ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଆଇପିଏଲ ଗ୍ରାଣ୍ଡ ଫାଇନାଲ : ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ-ସନ୍‌ରାଇଜର୍ସ ହାଇଦ୍ରାବାଦ୍‌

ଚେନ୍ନଇ : ଦୀର୍ଘ ଅଢେ଼ଇମାସର ହାଇ ପ୍ରୋଫାଇଲ ଲଢେ଼ଇ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସଂସ୍କରଣର ଦୁଇ ଶ୍ରେଷ୍ଠ ଦଳ ଯଥା ଶ୍ରେୟସ ଆୟରଙ୍କ ପ୍ରଭାବୀ କୋଲକାତା ନାଇଟ ରାଇଡର୍ସ ଓ ପ୍ୟାଟ କମିନ୍ସଙ୍କ ବିସ୍ଫୋରଣ ସୃଷ୍ଟିକାରୀ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଚେନ୍ନଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ରବିବାର ଫାଇନାଲ ମୁକାବିଲା ହେବ। ଏହି ମୁକାବିଲା ଲାଗି ଉଭୟ ଦଳ ପ୍ରସ୍ତୁତ। ଜଣେ ଅନ୍ୟକୁ ପରାସ୍ତ କରିବାର ଦକ୍ଷତା ରଖିଛନ୍ତି। ଉଭୟ ଦଳ ସେମାନଙ୍କ ବିସ୍ଫୋରକ ବ୍ୟାଟିଂ ମାଧ୍ୟମରେ ଏହି ଆଇପିଏଲ୍‌ରେ ଚୌକା ଓ ଛକା ବର୍ଷା କରିବାରେ ସମର୍ଥ ହୋଇଛନ୍ତି। ଉଭୟ ଦଳରେ ଯେପରି ବିସ୍ଫୋରକ ଓପନର ରହିଛନ୍ତି, ସେହିପରି ଧୂଆଁଧାର ମିଡଲ ଅର୍ଡର ବ୍ୟାଟର ରହିଛନ୍ତି। ଏମାନେ ଗୋଟିଏ ମୁହୂର୍ତ୍ତରେ ଖେଳର ଗତିପଥ ବଦଳାଇଦେବାର ଦକ୍ଷତାର ଅଧିକାରୀ। ଉଭୟ ଦଳ ନିକଟରେ ଅସ୍ତ୍ର ଅଛି ଓ ଶସ୍ତ୍ର ରହିଛି। ଉଭୟଙ୍କ ରଣନୀତି ଆକ୍ରମଣାତ୍ମକ ଓ ବିଜୟ ଲାଗି ଉଦ୍ଦିଷ୍ଟ। ଏଣୁ ଚଳିତବର୍ଷର ଆଇପିଏଲ ଫାଇନାଲ ଯଥାର୍ଥରେ ସମାନ ଦକ୍ଷତା ବିଶିଷ୍ଟ ଦୁଇ ଦଳ ମଧ୍ୟରେ ଆୟୋଜିତ ହେଉଛି ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ଏଭଳି ଲଢେ଼ଇ ଯେ ଆଇପିଏଲ୍‌ର ଉପଯୁକ୍ତ ପରିସମାପ୍ତିକୁ ଖୋରାକ ଯୋଗାଇବ ବୋଲି କୁହାଯାଇପାରେ। ଦର୍ଶକ, ସମର୍ଥକ, ପ୍ରାୟୋଜକ, ଆୟୋଜକ ଓ ସହଯୋଗୀ ସମସ୍ତେ ଏହି ଗ୍ରାଣ୍ଡ ଫାଇନାଲକୁ ଉପଭୋଗ କରିବା ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି।

