ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ନବେ ଦଶକର ସମ୍ବାଦ ପାଠକ; ଚିହ୍ନା ମୁହଁ, ଚିହ୍ନା ସ୍ୱର

୮୦ ଦଶକର ଦ୍ୱିତୀୟାର୍ଦ୍ଧ ବେଳକୁ ସର୍ବଭାରତୀୟ ସ୍ତରରେ ସୂଚନା ପ୍ରସାରଣ ଓ ମନୋରଞ୍ଜନର ଏକ ନୂଆ ଯୁଗ ଆରମ୍ଭ ହୋଇସାରିଥିଲା। ଏ କ୍ଷେତ୍ରରେ ଓଡ଼ିଶା ବା ପଛରେ ରହିଥା’ନ୍ତା କେମିତି? ଅଳ୍ପ ଜ୍ଞାନକୌଶଳ ଓ ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ଓଡ଼ିଆ ଦୂରଦର୍ଶନ ଆଞ୍ଚଳିକ ଭାଷା, ସଂସ୍କୃତି, ପରମ୍ପରା ଓ ଖବର ପ୍ରସାରଣ କ୍ଷେତ୍ରରେ ଲେଖିଲା ନୂଆ ଇତିହାସ। ଧୀରେ ଧୀରେ ଦର୍ଶକ ରେଡିଓରୁ ଦୂରଦର୍ଶନ ପରଦା ଆଡ଼କୁ ଆକର୍ଷିତ ହେବାରେ ଲାଗିଲେ। ଟିଭି ପରଦାରେ ସନ୍ଧ୍ୟା ୭ଟାରେ ‘ସମାଚାର’ ସାରା ପରିବାରକୁ ଏକାଠି ବାନ୍ଧି ରଖୁଥିଲା। ଖବର ଶୁଣିବା ସହିତ ଖବର ପାଠକଙ୍କୁ ସାମ୍ନାସାମ୍ନି ଦେଖିବାର ନିଆରା ଅନୁଭୂତି, ଆନନ୍ଦ ଓ ପୁଲକ ଦର୍ଶକ ସାଉଁଟି ଚାଲିଲେ। ଏଥିସହିତ ଓଡ଼ିଆ ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ ଆରମ୍ଭ ହେଲା ଏକ ନୂଆ ଯୁଗ। ତା’ ସହିତ ଗଣମାଧ୍ୟମରେ ନୂଆ ଅନୁଭୂତି ଆଣିଦେଲା ରୋଜଗାରର ନୂଆ ସୁଯୋଗ ଓ ବିପୁଳ ସମ୍ଭାବନା। ପ୍ରତିଦିନ କୋଡ଼ିଏ ମିନିଟ୍‌‌ ପାଇଁ ପରଦାକୁ ଆସୁଥିବା ଦୂରଦର୍ଶନର ସମ୍ବାଦ ପାଠକ ଓ ପାଠିକାମାନେ ଓଡ଼ିଶାର ପୁରପଲ୍ଲୀରେ ସେଲିବ୍ରିଟି ପାଲଟିଗଲେ। ସେଦିନର ସେହି ଚିହ୍ନା ମୁହଁକୁ ପୁଣି ଥରେ ଦର୍ଶକଙ୍କୁ ମନେପକାଇବାକୁ ‘ସକାଳ’ର ସ୍ୱତନ୍ତ୍ର ଉପସ୍ଥାପନା। (ପ୍ରସ୍ତୁତି: ସୁମିତ୍ରା)

