ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍କଳର ନେତା ସ୍ୱୟଂ ନାରାୟଣ! : ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତାର ସର୍ବୋତ୍ତମ ପରିଚୟ

ଯେକୌଣସି ଓଡ଼ିଆ ବ୍ୟକ୍ତିକୁ ତା’ର ସାଂସ୍କୃତିକ ପରିଚୟ କ’ଣ ବୋଲି ପଚାରିଲେ, ତା’ ମୁହଁରୁ ଅନାୟାସରେ ବାହାରି ଆସିବ ଶ୍ରୀଜଗନ୍ନାଥ ହିଁ ସମଗ୍ର ଓଡ଼ିଆ ଜାତିର ସର୍ବୋତ୍ତମ ଦିବ୍ୟ ପରିଚୟ। ଓଡ଼ିଆ ଶିଶୁଟିଏର ଜନ୍ମଜାତକ ଠାରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ସ୍ତରରେ ତଥା ଶେଷ ନିଃଶ୍ୱାସ ଛାଡ଼ିବା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ହିଁ ତା’ର ଆତ୍ମିକ ସନନ୍ଦ। ଓଡ଼ିଆଙ୍କର ଶାସ୍ତ୍ର, ପୁରାଣ, ଇତିହାସ, ସାମାଜିକ ପରମ୍ପରା, ଯାନିଯାତ୍ରା, ପର୍ବପର୍ବାଣି, ଭଲମନ୍ଦରେ କାଳିଆ ସାଆନ୍ତଙ୍କ ଉପସ୍ଥିତି ଓ ପରିବ୍ୟାପ୍ତି ଭାରତୀୟ ସାଂସ୍କୃତିକ ପ୍ରେକ୍ଷାପଟରେ ଏକ ଅନନ୍ୟ ଅବତାରଣା। ନୀଳମାଧବ ଶବର ଦେବତାରୁ ଯୁଗଯୁଗ ଧରି ଦୈବିକ ବିବର୍ତ୍ତନରେ ଶ୍ରୀଜଗନ୍ନାଥ ନୀଳଶୈଳ ନିବାସୀ ଦାରୁବ୍ରହ୍ମ ପାଲଟିବା ଏକ ଅଲୌକିକ ଉତ୍ତରଣ। ଏହି ଅବତାରୀ ପରମପୁରୁଷଙ୍କ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ଯୁଗଯୁଗ ଧରି ଓଡ଼ିଆଙ୍କ ପ୍ରାଣସ୍ପନ୍ଦନ ହୋଇ ରହି ଆସିଛି। ଭାରତୀୟ ହିନ୍ଦୁ ସଂସ୍କୃତିର ମୂର୍ଦ୍ଧନ୍ୟ ପୁରୋଧା ଆଚାର୍ଯ୍ୟ ଆଦିଶଙ୍କର ଶ୍ରୀଜଗନ୍ନାଥଙ୍କୁ ବନ୍ଦନା କରି ଏଠାରେ ଚାରି ମହାନ ଧାମରୁ ଗୋଟିଏ – ଗୋବର୍ଦ୍ଧନ ପୀଠ(ଭୋଗବର୍ଦ୍ଧନ ପୀଠ) ସ୍ଥାପନ କରି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ବ୍ରହ୍ମତ୍ୱ ପରମ ମାନବୀୟ ଲୀଳା ଆଦିକୁ ଭାରତୀୟ ଦର୍ଶନର ସର୍ବୋଚ୍ଚ ପାହାଚରେ ଅଧିଷ୍ଠିତ କରାଇଛନ୍ତି। ଦାରୁବ୍ରହ୍ମ ରୂପରେ ନଶ୍ୱର ଓ ଈଶ୍ୱରର ଅନନ୍ୟ ସମନ୍ୱୟ ସାରାବିଶ୍ୱର ଜ୍ଞାନୀଗୁଣୀ ଭକ୍ତମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଓ ତାଙ୍କର ଲୀଳାକ୍ଷେତ୍ର ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ଭୂଲୋକରେ ଗୋଲକଧାମର ପରାକାଷ୍ଠା ପ୍ରତିପାଦନ କରୁଛି। ଭାରତୀୟ ଧର୍ମ ଜିଜ୍ଞାସା ପରମ୍ପରାର ଆଦି ସନାତନ ସ୍ୱରୂପ ବେଦ, ବେଦାଙ୍ଗ, ବେଦାନ୍ତଠାରୁ ଆରମ୍ଭ କରି ଓଡ଼ିଶାର ନିଜସ୍ୱ ପ୍ରତିବେଦନ ପ୍ରାଚୀନ ପଞ୍ଚସଖାଙ୍କ ଦିବ୍ୟ ପଦାବଳୀ, ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦ, ସ୍କନ୍ଦ ପୁରାଣ, ଲକ୍ଷ୍ମୀ ପୁରାଣ ଆଦି ଅସଂଖ୍ୟ ଗ୍ରନ୍ଥ ଓ ଶାସ୍ତ୍ରରେ ଶ୍ରୀଜଗନ୍ନାଥଙ୍କୁ ସାରା ଓଡ଼ିଶାରେ ଯେଉଁଭଳି ହୃଦୟର ଗଭୀରତମ ପ୍ରଦେଶରେ ସ୍ଥାନ ଦିଆଯାଇଛି, ତାହା ସାରା ଭାରତରେ କାହିଁକି ସାରା ବିଶ୍ୱରେ ଅଦ୍ୱିତୀୟ। ତେଣୁ ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଆର ହୃଦୟ ଜଗନ୍ନାଥପ୍ରାଣ ଓ ପ୍ରତ୍ୟେକ ଓଡ଼ିଆର ଜୀବନ ଜଗନ୍ନାଥ ସମର୍ପିତ।

ଏଭଳି ହୃଦୟର ଠାକୁରଙ୍କ ସାମାନ୍ୟତମ ଉପେକ୍ଷା ବା ଅବହେଳା ଯେ ପ୍ରତ୍ୟେକ ଓଡ଼ିଆ ହୃଦୟକୁ ବ୍ୟଥିତ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଜ୍ଞାତସାରରେ ହେଉ, ଅଜ୍ଞାନବଶତଃ ହେଉ କିମ୍ବା ଚତୁରତା କିମ୍ବା ଅଭିସନ୍ଧିମୂଳକ ହେଉ, ଯେକୌଣସି ଭାବରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାମାନ୍ୟତମ ଆକ୍ଷେପ ଦ୍ୱାରା ଆମେ ସମସ୍ତେ ଯେ ମର୍ମାହତ ହେବା ଏହା ସ୍ୱାଭାବିକ। ଜଣେ ସ୍ୱାଭିମାନୀ ଜଗନ୍ନାଥ ଚେତନାର ଗବେଷକଙ୍କୁ ପଚରାଗଲା, ଜଗନ୍ନାଥଙ୍କର ଜଣେ ପ୍ରକୃତ ଭକ୍ତ କିଏ? ଅତ୍ୟନ୍ତ ବିନୀତ ସ୍ୱରରେ ସେ କହିଲେ ଜଣେ ପ୍ରକୃତ ଭକ୍ତର ସଂଜ୍ଞା, ଗୁଣାବଳୀ ଓ ପ୍ରକାରଭେଦ ଏକ ବିସ୍ତୃତ ଆଲୋଚନାର ଅପେକ୍ଷା କରେ। ତେବେ ଅତିସଂକ୍ଷିପ୍ତରେ କହିବାକୁ ଗଲେ କାୟମନୋବାକ୍ୟରେ ଯେଉଁ ବ୍ୟକ୍ତି ଶ୍ରୀଜଗନ୍ନାଥାର୍ପିତ ହୋଇଥାଏ ସେ ହିଁ ପ୍ରକୃତ ଭକ୍ତ। ଶ୍ରୀଜଗନ୍ନାଥ ଯୁଗଯୁଗ ଧରି କେତେ ପାପୀ, ତାପୀ, ଗର୍ବୀ ଓ ଅହଙ୍କାରୀଙ୍କୁ ତାରଣ କରିଛନ୍ତି। ସେଇଥିପାଇଁ ତ ସେ ପତିତପାବନ ରୂପେ ପରିଚିତ। ପୁରାଣ, କିମ୍ବଦନ୍ତୀ ଓ ଲୋକକଥାରେ ଆଜି ପର୍ଯ୍ୟନ୍ତ ଏଭଳି ଅସଂଖ୍ୟ ପତିତପାବନ ଘଟଣାର ଉଲ୍ଲେଖ ରହିଛି। ନୀଳଚକ୍ର ଓ ସେଥିରେ ଖଚିତ ପତିତପାବନ ବାନାକୁ ବହୁଦୂରରୁ ଦର୍ଶନ କଲେ ମଧ୍ୟ ପାପକ୍ଷାଳନ ହୁଏ ବୋଲି ସମସ୍ତ ଭକ୍ତଙ୍କ ବଦ୍ଧଧାରଣା। ପରମ କାରୁଣିକ ଦାରୁବ୍ରହ୍ମ ରତ୍ନ ସିଂହାସନରେ ବସି କାଳିଆ ଠାକୁର ବାହୁ ପ୍ରସାରୀ ଜଗତର ସମସ୍ତ ପାତକୀଙ୍କୁ ଡାକୁଛନ୍ତି ତାଙ୍କ ପାଖକୁ ଆସିବା ପାଇଁ। ପ୍ରଭୁ ନିଜେ ମଧ୍ୟ ପ୍ରତ୍ୟେକ ବର୍ଷ ଗୁଣ୍ଡିଚାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଆସନ୍ତି ଜଗତ ଉଦ୍ଧାର ପାଇଁ। ତାଙ୍କ ଚକାଆଖିର ଏକ ଆଂଶିକ ସାମୟିକ ତଥା ତାତ୍କାଳିତ ଦର୍ଶନରେ ଭକ୍ତ ହୃଦୟ ବିଗଳିତ ହୋଇଯାଏ, କଣ୍ଠ ବାଷ୍ପାକୁଳିତ ଓ ବେନିନେତ୍ର ପ୍ରକ୍ଷାଳିତ ହୋଇଥାଏ। ଏଠିକି ସମସ୍ତେ ଆସନ୍ତି କୃପା ଭିକ୍ଷା ପାଇଁ, ଗରିମା ପ୍ରଦର୍ଶନ ପାଇଁ ନୁହେଁ। ବଡ଼ିମା ଦେଖେଇବାକୁ ଯେତକ ଆସିଛନ୍ତି ସମସ୍ତେ ପରାଭବ ପାଇଛନ୍ତି। ମର୍ତ୍ତ୍ୟବୈକୁଣ୍ଠର ଏହି ମହାପ୍ରଭୁ ଚକ୍ରରାଜ ସୁଦର୍ଶନଙ୍କ ଗର୍ବ ମଧ୍ୟ କିଭଳି ଖର୍ବ କରିଥିଲେ ତାହା ଭକ୍ତମାନେ ଜାଣନ୍ତି। ସେହିପରି ଧର୍ମାନ୍ତରିତ ଗଜପତି ରାମଚନ୍ଦ୍ର ଦେବ (ହାଫିଜ୍‌‌ କାଦର) ଭାବେ ନିର୍ଜନ ମଧ୍ୟରାତ୍ରିରେ ଦର୍ଶନ ପାଇଁ ଆସିଲେ ଦୂରରୁ ପତିତପାବନଙ୍କ ଆଗରେ ମୁଣ୍ଡ ନୁଅାଁନ୍ତି ଏବଂ ଓଡ଼ିଶାରୁ ବିଧର୍ମୀ ଶାସକଙ୍କୁ ହଟାଇବାକୁ ପ୍ରଭୁଙ୍କ ପାଖରେ ଅଳି କରନ୍ତି। ଶ୍ରୀକ୍ଷେତ୍ରର ପୃଷ୍ଠପୋଷକ ଗଜପତି ମହାରାଜାମାନେ ଯେ ଠାକୁରଙ୍କ ରାଉତ ତଥା ପ୍ରଥମ ସେବକ ତାହା ମୁକ୍ତ କଣ୍ଠରେ ସର୍ବସାଧାରଣରେ ସ୍ୱୀକାର କରିଥା’ନ୍ତି ଏବଂ ଠାକୁରଙ୍କ ଛେରାପହଁରା ତଥା ‘ରାଜନୀତି-ବନ୍ଦାପନା’ କରି ନିଉଛାଳି ହୁଅନ୍ତି।

