ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ବଲାଙ୍ଗିର ବିଧାନସଭା ଆସନ: ୫୭୧୯ ନୂଆ ଭୋଟର ଉପରେ ସମସ୍ତଙ୍କ ନଜର

ବଲାଙ୍ଗିର: ଗଣତନ୍ତ୍ର ଦେଶର ସବୁଠାରୁ ମହାନ ପର୍ବ ନିର୍ବାଚନ ବିଗୁଲ ବାଜିସାରିଛି। ନିର୍ବାଚନ କମିଶନ ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଏବେ ବଲାଙ୍ଗିର ଜିଲ୍ଲାର ରାଜନୈତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି। ୨୦୧୪ ପରଠାରୁ ଏହି ବିଧାନସଭା ଆସନ କଂଗ୍ରେସ ହାତରେ ରହିଥିବା ବେଳେ ୨୦୨୪ରେ କିଏ ଜିତିବ, କାହାର ଭୋଟ କେତେ ହେବ ସେ ନେଇ ରାଜନୈତିକ ସମୀକ୍ଷକ ମାନେ ଆକଳନ କରିବା ଆରମ୍ଭ କରିଦେଇଛନ୍ତି। ଏବେ ବଲାଙ୍ଗିର ବିଧାନସଭା ଆସନରୁ ବିଜେଡି କଳିକେଶ ନାରାୟଣ ସିଂହଦେଓଙ୍କୁ ପ୍ରାର୍ଥୀ ଘୋଷଣା କରି ଏକପାଖିଆ ବିଜୟ ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଲଢ଼େଇର ବାସ୍ତବ ରୂପ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ବଲାଙ୍ଗିର ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନମଣ୍ଡଳି ହେଉଛି ବଲାଙ୍ଗିର ସଦର ଆସନ। ଏହି ଆସନ ରାଜ୍ୟ ରାଜନୀତିରେ ଅନେକ ଗୁରୁତ୍ୱବହନ କରିଥାଏ। ଏହି ନିର୍ବାଚନମଣ୍ଡଳି ବଲାଙ୍ଗିର ପୌର ପରିଷଦ, ସଦର ବ୍ଲକ ଓ ଦେଓଗାଁ ବ୍ଲକକୁ ନେଇ ଗଠିତ। ଚଳିତ ନିର୍ବାଚନରେ ୨ ଲକ୍ଷ ୪୧ ହଜାର ୪୦୧ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୧ ଲକ୍ଷ ୨୨ ହଜାର ୧୨୬ ଜଣ ପୁରୁଷ, ୧ ଲକ୍ଷ ୧୯ ହଜାର ୨୨୬ ଜଣ ମହିଳା ଭୋଟର ରହିଛନ୍ତି। ସେହିପରି ଚଳିତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳିରେ ୨୧୫୫ ଭିନ୍ନକ୍ଷମ ଭୋଟର ରହିଥିବା ବେଳେ ୫୭୧୯ ଜଣ ଭୋଟର ୧୮-୧୯ ବର୍ଷ ମଧ୍ୟରେ ରହିଛନ୍ତି। ଚଳିତ ବର୍ଷର ନୂଆ ଭୋଟରଙ୍କ ସଂଖ୍ୟା ଓ ଗତ ନିର୍ବାଚନର ଭୋଟ ବ୍ୟବଧାନ ପ୍ରାୟତ ସମାନ ରହିଛି। ତେଣୁ ଏହି ନୂଆ ଭୋଟର ହିଁ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।

Article Bottom (Mobile Only)

୨୦୧୯ ନିର୍ବାଚନରେ କଂଗ୍ରେସ ଦଳରୁ ନରସିଂହ ମିଶ୍ର ବିଜୟୀ ହୋଇଥିଲେ। ସେ ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓଙ୍କୁ ୫୩୪୧ ଖଣ୍ଡ ଭୋଟରେ ପରାଜିତ କରିଥିଲେ। ନରସିଂହ ୭୧ ହଜାର ୫୯୮ ଖଣ୍ଡ ଭୋଟ ପାଇଥିବା ବେଳେ ଅର୍କେଶ ୬୬ହଜାର ୨୫୭ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପି ପ୍ରାର୍ଥୀ ଅନନ୍ତ ଦାସ ମାତ୍ର ୨୮ ହଜାର ୯୨୪ ଖଣ୍ଡ ଭୋଟ ପାଇଥିଲେ।

୧୯୫୧ ରେ ଗଠନ ହୋଇଥିବା ଏହି ଆସନରେ ପ୍ରଥମ ଥର ପାଇଁ ଗଣପରିଷଦ ଦଳରୁ ନନ୍ଦ କିଶୋର ମିଶ୍ର ବିଜୟୀ ହୋଇଥିଲେ। ସେ ୧୯୫୧. ୧୯୫୭ ନିର୍ବାଚନ ଜିତିଥିଲେ। ପରେ ୧୯୬୧ରେ ଚନ୍ଦ୍ରଶେଖର ସିଂ ବିଧାୟକ ହୋଇଥିବା ବେଳେ ୧୯୬୭, ୧୯୭୧ ଓ ୧୯୭୪ ନିର୍ବାଚନରେ ସ୍ୱତନ୍ତ୍ର ଦଳରୁ ନିର୍ବାଚିତ ହୋଇ ରାଜେନ୍ଦ୍ର ନାରାୟଣ ସିଂଦେଓ ବିଧାୟକ ହେବା ସହ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ଏହା ପରେ ୧୯୭୭ ରେ ମୁରଲୀ ଗୁରୁ, ୧୯୮୦ ଓ ୧୯୮୫ରେ କଂଗ୍ରେସ ଦଳରୁ ମୁଜାଫର ଖାନ ବିଧାୟକ ହୋଇ ରାଜ୍ୟ ରାଜନୀତିରେ ନିଜ ଛାପବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ଏହା ପରେ ୧୯୯୦, ୧୯୯୫ ରୁ ଜନତା ଦଳ ଓ ୨୦୦୦, ୨୦୦୪, ୨୦୦୯ ନିର୍ବାଚନରେ ବିଜେଡି ଦଳରୁ ଅନଙ୍ଗ ଉଦୟ ସିଂହଦେଓ ବିଜୟୀ ହୋଇଥିଲେ। ଏପରିକି ସେ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳରୁ ନରସିଂହ ମିଶ୍ର ବିଜୟୀ ହୋଇଥିବା ବେଳେ ୨୦୧୪ ରେ ବିରୋଧୀ ଦଳ ନେତା ଓ ୨୦୧୯ରେ କଂଗ୍ରେସ ବିଧାୟକ ଦଳ ନେତା ରହିଛନ୍ତି।

Leave A Reply

Your email address will not be published.