ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଆନ୍ତର୍ଜାତିକ ମହିଳା ସ୍ବାସ୍ଥ୍ୟ ଦିବସ

ଆଜିକାଲିର ମହିଳା ଘର ସହିତ ବାହାର କାମ ମଧ୍ୟ ସମ୍ଭାଳୁଛନ୍ତି। କିନ୍ତୁ ନିଜ ସ୍ବାସ୍ଥ୍ୟ ପାଇଁ ସମୟ ବାହାର କରିପାରୁନାହାନ୍ତି। ତେଣୁ ବିଭିନ୍ନ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏ ସମ୍ପର୍କିତ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମଇ ମାସ ୨୮ ତାରିଖରେ ଆନ୍ତର୍ଜାତିକ ମହିଳା ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି।

ଶାରୀରିକ ଗଠନ ଆଧାରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ଭିନ୍ନ ଏବଂ ଅଧିକ ଗମ୍ଭୀର ହୋଇଥାଏ। ତେଣୁ ମହିଳାମାନେ ଅଧିକ ଯତ୍ନଶୀଳ ହେବା ଉଚିତ। ମହିଳାଙ୍କଠାରେ ଦେଖାଯାଉଥିବା ବିଭିନ୍ନ ରୋଗ ମଧ୍ୟରୁ ସ୍ତନ କ୍ୟାନସର୍‌, ୟୁଟରସ୍‌ କ୍ୟାନସର୍‌, ପିରିୟଡ୍‌ସ ଓ ମେନୋପଜ୍‌ ଏବଂ ଗର୍ଭବସ୍ଥା ସହିତ ଜଡ଼ିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଏ। ସ୍ତନ କ୍ୟାନସର୍‌ ଏବେ ବିଶ୍ବରେ ମହିଳାଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ସ୍ତନର ଲୋବ୍ୟୁଲ୍ସ କୋଷଗୁଡ଼ିକରେ କ୍ୟାନସର୍‌ ହୋଇଥାଏ, ଯାହା ଅତ୍ୟନ୍ତ ମାରାତ୍ମକ। ଏହି ସମସ୍ୟାକୁ ଦୂରେଇବା ପାଇଁ ସ୍ତନ ପରୀକ୍ଷା କରିବା ଉଚିତ। ଏହାକୁ ଘରେ ନିଜେ ପରୀକ୍ଷା କରିପାରିବେ କିମ୍ବା ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଇପାରିବେ। କିନ୍ତୁ ମହିଳାମାନେ ସ୍ତନ ପରୀକ୍ଷା କରିବା ନେଇ ସଙ୍କୋଚ କରିଥାନ୍ତି, ଯାହା ଫଳରେ ସ୍ତନ କ୍ୟାନସର୍‌ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୁଏ।

ଗର୍ଭାଶୟରେ ହେଉଥିବା ୟୁଟରସ୍‌ କ୍ୟାନସର୍‌ ଫେଲୋପିୟନ୍‌ ଟ୍ୟୁବ୍‌ରେ ହୋଇଥାଏ। ଯାହାଦ୍ବାରା ସନ୍ତାନଧାରଣରେ ବାଧା ସୃଷ୍ଟି କରିବା ସହ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହା ମହିଳାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥାଏ। ମାସିକ ଋତୁଚକ୍ର ଓ ଏହାର ଶେଷ ସମୟ ମଧ୍ୟ ମହିଳାଙ୍କ ପାଇଁ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ନେଇ ଆସିଥାଏ। ଅନେକ ମହିଳାଙ୍କ କ୍ଷେତ୍ରରେ ମେନୋପଜ୍‌ ପାଇଁ ଅସ୍ତ୍ରୋପଚାର କରିବାକୁ ପଡ଼େ। ଅସହ୍ୟ ପେଟ କାଟିବା ବା ଅଧିକ ମାତ୍ରାରେ ଡିସ୍‌ଚାର୍ଜ ହେଉଥିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। କିନ୍ତୁ ମହିଳାମାନେ ଳଜ୍ଜାବୋଧ କରି ଏସବୁକୁ ଅଣଦେଖା କରିଥାନ୍ତି, ଯାହାକି ଭବିଷ୍ୟତରେ ସେମାନଙ୍କ ପାଇଁ ଗମ୍ଭୀର ସମସ୍ୟା ନେଇଆସେ। ଗର୍ଭାବସ୍ଥା ଆରମ୍ଭ ସମୟରୁ ଶିଶୁ ଜନ୍ମ ନେବା ପର୍ଯ୍ୟନ୍ତ ଓ ପରେ ମହିଳାଙ୍କୁ ପୋଷକଯୁକ୍ତ ଖାଦ୍ୟ ଓ ଉଚିତ ସ୍ବାସ୍ଥ୍ୟ ସେବା ଯୋଗାଇବା ଆବଶ୍ୟକ। ନଚେତ୍‌ ମା’ ଓ ଶିଶୁ ଉଭୟେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଏ କ୍ଷେତ୍ରରେ ମହିଳାମାନେ ବିଶେଷ ସଚେତନ ହେବା ଆବଶ୍ୟକ। ଏହିସବୁ ସମସ୍ୟା ବ୍ୟତୀତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ହୃଦ୍‌ଘାତର ଆଶଙ୍କା ଅଧିକ ଦେଖାଯାଏ।

ବିଶ୍ବରେ ପ୍ରାୟ ୫୪ ପ୍ରତିଶତ ମହିଳା ହୃଦ୍‌ଘାତ ଦ୍ବାରା ପୀଡ଼ିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଉଚ୍ଚ ରକ୍ତଚାପ, ହାଇ କଲେଷ୍ଟ୍ରୋଲ୍‌ ଓ ପୋଷକଯୁକ୍ତ ଖାଦ୍ୟର ଅଭାବ ହେତୁ ମହିଳାଙ୍କଠାରେ ହୃଦ୍‌ରୋଗ ହେବାର ଆଶଙ୍କା ବଢ଼ିଯାଏ। ମେନୋପଜ୍‌ ପରେ ମଧ୍ୟ ହୃଦ୍‌ରୋଗ ହେବାର ଲକ୍ଷଣ ପ୍ରକାଶ ପାଏ। ମଧୁମେହ ଓ ଆଣ୍ଠୁଗଣ୍ଠି ଦରଜ, ପିଠି ଦରଜ, ଅଣ୍ଟାବିନ୍ଧା ଓ ବେକ ଦରଜ ଆଦି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖାଯାଏ। ଶିଶୁଟି ଜନ୍ମ ହେବାର କିଛି ମାସ ପରେ ଏହା ଅଧିକ ହୋଇଥାଏ। ଏହାର ଉଚିତ୍‌ ଚିକିତ୍ସା ନକରିବା ଦ୍ବାରା ଅଧିକରୁ ଅଧିକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏ ସମ୍ପର୍କରେ ମହିଳାଙ୍କ ପାଇଁ ବିଶେଷ ସଚେତନତାର ଆବଶ୍ୟକତା ଅଛି। ମହିଳାମାନେ ଅଧିକ ଭାବପ୍ରବଣ ହୋଇଥିବାରୁ ମାନସିକ ସ୍ତରରେ ସେମାନେ ପୁରୁଷଙ୍କ ଅପେକ୍ଷା ଅଧିକ ରୋଗଗ୍ରସ୍ତ ହୁଅନ୍ତି। ମହିଳାଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍‌ ଅଧିକ ଦେଖାଯାଏ।

