ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶାଶୁ-ଶଶୁର ଓ ନଣନ୍ଦ ନିର୍ଯାତନା ଦେଉଥିବା ଅଭିଯୋଗରେ ଶାଶୁଘର ଆଗରେ ଧାରଣା ଦେଲେ ବୋହୁ

ଗଞ୍ଜାମ : ଗଞ୍ଜାମ ଥାନା ଅଧୀନ ଗଞ୍ଜାମ ସହର ୩ ନଂ ୱାର୍ଡ ମଧ୍ୟଖଣ୍ଡ ସାହି ବାସିନ୍ଦା ନାରାୟଣ ପଣ୍ଡା ଓ ତାଙ୍କ ପରିବାର ଲୋକ ତାଙ୍କ ବୋହୁଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ବୋହୁ ତନ୍ମୟୀ ପଣ୍ଡା ନିଜ ଶାଶୁ ଘର ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଧାରଣା ସ୍ଥଳରେ ତନ୍ମୟୀଙ୍କ ସହ ତାଙ୍କ ବୃଦ୍ଧା ଆଈ ସୁବାସିନୀ ମହାପାତ୍ର(୭୪) ବସିଥିବା ଦେଖିବାକୁ ମିଳିଛି। ଶାଶୁ, ନଣନ୍ଦ ଓ ଶଶୁର ନିର୍ଯାତନା ଦେଇ ଆସୁଥିବା ନେଇ ତନ୍ମୟୀ ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ତନ୍ମୟୀଙ୍କ କହିବା ଅନୁଯାୟୀ, ତାଙ୍କ ନିଜ ଘର ରଣଝାଲି ଓ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବାପା ଜଣେ ମାନସିକ ରୋଗୀ। ଏଥିପାଇଁ ମାମୁଁ ଘର ଲୋକ ୨୦୨୦ରେ ହିନ୍ଦୁ ରୀତିନୀତି ଅନୁସାରେ ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିର ନାରାୟଣ ପଣ୍ଡାଙ୍କ ପୁଅ ସୁଜିତ କୁମାର ପଣ୍ଡାଙ୍କ ସହ ବିବାହ କରିଥିଲେ। ସୁଜିତ ଦମକଳ ବାହିନୀରେ କାର୍ଯ୍ୟ କରୁଥିବା ବେଳେ ବିବାହର ଦୁଇ ମାସ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ତନମୟୀ। ସ୍ୱାମୀ ତାଙ୍କ ଭଉଣୀ ଓ ମା’ଙ୍କ କଥାରେ ପରିଚାଳିତ ହୋଇ ତାଙ୍କୁ ୱାସିଂ ମେସିନ ଓ ଏସି ବାପଘରୁ ଯୌତୁକ ବାବଦରେ ନେଇ ଆସିବାକୁ ବାଧ୍ୟ କରିବା ସହ ବିଭିନ୍ନ ସମୟରେ ମାରଧାର କରୁଥିଲେ। ରୋଷେଇ ଘରକୁ ବାରଣ କରିବା ନେଇ ସେ ଅଭିଯୋଗ କରିଛନ୍ତି। ଅତ୍ୟାଚାର ସହିନପାରି ସେ ବ୍ରହ୍ମପୁର ରାମହରିନଗର ୨ୟ ଗଳିରେ ରହୁଥିବା ତାଙ୍କ ମାମୁଁ ଘରକୁ ଚାଲିଯାଇଥିଲେ।

ପୁଣି ମାସେ ପରେ ସ୍ୱାମୀ ସୁଜିତ ତାଙ୍କ ମାମୁଁ ଘରକୁ ଯାଇ ସ୍ତ୍ରୀଙ୍କୁ ବୁଝାସୁଝା କରି ଅଲଗା ଘର ଭଡ଼ା ନେଇ ଗୋପାଳପୁରରେ ରହିବାକୁ ନିସ୍ପତ୍ତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ବାପାମାଙ୍କ କଥାରେ ପଡ଼ି ପୁଣି ଝଗଡ଼ା କରିଥିଲେ ବୋଲି ତନ୍ମୟୀ ଗଣମାଧ୍ୟମକୁ କହିଛନ୍ତି। ଶାଶୁ ଘର ଲୋକଙ୍କ ଅତ୍ୟାଚାର ଅତିଷ୍ଟ ହୋଇ ବୋହୁ ତାଙ୍କର ଯୌତୁକ ଅର୍ଥ ଓ ସୁନା ଅଳଙ୍କାର ଫେରେଇଦେବାକୁ ଦାବି କରିଛନ୍ତି। ଯୌତୁକ ବାବଦରେ ନେଇଥିବା ୨୦ଭରି ସୁନା ଓ ନଗଦ ୨ଲକ୍ଷ ୨୦ହଜାର ଟଙ୍କା ଫେରସ୍ତ କରନ୍ତୁ ବୋଲି ତନ୍ମୟୀ ଗଣମାଧ୍ୟମକୁ କହିଛନ୍ତି। ମଧ୍ୟାହ୍ନରେ ଗଞ୍ଜାମ ଥାନାରେ ନିଜ ଆଇ ସହ ପହଞ୍ଚିବା ପରେ ପୁଲିସ ଶଶୁର ଓ ସ୍ୱାମୀଙ୍କୁ ଡାକିଥିଲେ ସେଠାରେ କୌଣସି ସୁଫଳ ନ ମିଳିବାରୁ ସନ୍ଧ୍ୟାରେ ଧାରଣା ଦେଇଛନ୍ତି ତନ୍ମୟୀ। ଏ ନେଇ ତନମୟୀଙ୍କ ଶଶୁର କିମ୍ୱା ସ୍ୱାମୀଙ୍କ ମତାମତ ମିଳି ପାରିନାହିଁ।

Leave A Reply

Your email address will not be published.