ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ, ପ୍ରଥମ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ସ୍କୁଲ ସାମିଲ

ଭୁବନେଶ୍ବର: ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ। ଆଉ ତଳେବସି ପଢିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ।ଏଣିକି ପିଲାମାନେ ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ। ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ଶ୍ରେଣୀଗୃହ ସହିତ ଅତ୍ୟାଧୁନିକ ଶୈକ୍ଷିକ ଉପକରଣଯୋଗାଇଦିଆଯିବ। ପିଲାଙ୍କ ମନରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟିକରିବାକୁଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲର ପରିବେଶ ଅତ୍ୟାଧୁନିକ କରାଯିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲକୁ ସାମିଲ କରାଯାଇଛି। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି।

ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ ଓ ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି। ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ। ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି।

ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ। ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା। ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥ୍ୟପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି। ଲକ୍ଷ୍ୟ ହାସଲ ପାଇଁ ସ୍ବତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିନ୍ତାକର୍ଷକ ଶିକ୍ଷଣ ସାମଗ୍ରୀ, ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି। ପୂର୍ବରୁ ପାଇଲଟ୍‌ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗ୍ରହଣ କରାଯାଇଥିଲା।

ବିକଶିତ ହୋଇଥିବା ଶ୍ରେଣୀଗୃହକୁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି। ଏହି ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ ହେଉଥୁବା ଲକ୍ଷ୍ୟ କରାଯାଇଛି। ପରେ ସମାନ ଢାଞ୍ଚାରେ ଶ୍ରେଣୀଗୃହ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି। ୧୬ଟି ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ଏଫ୍ଏସ୍ଏନ୍ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

Leave A Reply

Your email address will not be published.