ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଈବାଲି ତଳେ ବନ୍ଧୁକ ଭଣ୍ଡାର, ଉପକୂଳର ୩ଟି ଜିଲ୍ଲାରେ କରୁଥିଲେ ଅପରେସନ୍‍

ଭୁବନେଶ୍ୱର: ନଦୀ ବାଲି ତଳେ ଚୋରା ବନ୍ଧୁକ ଭଣ୍ଡାର। ଜଗତସିଂହପୁର ଜିଲା ସୀମାନ୍ତବର୍ତ୍ତୀ ଦେବୀ ନଦୀର ଶିଖର ଘାଟ ପୋଲ ତଳେ ବାଲିରେ ପୋତା ଯାଇ ରଖାଯାଇଥିବା ବିପୁଳ ବନ୍ଧୁକ, ପିସ୍ତଲ ଓ ଗୁଳିକୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‍। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ସକାଳ ୮ଟା ସମୟରେ ଏସ୍‍ଟିଏଫ୍‍ ଟିମ୍‍ ନିଆଳି ଶିଖରଘାଟ ସେତୁ ନିକଟରେ ଚଢ଼ଉ କରି ୨ ବନ୍ଧୁକ ମାଫିଆଙ୍କୁ ଗିରଫ କରିବା ସହ ସେମାନେ ବାଲିରେ ଲୁଚାଇ ରଖିଥିବା ୮ଟି ବନ୍ଧୁକ ଏବଂ ୨୦ଟି ଗୁଳି ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ୭.୬୫ ଏମ୍‍ଏମ୍‍ର ବିଦେଶୀ ପିସ୍ତଲ ଥିବା ବେଳେ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଗତସିଂପୁର ଜିଲ୍ଲା କାନୁଗୋସାହିର ସୁରେଶ ଦାଶ ଓରଫ କାଳିଆ ଏବଂ ବାଲିକୁଦା ଥାନା ତଳସାହିର ସୌମ୍ୟରଞ୍ଜନ ଦଳାଇ। ସେମାନଙ୍କ ନାମରେ ବ୍ରାଉନ୍‍ ସୁଗାର କାରବାର,ଦାଦାବଟି ଆଦାୟ,ଚୋରି ଭଳି ସଂଗୀନ ମାମଲା ରହିଛି। ସବୁଠୁ ବଡ଼ କଥା ହେଲା ଅଭିଯୁକ୍ତମାନେ ଲୋକଙ୍କୁ ଭୟଭୀତ କରିବା ପାଇଁ ବ୍ରିଜ୍‍ ନିକଟରେ ବ୍ଲାଙ୍କ୍‍ ଫାୟାର କରିଥିବା ସେମାନେ ଏସ୍‍ଟିଏଫ ଆଗରେ ସ୍ୱୀକାର କରନ୍ତି।

କିଭଳି ହେଲା ଅପରେସନ୍‍:
ଦୁଇ ବନ୍ଧୁକ ମାଫିଆ ଅନେକ ଅପରାଧରେ ଜଡ଼ିତ ରହିବା ସହ ଚୋରା ବନ୍ଧୁକ କାରବାର କରୁଥିଲେ। ସୁରେଶ ଏବଂ ସୌମ୍ୟରଞ୍ଜନ ୮ଟି ବନ୍ଧୁକ ବାଲିମାଫିଆ ମାନଙ୍କୁ ଦେବାର ଯୋଜନା ଥିଲା। ଏନେଇ ଗୁରୁବାର ରାତିରେ ଏସ୍‍ଟିଏଫ ନିକଟକୁ ଖବର ଆସିଥିଲା। ଏସ୍‍ଟିଏଫ ଏହି ଖବର ଆଧାରରେ ଏକ ଟିମ୍‍ ନିଆଳି ଶିଖରଘାଟ ବ୍ରିଜ ତଳେ ଭୋର ୪ଟା ସମୟରେ ଜଗି ରହିଥିଲେ। କିଛି ସମୟ ପରେ ଦୁଇ ବେପାରୀ ସେଠାରେ ପହଞ୍ଚିଥିଲେ। ସେମାନେ ନିଆଳି ଏବଂ ନାଉଗାଁ ଅଞ୍ଚଳର କେତେ ଜଣ ବାଲି ମାଫିଆଙ୍କୁ ବନ୍ଧୁକ ବିକ୍ରି କରିଥାନ୍ତେ। ୮ଟି ବନ୍ଧୁକ ଏବଂ ଗୁଳିକୁ ସେମାନେ ୩ଲକ୍ଷ ଟଙ୍କାରେ ବିକ୍ରି କରିବାର ଡିଲ ହୋଇଥିଲା। ଗୋଟିଏ ଦେଶୀ କଟା (ଦେଶୀ ବନ୍ଧୁକ)କୁ ସେମାନେ ୧୨ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ୭.୬୫ଏମଏମ୍‍କୁ ସେମାନେ ୬୦ ହଜାର ଟଙ୍କାରେ ବିକ୍ରି କରିଥାନ୍ତେ। ସେମାନେ ବାଲିରେ ପୋତି ଥିବା ସ୍ଥାନରୁ ବନ୍ଧୁକ କାଢି ଏକ ବ୍ୟାଗରେ ଭର୍ତ୍ତି କରି ବ୍ରିଜ ନିକଟରେ ଗ୍ରାହକ ଅପେକ୍ଷାରେ ରହିଥିଲେ। ସକାଳ ୭.୩୦ସମୟରେ ଏସ୍‍ଟିଏଫ୍‍ ଟିମ୍‍ ଅତର୍କିତ ଚଢଉ କରି ଦୁଇ ବନ୍ଧୁକ ବେପାରୀଙ୍କୁ କାବୁ କରିବା ସହ ବନ୍ଧୁକ ଓ ଗୁଳି ଜବତ କରିଥିଲେ।