ଲଗାତାର ୧୦ ଦିନ ପଢ଼ିଥିଲି ଖବର
୧୯୮୮ ମସିହା ଜୁଲାଇ ମାସ ୧ତାରିଖରେ ପ୍ରଥମେ ଦୂରଦର୍ଶନରେ ବାର୍ତ୍ତା ପ୍ରସାରଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ଜଣ ଖବର ପାଠକ (କାଜୁଆଲ ନିଉଜ୍‌‌ ରିଡର ଭାବେ) ମନୋନୀତ ହୋଇଥିଲେ। ଦିନକୁ ଗୋଟିଏ ବୁଲେଟିନ୍‌‌ ସନ୍ଧ୍ୟା ୬ଟା ୩୦ରୁ ୬ଟା ୪୦ ପର୍ଯ୍ୟନ୍ତ ମାତ୍ର ୧୦ମିନିଟ୍‌‌ ପାଇଁ ପ୍ରସାରଣ ହେଉଥିଲା। ଲଗାତାର ଭାବେ ୧୦ଦିନ ଧରି ମୁଁ ଖବର ପାଠ କରିଥିଲି। ଲାଇଭ୍‌‌କୁ ଯିବା ଆଗରୁ ହଟ୍‌‌ ଲାଇନ୍‌‌ ଟେଷ୍ଟ ହେଉଥିଲା। ସେତେବେଳେ ଟେଲି ପ୍ରମ୍ପଟର୍‌‌ (ଟିପି) ସୁବିଧା ନ ଥିବାରୁ ପ୍ରଥମ ଲାଇନ୍‌‌ ଏବଂ ଶେଷ ଲାଇନ୍‌‌ ଘୋଷି ଦେଉଥିଲୁ। ଜଣେ ସମ୍ବାଦ ପାଠକ ସ୍ନାତକୋତ୍ତର ପାସ୍‌‌ କରିଥିବା ସହ ଭଲ ସ୍ୱର, ଉଚ୍ଚାରଣ, ସାଧାରଣଜ୍ଞାନ ଉପରେ ଧାରଣା ରହିବା ବାଧ୍ୟତାମୂଳକ ଥିଲା। ଏହିସବୁ ସୀମା ଭିତରେ ରହି ମୁଁ ଦର୍ଶକଙ୍କ ପାଖରେ ପହଞ୍ଚି ପାରିଥିଲି। ସର୍ବସାଧାରଣ ସ୍ଥାନରେ ଯିଏ ଦେଖୁଥିଲେ ତାଙ୍କ ମୁହଁରେ ଯେଉଁ ହସ ଓ ଆତ୍ମୀୟତା ଦେଖାଯାଉଥିଲା ସେଥିରୁ ଦର୍ଶକଙ୍କ ଭଲପାଇବା ଅନୁମାନ କରିହେଉ ଥିଲା। ଶୁଭେନ୍ଦୁ ମହାନ୍ତି

ଦୂରଦର୍ଶନରୁ ମୋ ପରିଚୟ

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ମୁଁ ଦୂରଦର୍ଶନରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରୁଥିବା ବେଳେ ୧୯୮୮ ମସିହା ଜୁନ୍‌‌ ୧୬ରେ ପ୍ରଥମେ ଖବର ପଢିଥିଲି। ସମ୍ବାଦ ପାଠକ ବା ପାଠିକାଙ୍କ ଶାଳୀନତା, ଭାଷା ଉପଯୋଗ, ଶବ୍ଦ ବ୍ୟବହାର, ଉଚ୍ଚାରଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ମୁଁ ଇଂରାଜୀ ମାଧ୍ୟମ ଛାତ୍ର ହୋଇଥିବାରୁ ମୋତେ ଟିକେ ସମସ୍ୟା ହେଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଠିକ୍‌‌ ହୋଇଥିଲା। ମୁଁ ପ୍ରତିଦିନ ୨ଟି ଖବରକାଗଜ ବଡ଼ପାଟିରେ ପଢ଼େ। ଏହାଦ୍ୱାରା ଶବ୍ଦର ଉଚ୍ଚାରଣ ନିର୍ଭୁଲ ହୋଇଥାଏ। ବର୍ତ୍ତମାନ ନ୍ୟୁଜ୍‌‌ରେ ଯେଉଁ ଶବ୍ଦ ଏବଂ ଉଚ୍ଚାରଣ କରାଯାଉଛି ତାହାକୁ ସହଜରେ ଗ୍ରହଣ କରି ହେଉ ନାହିଁ। ଜଣେ ଭଲ ସମ୍ବାଦ ପାଠକ ହେବାକୁ ହେଲେ ସ୍ପିଡ୍‌‌, ଆକ୍ୟୁରେସି ଏବଂ କ୍ଲାରିଟି ଆବଶ୍ୟକ। ଦୂରଦର୍ଶନରେ ୩୩ବର୍ଷର ଏହି ଯାତ୍ରା ମୋ ପାଇଁ ଏକ ସୁବର୍ଣ୍ଣ ସମୟ ଥିଲା। ଆଜି ଲୋକମାନେ ଯଦି ମୋତେ ଜାଣିଛନ୍ତି ତାହା କେବଳ ଦୂରଦର୍ଶନ ପାଇଁ ସମ୍ଭବ ହୋଇଛି। ସେଥିପାଇଁ ମୁଁ ଦୂରଦର୍ଶନ ନିକଟରେ କୃତଜ୍ଞ। ମନୋଜ ପଣ୍ଡା

