ଖାଦ୍ୟ ତାଲିକାରେ ସ୍ଥାନ ପାଇବ ‘ମହୁଲ କାକୋ’

ଭୁବନେଶ୍ୱର : ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଏଣିକି ଶୋଭା ପାଇବ ବଡବଡିଆଙ୍କ ଡାଏଟ୍ ତାଲିକାରେ। ବାଜରା, ମାଣ୍ଡିଆ, ମିଲେଟ୍ ପରେ ଏବେ ମହୁଲକୁ ଦିଆଯିବ ଗୁରୁତ୍ୱ। ଜଙ୍ଗଲରୁ ସଂଗ୍ରହ କରାଯାଉଥିବା ଏହି ଲଘୁ ବନଜାତ ଦ୍ରବ୍ୟ ଏବେ ସ୍ୱତନ୍ତ୍ର ଭାବେ ବ୍ରାଣ୍ଡିଂ କରାଯିବ। ଯାହାର ନାମ ରହିବ ‘ମହୁଲ କାକୋ’। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରୟାସ ଆରମ୍ଭ ହୋଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହାୟତାରେ ବସୁନ୍ଧରା ଏଥିପାଇଁ ଚୁକ୍ତି କରିଥିବା ବେଳେ ବନଜା ବାଣିଜ୍ୟ ସଂଘ ପକ୍ଷରୁ ଏଥିପାଇଁ ପ୍ରାଥମିକ ଗବେଷଣା ଶେଷ ହୋଇଛି। ମହୁଲର ଗୁଣବତ୍ତାକୁ ଯାଞ୍ଚ କରି ଏଥିରୁ କିପରି ନୂଆ ନୂଆ ପ୍ରକାର ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତ କରାଯିବ ସେ ନେଇ ପରୀକ୍ଷା ବି ହୋଇଛି। ପାରମ୍ପରିକ ଆଦିବାସୀମାନେ ନିଜର ଜୀବନ ଚର୍ଯ୍ୟାରେ ମହୁଲରୁ ପ୍ରସ୍ତୁତ ‘ମହୁଲ କାକୋ’କୁ ଖାଦ୍ୟ ଭାବେ ଗ୍ରହଣ କରୁଥିବା ବେଳେ ଆଗାମୀ ଦିନରେ ଏହାର ବଜାର ପ୍ରବେଶ କରାଇବାକୁ ଚିନ୍ତା କରାଯାଉଛି।
କରୋନା ପରବର୍ତ୍ତୀ ସମୟରେ ମହୁଲରୁ ପ୍ରସ୍ତୁତ ଖାଦ୍ୟ କିପରି ଜନସାଧାରଣଙ୍କ ନିକଟରେ ଆଦୃତି ପାଇବ ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଛି। କେବଳ ମହୁଲ କାକୋ ନୁହେଁ ବରଂ ମହୁଲରୁ ପ୍ରସ୍ତୁତ ଜାମ୍, ଜେଲି, କୁକିଜ୍, ପାଚକ ଗୋଳି, ହାଲୱା, ଗୁଲାବ ଜାମୁନ୍, କେକ୍, ଚକୋଲେଟ୍, ଲଡୁ ଆଦିର ବି ବ୍ୟବସାୟୀକରଣ କରାଯିବ। କେବଳ ସେତିକି ନୁହେଁ ମହୁଲ ଫୁଲରୁ ଏବେ ପରୀକ୍ଷା ମୂଳକ ଭାବେ ହ୍ୟାଣ୍ଡ୍ ସାନିଟାଇଜର ଓ ଫ୍ଲୋର୍ କ୍ଲିନିଂ ବି ତିଆରି କରାଯାଉଛି। ଏଥିପାଇଁ ବନଜା ବାଣିଜ୍ୟ ସଂଘ ସହାୟତାରେ କିଛି ମହିଳାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଲିମ ଦିଆଯାଇଛି। ସାଧାରଣତଃ ମଧୁମେହକୁ ନିୟନ୍ତ୍ରଣରେ ରଖୁଥିବା ମହୁଲକୁ ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରି ଖରାରେ ଶୁଖାଇଥାନ୍ତି ଓ ପରବର୍ତ୍ତୀ ସମୟରେ ଏହାକୁ ପାଣିରେ ଫୁଟାଇ ‘ମହୁଲ କାକୋ’ ପ୍ରସ୍ତୁତ କରିଥାନ୍ତି।
