ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ’ଣ ଏହି ବ୍ଲାକ୍‌ ବକ୍ସ? ଯାହା କରିବ ନେପାଳ ଭୟଙ୍କର ବିମାନ ଦୁର୍ଘଟଣାର ପର୍ଦାଫାଶ

କାଠମାଣ୍ଡୁ : ନେପାଳର ପୋଖରା ବିମାନ ବନ୍ଦର ନିକଟରେ ଗତକାଲି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବାରୁ ଏଥିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ସମେତ ୭୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଭାରତୀୟଙ୍କ ସମେତ ବହୁ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। କାଠମାଣ୍ଡୁରୁ ପୋଖରା ଯାଉଥିବା ୟେତି ଫ୍ଳାଇଟ୍‌ ଏଟିଆର-୭୨ ଅବତରଣ କରିବାର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଥିଲା। ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ବେଳେ ଅଧିକାଂଶ ଯାତ୍ରୀ ମଧ୍ୟ ପୋଡି ହୋଇଯାଇଛନ୍ତି।

ତେବେ ବିମାନଟି କଣ ପାଇଁ ଦୁର୍ଘଟଣାଗ୍ରସ୍ତ ହେଲା। କଣ ରହିଛି ଏହାର କାରଣ। ଖରାପ ପାଗ, ନାଁ ବିମାନର ଯାନ୍ତ୍ରିକ ତ୍ରୁଟି କଣ ହୋଇପାରେ ଏହାର କାରଣ। ଏପରି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଆଜି ଆକାଳୁ ଉଦ୍ଧାର କାର୍ଯ୍ୟ ସମୟରେ ବିମାନଟିର ଦୁଇଟି ବ୍ଲାକ୍‌ ବକ୍ସ ମିଳିଛି। ଏହି ବ୍ଲାକ୍‌ ବକ୍ସ ହିଁ ବିମାନଟିର ଦୁର୍ଘଟଣାର ରହସ୍ୟ ଖୋଲିବ।

କାଲି ଦୁର୍ଘଟଣାପରେ ସର୍ଚ୍ଚ ଅପରେସନରେ କେବଳ ୬୮ ଜଣଙ୍କ ମୃତଦେହ ମିଳିଥିଲା। ବାକି ୪ ଜଣଙ୍କୁ ଠାବ କରିବା ପାଇଁ ଆଜି ସକାଳୁ ପୁଣି ଅଭିଯାନ ଆରମ୍ଭ କରାଯିବା ସମୟରେ ଘଟଣାସ୍ଥଳରୁ ବ୍ଲାକବକ୍ସ ମିଳିଥିବା କାଠମାଣ୍ଡୁ ଏୟାରପୋର୍ଟର ଅଧିକାରୀ ଶେର ବାହାଦୂର ଠାକୁର କହିଛନ୍ତି। ଦୁଇ ଇଞ୍ଜିନ ବିଶିଷ୍ଟ ଏଟିଆର ୭୨ ବିମାନଟି କାଠମାଣ୍ଡୁରୁ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପୋଖରା ଯାଉଥିଲା। ୧୦.୩୩ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ୧୧ଟାରେ ପୋଖରାରେ ଅବତରଣ କରିଥାଆନ୍ତା। କିନ୍ତୁ ଲ୍ୟାଣ୍ଡିଂର ୧୦ ସେକେଣ୍ଡ ପୂର୍ବରୁ ଏହା ନିୟନ୍ତ୍ରଣ ହରାଇ ନଦୀ କୂଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା।

ତେବେ ଆପଣଙ୍କ ମନରେ ଏହି ବ୍ଲାକ୍‌ ବକ୍ସକୁ ନେଇ ପ୍ରଶ୍ନ ଉଠୁଥିବ। ପ୍ରଶ୍ନ ଉଠିବା ବି ସ୍ବଭାବିକ, କାରଣ ଏତେ ଭୟଙ୍କର ବିମାନ ଦୁର୍ଘଟଣାରେ ବିମାନଟି ପୋଡି ଯାଇଥିବା ବେଳେ ଏହି ବ୍ଲାକ୍‌ ବକ୍ସ କିପରି ସୁରକ୍ଷିତ ରହିଛି। ଆଉ ଏହା କିପରି ବିମାନ ଦୁର୍ଘଟଣାର ରହସ୍ୟ ଖୋଲିବ। ତେବେ ଆସନ୍ତୁ ଜାଣିବା ……

‘ବ୍ଲାକ ବକ୍ସ’ କ’ଣ?

