍ରେଣ୍ଡ୍ ସେଟର୍। ଭଙ୍ଗା ଦଦରା ବାଇକ୍ ପାଲଟୁଛି ସୁପର୍ ବାଇକ୍।

ଏବେ କେବଳ ରାଜଧାନୀ ନୁହେଁ ରାଜ୍ୟର ଛୋଟମୋଟ ସହରରେ ମଧ୍ୟ କାର୍ ଓ ବାଇକ୍ ଷ୍ଟୁଡିଓମାନ ଗଢ଼ିଉଠିଛି। ଶୋ’ ରୁମ୍‌କୁ ଆସିଥିବା ଚକାଚକ୍ ନୂଆ ଗାଡ଼ିକୁ ନୂଆରୂପ ଦେବା ପାଇଁ ବାଇକ୍ ଷ୍ଟୁଡିଓଗୁଡ଼ିକରେ ନିଜ ମନପସନ୍ଦର ଚିତ୍ର ଆଙ୍କି ଦିଆଯାଉଛି। କେବଳ ପୁରୁଣା ଗାଡ଼ି ନୁହେଁ, ଶୋ’ ରୁମ୍‌କୁ ଆସିଥିବା ଚକାଚକ୍ ନୂଆ ଗାଡ଼ିରେ ନିଜ ମନପସନ୍ଦର ଚିତ୍ର ଆଙ୍କି ଦିଆଯାଉଛି ଏକ ଭିନ୍ନ ଲୁକ୍। ସେ ପୁରୁଣା କାଳିଆ ପ୍ରିମିୟର୍ ପଦ୍ମିନୀ ହେଉ ଅବା ଆମ୍ବାସଡ଼ର୍, ଚିତ୍ରଆଙ୍କି ଭିନ୍ନ ଡିଜାଇନ୍ କାର୍‌ର ରୂପ ଦିଆଯାଉଛି। ବିଭିନ୍ନ ଥିମ୍‌କୁ ନେଇ ଏବେ ବାଇକ୍ ଓ କାର୍ରେ ପେଣ୍ଟିଂ କରାଯାଉଛି। କେତେବେଳେ ପାରମ୍ପରିକ କଳା ସଂସ୍କୃତିକୁ ନେଇ ତ ଆଉ କେତେବେଳେ ପଟ୍ଟଚିତ୍ର ଡିଜାଇନ୍ ବି ଗାଡ଼ିରେ ଅଙ୍କାଯାଉଛି। ବିଶେଷକରି ଡେଭିଲ୍, ଖପୁରୀ, ଡ୍ରାଗନ୍ର ଚିତ୍ର ଆଙ୍କିବାକୁ ପସନ୍ଦ କରୁଛନ୍ତି। ଏମିତିକି କେବଳ କାର୍ କି ବାଇକ୍ ନୁହେଁ, ଏବେ ହେଲମେଟ୍‌ରେ ବି ଏଭଳି ଡିଜାଇନ୍ କରାଯାଉଛି। ଯାହାକି ଅନ୍ୟମାନଙ୍କୁ ଆକୃଷ୍ଟ କରିବା ସହ ଏକ ନୂଆ ଲୁକ୍ ଦେଉଛି। ବାଇକ୍ ପ୍ରେମୀଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳୁଛି। ନିଜ ଗାଡ଼ିକୁ ଟିକେ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ସେଥିରେ କିଛି ଡିଜାଇନ୍ କରାଯାଉଛି। ବାଇକ୍ ବ୍ୟତୀତ ହେଲମେଟ୍‌ରେ ବି ବିଭିନ୍ନ ପ୍ରକାରର କଥା ଲେଖୁଛନ୍ତି। ବାଇକ୍ ଓ କାର୍ ସଉକ ଥିବା ଲୋକଙ୍କ ମଧ୍ୟରେ ଏହା ଅଧିକ ଦେଖିବାକୁ ମିଳୁଛି। ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ଗ୍ୟାରେଜ୍‌ରେ ବି ପେଣ୍ଟିଂ କାମ କରାଯାଉଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭଳି କି ଭଳି ଚିତ୍ର ଆଙ୍କି ଗାଡ଼ିକୁ ନୂଆ ଲୁକ୍ ଦିଆଯାଉଛି। ଗତ ୨-୩ ବର୍ଷ ହେବ ରାଜଧାନୀରେ ଏଭଳି ଧାରା ଦେଖିବାକୁ ମିଳୁଛି। ଏମିତିକି ଯୁବପିଢ଼ିଙ୍କ ମଧ୍ୟରେ କାର୍ ଓ ବାଇକ୍ ପେଣ୍ଟିଂକୁ ନେଇ ଏକ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଗଲାଣି। କେବଳ ପେଣ୍ଟିଂ ନୁହେଁ ଗାଡ଼ିରେ ଆକର୍ଷଣୀୟ ଲାଇଟ୍ ଲଗାଯାଇ ଭିନ୍ନ ଲୁକ୍ ଦିଆଯାଉଛି। ରାସ୍ତାରେ ଯାଉଥିବା ଏହି ଡିଜାଇନ୍‌ର ଗାଡ଼ି ସବୁକୁ ଦେଖିଲେ ଆଖି ଲାଖିଯାଉଛି। ସେହିପରି ଗାଡ଼ିର ଚକ ଠାରୁ ଆରମ୍ଭ କରି ଇଣ୍ଟେରିୟର୍ ପାର୍ଟକୁ ମଧ୍ୟ ବଦଳାଯାଇ କ୍ଲାସିକ୍ ଲୁକ୍ ଦିଆଯାଉଛି।

