ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆପଣଙ୍କ ଦେହରେ ଧଳା ଛଉ ଦେଖାଯାଉଛି କି ? ତେବେ ଜାଣନ୍ତୁ ଏହି ରୋଗର କାରଣ ଏବଂ ଚିକିତ୍ସା ପଦ୍ଧତି ବିଷୟରେ…

ଭିଟିଲିଗୋ ବା ଶ୍ବେତୀ ଏକ ତ୍ବଚାଜନିତ ରୋଗ। ଏହା ଦ୍ବାରା ଶରୀରରେ ଧଳା ଧଳା ଦାଗ ସୃଷ୍ଟି ହୋଇଥାଏ। ଅନେକେ ଏଭଳି ରୋଗୀଙ୍କୁ ହୀନଦୃଷ୍ଟିରେ ଦେଖିଥାନ୍ତି ଏବଂ ଏହାକୁ ଏକ ସଂକ୍ରାମକ ରୋଗ ବୋଲି ଭାବିଥାନ୍ତି। କିନ୍ତୁ ରୋଗକୁ ନେଇ ଲୋକମାନଙ୍କର ଏଭଳି ଚିନ୍ତାଧାରା ଏକଦମ୍ ଭୁଲ୍‌। ତେଣୁ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ପାଳନ କରାଯାଏ ‘ବିଶ୍ବ ଭିଟିଲିଗୋ ଦିବସ’। ତେବେ ଶ୍ବେତୀ ରୋଗର କାରଣ, ନିରାକରଣ ତଥା ଚିକିତ୍ସା ପଦ୍ଧତି କ’ଣ ସେ ସମ୍ପର୍କରେ ଜାଣି ରଖିବା।

କାରଣ
ଧବଳ ଛଉର ପ୍ରମୁଖ କାରଣ ହେଉଛି ଶରୀରରେ ମେଲେନୋସାଇଟ୍ସ କୋଷର ଅଭାବ। ମେଲେନୋସାଇଟ୍ସ କୋଷର ମୁଖ୍ୟ କାମ ଏହା ତ୍ବଚାର ରଙ୍ଗକୁ ବଜାୟ ରଖିବା। ତେଣୁ ଏହାର ଅଭାବରେ ଶରୀରରେ ଧଳା ଦାଗ ଦେଖାଯାଏ। ଯାହାକୁ ଡାକ୍ତରୀ ଭାଷାରେ କୁହାଯାଏ ‘ଭିଟିଲିଗୋ’। ସେହିପରି ଏହି ରୋଗକୁ ‘ଲ୍ୟୁକୋଡର୍ମା’ ମଧ୍ୟ କୁହାଯାଏ। ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ତ୍ବଚାକୁ କ୍ଷତି ପହଞ୍ଚାଇଥାଏ। ଏହି ରୋଗ ଆନୁବଂଶିକ ମଧ୍ୟ ହୋଇପାରେ। ପ୍ରଥମେ ଶରୀରର ଯେକୌଣସି ଅଂଶରେ ଛୋଟ ଧଳା ଦାଗ ସୃଷ୍ଟି ହୁଏ। କ୍ରମଶଃ ଏହା ସମ୍ପୂର୍ଣ୍ଣ ଶରୀରକୁ ମାଡ଼ି ଥାଏ। ଅଧିକ ସଂକ୍ରମିତ ହେଲେ, ଏହା ପାଟି ଭିତର ତଥା କେଶକୁ ବ୍ୟାପିଯାଏ। ଏଭଳି ରୋଗୀଙ୍କ ତ୍ବଚାରେ ସୂର୍ଯ୍ୟକିରଣ ପଡ଼ିଲେ ଏହା ଅଧିକ ସଂକ୍ରମିତ ହୁଏ। ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ଯଦିଓ ନାହିଁ, ତଥାପି ୩୦ ବର୍ଷ ବୟସରେ ଏ ପ୍ରକାର ରୋଗୀ ଦେଖାଯାଆନ୍ତି।

କ’ଣ କରିବେ
ଭିଟିଲିଗୋ ରୋଗୀ ନିଜ ତ୍ବଚାର ବିଶେଷ ଯତ୍ନ ନେବା ଉଚିତ। ସାବୁନ୍‌ ଓ ଡିଟରଜେଣ୍ଟ୍‌ ବ୍ୟବହାର ଯଥାସମ୍ଭବ କମ୍‌ କରିବା ଦରକାର। ଏହା ସହିତ ପରଫ୍ୟୁମ୍‌ ବ୍ୟବହାର ଶ୍ବେତୀ ରୋଗୀଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି କରିଥାଏ। ଅନ୍ୟପଟେ ଏହି ରୋଗକୁ ନେଇ ଅତ୍ୟଧିକ ଚିନ୍ତା ଓ ଅବସାଦରୁ ଦୂରେଇ ରହିବା ଉଚିତ।