 ରଣନୀତି

ଚଳିତ ଟୁର୍ଣ୍ଣାମେଣ୍ଟରେ ରଣନୀତିକୁ ବିଶ୍ଲେଷଣ କଲେ ଉଭୟ ଦଳ ସମାନ ଯୋଜନା କରିଥିବା ଜଣାଯାଏ। ଉଭୟ ଦଳ ପାରମ୍ପରିକ ଟି-୨୦ ଫର୍ମାଟକୁ ପଛରେ ପକାଇ ଖେଳିଛନ୍ତି। ମନ ଇଛା ଏମାନେ ବଡ଼ ବଡ଼ ସ୍କୋର କରିଛନ୍ତି। ଚଳିତ ସଂସ୍କରଣରେ ହାଇଦ୍ରାବାଦ୍‌ ୬ଥର ୨୦୦ କିମ୍ବା ତା’ଠାରୁ ଅଧିକ ରନ୍‌ କରିଥିଲାବେଳେ ଏହା ମଧ୍ୟରୁ ୩ଥର ୨୫୦ ରନ୍‌ ଅତିକ୍ରମ କରିଛି। କୋଲକାତା ମଧ୍ୟ ପଛରେ ପଡ଼ି ନାହିଁ। ଏହି ଦଳ ମଧ୍ୟ ୬ଥର ୨୦୦ କିମ୍ବା ତା’ଠାରୁ ଅଧିକ ରନ୍‌ ସଂଗ୍ରହ କରିଛି। ଏବେ ପିଚ୍‌ ମନ୍ଥର ହୋଇଯାଇଥିଲେ ମଧ୍ୟ ଛକା ମାରିବାରେ ଉଭୟ ଦଳ ଯେପରି ନିଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତୀୟମାନ ହୋଇଛି। ଫାଇନାଲକୁ ଆସିବା ପୂର୍ବରୁ ହାଇଦ୍ରାବାଦ୍‌ ୧୭୫ଟି ଓ କୋଲକାତା ୧୩୫ଟି ଛକା ମାରିଛି। ଉଭୟ ଦଳ ଅଧିକ ରନ୍‌ ସଂଗ୍ରହ କରିବା ଲକ୍ଷ୍ୟରେ ରହିଛନ୍ତି। ପ୍ରଥମେ ବ୍ୟାଟିଂ ଲାଗି ହାଇଦ୍ରାବାଦ୍‌ ଓ ରନ୍‌ଚେଜ୍‌ କରିବାକୁ କୋଲକାତାର ପସନ୍ଦ। ଉଭୟ ଦଳ ଏଥିରେ ସଫଳ ହୋଇଛନ୍ତି।

 ଶକ୍ତି ଓ ସାମର୍ଥ୍ୟ 

କେକେଆର: କୋଲକାତା ନିକଟରେ ଗୌତମ ଗମ୍ଭୀରଙ୍କ ଭଳି ଜଣେ ମେଣ୍ଟର ରହିଛନ୍ତି। ଗମ୍ଭୀରଙ୍କ ଯୋଜନା ବେଶ ପ୍ରଭାବଶାଳୀ ହୋଇଛି। ଏବେ ଦଳ ସ୍ପେଶାଲିଷ୍ଟଙ୍କ ଉପରେ ନିର୍ଭର କରୁଥିଲାବେଳେ କୋଲକାତା ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲଙ୍କ ପରି ବିଜୟୀ ଅଲରାଉଣ୍ଡର ରହିଛନ୍ତି। ଦଳରେ ଦୁଇ ଆକ୍ରମଣାତ୍ମକ ଓପନର, ବିସ୍ଫୋରକ ମିଡିଲ ଅର୍ଡର ବ୍ୟାଟର, ଦୁଇଜଣ ମିଷ୍ଟ୍ରି ସ୍ପିନର ନାରିନ୍‌ ଓ ବରୁଣ ଚକ୍ରବର୍ତ୍ତୀ, ଜଣେ ଭୟଙ୍କର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ଓ କିଛି ପ୍ରତିଭାସମ୍ପନ୍ନ ଯୁବ ଖେଳାଳି ରହିଛନ୍ତି। ପ୍ରଥମ କ୍ୱାଲିଫାୟରରେ ହାଇଦ୍ରାବାଦ୍‌ର ପ୍ରଥମ ୩ଟି ୱିକେଟ ନେଇ ଷ୍ଟାର୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ। ଏସବୁକୁ ଦେଖିଲେ କୋଲକାତା ନିକଟରେ କିଛି ଦୁର୍ବଳତା ନାହିଁ ବୋଲି ଧରିବାକୁ ହେବ। ଏମାନେ ଚଳିତ ଟୁର୍ଣ୍ଣାମେଣ୍ଟରେ ମାତ୍ର ୩ଟି ମ୍ୟାଚ୍‌ ହାରି ଫାଇନାଲରେ ପହଞ୍ଚିଛନ୍ତି। ଏହା ସତ୍ତ୍ବେଏମାନଙ୍କ ଖେଳ ଉପରେ ଭବିଷ୍ୟବାଣୀ କରିବା ସହଜ ମନେ ହୋଇଥାଏ। ଏହା ହୁଏତ ତାଙ୍କର ଶକ୍ତି କିମ୍ବା ଦୁର୍ବଳତା ମନେକରାଯାଏ।