ଆଜି ଦିନରେ ବଜାରରେ ବିକ୍ରି ହେଉଥିବା ହିରୋହୋଣ୍ଡା ସ୍ପ୍ଲେଣ୍ଡର ହେଉ ଅବା ପୁରୁଣାକାଳିଆ ୟାମାହା ଓ ବଜାଜ୍ କ୍ୟାଲିବର୍। ସେଗୁଡ଼ିକର ରୂପ ଓ ରଙ୍ଗ ସମ୍ପୂର୍ଣ୍ଣଭାବେ ବଦଳିଯାଉଛି। ଭଙ୍ଗା, ରଦିଆ ବାଇକ୍ ଓ କାର୍‌କୁ କରାଯାଉଛି ମଡେଲିଂ। ପୁରୁଣା ଗାଡ଼ିକୁ କେଜିଏଫ୍, ବବର୍, ଚୋପର୍, ଇଣ୍ଡିଆନ୍ ମୋଟରସାଇକଲ୍ ଓ ମୋଡିଫାଏଡ୍ ବୁଲେଟ୍‌ର ରୂପ ଦିଆଯାଉଛି। ରାଜଧାନୀର ‘ଗଙ୍ଗା ନେକ୍ଟ୍ ଲେବୁଲ ମୋଡିଫାଏର୍’ ଗ୍ୟାରେଜ୍ ଗ୍ରାହକମାନଙ୍କୁ ଏଭଳି ସୁବିଧା ଯୋଗାଇ ଦେଇଆସୁଛି। ୨୦୦୪ ମସିହାରୁ ଚନ୍ଦ୍ରଶେଖରପୁରରେ ଗଙ୍ଗା ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କାର୍ ଓ ବାଇକ୍ ମଡେଲିଂ ଗ୍ୟାରେଜ୍‌ରେ ପ୍ରତିଦିନ ଦୂରଦୂରାନ୍ତରୁ ଲୋକଙ୍କ ଧାଡ଼ି ଲାଗୁଛି। ନିଜର ଭଙ୍ଗା ଦଦରା ଓ ନଷ୍ଟ ହୋଇଯାଇଥିବା ଗାଡ଼ିକୁ ଲୋକେ ଆଣି ମଡେଲିଂ ପାଇଁ ଦିଅନ୍ତି। ଗ୍ରାହକଙ୍କ ଚାହିଦା ଅନୁଯାୟୀ, କେତେବେଳେ କେଜିଏଫ୍ ତ ଆଉ କେତେବେଳେ ଷ୍ଟଣ୍ଟ୍ ବାଇକ୍‌ର ରୂପ ଦେଇ ସେ ଏହା ଗ୍ରାହକଙ୍କୁ ଦେଉଛନ୍ତି। ଗାଡ଼ିର ରଙ୍ଗ, ଚକ, ହ୍ୟାଣ୍ଡଲ, ଷ୍ଟିଅରିଂଠାରୁ ଆରମ୍ଭ କରି ସବୁକିଛିକୁ ବଦଳାଇ ଦିଆଯାଉଛି। କେଉଁଠି ମୋଟା ଚକ ତ ଆଉ କେଉଁଠି ୩୩୦ ନମ୍ବରର ଟାୟାର ଲଗାଯାଇ ଭିନ୍ନ ରୂପ ଦିଆଯାଉଛି। ହାତ ତିଆରି ଟାଙ୍କି, ଫିଲ୍ଟର୍, ଲାଇଟ୍ ଆଦି ଲଗାଯାଉଛି। ସେହିପରି କାର୍ରେ ସେରାମିକ୍ ପେଣ୍ଟିଂ କରାଯାଇ ଷ୍ଟାଇଲିସ୍ ଲୁକ୍ ଦିଆଯାଉଛି। ଏହିସବୁ ଗାଡ଼ି ଡିଜାଇନିଂ ପାଇଁ ୩୫ ହଜାରରୁ ଆରମ୍ଭ କରି ସାଢ଼େ ୩ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏସମ୍ପର୍କରେ ଗଙ୍ଗା କୁହନ୍ତି, ପୁରୁଣା ଗାଡ଼ି ଡିଜାଇନିଂ କରିବା ଆଗରୁ ପ୍ରଥମେ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯାଉଛି। ଆର୍ଟିଓର ପରାମର୍ଶ ପତ୍ର ଦେଖିବାପରେ, ବିଭିନ୍ନ ଦରକାରୀ କାଗଜପତ୍ର ଦେଖିବାପରେ ଏସବୁ କରାଯାଉଛି।

