ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶାଢିରେ ସୋନପୁରର ପାରମ୍ପରିକ ଖେଳ ଗଞ୍ଜପା, ଦେଶ ବିଦେଶରେ ବଢୁଛି ଆଦର

ସୋନପୁର : ହସ୍ତତନ୍ତର ମାଟି ସୁବର୍ଣ୍ଣପୁରର ତନ୍ତ ଶିଳ୍ପୀ ମାନେ ସବୁବେଳେ କିଛି ନୂଆ କରିବାର ପ୍ରଚେଷ୍ଟା କରନ୍ତି । ସରୁ ସୂତାରେ ସୂଖ୍ମ କଳା ପ୍ରସ୍ଫୁଟିତ କରିବାରେ ସ୍ଥାନୀୟ ତନ୍ତଶିଳ୍ପୀ ମାନଙ୍କର ପ୍ରସିଦ୍ଧି ରହିଛି । କେତେବେଳେ ଗଣିତ ଶାଢି ତ ପୁଣି କେତେ ବେଳେ ମା ଶାଢି । ଆଉ କେତେବେଳେ ଜ୍ୟାମିତି ଶାଢି ବୁଣି ଏମାନେ ଚର୍ଚ୍ଚାରେ ଥାନ୍ତି । ଏବେ ସୋନପୁର ପଟାଭାଡିର ପ୍ରସିଦ୍ଧ ବାନ୍ଧଶିଳ୍ପୀ ତନ୍ତଶିଳ୍ପୀ ପ୍ରହଲ୍ଲାଦ ମେହେରଙ୍କ ଗଞ୍ଜପା ଶାଢି ଦେଶ ବିଦେଶରେ ଖୁବ୍‌ ଆଦର ପାଇଲାଣି ।

ରାଜା ରାଜୁଡା ଅମଳରୁ ସୋନପୁରରେ ଖେଳା ଯାଉଥିବା ଗଞ୍ଜପା ଖେଳକୁ ପାଟ ସୂତାରେ ବୁଣାଇ କରିଛନ୍ତି ପ୍ରହଲ୍ଲାଦ ମେହେର । ଧିରେ ଧିରେ ଗଞ୍ଜପା ଖେଳ ଲୋକ ପାଇବାକୁ ବସୁଥିବା ବେଳେ ପୁଣି ଏହାର ପ୍ରଚାର ପ୍ରସାର କରିବା ପାଇଁ ସେ ଅଣ୍ଟା ଭିଡିଛନ୍ତି ।ତେବେ ସୋନପୁରର ପ୍ରସିଦ୍ଧ ତନ୍ତଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢି ବୁଣିବାକୁ ପ୍ରହଲ୍ଲାଦଙ୍କୁ ପ୍ରେରଣା ଯୋଗାଇ ଥିଲେ । ଶାଢିରେ ରାମ, ରାବଣ, ହନୁମାନଙ୍କ ସହ ଅନ୍ୟାନ୍ୟ ୧୬ ପ୍ରକାର ଯୋଦ୍ଧା ମାନେ ରହିଛନ୍ତି । ସବୁଥିରୁ ବଡ କଥା ହେଲା ଗଞ୍ଜପା ଖେଳା ଯାଉଥିବା ସୋନପୁର ଘୋଡାଘାଟ ପଡାର ବଉଳ ତଳ ମଣ୍ଡପ ଏବଂ ଖେଳାଳି ମାନେ ମଧ୍ୟ ଖୁବ୍‌ ନିଖୁଣ ଢଙ୍ଗରେ ପ୍ରହଲ୍ଲାଦ ଶାଢିରେ ଦର୍ଶାଇଛନ୍ତି ।

ପ୍ରହଲ୍ଲାଦ ଶାଢିର ବାନ୍ଧ ଏବଂ ବୁଣାଇ କାମ ସଂପନ୍ନ କରିଛନ୍ତି । ତାଙ୍କ ପତ୍ନୀ ମମତା, ଦୁଇ ପୁଅ ରୋହନ ଏବଂ ରାହୁଲ ବେଶ ସାହାଯ୍ୟ କରିଛନ୍ତି । ଏହି ଶାଝି ବୁଣିବା ପାଇଁ ୨ ମାସ ସମୟ ଲାଗିଛି । ୬ ଗ୍ରାମ ଉତ୍ତମ ପାଟ ସୂତାରେ ବୁଣାଇ ହୋଇଛି ଏହି ଶାଢି ।ଶାଢିରେ ଚନ୍ଦନ, ରଷ୍ଟ, ଲାଲ ଏବଂ କଳା ଚାରୋଟି ରଙ୍ଗ ବ୍ୟବହାର ହୋଇଛି । ଏହି ଶାଢିରେ ପ୍ରହଲ୍ଲାଦ ଜାତୀୟ ପୁରସ୍କାର ପାଇଛନ୍ତି । ତେବେ ସ୍ଥାନୀୟ ବଜାରରେ ଶାଢିର ଦାମ ୪୦ ହଜାର ଟଙ୍କା ରହିଛି । ଏହି ଶାଢି ଆମେରିକାକୁ ମଧ୍ୟ ଗଲାଣି ବୋଲି ପ୍ରହଲ୍ଲାଦ କହିଛନ୍ତି । ଏବେ ବିଭିନ୍ନ ସ୍ଥାନରୁ ଗଞ୍ଜପା ଶାଢି ପାଇଁ ଲୋକେ ବରାଦ ଦେଲେଣି ବୋଲି ସେ କହିଛନ୍ତି । ତେବେ ସୋନପୁରର ଏକ ହଜି ଯାଉଥିବା ଖେଳକୁ ସୂତାରେ ବୁଣାଇ କରି ନିଜକୁ ଖୁବ୍‌ ଗର୍ବିତ ଲାଗୁଛି ବୋଲି ପ୍ରହଲ୍ଲାଦ କହିଛନ୍ତି ।

 

Leave A Reply

Your email address will not be published.