ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିମିଳିପାଳରେ ଅଫିମ ଚାଷ : ଚଢାଉ କରି ୧୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଛ ପୋଡି ନଷ୍ଟ କଲା ଅବକାରୀ ବିଭାଗ, ପୁଲିସ ଓ ବନ ବିଭାଗ

ବାରିପଦା/ଯଶିପୁର : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରୁ ପୁଣି ବେଆଇନ ଅଫିମ ଚାଷ ଜମିରେ ମିଳିତ ଚଢ଼ାଉକୁ ସଫଳତା ମିଳିଛି । ୧୫.୬୪ଏକର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟିସ୍ଥାନରେ ୫ଲକ୍ଷ ୨୫ହଜାର ଅଫିମ ଗଛ ଉପାଡି ନିଆଁ ଜାଳି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୧୦କୋଟି ୬୬ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

ଶିମିଳିପାଳର ବକୁଆ  ଓ କୁକୁରଭୁକା ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ନେଇ ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ମୟୂରଭଞ୍ଜ ଏସପି ଏସ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଚଢାଉ କରାଯାଇଥିଲା । ମାଜିଷ୍ଟ୍ରେଟ ପୁଲିସ ଓ ବନବିଭାଗ ସହିତ ମିଳିତ ଭାବେ ସଦଳବଳେ ଚଢାଉ କରାଯାଇଥିଲା । ଏନେଇ ଯଶିପୁର ପୁଲିସ ପକ୍ଷରୁ ଏନଡିପିଏସ ଆକ୍ଟରେ ପୃଥକ ମାମଲା ରୁଜୁ ସହିତ ମିଳିତ ବିଭାଗର କର୍ମଚାରୀ ଗୋଟି ଗୋଟି ଗଛ ଉପାଡି ଠୁଳ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରାଯାଇଛି । ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି ।

ସେହିପରି ଅବକାରୀ ବିଭାଗ ପକ୍ଷରୁ ଏସପି ପ୍ରଶାନ୍ତ କଅଁରଙ୍କ ନେତୃତ୍ୱରେ ଜେନାବିଲ, ଖଜୁରୀ ଓ ଯଯଗଡା ୩ଟି ଗ୍ରାମରେ ଚଢାଉ କରି ୧୧ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୩ଲକ୍ଷ ୮୫ହଜାର ଅଫିମ ଗଛ ଉପାଡି ନଷ୍ଟ କରାଯାଇଛି । ଯାହାର ବଜାର ମୂଲ୍ୟ ଆନୁମାନିକ ୭କୋଟି ୭୦ହଜାର ମୂଲ୍ୟ ହେବ । ଏନେଇ ଅବକାରୀ ବିଭାଗ ପକ୍ଷରୁ ପୃଥକ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ ଫେବୃଆରୀ ୨୪ତାରିଖରେ ଅନୁରୂପ ମିଳିତ ଚଢାଉରେ ୨ଟି ସ୍ଥାନରେ ୨୬ଲକ୍ଷ ଟଙ୍କାର ୧୩ହଜାର ବେଆଇନ ଅଫିମ ଗଛ ଉପାଡି ନଷ୍ଟ କରାଯାଇଥିଲା । ସେହି ଯଶିପୁର ଥାନାରେ ୨ଟି ପୃଥକ ମାମଲା ରୁଜ୍ଜୁ ହୋଇଥିଲା । ତେବେ ଶିକାର ଓ ଶିକାରୀଙ୍କ ଉପରେ ଅଙ୍କୁଶ ଆଣିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ନିୟୋଜିତ ସହିତ ବ୍ୟାପକ ଧରପକଡ ପରେ ରେକର୍ଡ ସଂଖକ ବନ୍ଧୁକ ଜବତ କରାଯାଉଥିବା ବେଳେ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ଅଫିମ ଚାଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave A Reply

Your email address will not be published.