ଗାଡ଼ିଗୁଡ଼ିକ କଲର୍ କଷ୍ଟମାଇଜ୍ ହେଉଛି। ବିଶେଷକରି ଥିମ୍ ଅନୁସାରେ ପେଣ୍ଟିଂ କରାଯାଉଛି ବୋଲି କୁହନ୍ତି ଭୁବନେଶ୍ବର ପଟିଆସ୍ଥିତ ଏକ ଗ୍ୟାରେଜ୍‌ର ମାଲିକ ଅବିନାଶ ମିଶ୍ର। ଏମିତିକି କେବଳ ଗାଡିର ବାହାର ଲୁକ୍‌କୁ ବଦଳାଯାଉନି, ଗାଡ଼ିର ଭିତର ପାର୍ଶ୍ବକୁ ବିଭିନ୍ନ ରଙ୍ଗରେ ନୂଆରୂପ ଦିଆଯାଉଛି। ରଙ୍ଗ ଛାଡ଼ି ଯାଇଥିବା ଗାଡ଼ି ହେଉ ଅବା ନୂଆ ଗାଡ଼ି; ଲୋକଙ୍କ କହିବା ମୁତାବକ ସେଗୁଡ଼ିକୁ କଷ୍ଟମାଇଜ୍ କରାଯାଉଛି। ବିଶେଷକରି କାର୍ ଓ ବାଇକ୍‌ରେ ହାଇଡ୍ରୋଡିପିଙ୍ଗ୍, ହ୍ୟାଣ୍ଡ ପେଣ୍ଟେଡ୍, କ୍ରିଷ୍ଟାଲ ପେଣ୍ଟ୍ କରାଯାଉଛି। ଆଗରୁ କରାଯାଉଥିବା ଷ୍ଟିକରିଂ ପରିବର୍ତ୍ତେ ଲୋକେ ଏବେ କଷ୍ଟୋମାଇଜ୍ ପେଣ୍ଟ୍ କରିବାକୁ ପସନ୍ଦ କରୁଛନ୍ତି। ଏହାସହିତ ଗାଡ଼ିର ଲାଇଟ୍ ମଧ୍ୟ ଡିଜାଇନ୍ କରାଯାଉଛି। ଏଇଡି ଲାଇଟ୍ ସାଙ୍ଗକୁ ଆସେସୋରିଜ୍ ଲାଇଟ୍ ମଧ୍ୟ ଖଞ୍ଜା ଯାଇ ମଡେଲିଂ କରାଯାଉଛି। ପୁରୁଣା କାର୍ ହେଉ ଅବା ବାଇକ୍‌କୁ ନୂଆ ମଡେଲରେ ନୂଆ ଲୁକ୍ ଦିଆଯାଉଛି। ଗାଡ଼ିର ରଙ୍ଗ ବଦଳାଇବା ହେଉ ଅବା ମଡେଲିଂ ପାଇଁ ଆର୍ଟିଓର ଅନୁମତି ଅଣାଯିବା ପରେ କରାଯାଉଛି। ଏହାସହିତ ରଙ୍ଗ ବଦଳାଇବା ଓ ଚିତ୍ର ଆଙ୍କିବା ପରେ ‘କଲର୍ ଚେଞ୍ଜ୍’ର ସାର୍ଟିଫିକେଟ୍ ଦିଆଯାଉଛି ବୋଲି ଅବିନାଶ କହିଛନ୍ତି। ଏଥିପାଇଁ ୩ହଜାରରୁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଛି।