ବହୁତ କମ୍ ଲୋକ ଜାଣିଥିବେ ଯେ ଏହି  ‘ବ୍ଲାକ ବକ୍ସ’ କ’ଣ? ଏହି ବ୍ଲାକ୍ ବକ୍ସ ରଙ୍ଗରେ କଳା ନୁହେଁ, କିମ୍ବା ଆକୃତିର ବାକ୍ସ ପରି ମଧ୍ୟ ନୁହେଁ। କମଳା ରଙ୍ଗର ଏହି ଉପକରଣ ହୋଇଥିଲେ ମଧ୍ୟ ଏହାକୁ ବ୍ଲାକ ବକ୍ସ କୁହାଯାଏ। ବାସ୍ତବରେ, ଏହା ପଛରେ ଅନେକ ରୋଚକ କାରଣ ଲୁଚି ରହିଛି। ଐତିହାସିକ ମାନେ କୁହନ୍ତି ୧୯୫୦ ମସିହାରେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡେଭିଡ ୱାରେନଲ୍‌ ଏହାର ଉଦ୍ଭାବନ କହିଥିଲେ। ବିମାନ କଣ ପାଇଁ ଦୁର୍ଘଟଣା ହୁଏ ତାହା ଜାଣିବା ଏବଂ ଆଗକୁ କିପରି ବିମାନ ଦୁର୍ଘଟଣା ରୋକାଯିବ ତାହା ଜାଣିବା ପାଇଁ ‘ବ୍ଲାକ ବକ୍ସ’ କୁ ସମସ୍ତ ବିମାନରେ ଲଗାଯାଏ। ଏହା ସମସ୍ତ ବ୍ୟବସାୟିକ ବିମାନ ଏବଂ ସଶସ୍ତ୍ର ବାହିନୀ ପାଇଁ ବାଧ୍ୟତାମୂଳକ ଅଟେ।

ଏହାର ମୁଖ୍ୟ କାମ ହେଲା ଡିଭାଇସ୍ ଫିକ୍ସିଂ କରିବା, ଯାହା ଦ୍ବାରା ବିମାନ ଇଞ୍ଜିନ ସମସ୍ତ ତଥ୍ୟ ଜଣାପଡିବ। ବିମାନରେ କଣ ଘଟୁଛି ସେ ସବୁର ରେକର୍ଡିଂ। ଯାହା ଦ୍ବାରା ଦୁର୍ଘଟଣା ସମୟରେ ବିମାନର ଯାତ୍ରୀମାନେ କଣ କଥା ହେଉଥିଲେ ସେ ସବୁ ରେକଡିଂ କରାଯାଇପାରିବ। ଅଣ୍ଡର ୱାଟର ଲୋକେଟର। ଯାହା ଦ୍ବାରା ବିମାନଟି କ୍ରାସ ପରେ ସମୁଦ୍ରରେ ପଡିଲେ ମଧ୍ୟ ବ୍ଲାକ ବକ୍ସକୁ ଲୋକେଟ କରାଯାଇ ପାରିବ।  ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଟାଇଟାନିୟମରେ ନିର୍ମିତ କୋର୍ ହାଉସିଂ। ଯାହା ଦ୍ବାରା କ୍ରାସ୍ ହେଲେ ଏହାର ମେମୋରୀ ୟୁନିଟ୍ ଖରାପ ହୋଇନଥାଏ। ବ୍ଲାକ୍ ବକ୍ସର ଦୁଇଟି ରେକର୍ଡର୍ ଅଛି। ଗୋଟିଏ ପାଇଲଟ୍ ଭଏସ୍ କିମ୍ବା କକ୍ପିଟ୍ ଧ୍ୱନି ପାଇଁ ଏକ କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ।

ଫ୍ଲାଇଟ୍ ଡାଟା ରେକର୍ଡର୍

ବାସ୍ତବରେ ‘ବ୍ଲାକ ବକ୍ସ’ ବିମାନର ରେକର୍ଡର୍ ପରି କାମ କରେ।ବ୍ଲାକ୍ ବକ୍ସର ଓଜନ ପ୍ରାୟ ୧୦ ପାଉଣ୍ଡ (୪.୫ କିଲୋ)। ଏହା ବିମାନ ବିଷୟରେ ସମସ୍ତ ସୂଚନା ରଖେ । ଯେକୌଣସି ବିମାନରେ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ଅତି ନିକଟରୁ ରେକର୍ଡ କରିବା ପାଇଁ ଏହା ଏକ ଉପକରଣ । ବିମାନଟି କେଉଁ ଦିଗରେ ଉଡୁଛି ,କେତେ ଉଚ୍ଚତାରେ ଉଡୁଛି , ଇନ୍ଧନ କେତେ ଅଛି, ବିମାନଟି କେତେ ସ୍ପିଡ୍‌ରେ ଉଡୁଛି, କ୍ୟାବିନର ତାପମାତ୍ରା କଣ ରହିଛି।