 

ଅବିସ୍ମରଣୀୟ ସେଇ ପ୍ରଥମ ଦିନ

କଟକରେ ଦୂରଦର୍ଶନ ଥିବା ବେଳେ ମୁଁ କୃଷି କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସୂଚନା ପଢ଼ୁଥିଲି। ୧୯୯୦ ମସିହା ଜାନୁଆରୀ ମାସରୁ ଖବର ପଢିବା ଆରମ୍ଭ କରିଥିଲି। ୨୦୨୨ ମସିହା ଡିସେମ୍ବର ଯାଏ ପ୍ରାୟ ୩୨ବର୍ଷ ଧରି ମୁଁ ସମ୍ବାଦ ପଢ଼ୁଥିଲି। ସେତେବେଳର ଏକମାତ୍ର ଚ୍ୟାନେଲ୍‌‌ ଦୂରଦର୍ଶନରେ ସୁଯୋଗ ମିଳିବା ସୌଭାଗ୍ୟର କଥା। ଯେଉଁଦିନ ମୁଁ ପ୍ରଥମେ ସମ୍ବାଦ ପଢିଥିଲି ସେହିଦିନଟି ମୋ ପାଇଁ ଅବିସ୍ମରଣୀୟ ଥିଲା। ସେତେବେଳେ ସନ୍ଧ୍ୟା ୭ଟା ୩୦ରେ ଖବର ପ୍ରସାରଣ ହେଉଥିଲା। ଦୂରଦର୍ଶନ ଖବରର ଏତେ ଗୁରୁତ୍ୱ ଥିଲା ଯେ, ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌‌ ମ୍ୟାଚ୍‌‌ର ହାର ଜିତ୍‌‌ ଲଢ଼େଇ ସମୟରେ ବି ତାହାକୁ କଟାଯାଇ ସମ୍ବାଦ ପରିବେଷଣ ହେଉଥିଲା। ମଣିଷର ପାଠପଢ଼ୁ କ୍ୟାରିଅର ମଧ୍ୟରେ ମାଟ୍ରିକ୍‌‌ ପରୀକ୍ଷା ଯେଉଁଭଳି ଘଡ଼ିସନ୍ଧି ମୁହୂର୍ତ୍ତ, ନ୍ୟୁଜ୍‌‌ ରୁମ୍‌‌କୁ ପ୍ରବେଶ କରିବା ମଧ୍ୟ ସମାନ। ଲାଇଭ୍‌‌ ଟେଲିକାଷ୍ଟ ହେଉଥିବାରୁ ଭୁଲ ହେବାର ଭୟ ମଧ୍ୟ ରହୁଥିଲା। ଶ୍ରୀକୃଷ୍ଣ ସାମଲ

 