ଏସ୍‌ଆର୍‌ଏଚ୍‌: ଅନ୍ୟପକ୍ଷରେ ଗଣ୍ଡଗୋଳିଆ ସ୍ଥିତି ମଧ୍ୟ ଦେଇ ହାଇଦ୍ରାବାଦ୍‌ ଫାଇନାଲକୁ ଆସିଛି। ଗତ ୩ ବର୍ଷରେ ଏହି ଦଳ ଦୁଇଥର ପଏଣ୍ଟ ସାରଣୀର ଶେଷରେ ରହିଥିଲା। ଏଥର ଦଳ ଅଧିକ ଅର୍ଥ ବ୍ୟୟ କରି ପ୍ୟାଟ କମିନ୍ସଙ୍କ ପରି ଅଧିନାୟକ ଓ ଟ୍ରାଭିସ୍‌ ହେଡ୍‌ଙ୍କ ପରି ଓପନରଙ୍କୁ ନିଲାମିରେ ଆଣିଥିଲା। ହେଡ୍‌ଙ୍କ ସହ ଅଭିଷେକ ଶର୍ମା ସାମିଲ ହେବା ପରେ ଦଳର ପ୍ରଦର୍ଶନ ପୁରାପୁରି ବଦଳିଯାଇଥିଲା। ଏମାନେ କେତେବେଳେ କେଉଁ ଖେଳାଳିଙ୍କୁ ସୁଯୋଗ ଦେଉଛନ୍ତି କିମ୍ବା ବାଦ୍‌ ଦେଉଛନ୍ତି ତାହା ଜାଣିବା କଷ୍ଟକର। କିନ୍ତୁ ଫାଇନାଲରେ ଉଭୟ ଦଳ ଲଢେ଼ଇ କରିବାକୁ ବେଶ ପାରଙ୍ଗମ ବୋଲି କୁହାଯାଇପାରେ। ଦଳରେ ବିସ୍ଫୋରକ ଓପନର, ପ୍ରତିଷ୍ଠିତ ମିଡଲ ଅର୍ଡର, ଅଭିଜ୍ଞ ଫାଷ୍ଟ ବୋଲର ଓ କାମଚଳା ପ୍ରଭାବୀ ସ୍ପିନର ରହିଛନ୍ତି। ଏଣୁ କୋଲକାତାର ଉପଯୁକ୍ତ ମୁକାବିଲା କରିବାକୁ ହାଇଦ୍ରାବାଦ୍‌ ଯେ ଯୋଗ୍ୟ ଏହା ନିଃସନ୍ଦେହରେ କୁହାଯାଇପାରେ।