ଏପରି ୮୮ ପ୍ରକାରର ତଥ୍ୟ ବ୍ଲାକ ବକ୍ସ ରେକର୍ଡ କରିଥାଏ। ବ୍ଲାକ ବକ୍ସରେ ବିମାନଟିର ୨୫ ଘଣ୍ଟାରୁ ଅଧିକ ରେକର୍ଡ ହୋଇଥିବା ତଥ୍ୟ ସଂଗ୍ରହ ହୋଇ ଥାଏ। ବ୍ଲାକ ବକ୍ସ 11000 ° C ର ତାପମାତ୍ରାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ସହ୍ୟ କରିପାରିବ ଏବଂ ଭିତରର ଉପକରଣ ୧୦ ଘଣ୍ଟା ପର୍ଯ୍ୟନ୍ତ 260 ° C ର ତାପମାତ୍ରାକୁ ସହ୍ୟ କରିପାରିବ ।  ଏହା ବିମାନର ପଛ ଭାଗରେ ଫିଟ୍ ହୋଇଥାଏ । ବିମାନ ଦୁର୍ଘଟଣା ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ। କାରଣ ଏହା ଟାଇଟାନିୟମ୍ ରେ ତିଆରି ଯାହାକି ଏକ ଶକ୍ତିଶାଳୀ ଧାତୁ ଭାବରେ ପରିଗଣିତ । ବ୍ଲାକ ବକ୍ସକୁ ଟାଇଟାନିୟମ୍ ରେ ସିଲ୍ କରାଯାଏ । ଏହି କାରଣରୁ ଯେତେ ଉଚ୍ଚରୁ ଖସିଲେ କି ପାଣିରେ ପଡିଲେ ମଧ୍ୟ  ଏହା କ୍ଷତିଗ୍ରସ୍ତ ହୁଏ ନାହିଁ ।

କକ୍ପିଟ୍ ଭଏସ୍ ରେକର୍ଡର୍

ବ୍ଲାକ୍ ବକ୍ସରେ ଲାଗିଥିବା ଏହି ରେକର୍ଡର୍ ଉଡ଼ାଣର ୨ ଘଣ୍ଟା ପର୍ଯ୍ୟନ୍ତ ଶବ୍ଦକୁ ରେକର୍ଡ କରେ । ଏହା ଇଞ୍ଜିନର ଶବ୍ଦ, ଜରୁରୀକାଳୀନ ଆଲାର୍ମର ଶବ୍ଦ, କ୍ୟାବିନର ଶବ୍ଦ ଏବଂ କକ୍ପିଟ୍ ର ଶବ୍ଦ ଏବଂ ଫ୍ଲାଇଟ୍ କଣ୍ଟ୍ରୋଲ୍ ମଧ୍ୟରେ ବାର୍ତ୍ତାଳାପକୁ ରେକର୍ଡ କରିଥାଏ । ଯାହାଫଳରେ ଦୁର୍ଘଟଣା ପୂର୍ବରୁ ବିମାନର ପରିବେଶ କ’ଣ ତାହା ଜଣା ପଡିପାରେ।

ବ୍ଲାକ୍ ବକ୍ସ କିପରି ମିଳିବ

ବ୍ଲାକ୍ ବକ୍ସ ୩୦ ଦିନ ବିଦ୍ୟୁତ୍ ବିନା କାମ କରିପାରିବ । ଯେତେବେଳେ ଦୁର୍ଘଟଣା ପରେ ଏହା ବିମାନରୁ ବିଚ୍ଛିନ୍ନ ହୁଏ ଏହା ପ୍ରତି ସେକେଣ୍ଡରେ ଏକ ବିପ୍ ସାଉଣ୍ଡ / ତରଙ୍ଗ ନିର୍ଗତ କରେ । ଏହି ତରଙ୍ଗ ୩୦ ଦିନ ପର୍ଯ୍ୟନ୍ତ ରହିଥାଏ। ଯାହାକି ସର୍ଚ୍ଚ ଦଳଗୁଡିକ ୨ ରୁ ୩ କିଲୋମିଟର ବ୍ୟାସାର୍ଦ୍ଧରେ ସହଜରେ ପାଇପାରିବେ । ଏହା ୧୫୦୦୦ ଫୁଟ ଗଭୀର ସମୁଦ୍ରରୁ ମଧ୍ୟ ତରଙ୍ଗ ପଠାଇବାରେ ସମର୍ଥ।

Leave A Reply

Your email address will not be published.