ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ହରିଶ୍ଚନ୍ଦ୍ର’ ଓ ‘ମହାପ୍ରୟାଣ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦୦ କୋଟି ଦେଲା ଓଡ଼ିଶା ଖଣି ନିଗମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୧୦୦ କୋଟି ଟଙ୍କା ପ୍ରଦାନ କରିଛି ଓଡ଼ିଶା ଖଣି ନିଗମ (ଓଏମସି) । ଏହି ଟଙ୍କା  ‘ହରିଶ୍ଚନ୍ଦ୍ର’ ଓ ‘ମହାପ୍ରୟାଣ’ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି (ସିଏମ୍‌ଆର୍‌ଏଫ) ପକ୍ଷରୁ ଖର୍ଚ୍ଚ କରାଯିବ।  ସିଏସ୍‌ଆର୍‌ ପାଣ୍ଠି ବାବଦକୁ ଓଏମ୍‌ସି ସିଏମ୍‌ଆର୍‌ଏଫ୍‌ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ କରିଛି । ଶୁକ୍ରବାର ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଅର୍ଥରାଶି ସମ୍ବଳିତ ଚେକ୍‌ ପ୍ରଦାନ କରିଛନ୍ତି ।


ହରିଚନ୍ଦ୍ର ଯୋଜନା ଅଧୀନରେ ଗରିବ ଏବଂ ଅସହାୟ ଲୋକମାନେ ସହାୟତା ପାଇଥାନ୍ତି । ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ସେହିପରି ମହାପ୍ରୟାଣ ଯୋଜନାରେ ମରଶରୀରକୁ ମୃତ୍ୟୁ ସ୍ଥାନରୁ ନିଜର ବାସସ୍ଥାନ ପର୍ଯ୍ୟନ୍ତ ନେବା ପାଇଁ ସହାୟତା ପ୍ରଦାନ କରାଯାଉଛି । ଶୁକ୍ରବାର ମନ୍ତ୍ରୀ ଶ୍ରୀମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଚେକ୍‌ ପ୍ରଦାନ କରିବା ବେଳେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌, ଓଏମସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ, ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ତଥା ଓଏମ୍‌ସି ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଏମ୍‌ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଓଏମ୍‌ସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଉଛି । ଏହାସହିତ ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଓଏମ୍‌ସିର ଯଥେଷ୍ଟ ଅବଦାନ ରହିଛି । ନିଜର ସିଏସ୍‌ଆର ପାଣ୍ଠି ବିନିଯୋଗ କରି ଓଏମସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି ।

Leave A Reply

Your email address will not be published.