କାର୍ ହେଉ ଅବା ବାଇକ୍; ସେଗୁଡ଼ିକ ସବୁଦିନ ପାଇଁ ଚକାଚକ୍ ରଖିବା ପାଇଁ ସମସ୍ତେ ଚାହାଁନ୍ତି। କିନ୍ତୁ ନୂଆଗାଡ଼ି ଭଳି ଚକାଚକ୍ ରଖିବା ସହଜ କି ସମ୍ଭବ ନୁହେଁ। ରାସ୍ତାଘାଟର ବାଲିଧୂଳିରେ ବି ଗାଡ଼ିକୁ ଚକାଚକ୍ ରଖିବା ପାଇଁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏବେ ବିଭିନ୍ନ ଆଡଭାନ୍ସ ପ୍ରଣାଳୀ ଉପଲବ୍ଧ ହେଉଛି। ସେଥିରେ ଷ୍ଟିମ୍ ୱାସ୍, ସେରାମିକ୍ ୱାସ୍ ଆଦି କରାଯାଉଛି। ଗାଡ଼ିର ରଙ୍ଗକୁ ଛାଡ଼ିବାକୁ ଦିଆ ନ ଯାଇ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସେରାମିକ୍ କୋଟିଙ୍ଗ, କ୍ଲାରିଟି ପେଣ୍ଟିଙ୍ଗ, ପଲିସିଂ ଆଦି କରାଯାଉଛି। ରାଜଧାନୀର ବିଭିନ୍ନ କାର୍ ବାଇକ୍ ଷ୍ଟୁଡ଼ିଓରେ ଲୋକଙ୍କ ପସନ୍ଦ ଅନୁଯାୟୀ ରଙ୍ଗ କରାଯିବା ସହ ଗାଡ଼ିକୁ ପଲିସିଂ କରାଯାଉଛି। ଗାଡ଼ିର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପଦ୍ଧତି ବା କୌଶଳରେ ଗାଡ଼ିର ଯତ୍ନ ନିଆଯାଉଛି। ଏହାସହିତ ସ୍ପ୍ରେ କରାଯାଇ କଷ୍ଟମ୍ ଡିଜାଇନ୍ ଓ କଷ୍ଟମ୍ କଲରିଂ କରାଯାଉଛି। ପାହାଳ ନିକଟରେ ଥିବା ‘ଦ ଡିଟେଲିଂ ମାଫିଆ’ କାର୍ ଓ ବାଇକ୍ ଷ୍ଟୁଡ଼ିଓରେ ଏହିସବୁ ସୁବିଧା ଦିଆଯାଉଛି।

ଗାଡ଼ିର ଚକା, ଟାଙ୍କି, ଟାୟାର, ସିଟ୍ ଏବଂ ସାଇଲେନ୍ସର ସାଙ୍ଗକୁ ଗାଡ଼ିର ରଙ୍ଗ ଓ ରୂପକୁ ବଦଳାଯାଉଛି। ୧୯୮୮ ଏମ୍ଭିଆଇ ଆକ୍ଟ ଅନୁସାରେ ବେଆଇନ ଭାବେ ଏହା ବଦଳା ଯାଇପାରିବ ନାହିଁ। ଏଥିପାଇଁ ଆର୍ଟିଓଙ୍କ ନିକଟରୁ ଅନୁମତି ଆଣିବାକୁ ହେବ। ବେଆଇନ ଭାବେ ଏହାକୁ କାର୍ଯ୍ୟକାରୀ କଲେ ଗାଡ଼ି ଜବତ ହେବା ସହ ୫ହଜାର ଟଙ୍କା ଜରିମାନା ଗଣିବାର ନିୟମ ମଧ୍ୟ ରହିଛି। ଗାଡ଼ି କିଣିବା ସମୟରେ ଆର୍ସି ବୁକ୍‌ରେ ଗାଡ଼ିର ରଙ୍ଗ, ଓଜନ ଓ କେଉଁ ଗାଡି, ତାହାର ତଥ୍ୟ ରହିଛି। ମାତ୍ର ମୋଡ଼ିଫିକେସନ୍ ଦ୍ୱାରା ତାହା ଜଣାପଡୁନାହିଁ। ଏ ନେଇ ମୋଡିଫିକେସନ୍ କରୁଥିବା ମାଲିକମାନେ କୁହନ୍ତି ଆମେ ଗୁରୁତର ଭାବେ ସେଭଳି କିଛି ପରିବର୍ତ୍ତନ କରୁନାହୁଁ। ଆମେ ରଙ୍ଗ ପରିବର୍ତ୍ତନକୁ ଗୁରୁତ୍ବ ଦେଉଛି।

Leave A Reply

Your email address will not be published.