ବ୍ରାଉନ୍‍ ସୁଗାର ବେପାରୀରୁ ବନ୍ଧୁକ ମାଫିଆ;
ଦୁଇ ଅଭିଯୁକ୍ତ ସୁରେଶ ଏବଂ ସୌମ୍ୟରଞ୍ଜନ ପ୍ରଥମେ ବ୍ରାଉନ୍‍ ସୁଗାର ବେପାରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେମାନେ ବାଲେଶ୍ୱରରୁ ବ୍ରାଉନ ସୁଗାର ଆଣି ନିଆଳି, ଜଗତସିଂହପୁର ଆଦି ଅଞ୍ଚଳରେ ବ୍ୟବସାୟ କରୁଥିଲେ। ସେମାନଙ୍କ ନିକଟରେ ପ୍ରର୍ଯ୍ୟାପ୍ତ ଟଙ୍କା ହେବା ପରେ ସେମାନେ ବନ୍ଧୁକ କାରବାର ଆରମ୍ଭ କରିଥିଲେ। ବନ୍ଧୁକ କିଣିବା ପରେ ଦାଦାବଟି ଆଦାୟ, ଚୋରି, ଲୁଟପାଟ, ଆଦି ଅନେକ ଅପରାଧ ଘଟାଉଥିଲେ। ବିଶେଷ କରି ଏହି ଦୁଇ ଅଭିଯୁକ୍ତ ଜଗତସିଂହପୁର,କଟକ,ପୁରୀ ଏବଂ ଭୁବନେଶ୍ୱରରେ ଅପରାଧ ଘଟାଉଥିଲେ। ସେମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ଏସ୍‍ଟିଏଫ୍‍ ଡିଆଇଜି ଜୟନାରାୟଣ ପଙ୍କଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବ୍ଲାଙ୍କ୍‍ ଫାୟାର:
କଣ୍ଟାପଦାର କଳିଙ୍ଗ ସାହୁ, ଧନଞ୍ଜୟ ସାହୁ, ସୁଶାନ୍ତ ମହାରଣା ଏବଂ ଅରକୁଦର ବାଣ ସ୍ୱାଇଁ ଜବତ ବନ୍ଧୁକକୁ ବିକ୍ରି ପାଇଁ ଦୁଇ ଅଭିଯୁକ୍ତ ସୁରେଶ ଏବଂ ସୌମ୍ୟରଞ୍ଜନଙ୍କୁ ଦେଇଥିଲେ। ବାଲି ଘାଟରୁ ଚୋରାରେ ବାଲି ଉଠାଉଥିବା ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଧମକାଇବା ପାଇଁ ମାଫିଆମାନେ ଏହାକୁ କିଣି ନେବାର ଯୋଜନା ଥିଲା। ସେମାନଙ୍କ ଠାରୁ ବନ୍ଧୁକ ଆଣି ଏକ ବ୍ୟାଗରେ ପୁରାଇ ଦୁଇ ଅଭିଯୁକ୍ତ ଶିଖରଘାଟ ବ୍ରିଜ୍‍ ନିଟକୁ ଆସୁଥିଲେ। ବାଟରେ ସେମାନଙ୍କୁ କିଛି ବ୍ୟକ୍ତି ପିଛା କରିବାକୁ ସେମାନେ ଭୟଭୀତ କରିବାକୁ ବ୍ଲାଙ୍କ୍‍ ଫାଇରିଂ କରିଥିବା ଦୁଇ ଅଭିଯୁକ୍ତ ଏସ୍‍ଟିଏଫ୍‍ ଆଗରେ ସ୍ୱୀକାର କରିଛନ୍ତି। ସେମାନଙ୍କୁ ଠାରୁ ତଥ୍ୟ ପାଇବା ପରେ ବନ୍ଧୁକ ଦେଇଥିବା ୪ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସଟିଏଫ ତନାଘନା କରୁଛି।

୫ ଦିନିଆ ରିମାଣ୍ଡ ପାଇଁ ଆବେଦନ:
ଆଗକୁ ପିପିଲି ଉପ ନିର୍ବାଚନ ଥିବାରୁ ସେମାନେ କିଛି ବଡ଼ ଧରଣର ଅଘଟଣ ଘଟାଇଥାନ୍ତେ ବୋଲି ଏସ୍‍ଟିଏଫ୍‍ ସନ୍ଦେହ କରୁଛି। ତେଣୁ ସେମାନେ କାହାକୁ ବନ୍ଧୁକ ବିକ୍ରି କରିଥାନ୍ତେ? କଣ ସେମାନଙ୍କର ଯୋଜନା ଥିଲା ? କାହା ଅଧୀନରେ ରହି ସେମାନେ କାମ କରୁଥିଲେ? ସେମାନେ କେଉଁ ଅପରାଧରେ ଜଡ଼ିତ ଅଛନ୍ତି? ଆଦି ବିଷୟରେ ଜାଣିବା ପାଇଁ ଏସ୍‍ଟିଏଫ ଦୁଇ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି। କୋର୍ଟ ଅନୁମତି ଦେବା ପରେ ଉଭୟଙ୍କୁ ପଚରାଉଚରା କରାଯିବ। ଅନ୍ୟପଟରେ ଦେଖିବାକୁ ଗଲେ ଗତ ଏକ ବର୍ଷରେ ଏସ୍‍ଟିଏଫ ୨୨ଟି ବନ୍ଧୁକ,୫୪ଟି ଗୁଳି ଏବଂ ୭ଜଣ ଅପରାଧୀଙ୍କୁ ଗିରଫ କଲାଣି।

Leave A Reply

Your email address will not be published.