ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାକିରେ ଚାଲିଛି ‘ପିଏମ୍‌‌ ପୋଷଣ’: ଚାରି ମାସ ହେଲା କେନ୍ଦ୍ର ଦେଇନି ମଧ୍ୟାହ୍ନଭୋଜନ ଅର୍ଥ

ମଧ୍ୟାହ୍ନଭୋଜନ ପରିଚାଳନା ନେଇ ଚିନ୍ତାରେ ଶିକ୍ଷକ

ଭୁବନେଶ୍ୱର: ରାତି ପାହିଲେ ଶିକ୍ଷକମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଚିନ୍ତା ଘାରୁଛି। ଦୀର୍ଘ ଦିନ ହେବ ସେମାନଙ୍କୁ ଏମଡିଏମ୍‌‌ ବାବଦକୁ ଅନୁଦାନ ରାଶି ମିଳି ନଥିବାରୁ ଏଭଳି ସମସ୍ୟା ଉପୁଜିଛି। ମାସେ କି ଦୁଇ ମାସ ନୁହଁ; ୪ ମାସ ହେବ ଶିକ୍ଷକମାନଙ୍କୁ ମଧ୍ୟାହ୍ନଭୋଜନ ବାବଦ ଅର୍ଥ ମିଳିନି। କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ବାକିରେ ଚାଲିଛି ମଧ୍ୟାହ୍ନଭୋଜନ (ପିଏମ୍‌‌ ପୋଷଣ) ଯୋଜନା। ଶିକ୍ଷକମାନେ ସେମାନଙ୍କ ଦରମାରୁ ମଧ୍ୟାହ୍ନ ଭୋଜନ ଚଳାଉଥିବା ବେଳେ ଅର୍ଥାଭାବ ଯୋଗୁଁ ଏମଡିଏମ୍‌‌ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି।

ଶିକ୍ଷକମାନଙ୍କ ଅଭିଯୋଗ ଅନୁସାରେ, କେନ୍ଦ୍ରରୁ ପିଏମ୍‌‌ ପୋଷଣ ବାବଦ ଅନୁଦାନ ମିଳି ନଥିବାରୁ ଏଭଳି ସମସ୍ୟା ହେଉଛି। ସେମାନଙ୍କ ଦରମା ଟଙ୍କା ଏବଂ ସ୍ଥାନୀୟ ଦୋକାନରୁ ବାକି କରି ମଧ୍ୟାହ୍ନ ଭୋଜନ ଚଳାଉଛନ୍ତି। ବଜାରରେ ଦରଦାମ୍‌‌ ହୁ ହୁ ହୋଇ ବଢ଼଼ି ଚାଲିଥିବାବେଳେ ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ ସେମାନେ ଯୋଗାଡ଼ କେଉଁଠୁ କରିବେ ତାହାକୁ ନେଇ ସମସ୍ୟା ଉପୁଜିଛି। ବିଶେଷଭାବରେ ଅନୁଦାନ ପ୍ରାପ୍ତ ଓ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ପାଇଁ ପ୍ରତିଦିନ ଏମଡିଏମ ପରିଚାଳନା ଶିରପୀଡ଼ା ହୋଇଛି। ବିଗତ ବର୍ଷ ନଭେମ୍ବର ମାସରୁ ସେମାନଙ୍କୁ ଏମଡିଏମ ବାବଦରେ ଅର୍ଥ ବିଭାଗ ପକ୍ଷରୁ ଦିଆଯାଇ ନାହିଁ। ପ୍ରାଥମିକସ୍ତରରେ ୫ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକସ୍ତରରେ ୮ଟଙ୍କା ୮୨ ପଇସା ପିଲାଙ୍କ ପିଛା ଦିଆଯିବାର ବ୍ୟବସ୍ଥା ରହିଛି। ଏଥି ସହ ସରକାର ଏମଡିଏମ ବାବଦକୁ ଚାଉଳ ଯୋଗାଇ ଦିଅନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦-୪୦ ଅନୁଦାନ ଅନୁପାତରେ ଏହା ପରିଚାଳିତ ହେଉଛି।

ମିଳିଥିବା ସୂଚନା ମୁତାବକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିଗତ ୪ ମାସରେ ଏମଡିଏମ୍‌‌ ବାବଦ ଅନୁଦାନ(୬୦% ଅଂଶ) ବାବଦକୁ ପାଖାପାଖି ୩ଶହ କୋଟି ଟଙ୍କା ବାକି ରଖିଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏ ନେଇ କେନ୍ଦ୍ରକୁ ଅବଗତ କରାଯାଇଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉନି।

ଏ ସମ୍ପର୍କରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ମଧ୍ୟାହ୍ନ ଭୋଜନରେ ଦୁର୍ନୀତି ହେଉଥିବା, ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁ ନ ଥିବା ଆଦି ଅନେକ ଅଭିଭାବକଙ୍କ ଅଭିଯୋଗ ବିଭିନ୍ନ ସମୟରେ ଆସେ। ଶିକ୍ଷକମାନଙ୍କୁ ଏଥି ପାଇଁ ଦାୟୀ କରାଯିବା ସହ ବ୍ୟବସ୍ଥା ପ୍ରତି ଆଙ୍ଗୁଠି ଉଠେ। ମାତ୍ର ନଭେମ୍ବର ମାସରୁ ଏମଡିଏମ ବାବଦରେ ଶିକ୍ଷକଙ୍କୁ ଟଙ୍କାଟିଏ ମିଳିନି। ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏହାର ସମାଧାନ ହୋଇପାରି ନାହିଁ। ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଧିକାରୀ ରଘୁରାମ ଆୟର କହିଛନ୍ତି ଯେ ସମସ୍ୟା ବାବଦରେ ବିଭାଗ ଅବଗତ ହେବା ସହ ମନ୍ତ୍ରଣାଳୟକୁ ସହାୟତା ବାବଦରେ ବାରମ୍ବାର ଅବଗତ କରାଯାଇଛି। କେନ୍ଦ୍ର ସହାୟତା ବାବଦ ଅର୍ଥ ଆସିବାରେ ସମସ୍ୟା ହେଉଥିବାରୁ ସ୍କୁଲଗୁଡ଼ିକୁ ଏମଡିଏମ୍‌‌ ସହାୟତା ପ୍ରଦାନ କରାଯାଇ ପାରିନାହିଁ। ତଥାପି ଏହି ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯାଉଛି।

Leave A Reply

Your email address will not be published.