ଟେଲିପ୍ରମ୍ପଟର ନ ଥିଲା; ହାତଲେଖା ପଢୁଥିଲୁ

ସେ ସମୟରେ ଟେଲି ପ୍ରମ୍ପଟର୍‌‌ ନଥିଲା। ତେଣୁ ହାତଲେଖାକୁ ନିର୍ଭର କରିବା ସହ ନିଜେ ଲେଖିବାକୁ ପଡ଼ିଛି। ଭଲ ହାତଲେଖା ପାଇଁ ଇଣ୍ଟରଭ୍ୟୁ କରାଯାଇ ୨ରୁ ୩ଜଣଙ୍କୁ ନିଯୁକ୍ତି ଦିଆଯାଉଥିଲା। ଭିନ୍ନ ଭିନ୍ନ ଲୋକଙ୍କର ଅଲଗା ହାତଲେଖା ବାରମ୍ବାର କଟାଯାଇ ସଂଶୋଧନ କରାଯାଉଥିବାରୁ ପଢିବାକୁ ସମସ୍ୟା ହେଉଥିଲା। ଦର୍ଶକଙ୍କ ସାମ୍ନାକୁ ନ ଚାହିଁ ଅଧିକାଂଶ ସମୟ ତଳକୁ ଚାହିଁ ପଢିବାକୁ ପଡ଼ୁଥିଲା। ୧୯୮୮ରୁ ୧୯୯୧ ମସିହା ପର୍ଯ୍ୟନ୍ତ ଏଭଳି ହାତ ଲେଖା ଚାଲିଥିଲା। କଟକରୁ ଭୁବନେଶ୍ୱରକୁ ଦୂରଦର୍ଶନ ଆସିବା ପରେ ମାନୁଆଲ୍‌‌ ଟେଲି ପ୍ରମ୍ପଟର ଲାଗିଲା। ହେଲେ ହାତଲେଖା ବଦଳି ନ ଥିଲା। ସେହି ହାତ ଲେଖାକୁ ଟେଲିପ୍ରମ୍ପଟର କ୍ୟାମେରା ମାଧ୍ୟମରେ ସାମ୍ନାରେ ରହିଥିବା ଏକ କାଚରେ ଲେଖା ଗୁଡ଼ିକ ପ୍ରତିଫଳିତ ହେଉଥିଲା। ତାହାକୁ ଦେଖି ପାଠକମାନେ ପଢ଼ୁଥିଲେ। ୧୯୯୩ ମସିହାରେ ଟାଇପ୍‌‌ ରାଇଟର୍‌‌ ଆସିଲା। ହାତଲେଖା ପରିବର୍ତ୍ତେ ଲେଖାଗୁଡ଼ିକ ଟାଇପ୍‌‌ କରାଗଲା। ପଢିବାକୁ ସହଜ ହୋଇଥିଲା। ଧୀର ମଲ୍ଲିକ

ମହମବତି ଲଗାଇ ଖବର ପଢ଼ାଯାଇଥିଲା

୧୯୯୧ ମସିହାରେ ଦୂରଦର୍ଶନରେ କାମ କରିବାର ସୁଯୋଗ ମିଳିଥିଲା। ସେତେବେଳେ ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ ମଧ୍ୟ ନ୍ୟୁଜ୍‌‌ ପଢିବାକୁ ଆଗ୍ରହ ଥିଲା। ପୂର୍ବରୁ ସମସ୍ତଙ୍କର ଏକ ଧାରଣା ଥିଲା ଯେ, ରେଡ଼ିଓରେ ଯାହା କୁହାଯାଏ ତାହା ସତକଥା। ଠିକ୍‌‌ ସେମିତି ସମାଚାର ପଢ଼ୁଥିବା ଲୋକଟି କେବେ ମିଛ କୁହେ ନାହିଁ ବୋଲି ମୁଁ ଏହିଠାରେ ଅନୁଭବ କଲି। ଖବର ପାଠକ ହେଉଛନ୍ତି ସତ୍ୟନିଷ୍ଠ ବ୍ୟକ୍ତିତ୍ୱ। କାରଣ ମିଛ କିମ୍ବା ବଢାଣିଆ କଥାକୁ ଦର୍ଶକଙ୍କ ସାମ୍ନାକୁ ଆଣି ନ ଥାନ୍ତି। ମୁଁ ଏବଂ ମୋର ଜଣେ ସହଯୋଗୀ ପଢ଼ୁଥିବା ସମୟରେ ଷ୍ଟୁଡ଼ିଓରେ ଲାଇଟ୍‌‌ ବନ୍ଦ ହୋଇଗଲା। ହେଲେ ଲାଇଭ୍‌‌ ଚାଲିଥିବାରୁ ମହମବତି ଲଗାଇ ନିଉଜ୍‌‌ ପଢାଯାଇଥିଲା। ରମାକାନ୍ତ ମିଶ୍ର

Article Bottom (Mobile Only)