ବ୍ୟାଟିଂ ଉଭୟଙ୍କ ବଳ

ଯଦିଓ ଉଭୟ ଦଳ ଭିନ୍ନ ଭିନ୍ନ ଶୈଳୀରେ ଖେଳି ସଫଳତା ପାଇଛନ୍ତି, ଫାଇନାଲରେ ସେମାନଙ୍କ ରଣନୀତିରେ ପରିବର୍ତ୍ତନ ଆଣିବା ଅନାବଶ୍ୟକ। ଉଭୟ ଦଳ ସେମାନଙ୍କ ବ୍ୟାଟିଂ ମାଧ୍ୟମରେ ମ୍ୟାଚ୍‌ର ଫଳାଫଳ ବାହାର କରିବାକୁ ଆଶାୟୀ। ଏହି ଟୁର୍ଣ୍ଣାମେଣ୍ଟରେ ଅରେଞ୍ଜ କିମ୍ବା ପର୍ପଲ କ୍ୟାପ୍‌ର ଗୁରୁତ୍ୱ କମିଯାଇଥିଲାବେଳେ ଡଟ୍‌ବଲ ଓ ଷ୍ଟ୍ରାଇକ୍‌ରେଟ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଉଭୟ ଦଳର ଖେଳାଳି ମାନେ ସ୍ୱାଧିନଭାବେ ଖେଳିଛନ୍ତି। ଉଭୟ ଦଳର ବ୍ୟାଟର ବଲ୍‌କୁ ଷ୍ଟାଡିୟମ୍‌ ବାହାରକୁ ପଠାଇବାକୁ ଚେଷ୍ଟା କରୁଥିଲାବେଳେ ଶ୍ରେୟସ ଆୟର କିମ୍ବା ପ୍ୟାଟ କମିନ୍ସ ସେମାନଙ୍କ ରଣନୀତିରେ କିଛି ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉନାହିଁ।

ପିଚ୍‌ ପେସ୍‌ ଓ ବାଉନ୍ସି 

ଚେନ୍ନଇ ପିଚ୍‌ ଏବେ ପେସ୍‌ ଓ ବାଉନ୍ସି ହୋଇଯାଇଛି। ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏଠାରେ କାକରକୁ ନେଇ କୌଣସି ସମସ୍ୟା ହେବାର ଆଶଙ୍କା କମ୍‌। ଯଦି ହାଇଦ୍ରାବାଦ୍‌ ଓ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ କ୍ୱାଲିଫାୟର ମୁକାବିଲାପରି ସ୍ପିନରଙ୍କ ପ୍ରଭାବ ଦେଖିବାକୁ ମିଳେ, ତେବେ ଉଭୟ ଦଳ ଏଥିଲାଗି ମଧ୍ୟ ପ୍ରସ୍ତୁତ ଅଛନ୍ତି। ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଫାଇନାଲରେ ଭାରତର ପ୍ରାଧାନ୍ୟକୁ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍‌ କମିନ୍ସ ପ୍ରତିହତ କରିଥିଲେ। ଏବେ କୋଲକାତା ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଛି। କମିନ୍ସ ଏଠାରେ ଆଉ ଜଣେ ଭାରତୀୟ ଅଧିନାୟକ ଶ୍ରେୟସ ଆୟରଙ୍କ ପ୍ରାଧାନ୍ୟକୁ ପ୍ରତିହତ କରୁଛନ୍ତି କିମ୍ବା ନିଜେ ପରାଜିତ ହେଉଛନ୍ତି ତାହା ଦେଖିବାକୁ କୋଟି କୋଟି କ୍ରିକେଟପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ହେଟମାୟର ଦଣ୍ଡିତ

ଏଠାରେ ଶୁକ୍ରବାର ଅନୁଷ୍ଠିତ ହାଇଦ୍ରାବାଦ୍‌ ବିପକ୍ଷ କ୍ୱାଲିଫାୟର-୨ରେ ଆଇପିଏଲ୍‌ ଆଚରଣ ସଂହିତା ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜସ୍ଥାନ ରୟାଲ୍ସର ସିମରନ ହେଟମାୟରଙ୍କ ୧୦ ଶତକଡ଼ା ମ୍ୟାଚ୍‌ ଫି କାଟି ନିଆଯାଇଛି। ଏହାର କାରଣ ସମ୍ପର୍କରେ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ସେ ଆଉଟ ହେବା ପରେ ଯେଉଁ ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ, ସେଥିଲାଗି ଏହି ଦଣ୍ଡ ଦିଆଯାଇଥିବା ମନେ କରାଯାଉଛି। ଆଇପିଏଲ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ହେଟମାୟର ଲେଭଲ-୧  ଅପରାଧ କରିଥିବାରୁ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି।

Leave A Reply

Your email address will not be published.