ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇସ୍ପାତ ଉତ୍ପାଦନରେ ଶୀର୍ଷରେ ଓଡ଼ିଶା, ପୂର୍ବ ବର୍ଷ ତୁଳନାରେ ୧୧% ଅଧିକ ଉତ୍ପାଦନ

ଭୁବନେଶ୍ୱର: ରାଜ୍ୟରେ ତ୍ୱରୀତ ଶିଳ୍ପାୟନ ଦିଗରେ ରହିଥିବା ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଆଜି ଇସ୍ପାତ ଉତ୍ପାଦନରେ ଓଡ଼ିଶାକୁ ୧ ନମ୍ବର ସ୍ଥାନରେ ପହଞ୍ଚାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୬ ନିୟୁତ ଟନ୍ ଷ୍ଟିଲ୍ ଉତ୍ପାଦନ ହୋଇଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧୧% ଅଧିକ। ଏହି ଅଭିବୃଦ୍ଧି ସହିତ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶାରେ ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଭରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ସକାରାତ୍ମକ ଉଦ୍ୟମ ହେତୁ ଦକ୍ଷ ମାନବସମ୍ବଳ ଅଭାବ ଦୂର ହୋଇଛି। ସହଜରେ ଶିଳ୍ପାୟନ ନୀତି ତଥା ବ୍ୟବସାୟୀକ ପରିବେଶ ହେତୁ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ଇସ୍ପାତ ଉତ୍ପାଦନରେ ଓଡ଼ିଶା ପଛକୁ ଝାଡ଼ଖଣ୍ଡ (୨୦ ନିୟୁତ ଟନ୍) ଏବଂ ଛତିଶଗଡ଼ (୧୮ ନିୟୁତ ଟନ୍) ରହିଛନ୍ତି।
ନିବେଶକଙ୍କୁ ଆକୃଷ୍ଠ କରିବା ଲାଗି ଗତ ଦୁଇ ଦଶନ୍ଧୀ ମଧ୍ୟରେ ରାଜ୍ୟ ସରକାର ଅନେକ ସୁ ପଦକ୍ଷେପ ନେଇଛନ୍ତି। ତେବେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ଦେଶ ବିଦେଶରେ ନିବେଶକ ସମ୍ମିଳନୀ ଓଡ଼ିଶା ପାଇଁ ବେଶ୍ ଲାଭଦାୟୀ ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ଜାପାନ୍ ଯାଇ ନିବେଶକଙ୍କୁ ଓଡ଼ିଶାରେ ଥିବା ଅପାର ସମ୍ଭାବନା ସମ୍ପର୍କରେ ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରତିନିଧି ଦଳ ବିଭିନ୍ନ ରାଜ୍ୟ ଓ ଦେଶ ଗସ୍ତ କରି ଓଡ଼ିଶାରେ ନିବେଶ ପାଇଁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରିଥିଲେ। ଗୋଟିଏ ପରେ ଗୋଟିଏ କମ୍ପାନୀ ଓଡ଼ିଶାରେ କାରବାର ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେହିପରି ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟିରେ ପ୍ରତି ମାସରେ ହଜାର ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ସବୁଜ ସଙ୍କେତ ପ୍ରଦାନ କରାଯାଉଛି। ବଡ଼ କଥା ହେଉଛି ଶିଳ୍ପ ପାଇଁ ଓଡ଼ିଶାର ଯୁବକ ଯୁବତୀଙ୍କୁ ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଇଟିଆଇ, ଇଞ୍ଜିନିୟରିଂ କଲେଜ ତଥା ଦନ୍ଧାମୂଳକ ଶିକ୍ଷାନୁଷ୍ଠାନରେ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଉଛି। ପ୍ରମୁଖ ବନ୍ଦର ସହିତ ରେଳ ଓ ସଡ଼କ ପଥରେ ଯୋଗାଯୋଗ ସୁନିଶ୍ଚିତ କରାଯାଇଛି। ଆମଦାନୀ ଓ ରପ୍ତାନୀ ପାଇଁ ବାଧା ନାହିଁ। ଓଡ଼ିଶାରେ କାରବାର କରୁଥିବା ଧାତବ କାରଖାନା ପାଇଁ ସରକାର କଞ୍ଚାମାଲ ଯୋଗାଇ ଦେଉଛନ୍ତି। ନୂଆ କମ୍ପାନୀ ପାଇଁ ଜମି ପ୍ରଦାନ ସହିତ ବିଜୁଳି ଓ ଜଳ ଯୋଗାଣ ସୁନିଶ୍ଚିତ କରାଯାଉଛି। ପରିଣାମ ସ୍ୱରୂପ ଆଜି ଓଡ଼ିଶା ଇସ୍ପାତ ଉତ୍ପାଦନରେ ପ୍ରଥମ ସ୍ଥାନ ହାସଲ କରିଛି।

Leave A Reply

Your email address will not be published.