ଭୟ ଭିତରେ ବି ଅନେକ ଖୁସି ଓ ଗର୍ବ ଅନୁଭବ ହୁଏ 

ଦୂରଦର୍ଶନରେ ଓଡ଼ିଆ ନିଉଜ୍‌‌ ଆରମ୍ଭ ହେଲା। ପ୍ରଥମେ ବର୍ଷେ ପଢ଼଼଼଼ିବା ପରେ ବାହାରକୁ ଚାଲିଯାଇଥିଲି। ତାପରେ ୧୯୯୨ରେ ୯୬ ଯାଏ ପୁନର୍ବାର ପଢିବାର ସୁଯୋଗ ପାଇଥିଲି। ସେତେବେଳେ ସ୍କ୍ରିପ୍ଟ ହାତରେ ଲେଖାଯାଉଥିଲା। ଗୋଟିଏ ଫର୍ଦ୍ଦରେ ୧୫ଟା ଶବ୍ଦ ସମ୍ବଳିତ ରହୁଥିଲା। ସେସବୁକୁ ଏକ ହାର୍ଡବୋର୍ଡରେ କ୍ଲିପ୍‌‌ କରାଯାଇ ଦିଆଯାଉଥିଲା। ଏଭଳି ମୋଟ୍‌‌ ୩୦ରୁ ୪୦ ଫର୍ଦ୍ଦ ଥାକରେ ରଖାଯାଇ ଲାଇଭ୍‌‌ ପଢ଼଼଼଼ାଯାଉଥିଲା। ନିଉଜ୍‌‌ ରୁମ୍‌‌କୁ ପଶିବା ପରେ ଯେଉଁ ସଂଶୟ ସୃଷ୍ଟି ହୋଇଥାଏ, ସରିଲା ପରେ ତାହା ଖୁସିରେ ପରିବର୍ତ୍ତନ ହୋଇଥାଏ। ଭୟ ଭିତରେ ବି ଅନେକ ଖୁସି ଓ ଗର୍ବ ଅନୁଭବ ହୁଏ। ସୁଦୀପ ଦାସ

ଜୁନିଅରଙ୍କୁ ସୁଯୋଗ ଦେବା ପାଇଁ ଅବସର ନେଇଥିଲି
ଆମ ସମୟରେ ଏକମାତ୍ର ଟିଭି ଚ୍ୟାନେଲ୍‌‌ ରହିଥିବାରୁ ସାନ ପିଲାମାନଙ୍କର ମଧ୍ୟ ନ୍ୟୁଜ ପଢିବାକୁ ଆଗ୍ରହ ହୁଏ। ନୁଜ୍‌‌ ପଢିବା ସହ ଅନ୍ୟ କାର୍ଯ୍ୟରେ ନିୟୋଜିତ ରହିଥିବାରୁ ସାନମାନେ କିଭଳି ଏହି ସୁଯୋଗ ପାଇପାରିବେ ସେଥିପାଇଁ ମୁଁ ଖବର ପଠନ ଛାଡ଼ି ଦେଇଥିଲି। କିନ୍ତୁ ଦୂରଦର୍ଶନରେ ଅନ୍ୟ କାର୍ଯ୍ୟକ୍ରମ କରୁଥିଲି। ଖବର ପ୍ରସାରଣର ୪ରୁ ୫ଘଣ୍ଟା ପୂର୍ବରୁ ପହଞ୍ଚି ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ। ନିର୍ଭୁଲ ଭାବରେ ଦର୍ଶକଙ୍କ ସାମ୍ନାରେ ସମ୍ବାଦ ପାଠ କରିବା ନିଶ୍ଚିତ ଏକ ଆହ୍ୱାନପୂର୍ଣ୍ଣ ଥିଲା। କ୍ଷଣପ୍ରଭା ଷଡ଼ଙ୍ଗୀ

