ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତୃଣମୂଳ ସ୍ତରରେ ସେବା ଯୋଗାଇବ ‘ହେଲ୍‌ଥ ଓ ୱେଲ୍‌‌ନେସ୍‌‌ ସେଣ୍ଟର୍‌’

ଭୁବନେଶ୍ୱର : ସହରଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା। ଘର ପାଖରେ ଥିବା ଛୋଟ ଡାକ୍ତରଖାନାରେ ରୋଗୀଙ୍କୁ ବିଭିନ୍ନପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ରାଜ୍ୟରେ ଥିବା ସବ୍‌‌-ସେଣ୍ଟର୍‌ ଏବଂ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବ୍‌‌-ସେଣ୍ଟରଗୁଡ଼ିକରେ ହେଲଥ୍‌‌ ଆଣ୍ଡ ୱେଲନେସ୍‌‌ ସେଣ୍ଟର୍‌ ଖୋଲାଯାଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚ୍‌‌ଓ)ମାନଙ୍କ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସବ୍‌‌-ସେଣ୍ଟର୍‌ସ୍ତରରେ ହେଲଥ୍‌‌ ଆଣ୍ଡ ୱେଲନେସ୍‌‌ ସେଣ୍ଟର (ଏଚ୍‌‌ଡବ୍ଲୁସି) ଖୋଲାଯାଇ ଭିତ୍ତିଭୂମି ସୃଷ୍ଟି କରାଯାଇଛି। ଏଥିପାଇଁ ମଧ୍ୟସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କର୍ମୀ ଅବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚ୍‌‌ଓ), ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା ଓ ପୁରୁଷ), ଆଶାକର୍ମୀଙ୍କୁ ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟସେବା (ସିପିଏଚ୍‌‌ସି) ପ୍ରଦାନ ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ସେମାନେ ମୁଖ୍ୟତଃ ରୋଗୀଙ୍କୁ ପ୍ରତିଷେଧକ, କଷ୍ଟ ଉପଶମ, ପ୍ରୋତ୍ସାହନ, କ୍ୟୁରେଟିଭ୍‌‌ ଆଦି ସେବା ପ୍ରଦାନ କରିବେ। ଏସ୍‌‌ସି-ଏଚ୍‌‌ଡବ୍ଲୁସିଗୁଡ଼ିକ ମୁଖ୍ୟତଃ କ୍ଷେତ୍ରସ୍ତରୀୟ ଡାକ୍ତରଖାନା ଭାବେ ପରିଗଣିତ ହେବ। ଏହି କେନ୍ଦ୍ରଗୁଡ଼ିକରେ ବର୍ହିବିଭାଗ ରେଗୀ ସେବା (ଓପିଡି), ରୋଗ ଅନୁସନ୍ଧାନ ଓ ପ୍ରାଥମିକ ପରିଚାଳନା, ନିଦାନ, ଔଷଧ ବିତରଣ, ଟେଲି ପରାମର୍ଶ ସେବା, ଗୁଣବତ୍ତା ସୁନିଶ୍ଚିତକାରୀ ପଦକ୍ଷେପ, ରୋଗ ସର୍ବେକ୍ଷଣ, ବିଷାକ୍ତ ମେଡିକାଲ ବର୍ଜ୍ୟ ପରିଚାଳନା, ୱେଲନେସ୍‌‌ ଦାୟିତ୍ୱ ରହିବ। ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଉପରେ ସମନ୍ୱୟ ରକ୍ଷା ଓ କାର୍ଯ୍ୟ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଏସ୍‌‌ସି-ସିଏଚ୍‌‌ସିଗୁଡ଼ିକ ସକାଳ ୯ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ସକାଳ ୯ରୁ ଦିନ ୧ଟା ପର୍ଯ୍ୟନ୍ତ ଓପିଡି ସେବା ଜାରି ରହିବ। ସେଠାକୁ ଆସୁଥିବା ରୋଗୀଙ୍କ ରୋଗ ଇତିହାସ ଅନୁଶୀଳନ, ଶାରୀରିକ ପରୀକ୍ଷା କରାଯିବା ସହ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବ। ରୋଗୀଙ୍କ ତଥ୍ୟ ଅନ୍‌‌ଲାଇନ୍‌‌ ଏବଂ ଅଫ୍‌‌ଲାଇନ୍‌‌ରେ ରେକର୍ଡ କରାଯିବ। ଏହି କେନ୍ଦ୍ରରେ ସବୁପ୍ରକାର ଜରୁରୀ ଔଷଧ ଉପଲବ୍ଧ ହେବ। ସ୍ୱାସ୍ଥ୍ୟ କର୍ମୀମାନେ ଆବଶ୍ୟକତା ଅନୁସାରେ କ୍ଷେତ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ। ସ୍ୱାସ୍ଥ୍ୟକର୍ମୀମାନେ ରୋଗୀଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବେ। ପ୍ରତି ମାସରେ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀମାନଙ୍କ ବୈଠକ ଡକାଯାଇ କ୍ଷେତ୍ରସ୍ତରୀୟ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.