ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରୁ ଉଦ୍ଧାର ପରେ ଆଖି ବୁଜିଲା ଦନ୍ତା

ସମ୍ବଲପୁର: ଜୀବନ ସଂଗ୍ରାମରେ ହାରିଗଲା ଗଜରାଜ । ଅସୁସ୍ଥ ହାତୀକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ଚିକିତ୍ସା ସମୟରେ ହାତୀର ମୃତ୍ୟୁ ହୋଇଛି । ୫ଦିନ ପରେ କ୍ରେନ୍ ସହାୟତାରେ ପୋଖରୀରୁ ହାତୀକୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଶେଷରେ ହାତୀଟି ପ୍ରାଣ ହରାଇଛି । ହାତୀ ଦେହରେ ବେଲ୍ଟ ଲଗାଇ ପୋଖରୀରୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି।

ସୂଚନାଯୋଗ୍ୟ ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟରେ ଥିବା ଏକ ପୋଖରୀକୁ ଗତ ଗୁରୁବାର ରାତିରେ ପାଣି ପିଇବାକୁ ଆସି ପଙ୍କରେ ଫସି ଯାଇଥିଲା ହାତୀ । ପୋଖରୀରେ ପଡ଼ି ହାତୀର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଏନେଇ ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ସମସ୍ତ ଚେଷ୍ଟା ଫେଲ ମାରିଥିଲା । ଦିନକୁ ଦିନ ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଶେଷରେ ବନବିଭାଗ ଓୟୁଏଟି ଟିମ୍‌ର ସହଯୋଗ ଲୋଡିଥିଲା । ଓୟୁଏଟିର ଏକ ଟିମ୍‌ ସମ୍ବଲପୁରରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ ।ହାତୀକୁ ପୋଖରୀ କୂଳରେ ଅଳ୍ପପାଣିରେ ରଖି ଚିକିତ୍ସା କରାଯାଉଥିଲା ।

ଚିକିତ୍ସା ସମୟରେ ହାତୀଟିର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଆଜି କ୍ରେନ୍‌ ଓ ବେଲ୍ଟ ସହାୟତାରେ ହାତୀକୁ ପୋଖରୀ ବାହାରକୁ ଅଣାଯାଇଥିଲା। ପୋଖରୀରୁ ହାତୀକୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀର ମୃତ୍ୟୁ ହୋଇସାରିଥିଲା । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି । ତେବେ ହାତୀଟିର ମୃତ୍ୟୁ ପରେ ମୃତଦେହକୁ ପୋଷ୍ଟମର୍ଟମ କରାଯିବ। ଏହାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ସେନେଇ ତନାଘନା ଚାଲିଛି ।

Leave A Reply

Your email address will not be published.