ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଦ୍ୟପ ଚାଳକଙ୍କ ଲାଗି କାଳ ହୋଇଛି ରାଜଧାନୀ ରାଜପଥ, ମାସକରେ ଦୁର୍ଘଟଣାରେ ଗଲାଣି ୧୭ ଜୀବନ

ଭୁବନେଶ୍ୱର : ରାଜଧାନୀରେ ରାତି ବଢ଼଼ିଲେ, ବଢ଼଼ୁଛି ଦୁର୍ଘଟଣାର ଆଶଙ୍କା। ଆଉ ମଦ୍ୟପ ଚାଳକଙ୍କ ଲାଗି ଅଧିକ କାଳ ହୋଇଛି ରାଜଧାନୀ ରାଜପଥ। ପ୍ରତି ଦୁଇ ରାତିରେ ଦୁର୍ଘଟଣାରେ ହାରାହାରି ଜଣଙ୍କ ଜୀବନ ଯାଉଛି। କେଉଁଠି ମଦୁଆ ଚାଳକ କିଏ ଡିଭାଇଡରରେ ପିଟିଦେଲାଣି ତ ଆଉ କିଏ ଟ୍ରକ ପଛରେ ପିଟିଲାଣି। ଶୀତ ଦିନେ କୁହୁଡ଼ି ଓ ରାତିରେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ପାଇଁ ଅଧିକାଂଶ ଦୁର୍ଘଟଣା ଘଟୁଥିବା ଏକ ଆକଳନରୁ ଜଣାପଡ଼ିଛି।

ଏହିପରି ନଭେମ୍ବର ମାସରେ କେବଳ ରାଜଧାନୀରେ ଏବର୍ଷର ଦୁର୍ଘଟଣାରେ ସର୍ବାଧିକ ୧୭ଜଣଙ୍କ ଜୀବନ ଯାଇଛି। ଏକ ଆକଳନ ଅନୁଯାୟୀ ଅଧିକାଂଶ ଦୁର୍ଘଟଣା ରାତିରେ ହିଁ ଘଟିଛି। ଏଣୁ ଅନ୍ୟ ମେଟ୍ରୋ ସିଟିଗୁଡିକ ତୁଳନାରେ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା ହାର ଦେଖି ଚିନ୍ତାରେ ପୁଲିସ ଓ ପରିବହନ ବିଭାଗ। ଏତେ ସଚେତନତା, ଜରିମାନା ସତ୍ତ୍ବେ ସଡ଼କ ଦୁର୍ଘଟଣାରେ ଲାଗିପାରୁନି ଅଙ୍କୁଶ। ନଭେମ୍ବର ମାସରେ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ମୋଟ୍‍ ୯୧ଟି ଦୁର୍ଘଟଣାରୁ ୧୭ଟି ବଡ଼ଧରଣର ଦୁର୍ଘଟଣା ଘଟିଛି। ସେହିପରି ୪୬ଜଣ ଗୁରୁତର ଆହତ ହୋଇଛନ୍ତି।

କ୍ୟାପିଟାଲ, ସହିଦ ନଗର, ମଞ୍ଚେଶ୍ୱର, ଚନ୍ଦକା, ବାଲିପାଟଣା, ଖଣ୍ଡଗିରି ଆଦି ଥାନା ଅଞ୍ଚଳରେ ଅଧିକ ଦୁର୍ଘଟଣା ଘଟିଛି। ସେଭଳି ରାତିରେ ଅଧିକ ଦୁର୍ଘଟଣା ବଢ଼଼ୁଥିବାରୁ ପିସିଆର୍‍ ଓ ଆମ୍ବୁଲାନ୍ସଙ୍କ ଅଧିକ ଆଲର୍ଟ ରଖାଯାଇଛି। ଅନ୍ୟପକ୍ଷରେ ରାଜଧାନୀରେ ଗତ ୧୦ମାସରେ ୬୩୪ଟି ଦୁର୍ଘଟଣା ଘଟିଛି। ଏଥିରେ ୧୫୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୫୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ। ସଡ଼କ ଦୁର୍ଘଟଣା ହ୍ରାସ କରିବା ଲାଗି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଜାରି ରହିଛି। ଡବଲ ହେଲ୍‍ମେଟ, ସିଟ୍‍ ବେଲଟ୍‍, ଓଭର୍‍ଲୋଡିଂ, ଦ୍ରୁତଗତିରେ ଗାଡ଼ିଚାଳନା ଆଦିକୁ ଯାଞ୍ଚ କରାଯାଉଛି। କିନ୍ତୁ ଅମାନିଆ ନିୟମ ଭାଙ୍ଗୁଥିବାରୁ ଦୁର୍ଘଟଣା ଓ ମୃତ୍ୟୁହାର ବୃଦ୍ଧି ହେଉଛି ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘନ କୁହୁଡ଼ି ଯୋଗୁଁ ରାସ୍ତା କମ୍‍ ଦୃଶ୍ୟମାନ ହେଉଥିବାରୁ ଅଧିକ ଦୁର୍ଘଟଣା ହେବା ନେଇ ପୂର୍ବରୁ ସତର୍କ ଜରି କରାଯାଉଛି। ଗାଡ଼ିର ପଛ ଲାଇଟ୍‍ ଲଗାଇବା ସହ ସଜାଡ଼ିବା ଲାଗି ପରାମର୍ଶ ଦେଇଛି ପରିବହନ ବିଭାଗ। ସେହିପରି ତେବେ ଗତବର୍ଷଗୁଡ଼ିକ ତୁଳନାରେ ଏଥର କମ୍‍ ଦୁର୍ଘଟଣା ହେବା ସହ ମୃତ୍ୟୁସଂଖ୍ୟା ବି କମ୍‍ଥିବା ଜନୈକ ଅଧିକାରୀ କହିଛନ୍ତି।

ଗତ ୨ବର୍ଷରେ ଯାଇଥିଲା ୩୧୧ ମୁଣ୍ଡ

ଦୁର୍ଘଟଣାରେ ଗତ ୨ ବର୍ଷରେ ରାଜଧାନୀ ଗଡ଼ିଥିଲା ୩୧୧ ମୁଣ୍ଡ। ୨୦୨୧ରେ ରାଜଧାନୀରେ ୫୩୨ ଦୁର୍ଘଟଣାରୁ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଭଳି ୩୦୪ଜଣ ଗୁରୁତର ଓ ୧୨୫ ଜଣ ସାମାନ୍ୟ ଗୁରୁତର ଆହତ ହୋଇଥିଲେ। କ୍ୟାପିଟାଲ ଥାନା ଅଞ୍ଚଳରେ ସର୍ବାଧିକ ୬୨ଟି ଦୁର୍ଘଟଣା ଘଟିଥିଲା। କ୍ୟାପିଟାଲ୍‍ ଥାନା ପଛକୁ ଖଣ୍ଡଗିରି, ସହିଦ ନଗର, ବାଲିଅନ୍ତା, ଜଟଣୀ ଓ ନୂଆପଲ୍ଲୀ ଥାନା ଆଦି ରହିଥିଲା। ସେଭଳି ୨୦୨୦ ମସିହାରେ ଭୁବନେଶ୍ୱରରେ ୫୧୭ଟି ଦୁର୍ଘଟଣାରେ ୧୬୨ ଜଣକ ଜୀବନ ଯାଇଥିଲା।

Leave A Reply

Your email address will not be published.