ଖବର ଉପସ୍ଥାପନାରୁ ଅଭିନୟ

ଦୂରଦର୍ଶନରେ ଖବର ପାଠକ ଓ ପାଠିକା ଅନେକ ଅଭିନୟ କରିଥିବା ନଜିର୍‌‌ ମଧ୍ୟ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ଷଣପ୍ରଭା ଷଡ଼ଙ୍ଗୀ, ତନ୍ଦ୍ରା ରୟ, ମିନୁ ମହାପାତ୍ର, ଧୀରେନ୍ଦ୍ରନାଥ ମଲ୍ଲିକ ଓ ଦେବପ୍ରସାଦ ଦାସ। କ୍ଷଣପ୍ରଭା ଷଡ଼ଙ୍ଗୀ ଦୂରଦର୍ଶନରେ ସମ୍ବାଦ ପଢିବା ସହ ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ପାର୍ଶ୍ବ ଅଭିନେତ୍ରୀ ଓ ବିଭିନ୍ନ ଦୂରଦର୍ଶନ ଧାରାବାହିକରେ ଅଭିନୟ ମଧ୍ୟ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତନ୍ଦ୍ରା ରୟ ମଧ୍ୟ ଏକଦା ଭୁବନେଶ୍ୱର ଦୂରଦର୍ଶନରୁ ପ୍ରସାରିତ ଖବର ପାଠ କରି ଦିନେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ। ସମ୍ବାଦ ପାଠିକାଙ୍କ ଭଳି ସମ୍ବାଦ ପାଠକ ଦେବପ୍ରସାଦ ଦାସ ମଧ୍ୟ ଏକଦା ଦୂରଦର୍ଶନରେ ଓଡ଼ିଆ ଖବର ପଢିବା ସହ ‘କଥାନ୍ତର’ ଭଳି ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ସେ ପ୍ରଥମେ ୧୯୮୯ ମସିହା ଅଗଷ୍ଟ ୨୯ ତାରିଖରେ ଦୂରଦର୍ଶନରେ ଖବର ପଢ଼ୁଥିଲେ। ଦୀର୍ଘ ୩୪ ବର୍ଷ ଧରି ସେ ଦୂରଦର୍ଶନରେ ସମ୍ବାଦ ପଠନ ଜାରି ରଖିଛନ୍ତି। ସେହିଭଳି ଧୀରେନ୍ଦ୍ରନାଥ ମଲ୍ଲିକ ଦୂରଦର୍ଶନରେ ଖବର ପଢିବା ସହ ଶତାବ୍ଦୀର କଳାକାର ନାମକ ନାଟ୍ୟ ଅନୁଷ୍ଠାନ ଗଢ଼ିଛନ୍ତି। ମଞ୍ଚ ଅଭିନୟରେ ସେ ସ୍ୱତନ୍ତ୍ର ପରିଚିତି ହାସଲ କରିଛନ୍ତି। କେବଳ ମଞ୍ଚ ଅଭିନୟ ନୁହେଁ; ଦୂରଦର୍ଶନର ବହୁ ଧାରାବାହିକ ଓ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ଶ୍ରୀ ମଲ୍ଲିକ।

ଦାୟିତ୍ୱବୋଧକୁ ଅଗ୍ରାଧିକାର
ମୁଁ ଯଦିଓ ଅଳ୍ପଦିନ ଖବରପାଠ କରିଛି, ତଥାପି ସମସ୍ତଙ୍କ ମଧ୍ୟରେ ଦାୟିତ୍ୱବୋଧ ଦେଖିଛି। ସେବେଠୁ ଜାଣିଛି ଖବର ପାଠକ ଏବଂ ପାଠିକାମାନେ ସବୁଠୁ ଅଧିକ ଦାୟିତ୍ୱବାନ୍‌‌ ହୋଇଥାନ୍ତି। ବ୍ୟକ୍ତିଗତ ସମସ୍ୟାକୁ ଖାତିର ନ କରି ବୃତ୍ତିଗତ ଦାୟିତ୍ୱକୁ କିପରି ଠିକ୍‌‌ ଭାବେ ତୁଲାଇବାକୁ ସମସ୍ତେ ଚେଷ୍ଟା କରିଥାନ୍ତି। ସିନେମାରେ ଅଭିନୟ କରିବା ଓ ଖବର ପାଠ କରିବା ମଧ୍ୟରେ ବହୁତ୍‌‌ ଫରକ ରହିଛି। ମୁଁ ଅଭିନେତ୍ରୀ ଭାବେ କ୍ୟାମେରା ସମ୍ମୁଖରେ ଅନେକ କାମ କରିଥିଲେ ବି ନ୍ୟୁଜ୍‌‌ ପଢିବା ସମୟରେ ଭୟ ଲାଗେ। ଯାହା ମୋତେ ପରବର୍ତ୍ତୀ ସମୟରେ ମୋ କ୍ୟାରିଅରରେ ସହାୟକ ହୋଇଛି।
 ତନ୍ଦ୍ରା ରାୟ