ସଂକ୍ରାମକ ରୋଗ ନୁହେଁ
ଭିଟିଲିଗୋକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି। ଏହାକୁ ଧର୍ମୀୟ ଭାବନା ସହିତ ଯୋଡ଼ା ଯାଇ ପୂର୍ବଜନ୍ମର ପାପରୁ ହେଉଥିବା ଧବଳକୁଷ୍ଠ ବୋଲି କୁହାଯାଏ। ଅବଶ୍ୟ କୁଷ୍ଠ ସହିତ ଏହାର କୌଣସି ସମ୍ପର୍କ ନାହିଁ। ମାଛମାଂସ ଖାଇବା ପରେ ଦୁଗ୍ଧଜାତୀୟ ଦ୍ରବ୍ୟ ସେବନ ଦ୍ବାରା ଏହି ରୋଗ ହୋଇଥାଏ ବୋଲି କିଛି ଲୋକ ଭାବିଥାନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌। ତ୍ବଚା କର୍କଟର ଏହା ପ୍ରାରମ୍ଭିକ ଲକ୍ଷଣ ମଧ୍ୟ ନୁହେଁ। ଏହା ଏକ ଡିଆଁ ରୋଗ ନୁହେଁ। ତେଣୁ ରୋଗୀର ତ୍ବଚାର ସଂସ୍ପର୍ଶରେ ଆସିବା, ସେମାନଙ୍କ ଲୁଗାପଟା ବ୍ୟବହାର କରିବା, ପାଖରେ ବସିବା ଦ୍ବାରା ଶ୍ବେତୀ ରୋଗ ହେବାର ଆଶଙ୍କା ନଥାଏ। ତେଣୁ ଏଭଳି ରୋଗୀଙ୍କ ସହିତ ଦୁର୍ବ୍ୟବହାର କରିବା ଉଚିତ ନୁହେଁ। କାରଣ ଅନେକ କ୍ଷେତ୍ରରେ ଏଭଳି ରୋଗୀ ଅନ୍ୟମାନଙ୍କ ଭର୍ତ୍ସନାର ଶିକାର ହୋଇ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରନ୍ତି। ଏହି ରୋଗକୁ ଭୟ ନ କରି ଚିକିତ୍ସା କରାନ୍ତୁ।

ଚିକିତ୍ସା ପଦ୍ଧତି
ଶରୀରରେ ଧଳା ଦାଗ ଦେଖାଦେବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଔଷଧ ଖାଇବା ଦ୍ବାରା ଭଲ ହୋଇଥାଏ। ମାତ୍ର ବିଳମ୍ବ ହେଲେ ଅନେକ ରୋଗୀଙ୍କ କ୍ଷେତ୍ରରେ ଔଷଧ ସହିତ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡ଼ିଥାଏ। ସ୍କିନ୍‌ ଗ୍ରାଫ୍ଟିଙ୍ଗ୍‌ ନାମକ ଅସ୍ତ୍ରୋପଚାର ପ୍ରଣାଳୀ ଦ୍ବାରା ଚିକିତ୍ସା କରାଯାଏ। ଏହି ପଦ୍ଧତି ଦ୍ବାରା ଶରୀର କୌଣସି ସ୍ଥାନରୁ ତ୍ବଚାର ଏକ ପରସ୍ତ ନେଇ ସଂକ୍ରମିତ ସ୍ଥାନ ଉପରେ ରଖାଯାଏ, ଯାହା ଦ୍ବାରା ଭିଟିଲିଗୋର ଧଳାଦାଗ ଦେଖାଯାଏ ନାହିଁ। ସେହିପରି ଏହାକୁ ନେଇ ଅନେକ ପ୍ରକାର ବଡିଲୋସନ୍‌ ଅଛି। ତେବେ ଉପଯୁକ୍ତ ସମୟରେ ଚିକିତ୍ସା ନ କରିବା ଦ୍ବାରା ତ୍ବଚାଜନିତ ଆହୁରି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

Leave A Reply

Your email address will not be published.