ଏହି ପୃଷ୍ଠଭୂମିରେ ଆସନ୍ତୁ ଦେଖିବା ଶ୍ରୀଜଗନ୍ନାଥଙ୍କୁ ନେଇ ସମ୍ପ୍ରତି କିଭଳି ନିର୍ବାଚନୀ ରାଜନୀତି କରି ଜନୈକ ରାଜନେତା ହଟହଟା ହୋଇଛନ୍ତି। ସାରା ଓଡ଼ିଶାରେ ଏବେ ଚହଳ ପଡ଼ିଛି ଯେ ଶ୍ରୀଜଗନ୍ନାଥ ପୁଣି ଜଣେ ମଣିଷର ଭକ୍ତ? ନିର୍ବାଚନୀ ପ୍ରଗଳ୍‌‌ଭତାର ଉଚ୍ଚାଟରେ ଏଭଳି ତୁଣ୍ଡ ହୁଡ଼ିଯାଇଛି ବୋଲି ସମ୍ପୃକ୍ତ ନେତା ଭୁଲ୍‌‌ ସ୍ୱୀକାର କରିଛନ୍ତି ଏବଂ ପ୍ରଭୁଙ୍କଠାରୁ କ୍ଷମାଭିକ୍ଷା କରିଛନ୍ତି। ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ଏଭଳି ନେତାମାନେ ଯେ ଓଡ଼ିଆ ଅସ୍ମିତାର ସର୍ବୋଚ୍ଚ ଦିବ୍ୟ ପରିଚୟକୁ ଯେ ହୃଦୟଙ୍ଗମ କରିପାରି ନାହାନ୍ତି ତାହା ସ୍ପଷ୍ଟ ଅନୁମେୟ। ଶ୍ରୀଜଗନ୍ନାଥଙ୍କ ଜଣେ ଭକ୍ତ କେବେହେଲେ ନିଜକୁ ଭକ୍ତ ବୋଲି ଡିଣ୍ଡିମ ପିଟି ଜନତାଙ୍କଠାରୁ ଭୋଟ ଭିକ୍ଷା କରେ ନାହିଁ। ସେହି ତଥାକଥିତ ଭକ୍ତ ଶ୍ରୀଜଗନ୍ନାଥଙ୍କୁ ଆଉ ଜଣେ ରାଜନେତାଙ୍କର ଭକ୍ତ ବୋଲି କହିବା ପାଇଁ କିଭଳି ଦୁଃସାହସ କରିପାରିଲେ? ଅଜାଣତରେ ଏଭଳି ପାପ କରି ପକାଇଛି ବୋଲି ସ୍ୱୀକାର କରି ଏବେ ପ୍ରାୟଶ୍ଚିତ କଲେ ବିଶ୍ୱସାରା କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଯେଉଁ ଗଭୀର ଆଘାତ ଲାଗିଛି ତାହା କ’ଣ ଉପଶମ ହେବ? କରୁଣାସିନ୍ଧୁ କ୍ଷମାସାଗର କୃପା ପାରାବାର ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥ ତାଙ୍କୁ ସଦ୍‌‌ବୁଦ୍ଧି ଦିଅନ୍ତୁ। କିନ୍ତୁ ଓଡ଼ିଶାର ଜନତା ଜନାର୍ଦ୍ଦନ ତାଙ୍କ ହୃଦୟରେ ହୋଇଥିବା ଗଭୀର କ୍ଷତର ଯନ୍ତ୍ରଣାକୁ ବହୁଦିନ ପର୍ଯ୍ୟନ୍ତ ଅନୁଭବ କରିବେ ଏଥିରେ ସନ୍ଦେହ ନାହିଁ। ଓଡ଼ିଆଙ୍କ ପରମ ଆରାଧ୍ୟ ଓ ଜଗତବନ୍ଦ୍ୟ ଶ୍ରୀଜଗନ୍ନାଥଙ୍କୁ ଭୋଟ ରାଜନୀତିରୁ ବହୁଊର୍ଦ୍ଧ୍ବରେ ରଖାଯାଉ ବୋଲି ଆମର ବିନୀତ ନିବେଦନ।

Leave A Reply

Your email address will not be published.