ଅଧିକ ଦିନ ଯାଏଁ ସଂରକ୍ଷିତ ହୋଇ ରହୁଥିବା ଏହି ସ୍ନାକ୍ସରେ ସେମାନେ ମୁଢ଼ି, ଚୂଡା ଓ ଖଇ ଆଦିକୁ ବି ବ୍ୟବହାର କରି ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଏ ବାବଦରେ ବସୁନ୍ଧରାର ଫିଲ୍ଡ ଆସୋସିଏଟ୍ ଇପ୍ସିତା ବେହେରା କହିଛନ୍ତି ମହୁଲକୁ ପ୍ୟାକେଜିଂ କରିବା ପାଇଁ ଏବେ ଆମେ ଏଥିରେ ଭାଲ୍ୟୁ ଆଡିସନ୍ କରିବାକୁ ଚିନ୍ତା କରିଛୁ। ମହିଳା ପ୍ରଡ୍ୟୁସର୍ ଗ୍ରୁପ୍ ସଦସ୍ୟଙ୍କ ଦ୍ୱାରା ମହୁଲରୁ ଯେଉଁ ସାମଗ୍ରୀ ପ୍ରସ୍ତୁତ କରାଯିବ ତାହା ଆଗାମୀ ଦିନରେ ବନଜା ବାଣିଜ୍ୟର ସଂଘ ଦ୍ୱାରା ବ୍ୟବସାୟ କରାଯିବ ଓ ଏହାର ଲାଭ ଜଙ୍ଗଲ ଅଧିବାସୀମାନେ ସିଧାସଳଖ ପାଇବେ। ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ପରୀକ୍ଷାରୁ ଜଣାଯାଇଛି ଯେ ୧୦୦ ଗ୍ରାମ ମହୁଲ ଫୁଲରେ ୪.୪ ଗ୍ରାମ, ଫ୍ୟାଟ୍ ୦.୬ ଗ୍ରାମ, ଖଣିଜପଦାର୍ଥ ୨.୭ ଗ୍ରାମ, ଫାଇବର ୧.୭ଗ୍ରାମ, ଶ୍ୱେତସାର ୭୨ ଗ୍ରାମ, ଏନର୍ଜି ୩୧୧ କିଲୋ କ୍ୟାଲୋରୀ, ୧୪୦ ମିଲିଗ୍ରାମ କ୍ୟାଲସିୟମ୍, ୧୪୦ ମିଲିଗ୍ରାମ ଫସଫରସ୍, ୧୫ ମିଲିଗ୍ରାମ ଆଇରନ୍, ୨୩ ୟୁଜି କାରୋଟିନ୍ ରହିଛି।
ଯାହାକି ଜଣେ ସାଧାରଣ ମଣିଷ ପାଇଁ ଫୁଡ ସପ୍ଲିମେଣ୍ଟ ଭାବେ କାମ କରିବ। ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି, ବରଗଡ଼, ସମ୍ବଲପୁର, କନ୍ଧମାଳ, ଦେଓଗଡ଼, ଗଜପତି, ଢ଼େଙ୍କାନାଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାମାନଙ୍କରେ ଆଦିବାସୀମାନେ ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ଏହା ସେମାନଙ୍କ ପାଇଁ ସବୁଠାରୁ ଲାଭଦାୟକ ଲଘୁବନଜାତ ଦ୍ରବ୍ୟ। ପ୍ରତିବର୍ଷ ପାଖାପାଖି ୨୦ ହଜାର କୁଇଣ୍ଟାଲ ମହୁଲ ଫୁଲ ଆଦିବାସୀମାନେ ସଂଗ୍ରହ କରି ବିକ୍ରି କରୁଥିବା ବେଳେ କିଲୋପ୍ରତି ୨୫ରୁ ୩୫ ଟଙ୍କା ପାଇଥାନ୍ତି। ତେବେ ମହୁଲ ଫୁଲକୁ ବ୍ୟବହାର କରି ପ୍ରସ୍ତୁତ ଖାଦ୍ୟ ସାମାଗ୍ରୀ କିଲୋପ୍ରତି ୧୪୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ଆଦିବାସୀଙ୍କୁ ଅଧିକ ଆର୍ଥିକ ସ୍ୱଚ୍ଛଳ କରିବ ବୋଲି ବସୁନ୍ଧରା ଆଶା ରଖିଛି।