କୁହାଯାଉଛି ଯେ, ମହିଳାମାନେ ସୁସ୍ଥ ହେଲେ ସମାଜ ସୁସ୍ଥ ରହିବ। ତେଣୁ ମହିଳାମାନେ ନିଜର କାର୍ଯ୍ୟବ୍ୟସ୍ତତା ଭିତରୁ କିଛି ସମୟ ବାହାର କରି ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ହୃଦ୍‌ରୋଗ ଦୂର କରିବା ପାଇଁ ଶସ୍ୟଯୁକ୍ତ ଖାଦ୍ୟ ଓ ଅଧିକ ତନ୍ତୁ ଜାତୀୟ ଖାଦ୍ୟ ଖାଇବା ଉଚିତ। ଅଧିକ ପରିମାଣରେ ଫଳ ଖାଆନ୍ତୁ। ଅତ୍ୟଧିକ ଚିନି ଓ ଲୁଣରୁ ଦୂରେଇ ରହିବା ଉଚିତ। ଖାଦ୍ୟରେ ଅନିୟମିତତା ପ୍ରଦର୍ଶନ କରନ୍ତୁ ନାହିଁ। ପ୍ରତିଦିନ କିଛି କିଛି ହାଲ୍‌କା ବ୍ୟାୟାମ କରିବା କିମ୍ବା ପ୍ରାତଃଭ୍ରମଣ କରନ୍ତୁ। ଏହାଦ୍ବାରା ସକାଳର ସୂର୍ଯ୍ୟକିରଣ ଦ୍ବାରା ଶରୀରକୁ ଭିଟାମିନ୍‌ ଡି ମିଳିଥାଏ। ଏହାଦ୍ବାରା ହାଡ଼ଜନିତ ସମସ୍ୟା ଦୂର ହୁଏ। ଡାଇଟିଙ୍ଗ୍‌ ନ କରି ଉଚିତ ଖାଦ୍ୟ ଓ ବ୍ୟାୟାମ ଦ୍ବାରା ଶରୀରର ଓଜନ କମ୍‌ କରିବାକୁ ଚେଷ୍ଟା କରିବା ଉଚିତ। ମନରେ କୌଣସି ସଙ୍କୋଚ ନଆଣି କିଛିଦିନ ବ୍ୟବଧାନରେ ନିୟମିତ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଉତ୍ତମ। ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ପ୍ରତିଦିନ ୧୦ରୁ ୧୫ ମିନିଟ୍‌ ଯୋଗ ଓ ଧ୍ୟାନର ଆବଶ୍ୟକତା ଅଛି। ପରିବାର ଓ ସାଙ୍ଗସାଥୀଙ୍କ ସହ ଖୁସି ମନାଇବା ପାଇଁ ସମୟ ବାହାର କରିବାକୁ ହେବ। ନିଜକୁ କାହା ସହିତ ତୁଳନା ନକରି ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ। ବାରମ୍ବାର କୌଣସି ଘଟଣାକୁ ଚିନ୍ତା କରି ବ୍ୟସ୍ତବିବ୍ରତ ହେବା ଉଚିତ ନୁହେଁ। ଯେଉଁ ମହିଳାମାନେ ଘରେ ଏକୁଟିଆ ରହୁଛନ୍ତି, ସେମାନେ ନିଜକୁ କୌଣସି ରଚନାତ୍ମକ କାର୍ଯ୍ୟରେ ଜଡ଼ିତ କରିବା ଉଚିତ। ଦୈନନ୍ଦିନ ଜୀବନରେ ଏମିତି କିଛି କିଛି ଛୋଟ ପରିବର୍ତ୍ତନ ଦ୍ବାରା ମହିଳାମାନେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିପାରିବେ। ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ମିଳିମିଶି ଘରର କାମକାର୍ଯ୍ୟରେ ମହିଳାଙ୍କୁ ସାହାଯ୍ୟ କରିବା ଉଚିତ। ମହିଳାମାନେ ସୁସ୍ଥ ରହିଲେ, ପରିବାର ସୁସ୍ଥ ହେବ, ଯାହାଦ୍ବାରା ସାମାଜିକ ସ୍ତରରେ ସୁସ୍ଥତା ଆସିପାରିବ।

Leave A Reply

Your email address will not be published.