ପାରମ୍ପରିକ ପୋଷାକକୁ ଗୁରୁତ୍ୱ

ମୋର ପିଲାଦିନରୁ ଇଚ୍ଛା ଥିଲା ଟିଭି ପରଦାରେ ଆସିବା। ଟିଭିରେ ଅନ୍ୟ ଖବର ପାଠକ/ପାଠିକାଙ୍କୁ ଦେଖି ଆଗ୍ରହ ବଢ଼଼଼଼ିଥିଲା। ୧୯୮୮ ମସିହା ଜୁଲାଇ ୨୫ରେ ମୁଁ ପ୍ରଥମ ନିଉଜ୍‌‌ ପଢ଼଼଼଼ିଥିଲି। ସେତେବେଳେ ସନ୍ଧ୍ୟା ୭ଟାରୁ ୭ଟା ୧୦ ଯାଏ ମାତ୍ର ୧୦ ମିନିଟ୍‌‌ ନିଉଜ୍‌‌ ପରିବେଷଣ ହେଉଥିଲା। ପାରମ୍ପରିକ ଶାଢ଼ି ପିନ୍ଧି ନ୍ୟୁଜ୍‌‌ ପରିବେଷଣ କରାଯାଉଥିଲା। ତାହା କେବଳ ଆଖିକୁ ସୁନ୍ଦର ବା ଆକର୍ଷଣୀୟ ଲାଗୁ ନ ଥିଲା ବରଂ ଆମ ସଂସ୍କୃତି ଓ ପରମ୍ପରାକୁ ଆହୁରି ସୁଦୃଢ଼ କରିଥିଲା। ସମୟାନୁକ୍ରମେ ଅନେକ ପରିବର୍ତ୍ତନ ହୋଇଥିଲେ ବି ଦୂରଦର୍ଶନରେ ଏହି ପରମ୍ପରା ଆଜି ବି ରହିଛି। ତେଣୁ ଜଣେ କର୍ମଚାରୀ ଭାବେ ମୁଁ ଗର୍ବ ଅନୁଭବ କରେ।  ସ୍ନେହଲତା ମିଶ୍ର

ଦିଲ୍ଲୀରୁ ଓଡ଼ିଆ ସମ୍ବାଦ ପାଠିକା
ଇଂରାଜୀ ସମ୍ବାଦ ପଢ଼ୁଥିବା ଓଡ଼ିଆ ଉପସ୍ଥାପିକା ହେଉଛନ୍ତି ଜ୍ୟୋତ୍ସ୍ନା ମହାପାତ୍ର। ମିନୁ ମହାପାତ୍ର ଭାବେ ପରିଚିତ ଜ୍ୟୋତ୍ସ୍ନା ହେଉଛନ୍ତି ବିଶିଷ୍ଟ ସାହିତ୍ୟିକ ତଥା କୁଙ୍କୁମ୍‌‌ ପତ୍ରିକାର ସମ୍ପାଦକ ଦେବ ମହାପାତ୍ରଙ୍କ କନ୍ୟା। ମିନୁ ଦିଲ୍ଲୀ ଦୂରଦର୍ଶନରୁ ପ୍ରସାରିତ ଇଂରାଜୀ ଖବର ପଢ଼ୁଥିଲେ। ମିନୁ ‘ମେଘମୁକ୍ତି’ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତି ମେଘମୁକ୍ତି ଓଡ଼ିଆ, ଅହମୀୟ ଓ ବଙ୍ଗଳା ୩ଟି ଭାଷାରେ ମୁକ୍ତିଲାଭ କରିଥିଲା। ସେହିଭଳି ତାଙ୍କ ଅଭିନୀତ ‘ଆହୁତି’ ନାମକ ଅନ୍ୟଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲେ ମଧ୍ୟ କୌଣସି କାରଣବଶତଃ ପ୍ରେକ୍ଷାଳୟକୁ ଆସିପାରି ନଥିଲା। ମିନୁ ଏବେ ନୂଆଦିଲ୍ଲୀରେ ରହୁଛନ୍ତି। ଜ୍ୟୋତ୍ସ୍ନା ମହାପାତ୍ର

Leave A Reply

Your email address will not be published.