ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ନାଗାର୍ଜୁନ ବେଶକୁ ନେଇ ଦ୍ୱନ୍ଦ୍ୱ

ପୁରୀ : ନାଗାର୍ଜୁନ ବେଶକୁ ନେଇ ପୁଣି ଦ୍ୱନ୍ଦ୍ୱ ଉପୁଜୁଛି। ଗୋଟିଏ କ୍ୟାଲେଣ୍ଡରରେ ୨୦୨୧ରେ ନାଗାର୍ଜୁନ ବେଶ ହେଉଥିବା ଉଲ୍ଲେଖ ଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦିଓ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ୨୦୨୧ରେ ନାଗାର୍ଜୁନ ବେଶ ପଡୁ ନ ଥିବା ନେଇ ସ୍ପଷ୍ଟୀକରଣ ଦେଇସାରିଛି; କିନ୍ତୁ କ୍ୟାଲେଣ୍ଡରରେ କିପରି ଭୁଲ୍‍ ତଥ୍ୟ ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପକ୍ଷରେ ଏଭଳି ଭ୍ରାନ୍ତ ଧାରଣାରୁ ନିବୃତ୍ତ ରହିବା ଲାଗି ଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି।

ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ଏ ବର୍ଷ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେଉନାହିଁ। ଏଥିପାଇଁ ଯେଉଁ ତିଥି, ବାର ପଡ଼ିବା କଥା ତାହା ପଡୁନାହିଁ। ଏ ବିଷୟରେ କେହି ସନ୍ଦେହରେ ନ ପଡନ୍ତୁ। ଅନ୍ୟପକ୍ଷରେ ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ଏ ବର୍ଷ ନାଗାର୍ଜୁନ ବେଶ ନାହିଁ। ତେଣୁ ଏହାକୁ ନେଇ ଭକ୍ତମାନେ ଦ୍ୱନ୍ଦ୍ୱରେ ନ ପଡନ୍ତୁ ବୋଲି କହିଛନ୍ତି।

ସୂଚନାଥାଉ କି, ଗତବର୍ଷ ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହୋଇଥିଲା। ସେ ସମୟରେ ୨୦୨୧ରେ ପୁଣି ଦାରୁବିଗ୍ରହଙ୍କ ନାଗାର୍ଜୁନ ବେଶ ପଡୁଥିଲା ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ୨୦୨୧ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁ ନ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏବେ ପୁଣି ସମାନ ପ୍ରକାର ଦ୍ୱନ୍ଦ୍ୱ ଉପୁଜିଛି।

ସେପଟେ ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ତେବେ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । କିନ୍ତୁ ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ । ପଞ୍ଚୁକର ଶେଷ ଦିନରେ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.