ଋଣରେ ବୁଡ଼ିଛି ଦେଶ, ପାଞ୍ଚ ଟ୍ରିଲିଅନ ଅର୍ଥନୀତିକୁ ପ୍ରଚଣ୍ଡ ଧକ୍କା
ନୂଆଦିଲ୍ଲୀ: ପ୍ରତ୍ୟେକ କଥାରେ ‘ପୂର୍ବୋଦୟ’, ‘ବିକାଶ’, ‘ନୂଆ ଭାରତ’ର ସ୍ୱପ୍ନ ଦେଖାଉଛନ୍ତି କେନ୍ଦ୍ର ସରକାର। ଡିଜିଟାଲ ଭାରତ ବିଶ୍ୱଗୁରୁରେ ପରିଣତ ହେବା ପଥରେ ଅଗ୍ରସର ହେଉଛି ବୋଲି ଘଣ୍ଟ ପିଟୁଛନ୍ତି। ଦେଶକୁ ୫ ଟ୍ରିଲିଅନ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଘୋଷଣା କରିଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି, ତଥାକଥିତ ବିଶ୍ୱଗୁରୁ ଭାରତର ତାଳୁରୁ ତଳିପା ପର୍ଯ୍ୟନ୍ତ ଋଣରେ ବୁଡ଼ି ରହିଛି। ଦେଶର ମୋଟ ଜିଡିପି କେବଳ ହ୍ରାସ ପାଇନାହିଁ; ଋଣ ପରିମାଣ ମଧ୍ୟ ବୃଦ୍ଧି ଘଟିଛି। ଏପରିକି ଋଣ ପରିମାଣ ବୃଦ୍ଧି ପାଇ ଦେଶର ମୋଟ ଜିଡିପିର ୬୦.୫ ପ୍ରତିଶତରେ ପହଞ୍ଚିଛି।
ଦେଶର ଅର୍ଥନୀତିରେ ସ୍ଥିରତା ଆଣିବା ଲକ୍ଷ୍ୟରେ ବିମୁଦ୍ରାୟନ କରାଯାଇଛି। ସାରା ଦେଶରେ ଜିଏସ୍ଟି ଲାଗୁ କରାଯାଇ ଟିକସ ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି। କେବଳ ପେଟ୍ରୋଲିୟମ ସାମଗ୍ରୀ ବ୍ୟତୀତ ଅନ୍ୟ ପ୍ରାୟ ସବୁ ସାମଗ୍ରୀକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ଅନ୍ୟାନ୍ୟ ବାବଦରେ କେବଳ ପେଟ୍ରୋଲିୟମ ସାମଗ୍ରୀରୁ କେନ୍ଦ୍ର ସରକାର ବର୍ଷକ ମଧ୍ୟରେ ୪୬% ଅଧିକ ରାଜସ୍ୱ ପାଇଛନ୍ତି ଏବଂ ଏହାର ପରିମାଣ ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା। ଏହା ବ୍ୟତୀତ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାର ସେୟାର ବିକ୍ରି କରାଯାଇଛି। କିଛି ସଂସ୍ଥାର ପୂର୍ଣ୍ଣ ଘରୋଇକରଣ କରାଯାଇଛି। ଏୟାର ଇଣ୍ଡିଆ ପରି କିଛି ରାଷ୍ଟ୍ରାୟତ୍ତ ସଂସ୍ଥା ବିକ୍ରି ଅପେକ୍ଷାରେ ରହିଛି। ଓଡ଼ିଶାରୁ ନୀଳାଚଳ ଇସ୍ପାତ କାରଖାନା ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି।
ନାଲକୋ, ଏଲ୍ଆଇସି ଆଦି କିଛି ସଂସ୍ଥାର ଅଂଶଧନ ବିକ୍ରି କରି ଅର୍ଥ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଛି। ଏହା ପରେ ବି କେନ୍ଦ୍ର ସରକାର ଗତ ଆର୍ଥିକ ବର୍ଷରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା କରଜ କରିଛନ୍ତି। ଉଭୟ ଆଭ୍ୟନ୍ତରୀଣ ଓ ବହିଃକ୍ଷେତ୍ରରୁ ଏହି କରଜ ହୋଇଛି ଏବଂ ଖୋଲାବଜାରରୁ ମଧ୍ୟ ସରକାର ଋଣ ଉଠାଇଛନ୍ତି।
୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ମୋଟ ଋଣ ୧୦୪.୯୯ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୧୧୯.୫୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯାହାକି ଦେଶର ମୋଟ ଜିଡିପି (ସାମଗ୍ରିକ ଅଭିବୃଦ୍ଧି ହାର) ୧୯୭୪୫୬୭୦ କୋଟିର ପ୍ରାୟ ୬୦.୫%।
ଭାରତର ବୈଦେଶିକ ପାଣ୍ଠି ରେକର୍ଡ଼ ଛୁଇଁଛି। ୨୦୩୦ ମସିହା ସୁଦ୍ଧା ବୈଦେଶିକ ପାଣ୍ଠି କ୍ଷେତ୍ରରେ ଗଚ୍ଛିତ ରଖିବା କ୍ଷେତ୍ରରେ ଭାରତ ପୃଥିବୀର ତୃତୀୟ ସ୍ଥାନ ଅଧିକାର କରିବ ବୋଲି ଆକଳନ କରାଯାଉଛି। ବାହାରକୁ ଭାରତର ଅର୍ଥନୀତି ଛବି ଯେପରି ସୁସ୍ଥ ସବଳ ଦେଖାଯାଉଛି ବାସ୍ତବିକତା ହେଉଛି ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଉପଯୁକ୍ତ ଆର୍ଥିକ ପରିଚାଳନା ଅଭାବରୁ ଦେଶର ଅର୍ଥନୀତି ରୁଗ୍ଣ ହୋଇଛି। ମୁଦ୍ରାସ୍ଫୀତି ସହ ଉଭୟ ପାଇକାରୀ ଓ ଖୁଚୁରା ଦ୍ରବ୍ୟ ମୂଲ୍ୟ ବୃଦ୍ଧି ପାଇଛି। ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି। ଦେଶର ବେକାରୀ ହାର ସର୍ବକାଳୀନ ୧୩% ଛୁଇଁଛି। ଏପରିକି କରୋନା କାଳରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇଛନ୍ତି ଏବଂ ହଜାର ହଜାର ଶିଳ୍ପରେ ତାଲା ଝୁଲୁଛି। ରାଜ୍ୟସଭାରେ ସାଂସଦ ଜି.ସି.ଚନ୍ଦ୍ରଶେଖରଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଦେଶର ବିକଳ ଅର୍ଥନୀତିର ଛବିକୁ ସ୍ପଷ୍ଟ କରି ଦେଇଛି।
କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀଙ୍କ ସୂଚନା ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ଋଣ ୮୬.୨୭ ଲକ୍ଷ କୋଟି ଟଙ୍କା ରହିଥିଲା। ଯାହା ଦେଶର ମୋଟ ଜିଡିପିର ୪୨.୪% ବୋଲି ଆକଳନ ହୋଇଥିଲା। ମାତ୍ର ୨୦୨୦-୨୧ରେ ଏହା ୧୦୨.୬୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ଚଳିତ ବର୍ଷର ଜିଡିପିର ପ୍ରାୟ ୫୨%। ଯଦିଓ ଦେଶର ଅନ୍ୟାନ୍ୟ ଋଣ ପରିମାଣ ୧୮.୭୧ ଲକ୍ଷ କୋଟି ଟଙ୍କାରୁ ୧୬.୮୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି ତାହା ମୋଟ ଜିଡିପି ଉପରେ ବିଶେଷ ପ୍ରଭାବ ପକାଇ ପାରିନାହିଁ। ୨୦୧୯-୨୦ରେ ଦେଶର ମୋଟ ଜିଡିପି ୨୦୩.୫୧ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ତାହା ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୧୯୭.୪୫ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ଆଭ୍ୟନ୍ତରୀଣ ଋଣ ପରିମାଣ ୩୯.୪%ରୁ ୪୮.୫%କୁ ବୃଦ୍ଧି ପାଇଛି। ଏହି ସ୍ଥିତିରେ ଦେଶ କେଉଁ ଆଡ଼କୁ ଯାଉଛି ତାହା ଜଳଜଳ ଦିଶୁଛି।